Skip to main content

ଭାରତର ଚନ୍ଦ୍ରଯାନ-2ର ହେବ ଉତକ୍ଷେପଣ

ଭାରତର ଦ୍ବିତୀୟ ଚନ୍ଦ୍ର ମିଶନ ଚନ୍ଦ୍ରଯାନ-2 ଚଳିତ ବର୍ଷ ଜୁଲାଇ ମାସରେ ଉତକ୍ଷେପଣ ହେବାର ଯୋଜନା କରାଯାଇଛି । ଏହି ଯାନରେ ଦେଶର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଦ୍ବାରା ବିକଶିତ 13ଟି ପେଲୋଡ ଚନ୍ଦ୍ର ପୃଷ୍ଠକୁ ଯାଇ ତଥ୍ୟ ସଂଗ୍ରହ କରିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ କହିଛି । ଏହି ଚନ୍ଦ୍ରଯାନରେ 3.8 ଟନ ବିଶିଷ୍ଟ ତିନୋଟି ମଡ୍ୟୁଲ ଯଥା ଓରବିଟର, ଲ୍ୟାଣ୍ତର(ବିକ୍ରମ) ଏବଂ ରୋଭର(ପ୍ରଜ୍ଞାନ) ଯିବ।ଏହି ମିଶନ ପୃଥିବୀ ଠାରୁ ଚନ୍ଦ୍ରର ଦୂରତାକୁ ମାପିବ । ଇସ୍ରୋ ଅନୁଯାୟୀ ଏହି ସମସ୍ତ ମଡ୍ୟୁଲ ଜୁଲାଇରେ ଚନ୍ଦ୍ରଯାନ-2ର ଉତକ୍ଷେପଣ ପାଇଁ ପ୍ରସ୍ତୁତ ଅଛି ଏବଂ ଏହା ସେପ୍ଟେମ୍ବର 6 ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଓରବିଟର ଚନ୍ଦ୍ରପୃଷ୍ଠର 100 କିଲୋମିଟର ବ୍ୟବଧାନର କକ୍ଷପଥରେ ପରିକ୍ରମା କରିବ ଏବଂ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ତଥା ପ୍ରଜ୍ଞାନ ଚନ୍ଦ୍ର ସଂପର୍କରେ ତଥ୍ୟ ଏବଂ ଜ୍ଞାନ ଆହରଣ କରିବ ।


ଚନ୍ଦ୍ରଯାନ-1 ଅପାର ସଫଳତା ହାସଲ କରିଥିଲା ଏବଂ ଏହା ଚନ୍ଦ୍ରରେ ଜଳ ଥିବାର ଅନ୍ବେଷଣ କରିଥିଲା । ଏଥିରେ ମୋଟ 5ଟି ବିଦେଶି ପେଲୋଡ ରହିଥିଲା । ସେଥିମଧ୍ୟରୁ ତିନୋଟି ୟୁରୋପର ହୋଇଥିବାବେଳେ ଦୁଇଟି ଆମେରିକାର ଥିଲା । ଚନ୍ଦ୍ରଯାନ-2 ହେଉଛି ଅତ୍ୟନ୍ତ ଉଚ୍ଚ ଜ୍ଞାନକୌଶଳ ଏବଂ ଅତ୍ୟାଧୁନିକ ମିଶନ ।


ଇସ୍ରୋ ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ଯେ ବିକ୍ରମ ସେପ୍ଟେମ୍ବର 6 ତାରିଖ ସୁଦ୍ଧା ଚନ୍ଦ୍ରର ଆଖପାଖରେ ପରିକ୍ରମା କରିବ ଏବଂ ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଅବତରଣ କରି ଏହାର ଭୂମି ସଂପର୍କରେ ତର୍ଜମା କରିବ । ପ୍ରଜ୍ଞାନ ତନ୍ଦ୍ରପୃଷ୍ଠର 300ରୁ 400 ମିଟର ମଧ୍ୟରେ ପରିକ୍ରମା କରିବ । ପ୍ରଜ୍ଞାନ ସେଠାରେ 14ଟି ପୃଥିବୀ ଦିବସ ଅତିବାହିତ କରି ଚନ୍ଦ୍ର ସଂପର୍କରେ ବିଭିନ୍ନ ବୈଜ୍ଞାନିକ ତଥ୍ୟ ହାସଲ କରିବ । ରୋଭର ଚନ୍ଦ୍ରପୃଷ୍ଠରେ କଣ ସବୁ ରହିଛି ସେସଂପର୍କରେ ତଥ୍ୟ ସଂଗ୍ରହ କରି ପୃଥିବୀକୁ 15 ମିନିଟରେ ଫଟୋ ପ୍ରେରଣ କରିବ । 3800 କିଲୋଗ୍ରାମ ଚନ୍ଦ୍ରଯାନ ଚନ୍ଦ୍ରର 100 କିଲୋମିଟର ବ୍ୟବଧାନରେ ରହି ଏହାର ପ୍ରଦକ୍ଷଣ କରିବ ।


ଇସ୍ରୋ ଅଧ୍ୟକ୍ଷ କହିଛନ୍ତି ଯେ ଚନ୍ଦ୍ରଯାନ-2 ସବୁଠୁ ଗୁରୁତ୍ବପୂର୍ଣ୍ଣ ମିଶନ । ଏହା ଚନ୍ଦ୍ରଯାନ-1 ଠାରୁ ମଧ୍ୟ ଅଧିକ ଦକ୍ଷତାଶୀଳ ଏବଂ ଅତ୍ୟାଧୁନିକ । ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଯାହାକି ଆଜିଯାଏଁ କୌଣସି ମିଶନ କରିନାହାନ୍ତି ବା ସେଠାରେ ପହଞ୍ଚି ନାହାନ୍ତି । ଚନ୍ଦ୍ରଯାନ-1ରେ 11ଟି ପେଲୋଡ ଥିଲା ଯେଉଁଥିରେ 5ଟି ଭାରତର, ତିନୋଟି ୟୁରୋପର, ଦୁଇଟି ଆମେରିକାର ଏବଂ ଗୋଟିଏ ବୁଲଗେରିଆର। ଚନ୍ଦ୍ରଯାନ-1ର ସବୁଠୁ ବଡ ସଫଳତା ଥିଲା ଯେ ଏହା ଚନ୍ଦ୍ରରେ ଜଳ ଥିବାର ଅନ୍ବେଷଣ କରିଥିଲା ।


ଭାରତ ଯଦି ସଫଳତାର ସହିତ ଚନ୍ଦ୍ରଯାନ-2କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଏ ତେବେ ଏପରି କରିବାରେ ଏହା ବିଶ୍ବର ଚତୁର୍ଥ ଦେଶ ହେବ । ରୁଷ, ଆମେରିକା ଏବଂ ଚୀନ ଏହା ପୂର୍ବରୁ ସଫଳତାର ସହିତ ଏହି ମିଶନ ସଂପନ୍ନ କରିଛନ୍ତି ଯେତେବେଳେକି ଇସ୍ରାଏଲ ଏପ୍ରିଲ 12 ତାରିଖରେ ଚନ୍ଦ୍ରପୃଷ୍ଠରେ ପହଞ୍ଚିବାର ମିଶନରେ ବିଫଳ ହୋଇଛି । ଭାରତର ଚନ୍ଦ୍ରଯାନ-2 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଯାହାକି ଏପର୍ଯ୍ୟନ୍ତ କୌଣସି ଦେଶ ସକ୍ଷମ ହୋଇନାହିଁ କେବଳ ଚୀନ ଏଥିପାଇଁ ଚେଷ୍ଟା କରିଛି । ଜାନୁୟାରୀ ମାସରେ ଚୀନର ଚନ୍ଦ୍ରଯାନ ଚନ୍ଦ୍ରର ବିପରିତ ଭାଗ ଅର୍ଥାତ କଳା ଭାଗରେ ପହଞ୍ଚିଥିଲା ଯାହାକି ପୃଥିବୀ ପାଇଁ ଏପର୍ଯ୍ୟନ୍ତ ଅଜଣା ରହିଛି ।

ଦନ୍ଦ୍ରଯାନ-2ର ସଫଳତା ଇସ୍ରୋର ଆଉଏକ ସଫଳତାର ଗାଥା ବହନ କରିବ ଏବଂ ଏହା ମହାକାଶ ଉତକ୍ଷେପଣ କ୍ଷେତ୍ରରେ ନିଜର ଅନନ୍ୟ ପ୍ରଭାବ ବିସ୍ତାରକୁ ପ୍ରମାଣିତ କରିବ।

ମୂଳ ଲେଖା : ଯୋଗେଶ ସୁଦ

ଅନୁବାଦ : ରାମଚଂଦ୍ର ନାଥ

Comments