ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଏକ ନୂତନ ଶିଖରରେ ତାଙ୍କ ସରକାର ପହଞ୍ଚାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଏକ ରାଷ୍ଟ୍ର-ଏକ ନିର୍ବାଚନ ଲାଗି ବିରୋଧୀ ପାର୍ଟି ଗୁଡିକର ସହଯୋଗ ଲୋଡିଛନ୍ତି | ଉଭୟ ସଦନର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ସମୟରେ ଉତ୍ତର ଦେବା ବେଳେ ଶ୍ରୀ ମୋଦୀ ଏକଥା କହିଛନ୍ତି | ପାର୍ଲିଆମେଣ୍ଟର କାର୍ଯ୍ୟଧାରାକୁ ସୁରୁଖୁରୁରେ ଚଳାଇବା ଲାଗି ସେ ବିରୋଧୀ ପାର୍ଟି ଗୁଡିକୁ ନିବେଦନ କରିଥିଲେ | ସେ କହିଛନ୍ତି ଯେ ଭାରତ ଏହାର ପ୍ରଗତି ଓ ସମୃଦ୍ଧି ନିଶ୍ଚିତ କରିବା ଲାଗି କୌଣସି ସୁଯୋଗ ହାତ ଛଡା କରିବା ଉଚିତ ନୁହେଁ | ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ଯେ ଉଭୟ ସରକାର ଓ ବିରୋଧୀ ପକ୍ଷ ଦେଶ ସମ୍ମୁଖୀନ ହେଉଥିବା ସବୁ ଚାଲେଞ୍ଜ ଗୁଡିକୁ ଐକ୍ୟବଦ୍ଧ ହୋଇ ମୁକାବିଲା କରିପାରିବେ | ସେ ଏକ ଦୃଢ, ନିରାପଦ ଓ ସମଷ୍ଟିଗତ ଭାରତ ଗଠନ ଲାଗି ଆହ୍ଵାନ ଜଣାଇଛନ୍ତି | ଦୁର୍ନୀତି, କୃଷକ ଓ ନିଯୁକ୍ତି ଭଳି ଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରି ଦେଶରେ ଦୁର୍ନୀତି ର କୌଣସି ସ୍ଥାନ ନାହିଁ ଓ ତାଙ୍କ ସରକାର ଏହା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବ ବୋଲି ସେ ମତବ୍ୟକ୍ତ କରିଛନ୍ତି | ଦେଶରେ ଦେଖାଦେଇଥିବା ଜଳ ସଙ୍କଟ ଉପରେ ସଦସ୍ୟ ମାନଙ୍କୁ ଅବଗତ କରିବାକୁ ଯାଇ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ଘରକୁ ଜଳ ଯୋଗାଇବା ହେଉଛି ତାଙ୍କ ସରକାରଙ୍କ ମୂଳ ମନ୍ତ...