Skip to main content

ଭାରତ-ଆମେରିକା ସମ୍ପର୍କ : କଥାବାର୍ତ୍ତା ଅବ୍ୟାହତ


ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ନୂଆଦିଲ୍ଲୀ ଗସ୍ତ ଏବଂ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରୀ ଓ ଜାତୀୟ ନିରାପତ୍ତା ଉପଦେଷ୍ଟାଙ୍କ ସହ ତାଙ୍କର ବୈଠକ ଅତ୍ୟନ୍ତ ଉଲ୍ଲେଖନୀୟ ଘଟଣାବଳୀ ଥିଲା |

ବାଣିଜ୍ୟ ଓ ଶୁଳ୍କ, ଇରାନ ଉପରେ କଟକଣା, ଭାରତୀୟ ସାମଗ୍ରୀ ଉପରେ ଆମେରିକାର ଅଗ୍ରାଧିକାର ବ୍ୟବସ୍ଥା ହଟାଇନେବା, ଭାରତୀୟ ବୈଷୟିକବିତ ମାନଙ୍କ ପାଇଁ H1B ଭିସା, ଭେନେଜୁଏଲା ସହିତ ଶକ୍ତି କ୍ଷେତ୍ରରେ ବ୍ୟବସାୟ ଏବଂ ରୁଷ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ ଭଳି କେତେକ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ଵିପକ୍ଷୀୟ ମତଭେଦ କିଛିଟା ଉନ୍ମାଦନା ସୃଷ୍ଟି କରିଛି ଯେଉଁଥିପାଇଁ ଉଭୟ ଦେଶର ନେତୃବୃନ୍ଦଙ୍କ ମଧ୍ୟରେ ପ୍ରତ୍ୟେକ୍ଷ କଥାବାର୍ତ୍ତାର ଆବଶ୍ୟକତା ରହିଛି |

ଜାପାନର ଓସାକାରେ G-20 ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଦ୍ଵିପକ୍ଷୀୟ କଥାବାର୍ତ୍ତାକୁ ସୁଗମ କରାଇବା ତଥା G-20 ସମ୍ମିଳନୀ ଅବସରରେ ଜାପାନ-ଆମେରିକା-ଭାରତ (JAI) ତ୍ରୀପକ୍ଷୀୟ କଥାବାର୍ତ୍ତା ପାଇଁ ଆମେରିକା ରାଷ୍ଟ୍ରପତି, ଭାରତୀୟ ପ୍ରଧାନମନ୍ତ୍ରୀ ଓ ଜାପାନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବୈଠକ କରାଇବା ପ୍ରସ୍ତୁତି ସକାଶେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଭାରତ ଗସ୍ତର ମୂଳ କାରଣ ରହିଥିଲା |

ସମ୍ପ୍ରତି ଅନୁଷ୍ଠିତ ଲୋକ ସଭା ନିର୍ବାଚନରେ ମୋଦି ସରକାର ବିପୁଳ ବିଜୟ ସହ ପୁଣି କ୍ଷମତାକୁ ଫେରିବା ପରେ ଟ୍ରମ୍ଫ ପ୍ରଶାସନଙ୍କ ଜଣେ ବରିଷ୍ଠ ମନ୍ତ୍ରୀଙ୍କର ଗସ୍ତ ହୋଇଥିବା କାରଣରୁ ଏହି ଗସ୍ତକୁ ଉଲ୍ଲେଖନୀୟ ମନେ କରାଯାଉଛି |

ବିଭିନ୍ନ ପ୍ରସଙ୍ଗକୁ ନେଇ ମତଭେଦକୁ ଦୃଷ୍ଟିରେ ରଖି ବହୁ ପୂର୍ବରୁ ଏହା ସୂଚିତ କରାଯାଇଥିଲା ଯେ, ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଗସ୍ତ ସମୟରେ କୌଣସି ନୂଆ ରାଜିନାମା ସ୍ଵାକ୍ଷରିତ ହେବ ନାହିଁ କିମ୍ବା କୌଣସି ନୂଆ ପଦକ୍ଷେପ ବିଷୟରେ ଘୋଷଣା କରାଯିବ ନାହିଁ |

ଇରାନ ପ୍ରସଙ୍ଗ ଉପରେ ଭାରତ ଆମେରିକାର ସ୍ଥିତିକୁ ବୁଝି ପାରିଛି, କିନ୍ତୁ ଇରାନ ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେଉଥିବା ବିଷୟରେ ଆମେରିକାର ଦୃଷ୍ଟିକୋଣକୁ ମାନିବା ସ୍ଥିତିରେ ନାହିଁ | ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଭାରତର ଉଦବେଗକୁ ଆମେରିକା ହୃଦୟଙ୍ଗମ କରିଛି, ତେବେ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସ୍ପଷ୍ଟ କରିଛନ୍ତି ଯେ ଏକ ଶାନ୍ତି ବୁଝାମଣା ପାଇଁ ଟ୍ରମ୍ଫ ପ୍ରଶାସନ ତାଲିବାନ ସହ ବୁଝାମଣା କରିବାକୁ ନିବିଡ ଉଦ୍ୟମ କରୁଛି ଏବଂ ଚଳିତ ବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ଆମେରିକା ସେଠାରୁ ସୈନ୍ୟ ପ୍ରତ୍ୟାହାର କରିନେବ |

ଭାରତୀୟ ରପ୍ତାନୀ ପାଇଁ GSP ପ୍ରତ୍ୟାହାର ସକାଶେ ଆମେରିକାର ନିଷ୍ପତି ଉପରେ ଭାରତ ଏହାର ଉଦବେଗ ପ୍ରକାଶ କରିଛି | ଅନ୍ୟପକ୍ଷରେ ଆମେରିକାର ରପ୍ତାନୀ ଉପରେ ଅଧିକ ଭାରତୀୟ ଶୁଳ୍କ ଲାଗୁ ବ୍ୟବସ୍ଥା ପ୍ରସଙ୍ଗକୁ ମଧ୍ୟ ଆମେରିକା ନିରନ୍ତର ଉତଥାପନ କରୁଛି | H1B ଭିସା ପ୍ରସଙ୍ଗ, ରୁଷ ଠାରୁ ଅସ୍ତ୍ରଶସ୍ତ୍ର କ୍ରୟ ଭଳି ପ୍ରସଙ୍ଗ ଗୁଡିକ ମଧ୍ୟ ଆଲୋଚନାରେ ସ୍ଥାନ ପାଇଛି | ଏହା ଭାରତର ସ୍ଵାର୍ଥ ନିମନ୍ତେ ଉଦ୍ଦିଷ୍ଟ ଏବଂ ଏଥିରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି |

ଭାରତ ଏବଂ ଆମେରିକା ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ମତଭେଦର ସମାଧାନ ନହୋଇ ରହିଥିଲେ ମଧ୍ୟ, ଆମେରିକା ବୈଦେଶିକ ମନ୍ତ୍ରୀ ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପରିପକ୍ଵ କଥାବାର୍ତ୍ତା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ |

କିଛି ପ୍ରସଙ୍ଗ ଉପରେ ଭିନ୍ନ ମତ ଥିଲେ ମଧ୍ୟ, ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏହା ଏକ ସକାରାତ୍ମକ ବୈଠକ ଥିଲା | ମତଭେଦର ସମାଧାନ ନିମନ୍ତେ ଆହୁରି ଆଲୋଚନା ଜାରି ରଖିବାକୁ ଉଭୟ ନେତା ପ୍ରତିଶ୍ରୁତି ଦେଇଛନ୍ତି | ଦୁଇଟି ବିଷୟ ସ୍ପଷ୍ଟ ହୋଇଛି; ପ୍ରଥମଟି ହେଲା ଉଭୟ ଦେଶ ସନ୍ତ୍ରାସବାଦକୁ ଆଦୌ ବରଦାସ୍ତ ନକରିବା ପ୍ରସଙ୍ଗ ଯେଉଁଥିପାଇଁ ଉଭୟ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଜାରି ରଖିବେ | ଦ୍ଵିତୀୟ ପ୍ରସଙ୍ଗଟି ହେଲା ଦ୍ଵିପକ୍ଷୀୟ କଥାବାର୍ତ୍ତା, ଜାପାନ-ଆମେରିକା-ଭାରତ (JAI) ତ୍ରିପକ୍ଷୀୟ କଥାବାର୍ତ୍ତା, ଚତୁର୍ପକ୍ଷ (QUAD) କଥାବାର୍ତ୍ତା ତଥା ବହୁମୂଖୀ ପଦ୍ଧତି ମାଧ୍ୟମରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଭାରତ-ଆମେରିକା ମଧ୍ୟରେ ସହଯୋଗ ବୃଦ୍ଧି କରିବା |

କିଛି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ଥିବା ମତଭେଦ, ଉଭୟ ଦେଶ ଦ୍ଵାରା ଗତ ଦୁଇ ଦଶନ୍ଧି ଧରି ସୁଦୃଢ ହୋଇଥିବା ଭାରତ-ଆମେରିକା ସାମରିକ ଭାଗିଦାରୀ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ | ୱାଶିଂଟନର ଇରାନ ନୀତି ଭାରତର ଶକ୍ତି ନିରାପତ୍ତା ଉପରେ ପ୍ରଭାବ ପକାଇଛି | ତେବେ ଆମେରିକାରୁ ତୈଳ କ୍ରୟ କରିବାକୁ ଆମେରିକା ଭାରତକୁ ପ୍ରସ୍ତାବ ଦେଇଛି ଏବଂ ଭାରତ ମଧ୍ୟ ଏଥିରେ ରାଜି ହୋଇଛି |

ସେହିଭଳି ରୁଷ ଠାରୁ ଭାରତ S-400 କ୍ଷେପଣାସ୍ତ୍ର କିଣିବାକୁ ଆମେରିକା ବିରୋଧ କରିଛି ତେବେ ଆମେରିକା ଭାରତକୁ ଏହାର ସର୍ବବୃହତ ପ୍ରତିରକ୍ଷା ସହଭାଗୀ ଦେଶ କରିଛି | ଆମେରିକୀୟ ସାମଗ୍ରୀ ଉପରେ ଭାରତର ଅଧିକ ଶୁଳ୍କ ଲାଗୁ ବ୍ୟବସ୍ଥା ଉପରେ ଟ୍ରମ୍ଫ ପ୍ରଶାସନ ଅଭିଯୋଗ କରିଛି କିନ୍ତୁ ଆମେରିକା ଆଲୁମିନିୟମ ଏବଂ ଇସ୍ପାତ ଉପରେ ଏହାର ଶୁଳ୍କ ବୃଦ୍ଧି କରିଛି ଯାହାର ଭାରତୀୟ ଅର୍ଥନୀତି ଉପରେ ପ୍ରଭାବ ପଡିଛି | ତେବେ ଭାରତ ବୁଝାମଣା ସକାଶେ ଦ୍ଵାର ଉନ୍ମୁକ୍ତ ରଖିଛି |

ବୁଝାମଣା ସକାଶେ ଅନେକ ସୁଯୋଗ ରହିଛି ଏବଂ ଓସାକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଉଭୟ ଦେଶ ଏହି ସବୁ ପ୍ରସଙ୍ଗ ଉପରେ ଦୃଢ ପଦକ୍ଷେପ ନେବାର ଆଶା କରାଯାଉଛି |

ମୂଳ ଲେଖା : ପ୍ରଫେସର ଚିନ୍ତାମଣି ମହାପାତ୍ର , JNU
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...