Skip to main content

ଜିସାଟ-30 ଉପଗ୍ରହର ସଫଳ ସ୍ଥାପନ

ଭାରତ ତାର 41ତମ ଯୋଗାଯୋଗ ଉପଗ୍ରହ ଜିସାଟ-30କୁ ଗତ 17 ତାରିଖ ଦିନ ସଫଳତାର ସହ କକ୍ଷ ପଥରେ ସ୍ଥାପନ କରିବା ଦ୍ୱାରା ନିରବଚ୍ଛିନ୍ନ ଭାବେ ଯୋଗାଯୋଗ ସେବାକୁ ନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି। 14 ବର୍ଷର ପୁରୁଣା ଇନସାଟ-4ଏ ଖୁବ ଶିଘ୍ର ଅକାମି ହେବାକୁ ଯାଉଥିବାବେଳେ ଜିସାଟ-30 ଉପଗ୍ରହ ଏହା ସ୍ଥାନରେ ବ୍ୟବହାର କରାଯିବ। ଇନସାଟ-4ଏ ଉପଗ୍ରହକୁ ଭାରତୀୟ କେବୁଲ ଅପରେଟରମାନେ ବିଦେଶରେ କାର୍ଯ୍ୟକ୍ରମଗୁଡିକର ପ୍ରସାରଣ ପାଇଁ ବ୍ୟବହାର କରୁଛନ୍ତି। ଜିସାଟ-30 ଉପଗ୍ରହ ଆଉ 15 ବର୍ଷ ପାଇଁ ଏବଂ ଅଧିକ ଦେଶକୁ ଏହି ସେବାକୁ ଜାରି ରଖିବ।

ଫ୍ରେଞ୍ଚ ଗୁଏନାର କୋଉରୋଉ ମହାକାଶ କେନ୍ଦ୍ରରୁ ରିଆନେ-5 ମହାକାଶ ଯାନରେ ଜିସାଟ-30 ଉପଗ୍ରହକୁ କକ୍ଷ ପଥରେ ସ୍ଥାପନ କରାଯାଇଛି। ଏରିଆନାସ୍ପେସ ପକ୍ଷରୁ ଭାରତର ଏହି ଉପଗ୍ରହ ହେଉଛି 24ତମ ଉପଗ୍ରହ। 1981 ମସିହାରେ ଏରିଆନା ପକ୍ଷରୁ ଭାରତର ପ୍ରଥମ ଯୋଗାଯୋଗ ଉପଗ୍ରହ ଆପଲକୁ ମହାକାଶରେ ସ୍ଥାପନ କରାଯାଇ ଥିଲା। ଏହି ସଦ୍ୟତମ ଉତକ୍ଷେପଣରେ ଏରିଆନା-5 ମହାକାଶ ଯାନ ଏଉଟେଲସାଟ କୋନେକ୍ଟ କୁ ମଧ୍ୟ କକ୍ଷ ପଥରେ ସ୍ଥାପନ କରିଛି। ଏହି ଅତ୍ୟାଧୁନିକ ଓ ନୂଆ ପିଢିର ଏଉଟେଲସାଟ କୋନେକ୍ଟ ଉପଗ୍ରହ ୟୁରୋପ ଓ ଆଫ୍ରିକା ମହାଦେଶରେ ଟେଲିଯୋଗାଯୋଗ ସେବା ଯୋଗାଇବ।

15 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମର ଦକ୍ଷତା ରଖିଥିବା ଜିସାଟ-30 ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋର ଉଚ୍ଚ କ୍ଷମତା ସଂପନ୍ନ ଯୋଗାଯୋଗ ଉପଗ୍ରହ ଯାହା ନମନୀୟ ଫ୍ରିକୁଏନ୍ସି ଓ ନେଟୱର୍କ ପ୍ରଦାନ ପାଇଁ ଅତ୍ୟନ୍ତ ଦକ୍ଷ। ଏହି ଉପଗ୍ରହରେ 12ସି ଓ 12କେଉ ବ୍ୟାଣ୍ତ ଟ୍ରାନ୍ସପୋଣ୍ତର ରହିଥିବାରୁ ଟେଲିଭିଜନ ପ୍ରସାରଣ ଓ ଡିଟିଏଚ ସେବା ଅଧିକ ଅଞ୍ଚଳରେ ଉପଲବ୍ଧ କରାଯିବାକୁ ସମର୍ଥ ହେବ। କେଉ ବ୍ୟାଣ୍ତ ଟ୍ରାନ୍ସପୋଣ୍ତର ଗୁଡିକ ଭାରତ ଏହାର ଦ୍ୱୀପପୁଞ୍ଜଗୁଡିକରେ ଯୋଗାଯୋଗ ସେବା ଉପଲବ୍ଧ କରାଇବା ଓ ସି ବ୍ୟାଣ୍ତ ଟ୍ରାନ୍ସପୋଣ୍ତରଗୁଡିକ ଭାରତ ସମେତ ଉପସାଗରୀୟ ଦେଶ ସମୁହ ଏସିଆ ମହାଦେଶର ଅନେକ ଦେଶ ଏବଂ ଅଷ୍ଟ୍ରେଲିଆକୁ ପ୍ରସାରଣ ସେବା ଯୋଗାଇବା ସଙ୍ଗେସଙ୍ଗେ ସେହି ଦେଶଗୁଡିକର ପ୍ରସାରଣ ସେବାକୁ ଭାରତରେ ଉପଲବ୍ଧ କରାଇବ। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଏହି ଉପଗ୍ରହରେ ସର୍ବାଧିକ ଟ୍ରାନ୍ସପୋଣ୍ତର ଖଞ୍ଜିବା ପାଇଁ ବ୍ୟବସ୍ଥା ରହିଥିବାରୁ ଭାରତୀୟ ପ୍ରସାରଣକାରୀମାନେ ମଧ୍ୟପ୍ରାଚ୍ୟ, ଅଷ୍ଟ୍ରେଲିଆ ଓ ଏସିଆ ମହାଦେଶର ଅନ୍ୟ ପ୍ରାନ୍ତଗୁଡିକରେ ପ୍ରସାରଣ କରିବାକୁ ସମର୍ଥ ହେବେ।

ଇସ୍ରୋ କହିଛି ଏହି ଉପଗ୍ରହ ଭିସାଟର କ୍ଷମତାକୁ ଜାରି ରଖିବା ସଙ୍ଗେସଙ୍ଗେ ଟେଲିଭିଜନ ଅପଲିଙ୍କିଙ୍ଗ ଓ ଟେଲିପୋର୍ଟ ସେବା ତଥା ଡିଟିଏଚ ଟେଲିଭିଜନ ସେବା ସମେତ ଅନ୍ୟ ଉପଗ୍ରହଗୁଡିକରେ ବ୍ୟବହାର କରାଯାଉଥିବା ବ୍ୟବସ୍ଥାକୁ ମଧ୍ୟ ଏହାଦ୍ୱାରା ଉପଯୋଗ କରାଯାଇ ପାରିବ। ଏହି ଉପଗ୍ରହ ଡିଜିଟାଲ ଉପଗ୍ରହ, ସଂବାଦ ସଂଗ୍ରହ ବ୍ୟବସ୍ଥା ପାଇଁ ସହାୟକ ହେବ ଯାହାଦ୍ୱାରା ସାମ୍ବାଦିକମାନେ ଦୂର ସ୍ଥାନରୁ ପ୍ରସାରଣ କରିବା ସଙ୍ଗେସଙ୍ଗେ ୟୁରୋପ ଓ ପଶ୍ଚିମ ଓ ପୂର୍ବ ଅଷ୍ଟ୍ରେଲିଆ ଦେଶଗୁଡିକରୁ ମଧ୍ୟ ପ୍ରସାରଣ କରିବା ପାଇଁ ସକ୍ଷମ ହୋଇପାରିବେ। ଜିସାଟ-30 ଉପଗ୍ରକୁ ଆଲଫା ଡିଜାଇନ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି ଏବଂ ବାଙ୍ଗାଲୋରସ୍ଥିତ ଇସ୍ରୋର ସାଟେଲାଇଟ ସମନ୍ୱିତକରଣ ଓ ପରୀକ୍ଷା କେନ୍ଦ୍ରରେ ଏହାକୁ ଆସେମ୍ଲ କରାଯାଇଛି।

ଇସ୍ରୋର ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ଭବିଷ୍ୟତରେ ଉପଗ୍ରହ ଗୁଡିକର ଉତକ୍ଷେପଣ ପାଇଁ ରକେଟ ନିର୍ମାଣ ସକାଶେ ବାହାରୁ ବିଶେଷଜ୍ଞମାନଙ୍କୁ ଅଣାଯିବ। ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ ହଲ ଏବଂ ଏଲ ଆଣ୍ତ ଟି ମିଳିତ ଭାବେ ପିଏସଏଲଭି ଉପଗ୍ରହଗୁଡିକୁ ନିର୍ମାଣ କରିବେ ଏବଂ ଜିଏସଏଲଭି ଭଳି ଓଜନିଆ ରକେଟଗୁଡିକ ମଧ୍ୟ ନିର୍ମାଣ କରାଯିବ।ଗଗନ ଯାନ ପାଇଁ 100 ବିଲିୟନ ଡଲାର ସମେତ ଏହିସବୁ ପ୍ରକଳ୍ପଗୁଡିକ ସକାଶେ ସରକାର 300 ବିଲିୟନ ଡଲାର ମଞ୍ଜୁର କରିଥିବା ଇସ୍ରୋ ପକ୍ଷରୁ କୁହାଯାଇଛି। ଭାରତର ମାନବ ଚାଳିତ ଗଗନଯାନରେ ବେସରକାରୀ କ୍ଷେତ୍ରର ଶତକଡା 80 ଭାଗ ଅବଦାନ ରହିବ।

ଭାରତର ପ୍ରଥମ ମହାକାଶ ମିଶନ ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଚାଲିଛି। 2022 ମସିହାରେ ଦେଶର 75ତମ ସ୍ୱାଧୀନତା ବର୍ଷ ପାଳନ ପୂର୍ବରୁ ଭାରତର ପ୍ରଥମ ମହାକାସଚାରୀଙ୍କୁ ପଠାଇବା ଲାଗି ଲକ୍ଷ୍ୟ ରଖାଯାଇଛି।

ଆଲେଖ୍ୟ: ବିମାନ ବସୁଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments