ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ନିର୍ବାଚିତ ହେବା ସହ; ଚୀନ ପ୍ରତି ଭାରତର ନୀତି ପ୍ରାୟତଃ ନିରନ୍ତର ରହିବା ଆଶା କରାଯାଉଛି | ଆମେରିକା-ଚୀନ ମଧ୍ୟରେ ବାଣିଜ୍ୟ ବିବାଦକୁ ନେଇ ବିଶ୍ଵ ସ୍ତରୀୟ ରାଜନୀତିରେ ଅସମତୁଲତା ଦେଖାଦେଇଥିଲେ ସୁଦ୍ଧା ଭାରତର ନୀତି ନିରନ୍ତର ରହିବା ଆଶା କରାଯାଉଛି | 2017 ମସିହାରେ ଡୋକଲାମ ଅଚଳାବସ୍ଥା ପରେ, ଉଭୟ ଦେଶ ସେମାନଙ୍କ ର ମତଭେଦକୁ ନିୟନ୍ତ୍ରଣ କରି ସମ୍ବଳର ଉପଯୋଗ କରିଛନ୍ତି | 2018 ମସିହାରେ ଉହାନରେ ଅନୁଷ୍ଠିତ ଅଣଆନୁଷ୍ଠାନିକ ସମ୍ମିଳନୀ ଏହାର ଜ୍ଵଳନ୍ତ ଉଦାହରଣ | ଉହାନ ସମ୍ମିଳନୀ ଏବଂ ଅଣଆନୁଷ୍ଠାନିକ କଥାବାର୍ତ୍ତା ଏକ ଆସ୍ଥା ସୂଚକ ପଦକ୍ଷେପ ଗଠନ କରିବା ଭୂମିକା ନିଭାଇଛି | ଭାରତ-ଚୀନ ସମ୍ପର୍କରେ ସକାରାତ୍ମକ ପ୍ରଗତି ପରିଲକ୍ଷିତ ହୋଇଆସୁଛି | ଜାତିସଂଘ ନିରାପତ୍ତା ପରିଷଦରେ ଜୈଶେ ମହମ୍ମଦ (JeM) ମୁଖ୍ୟ ମସୁଦ ଆଝାରକୁ ଏକ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବାକୁ ଚୀନ ରାଜିହେବା ନିଷ୍ପତି ଏବଂ ଉହାନ ସମ୍ମିଳନୀର ପରିଣାମର କାର୍ଯ୍ୟକାରିତା ଏଥିରୁ ସ୍ପଷ୍ଟ ହେଉଛି | ପୂର୍ବରୁ ଚାରିଥର ଚୀନ ମସୁଦ ଆଝାରକୁ ଆନ୍ତର୍ଜାତୀୟ ସନ୍ତ୍ରାସବାଦୀ ଘୋଷଣା କରିବା ନିଷ୍ପତିକୁ ବିରୋଧ କରିଥିଲା | କ୍ଷମତାକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନ ଫିଙ୍ଗଙ୍କ ସହ କିର୍ଗିଜସ୍ତାନର ବିଶକେକ ଠାରେ ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀ ଅବସରରେ ଦ୍ଵିପକ୍ଷୀୟ ବୈଠକ କରିଥିଲେ | ଉଭୟ ନେତାଙ୍କ ମଧ୍ୟରେ ଜୁନ 28-29 ତାରିଖରେ ଓସାକାରେ ଅନୁଷ୍ଠିତ ହେବାକୁ ଥିବା G20 ସମ୍ମିଳନୀରେ ପୁଣିଥରେ ସାକ୍ଷାତ ଆଲୋଚନା ହେବ | ଚଳିତ ବର୍ଷର ଶେଷ ଆଡକୁ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଦ୍ଦଶ ପୂର୍ବ ଏସିଆ ସମ୍ମିଳନୀ ଏବଂ ବ୍ରାଜିଲରେ BRICS ସମ୍ମିଳନୀରେ ଉଭୟ ନେତା ପୁଣି ସାକ୍ଷାତ କରିବା ଆଶା କରାଯାଉଛି |
ସାମ୍ପ୍ରତିକ ଆବେଗକୁ ଦୃଷ୍ଟିରେ ରଖି, ଉଭୟ ନେତା ପୁଣି ଥରେ ଏକ ଅଣ-ଆନୁଷ୍ଠାନିକ ବୈଠକରେ ଏକତ୍ରିତ ହେବାକୁ ରାଜି ହୋଇଛନ୍ତି | ବାରଣାସୀରେ ଅକ୍ଟୋବର 11 ତାରିଖରେ ଦ୍ଵିତୀୟ ଅଣ-ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହେବାର ଆଶା କରାଯାଉଛି | ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉଲ୍ଲେଖନୀୟ ପ୍ରଗତି ଘଟିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ଉଭୟ, ସେମାନଙ୍କର ସହଭାଗୀତାକୁ ଆହୁରି ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ଓ ଉଭୟଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଖୁବ ଭଲ ରହିଛି | ତେବେ ସମ୍ପର୍କରେ ପ୍ରଗତି, ମତଭେଦ ଯେ ଦୂର କରିବ ତାହା ଦର୍ଶାଏ ନାହିଁ | ବିଶକେକ ଠାରେ 2019 ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀରେ ନେତୃବୃନ୍ଦଙ୍କ ମିଳିତ ବିବୃତିରେ ଭାରତ ଦ୍ଵିତୀୟ ଥର ପାଇଁ ବେଲ୍ଟ ଓ ସଡକ ପଦକ୍ଷେପ (BRI)କୁ ସ୍ୱୀକୃତି ଦେଇନାହିଁ | ଭାରତ ଏକମାତ୍ର ଦେଶ ଭାବେ ଚୀନର ଦୁଇଟି ବେଲ୍ଟ ଓ ସଡକ ଫୋରମକୁ ବର୍ଜ୍ଜନ କରିଛି | ପାକିସ୍ତାନକୁ ଚୀନର ସମର୍ଥନ ଏବଂ ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ଏବେ ମଧ୍ୟ ପ୍ରମୁଖ କ୍ଷୋଭଜନକ ବିଷୟ ବସ୍ତୁ ରହିଛି |
ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ କଥାବାର୍ତ୍ତା ଏବଂ ଅନେକ ପର୍ଯ୍ୟାୟର ବୁଝାମଣା ସତ୍ତ୍ୱେ ସାଧାରଣ ସୀମା ପ୍ରସଙ୍ଗ ଜନିତ ବିବାଦ ଏବେ ମଧ୍ୟ ରହିଛି | ପରମାଣୁ ଯୋଗାଣକାରୀ ଗୋଷ୍ଠୀରେ ଭାରତର ସଦସ୍ୟତାକୁ ଚୀନର ପ୍ରତିରୋଧ ମଧ୍ୟ ଆଉ ଏକ ପ୍ରସଙ୍ଗ ରହିଛି | ତେବେ ଉଭୟ ପକ୍ଷ ମଧ୍ୟରେ ମତଭେଦ ଗୁଡିକ ଯେଭଳି ବିବାଦରେ ପରିଣତ ନହୁଏ ସେଥିନେଇ ଦୁଇ ଦେଶ ଏହା ଉପରେ ସହମତ ହୋଇଛନ୍ତି |
ଚୀନ ପ୍ରତି ଭାରତର ଆଭିମୁଖ୍ୟ ସକାରାତ୍ମକ ରହିଛି, ତେବେ କିଛି ବିବାଦାସ୍ପଦ ପ୍ରସଙ୍ଗ ଉପରେ ନୂଆଦିଲ୍ଲୀ ଏହାର ଆଭିମୁଖ୍ୟକୁ ନିରନ୍ତର ଭାବେ ସ୍ପଷ୍ଟ ରଖିଛି | ତେବେ ଉଚ୍ଚ ସ୍ତରରେ ରୀତିମତ କଥାବାର୍ତ୍ତାର ଫଳସ୍ୱରୂପ ମତଭେଦ ଗୁଡିକ ବିବାଦରେ ପରିଣତ ହୋଇପାରିନାହିଁ | ଉଭୟ ଦେଶ ନିଜର ସ୍ୱାର୍ଥ ସମ୍ବଳିତ ବିଷୟ ଗୁଡିକ ଉପରେ ପ୍ରାଧାନ୍ୟ ଦେଉଛନ୍ତି ଏବଂ ବ୍ୟକ୍ତିଗତ ସ୍ୱାର୍ଥ ପରିବର୍ତ୍ତେ ସାମୁହିକ ହିତ ସାଧନ ଉପଲକ୍ଷେ ସହଯୋଗ ବୃଦ୍ଧି କରୁଛନ୍ତି | ସାଙ୍ଘାଇ ସହଯୋଗ ସଙ୍ଗଠନ (SCO) ସମ୍ମିଳନୀରେ ଉଭୟ ଦେଶ ସନ୍ତ୍ରାସବାଦର ମୁକାବିଲା ପ୍ରସଙ୍ଗ ଉପରେ ଗୁରୁତ୍ତ୍ଵ ପ୍ରଦାନ କରିଛନ୍ତି | ଚୀନ ପାଇଁ, ଆମେରିକା ପ୍ରସଙ୍ଗ ମଧ୍ୟ ଚିନ୍ତାର ବିଷୟ ହୋଇଛି | ଆମେରିକା-ଚୀନ ବାଣିଜ୍ୟ ବିବାଦ ଏବଂ BRI ବିବାଦ ପ୍ରସଙ୍ଗ ମଧ୍ୟରେ ଚୀନ ଅନ୍ୟାନ୍ୟ ଦେଶ ଗୁଡିକ ସହ ସମ୍ପର୍କରେ ଉନ୍ନତି ଆଣିବାକୁ ଚାହୁଁଛି | ଭାରତର ଅଂଶ ଗ୍ରହଣ ବିନା, ଚୀନର BRI କାର୍ଯ୍ୟକ୍ରମ ସମଗ୍ର ଏସିଆରେ ଗ୍ରହଣୀୟ ହେବା ଆଶା କ୍ଷୀଣ ଦେଖାଯାଉଛି |
ଚଳିତ ବର୍ଷ ଶେଷ ଆଡକୁ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ମଧ୍ୟରେ ବାରଣାସୀରେ ବୈଠକ ଅନୁଷ୍ଠିତ ହେବ, ସେତେବେଳେ ଉଭୟ ଦେଶ ମଧ୍ୟରେ ଦ୍ବିପକ୍ଷୀୟ ସମ୍ପର୍କ ଆହୁରି ଉନ୍ନତ ହେବାର ଆଶା କରାଯାଉଛି | ଭାରତ-ଚୀନ ସୀମା ବିବାଦ ପ୍ରସଙ୍ଗ ଉପରେ ଅଗ୍ରଗତି ହେଉଥିବାବେଳେ, ଉଭୟ ନେତା ସେମାନଙ୍କର ମଧ୍ୟସ୍ଥି ମାନଙ୍କୁ ଏହି ପ୍ରସଙ୍ଗର ସମାଧାନ ସକାଶେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି | 2018-19 ରେ ଭାରତର, ଚୀନ ସହ 53.37 ବିଲିୟନ ଆମେରିକୀୟ ଡଲାର ବାଣିଜ୍ୟ ନିଅଣ୍ଟ ରହିଛି | ଉଭୟ ନେତାଙ୍କ ମଧ୍ୟରେ କଥାବାର୍ତ୍ତାରେ ସଂଯୋଗ ପ୍ରକଳ୍ପ, ମୌଳିକ ଢାଞ୍ଚା କ୍ଷେତ୍ରରେ ଅଗ୍ରଗତି ଇତ୍ୟାଦି ପ୍ରସଙ୍ଗ ସମେତ ଚୀନ-ଆମେରିକା ବାଣିଜ୍ୟ ବିବାଦ ଏବଂ ଅନ୍ୟାନ୍ୟ ଆପୋଷ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ପ୍ରସଙ୍ଗ ଗୁଡିକ ସ୍ଥାନ ପାଇବାର ଆଶା କରାଯାଉଛି |
ଭାରତ ଏବଂ ଚୀନ 2020 ମସିହାରେ କୂଟନୈତିକ ସମ୍ପର୍କର 70 ବର୍ଷ ପୂରଣ କରିବାକୁ ଯାଉଛନ୍ତି | ଏସିଆର ଏହି ଦୁଇଟି ବୃହତ ରାଷ୍ଟ୍ରର ନେତୃବୃନ୍ଦଙ୍କ ବ୍ୟକ୍ତିଗତ ସମ୍ପର୍କ ମଧ୍ୟ ଉଭୟ ଦେଶର ଦ୍ବିପକ୍ଷୀୟ ସମ୍ପର୍କକୁ ସୁଦୃଢ କରିବାରେ ସହାୟକ ହେବା ଆଶା କରାଯାଉଛି | ଏହା ଉଭୟ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗର ସମାଧାନ କରିବା ସହ ସମ୍ପର୍କକୁ ଆହୁରି ସୁଦୃଢ କରାଇବାରେ ସହାୟକ ହେବାର ମଧ୍ୟ ଆଶା କରାଯାଉଛି |
ମୂଳ ଲେଖା : ସନା ହାଶମୀ, ପୂର୍ବ ଏସିଆ ଏବଂ ୟୁରୋସୀୟ ବ୍ୟାପାର ଉପରେ ବିଶ୍ଳେଷକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ
Comments
Post a Comment