Skip to main content

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

 2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ |
ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ଓହରିବା ନେଇ ବ୍ରେକ୍ସିଟ ବୁଝାମଣା ହେଉ କି ନହେଉ  ସେ ସବୁ ସ୍ଥଳେ ବ୍ରିଟେନ ର ନେତୃତ୍ଵ ନେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି | ବ୍ରେକ୍ସିଟ ଲାଗି ଉତ୍ତମ ଅବସର ପ୍ରଦାନ ନିମନ୍ତେ ୟୁରୋପୀୟ ସଂଘ ପୁନଃ ବୁଝାମଣା କରିବ ବୋଲି ସେ ବିଶ୍ଵାସ ପ୍ରକଟ କରିଛନ୍ତି  | ଅନ୍ୟ ପକ୍ଷରେ ଏପରି କିଛି ସୁବିଧା ପ୍ରଦାନ କରାଯିବ ନାହିଁ ବୋଲି ୟୁରୋପୀୟ ସଂଘ ପକ୍ଷରୁ କୁହାଯାଇଛି | ଯଦି ଏହା କାର୍ଯ୍ୟକାରୀ ନ ହୁଏ ତାହେଲେ ଅକ୍ଟୋବର 31ତାରିଖ ସୁଦ୍ଧା ବ୍ରିଟେନ ୟୁରୋପୀୟ ସଂଘରୁ ଓହରିଯିବା ଉଚିତ ବୋଲି କୁହାଯାଇଛି | ଧାର୍ଯ୍ୟ  ସମୟସୀମା ମଧ୍ୟରେ କଣ ହେବ ତାହା ଦେଖିବାକୁ ଅଛି | ଅପର ପକ୍ଷେ ୟୁରୋପୀୟ ସଂଘ ଦୋହୋରାଇଛି ଯେ ଥେରେସା ମେ ଙ୍କ ସହ ହୋଇଥିବା ଚୁକ୍ତି ଗ୍ରହଣ କରିବାକୁ ପଡିବ ନୋଚେତ ବ୍ରିଟେନକୁ ୟୁରୋପୀୟ ସଂଘରୁ ଓହରିବାକୁ ପଡିବ |
ସଂସଦ ତଥା  ତାଙ୍କ ପାର୍ଟି ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ  ଚାଲେଞ୍ଜ ର ମଧ୍ୟ ସାମନା କରିବାକୁ ପଡୁଛି କାରଣ ସଂସଦର ଅଧିକାଂଶ ସଦସ୍ୟ କୌଣସି ଚୁକ୍ତି ବିନା ୟୁରୋପୀୟ ସଂଘ ରୁ ଓହରିବାକୁ ବିରୋଧ କରୁଛନ୍ତି | ହେଲେ କଞ୍ଜରଭେଟିଭ ପାର୍ଟି ରେ ମଧ୍ୟ କୌଣସି ବୁଝାମଣା ବିନା ବ୍ରେକ୍ସିଟ ପାଇଁ  ସର୍ବ ସହମତି ପ୍ରକାଶ ପାଇପାରୁନାହିଁ | ଇତିମଧ୍ୟରେ ଶ୍ରୀ ଜନସନ ଙ୍କ ‘କର ବା ମର ‘ ଆଭିମୁଖ୍ଯ ପ୍ରତି ଆଶଙ୍କା କରି ପାଉଣ୍ଡ ର ଅନିଶ୍ଚିତତା ଅଧିକ ମାତ୍ରାରେ ବୃଦ୍ଧି ପାଇଛି | ଏହା 31 ଅକ୍ଟୋବର ସୁଦ୍ଧା ଏକ ବୁଝାମଣା ବିନା ବ୍ରେକ୍ସିଟ କାର୍ଯ୍ୟକାରୀ ହେବାର ଇଙ୍ଗିତ କରୁଛି  | ଯଦି ଏପରି ହେବ ତେବେ ବ୍ରିଟେନ ଆର୍ଥିକ ଭାବେ ମହାବିପତ୍ତିର ସମ୍ମୁଖୀନ ହେବ ବୋଲି ଅନୁମାନ କରାଯାଉଛି | ଏପରି ପରିସ୍ଥିତିକୁ ଟାଳିବା ପାଇଁ ଶ୍ରୀ ଜନସନ ବ୍ରେକ୍ସିଟ ସମର୍ଥନକାରୀ ମାନଙ୍କୁ ନିଜ କ୍ୟାବିନେଟରେ ସାମିଲ କରିବା ଲାଗି ପଦକ୍ଷେପ ଗ୍ରହଣ କରି ନିଜ ସ୍ଥିତି ସ୍ଥିର କରିବାକୁ ପ୍ରୟାସ କରିପାରନ୍ତି | 
ଜନସନଙ୍କ ନୂତନ ସରକାରଙ୍କ ଅଧୀନରେ ଭାରତ-ବ୍ରିଟେନ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇପାରେ | ଜାନୁଆରୀ 2017ରେ ବ୍ରିଟେନ ର ବୈଦେଶିକ ମନ୍ତ୍ରୀ ଭାବେ ଭାରତକୁ ତାଙ୍କ ପ୍ରଥମ ଆନୁଷ୍ଠାନିକ ଗସ୍ତ ସମୟରେ ବୋରୀସ ଜନସନ ଏସିଆର ତୃତୀୟ ସର୍ବବୃହତ ଅର୍ଥନୀତି ସହ ଏକ ମୁକ୍ତ ବାଣିଜ୍ୟ ରାଜିନାମା ଲାଗି ଇଚ୍ଛା ପ୍ରକଟ କରିଥିଲେ | ଏହି ରାଜିନାମା ମାର୍ଚ୍ଚ 2019 ରେ ୟୁରୋପୀୟ ସଂଘରୁ ବ୍ରିଟେନ ଓହରିଯିବା  ପରେ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହୋଇଥାନ୍ତା | ଅନ୍ୟ ଏକ ଘଟଣାରେ ନିକଟ ଅତୀତରେ ନେତୃତ୍ଵ ନିର୍ବାଚନରେ ଭାରତୀୟ ବଂଶୋଦଭବ କଞ୍ଜରଭେଟିଭ ସଦସ୍ୟ ମାନଙ୍କ ସମର୍ଥନ ହାସଲ ଲାଗି ଚିଠି ଲେଖି ସେ କହିଥିଲେ ଯେ ବ୍ରିଟେନ-ଭାରତ ସମ୍ପର୍କ ପାଇଁ ତାଙ୍କ ଦୃଢ ପ୍ରତିଶୃତିବଦ୍ଧତା ରହିଛି ଓ ଏହା ବାଣିଜ୍ୟ, ବସ୍ତୁ ଓ ସେବାର ଆଦାନ ପ୍ରଦାନ ତୁଳନାରେ ଆହୁରି ମଜଭୁତ ହେବା ଉଚିତ | ନିଃସନ୍ଦେହରେ ଏହା ସ୍ପଷ୍ଟ ପ୍ରତୀତ ହେଉଛି ଯେ ନୂତନ ସରକାର ଭାରତ-ବ୍ରିଟେନ ସମ୍ପର୍କର ପୁନର୍ଗଠନ ଲାଗି ପ୍ରବଳ ଆଗ୍ରହୀ ଅଛନ୍ତି  | ଯେତେବେଳେକି ଭାରତ ଏହାର ଲୋକମାନଙ୍କ ପାଇଁ ସରଳ ଦେଶାନ୍ତରିକରଣ ନିୟମାବଳୀ ସହ ଏକ ଚୁକ୍ତି ସ୍ଵାକ୍ଷର କରିବାକୁ ଚାହୁଁଛି | ଅନ୍ୟ ପକ୍ଷରେ ବ୍ରେକ୍ସିଟ ବିଦେଶୀ ମାନଙ୍କ ବଦଳରେ ନିଜ ଲୋକମାନଙ୍କ ପାଇଁ ଅଧିକ ଅବସର ପ୍ରଦାନ କରିବା ପ୍ରତି ସଙ୍କଳ୍ପବଦ୍ଧ ଅଛି |
ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜନୈତିକ ରୂପେ ବିଭାଜିତ ୟୁକେ ଅନେକ   ଗୁଡିଏ ଚାଲେଞ୍ଜ ର ସମ୍ମୁଖୀନ ହେଉଛି | ଆଗକୁ ଅଗ୍ରସର ହେବା ସମୟରେ ନିଃସନ୍ଦେହରେ ଲୋକମାନଙ୍କ ସ୍ଵର ସାମିଲ କରାଯିବା  ଉଚିତ ଯିଏ ଦେଶର ହିତକୁ ନିର୍ଣ୍ଣୟ କରିଥାଏ | ଏହି ପରିପ୍ରେକ୍ଷୀରେ ଶ୍ରୀ ଜନସନଙ୍କ ନିଶ୍ଚିତ ରୂପେ ଉଲ୍ଲେଖନୀୟ ଦାୟିତ୍ଵ ରହିଛି କାରଣ ସେ ବ୍ରିଟେନ କୁ ମାର୍ଗଦର୍ଶନ  କରେଇବା ତଥା ସାମାଜିକ-ରାଜନୈତିକ ସ୍ଥିରତା ପ୍ରତିଷ୍ଠା କରିବା ପାଇଁ ବ୍ରେକ୍ସିଟ ଅଚଳାବସ୍ଥା ରୁ ଏହାକୁ ବାହାର କରିବାର ଆବଶ୍ୟକତା ରହିଛି | ଏକ ତତ୍ପର, ନ୍ୟାୟସଙ୍ଗତ ତଥା ସୁବ୍ୟବସ୍ଥିତ ରୂପରେ ଇୟୁ ରୁ ପ୍ରସ୍ଥାନ ବ୍ରିଟେନ କୁ ଅନ୍ତହୀନ ଅସ୍ଥିରତାରୁ ରକ୍ଷା କରିବାରେ ସହାୟତା କରିପାରିବ |  ବ୍ରିଟେନ 2016 ରୁ ଏହି ଅସ୍ଥିରତା ପୂର୍ଣ୍ଣ ଶିକୁଳୀରେ ଜଡୀ ରହିଛି | ଆଗାମୀ ମାସ ଗୁଡିକରେ ଅବଶିଷ୍ଟ ଦୁନିଆ ସହ ବ୍ରିଟେନ ଶ୍ରୀ ଜନସନ ଙ୍କ ଆଭିମୁଖ୍ଯ ପରିବର୍ତ୍ତନ ହେବାର ଦେଖିବ ନତୁବା ତାଙ୍କ ‘କର ବା ମର’ ସ୍ଥିତି ବଜାୟ ରହିବ |
ମୂଳ ଲେଖା : ଡଃ ସଙ୍ଘମିତ୍ରା ଶର୍ମା, ୟୁରୋପୀୟ ବ୍ୟାପାର ଉପରେ ରଣନୀତିକ ବିଶ୍ଳେଷକ 
ଅନୁବାଦ : ରୀତା ଯୋଶୀ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...