Skip to main content

ପାରସ୍ୟ ଉପସାଗରରେ ସାମରିକ ପ୍ରସ୍ତୁତି

ଗତ ସପ୍ତାହରେ ଓମାନ ଉପସାଗରରେ ଦୁଇଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣର ପ୍ରତ୍ୟୁତ୍ତରରେ; ପାରସ୍ୟ ଉପସାଗରରେ ନିରାପତ୍ତାକୁ ସୁଦୃଢ କରିବା ସକାଶେ ଅତିରିକ୍ତ 1000 ଜଣ ସୈନିକ ପଠାଉଥିବା ବିଷୟ ଆମେରିକାର ପ୍ରତିରକ୍ଷା ବିଭାଗ ଘୋଷଣା କରିଛି | ଇରାନର ପରମାଣୁ ଚୁକ୍ତି – ଯୁଗ୍ମ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଯୋଜନା (JCPoA) ରୁ ଓହରିଯିବାକୁ ଆମେରିକା 2018 ମସିହା ମେ ମାସରେ ନେଇଥିବା ନିଷ୍ପତି ପରଠାରୁ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣାବଳୀମାନ ଘଟିଛି | ଆମେରିକା, ଇରାନ ଉପରେ ପୁଣି ଥରେ ଅର୍ଥନୈତିକ କଟକଣା ଲାଗୁ କରିଛି ଏବଂ ଇରାନରୁ ତୈଳ ଆମଦାନୀ କରୁଥିବା ରାଷ୍ଟ୍ର ଗୁଡିକ ଉପରୁ ସମସ୍ତ ଛାଡ ବ୍ୟବସ୍ଥା ମଧ୍ୟ ଗତମାସରୁ ବନ୍ଦ କରିଦେଇଛି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ପୁଣି ନୂଆ ବାସନ୍ଦ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି | କଟକଣା ଲାଗୁ ହୋଇଥିବା ଇରାନର ଉଦ୍ଯୋଗ ଗୁଡିକ ସହ ବ୍ୟବସାୟ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ମଧ୍ୟ ଅତିରିକ୍ତ କଟକଣା ଲାଗୁ କରିବା ନେଇ ସେ ଚେତାବନୀ ଦେଇଛନ୍ତି |

ଇରାନ ମଧ୍ୟ JCPoA ରେ ସ୍ଵାକ୍ଷର କରିଥିବା ଅନ୍ୟ ରାଷ୍ଟ୍ର, ବିଶେଷ ଭାବେ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀକୁ ଚେତାବନୀ ଦେଇଛି | ଇରାନର ଅର୍ଥନୀତି ଉପରେ ବାସନ୍ଦ ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ହ୍ରାସ କରିବା ସକାଶେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଅନ୍ୟଥା ତେହେରାନ ଚୁକ୍ତିରୁ ଓହରିଯିବାକୁ ବାଧ୍ୟ ହେବ ବୋଲି ଇରାନ କହିଛି | ଇରାନର ଏଭଳି ଚେତାବନୀ ପରେ ଆମେରିକା, ଆର୍ଲିଙ୍ଗଟନ ଏବଂ ଏକ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ଯାଟେରୀ ସମେତ ଅତିରିକ୍ତ ସୈନିକ ପଠାଇଛି | ତେବେ ଉପସାଗରକୁ ଅତିରିକ୍ତ ସୈନ୍ୟ, କ୍ଷେପଣାସ୍ତ୍ର, ନିରୀକ୍ଷଣକାରୀ ଯୁଦ୍ଧ ବିମାନ ଇତ୍ୟାଦି ପ୍ରେରିତ କରି ସାମରିକ ସଜବାଜ ପ୍ରସ୍ତୁତି ଦ୍ଵାରା ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା ହୋଇପାରିବ ନାହିଁ |

ତେବେ ଓମାନ ଉପସାଗରରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣରେ ଇରାନ ସମ୍ପୃକ୍ତ ନଥିବା ବାରମ୍ବାର କହି ଆସୁଛି | ଅନ୍ୟପକ୍ଷରେ ଆମେରିକା ଏବଂ ସାଉଦି ଆରବ ସେହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି | ଏହା ଛଡା ଉଭୟ ଦେଶ, ମେ ମାସରେ ଫୂଜାଇରା ଉପକୂଳରେ ଚାରୋଟି ତୈଳ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ଇରାନକୁ ଦାୟୀ କରିଛନ୍ତି | ୟେମେନର ହୋଦି ବିଦ୍ରୋହୀ ମାନେ ସାଉଦି ଆରବରେ ଆକ୍ରମଣ କରିଛନ୍ତି ଯାହା ବିରୁଦ୍ଧରେ ଏକ ଦୀର୍ଘ କାଳୀନ ବିଦ୍ରୋହରେ ସାଉଦି-ନେତୃତ୍ଵାଧୀନ ଏକ ମେଣ୍ଟ ଜଡିତ ଥିବା କୁହାଯାଇଛି |

2019, ମେ ମାସରେ ଏକ ସାଉଦି ଆରାମକୋ ତୈଳ ପାଇପଲାଇନ ଏକ ଡ୍ରୋନ ଆକ୍ରମଣର ସମୁଖୀନ ହୋଇଛି | ଗତ ସପ୍ତାହରେ, ଦକ୍ଷିଣ ଭାଗସ୍ଥିତ ନଜରାନ ପ୍ରଦେଶର ଆଭା ବିମାନ ବନ୍ଦରରେ ଏକ ହୋଦି କ୍ଷେପଣାସ୍ତ୍ର ଆକ୍ରମଣରେ 26 ଜଣ ଲୋକ ଆହତ ହୋଇଥିଲେ | ହୋଦି ବିଦ୍ରୋହୀ ମାନଙ୍କୁ ଆକ୍ରମଣ କରିବାରେ ଇରାନ ପ୍ରୋତ୍ସାହିତ କରୁଥିବା ସାଉଦି ଆରବ ଅଭିଯୋଗ କରିଛି | ଏହି ସବୁ ଘଟଣାବଳୀର ପରିପ୍ରେକ୍ଷୀରେ ଆମେରିକା ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତି ନେଇଥିବା ପ୍ରତୀୟମାନ ହେଉଛି | ଇରାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଯୋଗୁଁ ଏହି ନିଷ୍ପତି ନିଆଯାଇଥିବା ବିଷୟ ଅସ୍ଥାୟୀ ପ୍ରତିରକ୍ଷା ମନ୍ତ୍ରୀ ପାଟ୍ରିକ ଶାନହନ କହିଛନ୍ତି | ଆମେରିକା ଇରାନ ସହ କୌଣସି ବିବାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଆମର ସାମରିକ ବାହିନୀ ଓ କର୍ମୀ ମାନଙ୍କର ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଏବଂ ଆମ ଦେଶର ସ୍ଵାର୍ଥର ସୁରକ୍ଷା ନିମନ୍ତେ ଏହାର ଆବଶ୍ୟକତା ଥିବା ସେ ମତବ୍ୟକ୍ତ କରିଛନ୍ତି |

ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମୟରେ ଏହି ସବୁ ଘଟଣାବଳୀ ଅତ୍ୟନ୍ତ ଉଲ୍ଲେଖନୀୟ | ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରାଇବାକୁ ରୁଷ, ଚୀନ, ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଭଳି ବିଶ୍ଵ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଗୁଡିକ ଆଶା ରଖି ଆସୁଥିଲେ ମଧ୍ୟ କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି | ଚଳିତ ମାସରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କର ଇରାନ ଗସ୍ତ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଏକ ପଦକ୍ଷେପ ସ୍ୱରୂପ ମନେ କରାଯାଇଛି |

ତେବେ ଇରାନ, ଏକ ପ୍ରତିଶୋଧମୂଳକ ମନୋଭାବ ଗ୍ରହଣ କରିଛି | ଏହା ଯେକୌଣସି ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ସମୁଖରେ ନତମସ୍ତକ ହେବାକୁ ବାରଣ କରିଦେଇଛି | ଅନ୍ୟପକ୍ଷରେ, ପାରସ୍ୟ ଉପସାଗରରେ ସମ୍ପ୍ରତି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ରୁଷ ଏବଂ ଚୀନ ମଧ୍ୟ ଚିନ୍ତିତ ଅଛନ୍ତି | ଏଥିରୁ ଏହା ଜଣାପଡୁଛି ଯେ ଇରାନ ସଂପୂର୍ଣ୍ଣ ଭାବେ ଏକ ଘରିକିଆ ହୋଇଯାଇନାହିଁ ଏବଂ କୌଣସି ପ୍ରକାର ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଦ୍ଵାରା ସେହି ଅଞ୍ଚଳରେ ବ୍ୟାପକ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ରହିଛି | ଇତିମଧ୍ୟରେ ଖବର ମିଳିଛି ଯେ ଇରାନ ଏକ ଆମେରିକୀୟ ଡ୍ରୋନକୁ ଗୁଳିମାଡ କରି ଖସାଇଦେଇଛି ଯାହାକୁ ଆମେରିକା ରାଷ୍ଟ୍ରପତି ‘ଏକ ବଡ ଧରଣର ଭୂଲ’ ଭାବେ ବର୍ଣ୍ଣନା କରିଛନ୍ତି | ଏହି କାର୍ଯ୍ୟାନୁଷ୍ଠାନ ଉତ୍ତେଜନାକୁ ଆହୁରି ବୃଦ୍ଧି କରାଇବାର ସମ୍ଭାବନା ସୃଷ୍ଟି କରିଛି | 

ଭାରତ ପାଇଁ ପାରସ୍ୟ ଉପସାଗରରେ ପରିସ୍ଥିତି ଏକ ଚିନ୍ତାର କାରଣ ହୋଇଛି | ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ନୂଆଦିଲ୍ଲୀର ବିଶେଷ ଭାବେ ଆଗ୍ରହ ରହିଛି | କେବଳ ଶକ୍ତି କ୍ଷେତ୍ରର ସୁରକ୍ଷା ନିମନ୍ତେ ନୁହେଁ ବରଂ ଉପସାଗରୀୟ ଅଞ୍ଚଳରେ ବସବାସ କରୁଥିବା ଏହାର 8.5 ମିଲିୟନ ନାଗରିକ ମାନଙ୍କର କଲ୍ୟାଣ ନିମନ୍ତେ ଭାରତ ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଆଗ୍ରହୀ ଅଛି | ଉଭୟ ଇରାନ ଏବଂ ସାଉଦି ଆରବ ସହ ନୂଆଦିଲ୍ଲୀର ସମ୍ପର୍କ ଅତି ଉତ୍ତମ ରହିଛି | ସମସ୍ତ ଅଂଶୀଦାର ରାଷ୍ଟ୍ରଗୁଡିକ ସେହି ଅଞ୍ଚଳରେ ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତି ହ୍ରାସ କରି ଏକ ସୌହାର୍ଦ୍ଦ୍ୟମୂଳକ ବାତାବରଣରେ ବୁଝାମଣା ସହ ଏକ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ଆଶାବ୍ୟକ୍ତ କରିଛି | 


ମୂଳ ଲେଖା : ଡକ୍ଟର ମହମ୍ମଦ ମୁଦାସୀର କମର, ପଶ୍ଚିମ ଏସିଆ ଉପରେ ସାମରିକ ବିଶ୍ଳେଷକ 
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...