ଗତ ସପ୍ତାହରେ ଓମାନ ଉପସାଗରରେ ଦୁଇଟି ତୈଳ ଟ୍ୟାଙ୍କର ଉପରେ ଆକ୍ରମଣର ପ୍ରତ୍ୟୁତ୍ତରରେ; ପାରସ୍ୟ ଉପସାଗରରେ ନିରାପତ୍ତାକୁ ସୁଦୃଢ କରିବା ସକାଶେ ଅତିରିକ୍ତ 1000 ଜଣ ସୈନିକ ପଠାଉଥିବା ବିଷୟ ଆମେରିକାର ପ୍ରତିରକ୍ଷା ବିଭାଗ ଘୋଷଣା କରିଛି | ଇରାନର ପରମାଣୁ ଚୁକ୍ତି – ଯୁଗ୍ମ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଯୋଜନା (JCPoA) ରୁ ଓହରିଯିବାକୁ ଆମେରିକା 2018 ମସିହା ମେ ମାସରେ ନେଇଥିବା ନିଷ୍ପତି ପରଠାରୁ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣାବଳୀମାନ ଘଟିଛି | ଆମେରିକା, ଇରାନ ଉପରେ ପୁଣି ଥରେ ଅର୍ଥନୈତିକ କଟକଣା ଲାଗୁ କରିଛି ଏବଂ ଇରାନରୁ ତୈଳ ଆମଦାନୀ କରୁଥିବା ରାଷ୍ଟ୍ର ଗୁଡିକ ଉପରୁ ସମସ୍ତ ଛାଡ ବ୍ୟବସ୍ଥା ମଧ୍ୟ ଗତମାସରୁ ବନ୍ଦ କରିଦେଇଛି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ପୁଣି ନୂଆ ବାସନ୍ଦ ବ୍ୟବସ୍ଥା ଲାଗୁ କରିବାକୁ ମଧ୍ୟ ନିଷ୍ପତି ନେଇଛନ୍ତି | କଟକଣା ଲାଗୁ ହୋଇଥିବା ଇରାନର ଉଦ୍ଯୋଗ ଗୁଡିକ ସହ ବ୍ୟବସାୟ କରୁଥିବା ସଂସ୍ଥା କିମ୍ବା ବ୍ୟକ୍ତି ବିଶେଷ ମାନଙ୍କ ଉପରେ ମଧ୍ୟ ଅତିରିକ୍ତ କଟକଣା ଲାଗୁ କରିବା ନେଇ ସେ ଚେତାବନୀ ଦେଇଛନ୍ତି |
ଇରାନ ମଧ୍ୟ JCPoA ରେ ସ୍ଵାକ୍ଷର କରିଥିବା ଅନ୍ୟ ରାଷ୍ଟ୍ର, ବିଶେଷ ଭାବେ ବ୍ରିଟେନ, ଫ୍ରାନ୍ସ ଏବଂ ଜର୍ମାନୀକୁ ଚେତାବନୀ ଦେଇଛି | ଇରାନର ଅର୍ଥନୀତି ଉପରେ ବାସନ୍ଦ ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ହ୍ରାସ କରିବା ସକାଶେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଅନ୍ୟଥା ତେହେରାନ ଚୁକ୍ତିରୁ ଓହରିଯିବାକୁ ବାଧ୍ୟ ହେବ ବୋଲି ଇରାନ କହିଛି | ଇରାନର ଏଭଳି ଚେତାବନୀ ପରେ ଆମେରିକା, ଆର୍ଲିଙ୍ଗଟନ ଏବଂ ଏକ ପାଟ୍ରିଅଟ କ୍ଷେପଣାସ୍ତ୍ର ବ୍ଯାଟେରୀ ସମେତ ଅତିରିକ୍ତ ସୈନିକ ପଠାଇଛି | ତେବେ ଉପସାଗରକୁ ଅତିରିକ୍ତ ସୈନ୍ୟ, କ୍ଷେପଣାସ୍ତ୍ର, ନିରୀକ୍ଷଣକାରୀ ଯୁଦ୍ଧ ବିମାନ ଇତ୍ୟାଦି ପ୍ରେରିତ କରି ସାମରିକ ସଜବାଜ ପ୍ରସ୍ତୁତି ଦ୍ଵାରା ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠା ହୋଇପାରିବ ନାହିଁ |
ତେବେ ଓମାନ ଉପସାଗରରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣରେ ଇରାନ ସମ୍ପୃକ୍ତ ନଥିବା ବାରମ୍ବାର କହି ଆସୁଛି | ଅନ୍ୟପକ୍ଷରେ ଆମେରିକା ଏବଂ ସାଉଦି ଆରବ ସେହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି | ଏହା ଛଡା ଉଭୟ ଦେଶ, ମେ ମାସରେ ଫୂଜାଇରା ଉପକୂଳରେ ଚାରୋଟି ତୈଳ ଟ୍ୟାଙ୍କର ଉପରେ ହୋଇଥିବା ଆକ୍ରମଣ ପାଇଁ ମଧ୍ୟ ଇରାନକୁ ଦାୟୀ କରିଛନ୍ତି | ୟେମେନର ହୋଦି ବିଦ୍ରୋହୀ ମାନେ ସାଉଦି ଆରବରେ ଆକ୍ରମଣ କରିଛନ୍ତି ଯାହା ବିରୁଦ୍ଧରେ ଏକ ଦୀର୍ଘ କାଳୀନ ବିଦ୍ରୋହରେ ସାଉଦି-ନେତୃତ୍ଵାଧୀନ ଏକ ମେଣ୍ଟ ଜଡିତ ଥିବା କୁହାଯାଇଛି |
2019, ମେ ମାସରେ ଏକ ସାଉଦି ଆରାମକୋ ତୈଳ ପାଇପଲାଇନ ଏକ ଡ୍ରୋନ ଆକ୍ରମଣର ସମୁଖୀନ ହୋଇଛି | ଗତ ସପ୍ତାହରେ, ଦକ୍ଷିଣ ଭାଗସ୍ଥିତ ନଜରାନ ପ୍ରଦେଶର ଆଭା ବିମାନ ବନ୍ଦରରେ ଏକ ହୋଦି କ୍ଷେପଣାସ୍ତ୍ର ଆକ୍ରମଣରେ 26 ଜଣ ଲୋକ ଆହତ ହୋଇଥିଲେ | ହୋଦି ବିଦ୍ରୋହୀ ମାନଙ୍କୁ ଆକ୍ରମଣ କରିବାରେ ଇରାନ ପ୍ରୋତ୍ସାହିତ କରୁଥିବା ସାଉଦି ଆରବ ଅଭିଯୋଗ କରିଛି | ଏହି ସବୁ ଘଟଣାବଳୀର ପରିପ୍ରେକ୍ଷୀରେ ଆମେରିକା ଅତିରିକ୍ତ ସୈନ୍ୟ ପଠାଇବାକୁ ନିଷ୍ପତି ନେଇଥିବା ପ୍ରତୀୟମାନ ହେଉଛି | ଇରାନର ଶତ୍ରୁତାପୂର୍ଣ୍ଣ ମନୋଭାବ ଯୋଗୁଁ ଏହି ନିଷ୍ପତି ନିଆଯାଇଥିବା ବିଷୟ ଅସ୍ଥାୟୀ ପ୍ରତିରକ୍ଷା ମନ୍ତ୍ରୀ ପାଟ୍ରିକ ଶାନହନ କହିଛନ୍ତି | ଆମେରିକା ଇରାନ ସହ କୌଣସି ବିବାଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୁହେଁ ବରଂ ଆମର ସାମରିକ ବାହିନୀ ଓ କର୍ମୀ ମାନଙ୍କର ସୁରକ୍ଷା ଓ କଲ୍ୟାଣ ନିମନ୍ତେ ଏବଂ ଆମ ଦେଶର ସ୍ଵାର୍ଥର ସୁରକ୍ଷା ନିମନ୍ତେ ଏହାର ଆବଶ୍ୟକତା ଥିବା ସେ ମତବ୍ୟକ୍ତ କରିଛନ୍ତି |
ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମୟରେ ଏହି ସବୁ ଘଟଣାବଳୀ ଅତ୍ୟନ୍ତ ଉଲ୍ଲେଖନୀୟ | ଏହି ଦୁଇ ଦେଶ ମଧ୍ୟରେ ଉତ୍ତେଜନା ହ୍ରାସ କରାଇବାକୁ ରୁଷ, ଚୀନ, ଫ୍ରାନ୍ସ, ବ୍ରିଟେନ ଏବଂ ଜର୍ମାନୀ ଭଳି ବିଶ୍ଵ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଗୁଡିକ ଆଶା ରଖି ଆସୁଥିଲେ ମଧ୍ୟ କୌଣସି ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି | ଚଳିତ ମାସରେ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କର ଇରାନ ଗସ୍ତ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଏକ ପଦକ୍ଷେପ ସ୍ୱରୂପ ମନେ କରାଯାଇଛି |
ତେବେ ଇରାନ, ଏକ ପ୍ରତିଶୋଧମୂଳକ ମନୋଭାବ ଗ୍ରହଣ କରିଛି | ଏହା ଯେକୌଣସି ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ସମୁଖରେ ନତମସ୍ତକ ହେବାକୁ ବାରଣ କରିଦେଇଛି | ଅନ୍ୟପକ୍ଷରେ, ପାରସ୍ୟ ଉପସାଗରରେ ସମ୍ପ୍ରତି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ରୁଷ ଏବଂ ଚୀନ ମଧ୍ୟ ଚିନ୍ତିତ ଅଛନ୍ତି | ଏଥିରୁ ଏହା ଜଣାପଡୁଛି ଯେ ଇରାନ ସଂପୂର୍ଣ୍ଣ ଭାବେ ଏକ ଘରିକିଆ ହୋଇଯାଇନାହିଁ ଏବଂ କୌଣସି ପ୍ରକାର ଗମ୍ଭୀର କାର୍ଯ୍ୟାନୁଷ୍ଠାନ ଦ୍ଵାରା ସେହି ଅଞ୍ଚଳରେ ବ୍ୟାପକ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ରହିଛି | ଇତିମଧ୍ୟରେ ଖବର ମିଳିଛି ଯେ ଇରାନ ଏକ ଆମେରିକୀୟ ଡ୍ରୋନକୁ ଗୁଳିମାଡ କରି ଖସାଇଦେଇଛି ଯାହାକୁ ଆମେରିକା ରାଷ୍ଟ୍ରପତି ‘ଏକ ବଡ ଧରଣର ଭୂଲ’ ଭାବେ ବର୍ଣ୍ଣନା କରିଛନ୍ତି | ଏହି କାର୍ଯ୍ୟାନୁଷ୍ଠାନ ଉତ୍ତେଜନାକୁ ଆହୁରି ବୃଦ୍ଧି କରାଇବାର ସମ୍ଭାବନା ସୃଷ୍ଟି କରିଛି |
ଭାରତ ପାଇଁ ପାରସ୍ୟ ଉପସାଗରରେ ପରିସ୍ଥିତି ଏକ ଚିନ୍ତାର କାରଣ ହୋଇଛି | ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ନୂଆଦିଲ୍ଲୀର ବିଶେଷ ଭାବେ ଆଗ୍ରହ ରହିଛି | କେବଳ ଶକ୍ତି କ୍ଷେତ୍ରର ସୁରକ୍ଷା ନିମନ୍ତେ ନୁହେଁ ବରଂ ଉପସାଗରୀୟ ଅଞ୍ଚଳରେ ବସବାସ କରୁଥିବା ଏହାର 8.5 ମିଲିୟନ ନାଗରିକ ମାନଙ୍କର କଲ୍ୟାଣ ନିମନ୍ତେ ଭାରତ ସେହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ପାଇଁ ଆଗ୍ରହୀ ଅଛି | ଉଭୟ ଇରାନ ଏବଂ ସାଉଦି ଆରବ ସହ ନୂଆଦିଲ୍ଲୀର ସମ୍ପର୍କ ଅତି ଉତ୍ତମ ରହିଛି | ସମସ୍ତ ଅଂଶୀଦାର ରାଷ୍ଟ୍ରଗୁଡିକ ସେହି ଅଞ୍ଚଳରେ ସାମ୍ପ୍ରତିକ ଉତ୍ତେଜନାମୂଳକ ପରିସ୍ଥିତି ହ୍ରାସ କରି ଏକ ସୌହାର୍ଦ୍ଦ୍ୟମୂଳକ ବାତାବରଣରେ ବୁଝାମଣା ସହ ଏକ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଭାରତ ଆଶାବ୍ୟକ୍ତ କରିଛି |
ମୂଳ ଲେଖା : ଡକ୍ଟର ମହମ୍ମଦ ମୁଦାସୀର କମର, ପଶ୍ଚିମ ଏସିଆ ଉପରେ ସାମରିକ ବିଶ୍ଳେଷକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ
Comments
Post a Comment