Skip to main content

ଓସାକାରେ ବ୍ରିକ୍ସ ନେତୃବୃନ୍ଦଙ୍କ ଅଣଆନୁଷ୍ଠାନିକ ବୈଠକ


ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ର ରାଷ୍ଟ୍ର ମୁଖ୍ୟ ତଥା ସରକାର ମୁଖ୍ୟ ମାନେ ଜି20 ଶିଖର ସମ୍ମିଳନୀ ଅବସରରେ ସାକ୍ଷାତ ଆଲୋଚନା କରିଛନ୍ତି | ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରାଜିଲ ରାଷ୍ଟ୍ରପତି ଯାଇର ବୋଲଶୋନାର, ରୁଷ ରାଷ୍ଟ୍ରପତି ବ୍ଳାଦିମିର ପୁତିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଜାପାନକୁ ଜି20 ର ଅଧ୍ୟକ୍ଷତା କରିଥିବା ଯୋଗୁଁ ଶୁଭେଚ୍ଛା ଜଣାଇଛନ୍ତି ଓ ବାଣିଜ୍ୟ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ଓ ନବାଚାର, ମୌଳିକଢାଞ୍ଚା, ଜଳବାୟୁ ପରିବର୍ତ୍ତନ, ସାର୍ବଭୌମିକ ସ୍ୱାସ୍ଥ୍ୟ ପରିସ୍ଥିତି , ଜନସଂଖ୍ୟା ଓ ନିରନ୍ତର ବିକାଶ ଆଦି ପ୍ରସଙ୍ଗ ଗୁଡିକୁ ପ୍ରାଥମିକତା ଆଧାରରେ ଜାପାନ ଦ୍ଵାରା ବଛା ଯାଇଥିବା ଯୋଗୁଁ ଏହାର ପ୍ରଶଂସା କରିଛନ୍ତି |

ବ୍ରିକ୍ସ ନେତାମାନଙ୍କ କହିବାନୁଯାୟୀ ଆନ୍ତର୍ଜାତୀୟ ଅର୍ଥନୈତିକ ଅଭିବୃଦ୍ଧି ସ୍ଥିର ରହିବ ଓ ଚଳିତ ବର୍ଷ ଶେଷ ଆଡକୁ ଏଥିରେ ସାମାନ୍ୟ ବୃଦ୍ଧି ଘଟି 2020 ବେଳକୁ ଅଭିବୃଦ୍ଧିରେ ବିକାଶ ହେବାର ଆକଳନ କରାଯାଉଛି | ତେବେ ବୃଦ୍ଧି ପାଉଥିବା ବାଣିଜ୍ୟ ଓ ଭୂ-ରାଜନୈତିକ ତିକ୍ତତା, ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦର ବୃଦ୍ଧିରେ ଅସ୍ଥିରତା, ଅସମାନତା ଓ ଅପର୍ଜ୍ୟାପ୍ତ ସମଷ୍ଟିଗତ ବିକାଶ ଓ କଡା ଆର୍ଥିକ ସ୍ଥିତି ଯୋଗୁଁ ଅଭିବୃଦ୍ଧିର ବିକାଶ ଅନିଶ୍ଚିତତା ମଧ୍ୟରେ ରହିଛି | ଆନ୍ତର୍ଜାତୀୟ ବାଣିଜ୍ୟର ନିରନ୍ତର ବିକାଶ ପାଇଁ ଏକ ଅନୁକୂଳ ବୈଶ୍ଵିକ ଅର୍ଥନୈତିକ ପରିବେଶ ସୃଷ୍ଟି କରିବାର ମହତ୍ଵ ଉପରେ ବ୍ରିକ୍ସ ବୈଠକରେ ଜୋର ଦିଆଯାଇଛି |

ବ୍ରିକ୍ସ ଦେଶ ଗୁଡିକ ବିଗତ ଦଶନ୍ଧିରେ ଆନ୍ତର୍ଜାତୀୟ ବିକାଶର ପ୍ରମୁଖ ପରିଚାଳକ ଭାବେ କାର୍ଯ୍ୟ କରିଛନ୍ତି ଓ ବର୍ତ୍ତମାନ ସମୟରେ ମଧ୍ୟ ମୋଟ ବୈଶ୍ଵିକ ଉତ୍ପାଦନରେ ବ୍ରିକ୍ସ ସଦସ୍ୟ ଦେଶ ଗୁଡିକର ଭାଗିଦାରୀ ଏକ ତୃତୀୟାଂସ ରହିଛି | ଆକଳନରୁ ଜଣାପଡୁଛି ଯେ 2030 ପର୍ଯ୍ୟନ୍ତ ଆନ୍ତର୍ଜାତୀୟ ଅର୍ଥନୈତିକ ବିକାଶରେ ବ୍ରିକ୍ସ ଦେଶର ଭାଗିଦାରୀ ଅଧାରୁ ଅଧିକ ହେବ | ଢାଞ୍ଚାଗତ ସଂସ୍କାରର ନିରନ୍ତର କାର୍ଯ୍ୟକାରିତା ଯୋଗୁଁ ବ୍ରିକ୍ସର ବିକାଶ କ୍ଷମତା ମଧ୍ୟ ବୃଦ୍ଧି ହେବ | ଏଥିସହିତ ବ୍ରିକ୍ସ ସଦସ୍ୟ ମାନଙ୍କ ମଧ୍ୟରେ ସନ୍ତୁଳିତ ବାଣିଜ୍ୟ ସମ୍ପ୍ରସାରଣ ଆନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ ଆହୁରି ମଜବୁତ କରିବାରେ ସହାୟତା କରିବ |

ବ୍ରିକ୍ସ ନେତୃବୃନ୍ଦ ମୁକ୍ତ ବଜାର, ଦୃଢ ଅର୍ଥବ୍ୟବସ୍ଥା, ଆର୍ଥିକ ସ୍ଥିରତା ଓ ସମନ୍ଵିତ ସମଷ୍ଟି ଅର୍ଥନୈତିକ ନୀତି, ସରକାରୀ-ବେସରକାରୀ ଭାଗିଦାରୀତା (ପିପିପି) ଆଦିର ମହତ୍ଵ ଉପରେ ଗୁରୁତ୍ଵ ପ୍ରଦାନ କରିଛନ୍ତି | ବ୍ରିକ୍ସ ନେତାମାନେ ପାରଦର୍ଶୀ, ଅଣ-ଭେଦଭାବପୂର୍ଣ୍ଣ, ଖୋଲା, ମୁକ୍ତ ଓ ସମଷ୍ଟିଗତ ଆନ୍ତର୍ଜାତୀୟ ବାଣିଜ୍ୟ ଲାଗି ପ୍ରତିଶୃତିବଦ୍ଧ | ସଂରକ୍ଷଣାବାଦ ଓ ଏକତରଫାବାଦ ବିଶ୍ଵ ବାଣିଜ୍ୟ ସଂଗଠନ ର ମୂଳ ଭାବନା ଓ ନୀତି ନିୟମ ବିରୁଦ୍ଧରେ ଅଟେ | ବ୍ରିକ୍ସ ନେତାମାନେ ବହୁପକ୍ଷବାଦ ଓ ଆନ୍ତର୍ଜାତୀୟ ନିୟମ ପ୍ରଣାଳୀ ନେଇ ନିଜର ପ୍ରତିବଦ୍ଧତା ବିଷୟ ସ୍ପଷ୍ଟ କରି ବିଶ୍ଵ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ର ନିୟମ ଆଧାରିତ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାର ପୂର୍ଣ୍ଣ ସମର୍ଥନ କରିବାକୁ ଦୃଢୋକ୍ତି ପ୍ରକାଶ କରିଛନ୍ତି | ତେବେ ଡବ୍ଲ୍ୟୁଟିଓର କୌଣସି ବି ସଂସ୍କାର ଆଣିବା ସମୟରେ ବିଶ୍ଵ ବାଣିଜ୍ୟ ସଂଗଠନର କେନ୍ଦ୍ରିୟତା, ମୂଳ ମୂଲ୍ୟ ଓ ମୂଳ ସିଦ୍ଧାନ୍ତ ଗୁଡିକୁ ସଂରକ୍ଷିତ ରଖିବାକୁ ପଡିବ | କଥାବାର୍ତ୍ତାର କାର୍ଯ୍ୟସୂଚୀ ସନ୍ତୁଳିତ ହେବା ସହିତ ଏକ ଖୋଲା, ସ୍ବଚ୍ଛ ତଥା ସମଷ୍ଟିଗତ ପ୍ରଣାଳୀରେ ଆଲୋଚନା ହେବା ଉଚିତ |

ମୌଳିକଢାଞ୍ଚା ପାଇଁ ଆର୍ଥିକ ସହାୟତା ଓ ନିରନ୍ତର ବିକାଶ କ୍ଷେତ୍ରରେ ନ୍ୟୁ ଡେଭେଲପମେଣ୍ଟ ବ୍ଯାଙ୍କ (ଏନଡ଼ିବି) ର ଭୂମିକା ପ୍ରତି ବ୍ରିକ୍ସ ନେତାମାନେ ପ୍ରଶଂସା କରିଛନ୍ତି ଏବଂ ଏକ ମଜବୁତ, ସନ୍ତୁଳିତ ଓ ଉଚ୍ଚ ଗୁଣବତ୍ତା ପୂର୍ଣ୍ଣ ପ୍ରକଳ୍ପର ନିର୍ମାଣ ଲାଗି ପ୍ରୋତ୍ସାହନ ଓ ନିରନ୍ତର ପ୍ରୟାସର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି | ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ମାନେ ମୌଳିକଢାଞ୍ଚା ବିକାଶ କ୍ଷେତ୍ରରେ ନିବେଶ ଲାଗି ଅସୁବିଧାର ସମ୍ମୁଖୀନ ହେଉଥିବା ସଦସ୍ୟ ଦେଶ ଗୁଡିକର ସମସ୍ୟା ଦୂର କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି | ଏନଡ଼ିବି କୁ ଆହୁରି ମଜବୁତ କରିବା ପାଇଁ ଆଞ୍ଚଳିକ କାର୍ଯ୍ୟଳୟ ଗୁଡିକ ସ୍ଥାପିତ କରାଯିବ ବୋଲି ଏହି ବୈଠକରେ ସହମତି ପ୍ରକାଶ ପାଇଛି | ଏନଡ଼ିବିର ସବୁ ସଦସ୍ୟ ମାନଙ୍କୁ ଦେଶୀୟ ମୁଦ୍ରାରେ ସମ୍ବଳ ନିୟୋଜିତ କରିବାର ପ୍ରତିବଦ୍ଧତା ପ୍ରତି ବ୍ରିକ୍ସ ସ୍ଵାଗତ ଜଣାଇଛି | ଏନଡ଼ିବି ଏହି ପ୍ରଚେଷ୍ଟା ଚୀନରେ ଆରମ୍ଭ କରୁଛି ଏବଂ ବଣ୍ଡ କାର୍ଯ୍ୟକ୍ରମ ଜରିଆରେ ଦକ୍ଷିଣ ଆଫ୍ରିକା ଓ ରୁଷରେ ମଧ୍ୟ ନିକଟ ଭବିଷ୍ୟତରେ ଆରମ୍ଭ କରିବ ।

ବ୍ରିକ୍ସ ନେତୃବୃନ୍ଦ ସନ୍ତ୍ରାସବାଦର ସବୁ ରୂପ ଓ ଅଭିବ୍ୟକ୍ତିର ଦୃଢ ନିନ୍ଦା କରିଛନ୍ତି | ସନ୍ତ୍ରାସବାଦୀ ଆକ୍ରମଣ ଯିଏ ଯେଉଁଠି କରିଥାଉ ବା ଯାହାଦ୍ୱାରା କରାଯାଇଥାଉ ତାହା ଅତ୍ୟନ୍ତ ଘୃଣିତ ଓ ଅତ୍ୟନ୍ତ ନିନ୍ଦନୀୟ ବୋଲି ସେମାନେ କହିଛନ୍ତି | ଏକ ଦୃଢ ଆନ୍ତର୍ଜାତୀୟ ନିୟମ ଆଧାରରେ ଜାତିସଂଘର ତତ୍ତ୍ଵାବଧାନରେ ସନ୍ତ୍ରାସବାଦର ମୁକାବିଲା କରିବା ଲାଗି ସାମୁହିକ ଉଦ୍ୟମ ଓ ଏକ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରିବା ଲାଗି ସେମାନେ ନିବେଦନ କରିଛନ୍ତି | ସନ୍ତ୍ରାସବାଦୀ ନେଟୱର୍କକୁ ବିତ୍ତୀୟ ସହୟତା ବନ୍ଦ କରିବା ଓ ନିଜ ଦେଶ ମାଟିରୁ ଆତଙ୍କବାଦୀ କାର୍ଯ୍ୟକଳାପ ର ମୂଳପୋଛ କରିବା ହେଉଛି ସବୁ ରାଷ୍ଟ୍ରର ଦାୟିତ୍ଵ ବୋଲି ବ୍ରିକ୍ସ ନେତୃବୃନ୍ଦ ଦୃଢ ସ୍ଵରରେ ଦୋହୋରାଇଛନ୍ତି |

ବ୍ରିକ୍ସ ଅଧିକ ସ୍ବଚ୍ଛ ଓ ନମନୀୟ ଶକ୍ତି ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବିଷୟ କହିଛି, ଯାହାକି ଗ୍ରୀନହାଉସ ଗ୍ୟାସ ନିର୍ଗମନ ହ୍ରାସ ସହ ବିକାଶକୁ ଯୋଡୁଥିବା ବେଳେ ଶକ୍ତି ସୁରକ୍ଷା, ଶକ୍ତିର ସୁଗମ, ନିରନ୍ତରତା ଓ ସ୍ଥିରତା ନିଶ୍ଚିତ କରିଥାଏ | ବ୍ରିକ୍ସ ର ସବୁ ସଦସ୍ୟ ମାନେ ପ୍ୟାରିସ ରାଜିନାମା ର ସଂପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ପ୍ରତିବଦ୍ଧ ଅଟନ୍ତି ଯାହାକୁ ୟୁଏନଏଫସିସିସି (UNFCCC) ର ନିୟମ ଅଧୀନରେ ପ୍ରଣୟନ କରାଯାଇଛି | ଏଥିରେ ବିଭିନ୍ନ ଜାତୀୟ ପରିସ୍ଥିତି କୁ ଦୃଷ୍ଟିରେ ରଖି ସାଧାରଣ ନିୟମ, ବିଭେଦିତ ଦାୟିତ୍ଵ ତଥା ସମ୍ବନ୍ଧିତ କ୍ଷମତା ର ନିୟମ ଗୁଡିକ ସାମିଲ ଅଛି | ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହେବାକୁ ଥିବା ଜାତିସଂଘ ଜଳବାୟୁ କ୍ରିୟାନ୍ଵୟନ ଶିଖର ବୈଠକରେ ଆଲୋଚନା ସକାରାତ୍ମକ ହେବ ବୋଲି ବ୍ରିକ୍ସ ଗୋଷ୍ଠୀ ଆଶା ପ୍ରକାଶ କରିଛି |

ଚଳିତ ବର୍ଷର ବାର୍ଷିକୀ ବ୍ରିକ୍ସ ଶିଖର ବୈଠକ ବ୍ରାଜିଲ, ବ୍ରାସିଲିଆ ଠାରେ ଆୟୋଜନ କରିବ | ଏହି ଶିଖର ସମ୍ମିଳନୀ ର ଶୀର୍ଷକ ହେଉଛି “ଏକ ଅଭିନବ ଭବିଷ୍ୟତ ପାଇଁ ଅର୍ଥନୈତିକ ବିକାଶ” | ନବାଚାର ବିକାଶର ଏକ ପ୍ରମୁଖ ପ୍ରେରଣାର ଶକ୍ତି ବୋଲି ବ୍ରିକ୍ସ ନେତୃବୃନ୍ଦ ବିଶ୍ଵାସ କରନ୍ତି | ଡିଜିଟାଲିକରଣ ଓ ଆଧୁନିକ ଜ୍ଞାନ କୌଶଳର ଅଧିକରୁ ଅଧିକ ଲାଭ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଲାଗି ସେମାନଙ୍କ ସଙ୍କଳ୍ପବଦ୍ଧତା ନେଇ ବ୍ରିକ୍ସ ସଦସ୍ୟ ମାନେ ପୁନର୍ବାର ଦୋହୋରାଇଥିଲେ | ବ୍ରିକ୍ସ, ଇଣ୍ଟର୍ନେଟ ପରିଚାଳିତ ଦାରିଦ୍ର୍ୟ ଦୂରୀକରଣ ଓ ଉଦ୍ୟୋଗିକ କ୍ଷେତ୍ରର ଡିଜିଟାଲ ରୂପାନ୍ତରଣ ଉପରେ ମତ ଆଦାନ ପ୍ରଦାନ ଲାଗି ମିଳିତ ପ୍ରୟାସକୁ ପ୍ରୋତ୍ସାହିତ କରିଥାଏ ବ୍ରିକ୍ସ ନେତାମାନେ ନ୍ୟୁ ଇଣ୍ଡଷ୍ଟ୍ରିଆଲ ରିଭଲ୍ଯୁସନ ବା ନୂତନ ଉଦ୍ୟୋଗିକ କ୍ରାନ୍ତି ରେ ବ୍ରିକ୍ସର ଭାଗିଦାରୀତା , ଅଭିନବ ବ୍ରିକ୍ସ (iBRICS) ନେଟୱର୍କ, ବ୍ରିକ୍ସ ଇନଷ୍ଟିଚ୍ୟୁଟ ଅଫ ଫ୍ୟୁଚର ନେଟୱର୍କ ଓ ୟଙ୍ଗ ସାଇଣ୍ଟିଷ୍ଟ ଫୋରମ ବା ଯୁବ ବୈଜ୍ଞାନିକ ମଞ୍ଚ ସମେତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ନିରନ୍ତର ବୈଜ୍ଞାନିକ, ଯାନ୍ତ୍ରିକ , ନବାଚାର ଓ ଉଦ୍ୟୋଗିକ କ୍ଷେତ୍ରରେ ଦୃଢ ସହଯୋଗ ଉପରେ ଜୋର ଦେଇଛନ୍ତି |

ମୂଳ ଲେଖା : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...