ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସର ବ୍ୟାରିଜ ଠାରେ ଚଳିତ ବର୍ଷ ଅଗଷ୍ଟ 24 ରୁ 26 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା 45 ତମ G-7 ସମ୍ମିଳନୀରେ ଯୋଗ ଦେବେ | ଅଷ୍ଟ୍ରେଲିଆ, ଚିଲି ଏବଂ ଦକ୍ଷିଣ ଆଫ୍ରିକା ସମେତ ଭାରତକୁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଏକ ‘ସ୍ଵତନ୍ତ୍ର ଆମନ୍ତ୍ରିତ’ ଅତିଥି ଭାବେ ଆମନ୍ତ୍ରଣ କରିଛନ୍ତି | ସମଗ୍ର ବିଶ୍ବରେ ଉତ୍ପନ୍ନ ବିଭିନ୍ନ ସମସ୍ଯା ଏବଂ ଚ୍ୟାଲେଞ୍ଜ ଗୁଡିକର ସମୁଖୀନ ଓ ସମାଧାନ ଉପରେ ବିଶ୍ଵ ନେତୃବୃନ୍ଦଙ୍କ ଦ୍ଵାରା G-7 ସମ୍ମିଳନୀରେ ବିସ୍ତୃତ ଆଲୋଚନା ହୋଇଥାଏ |
ଭାରତ ଏକ ବୃହତ ରାଜନୈତିକ ଏବଂ ଅର୍ଥନୈତିକ ରାଷ୍ଟ୍ର ଭାବେ ଉଲ୍ଲେଖନୀୟ ପ୍ରଗତି କରୁଥିବା ବିଷୟକୁ ଏହି ଆମନ୍ତ୍ରଣ ସ୍ବୀକୃତି ପ୍ରଦାନ କରିଛି | ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ବୃଦ୍ଧି ପାଉଥିବା ସାମରିକ ସହଭାଗୀତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ମଧ୍ୟରେ ତାଳମେଳ ଓ ଉଭୟ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଥିବା ମଧ୍ୟ ଏହା ଦର୍ଶାଇଛି |
ସମ୍ମିଳନୀରେ ଅଂଶ ଗ୍ରହଣ କରିବାକୁ ଆମନ୍ତ୍ରଣ ଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ, ସାର୍ବଭୌମିକତା ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ କରିବାରେ ଭାରତର ପ୍ରମୁଖ ଭୂମିକାକୁ ଆଲୋକପାତ କରିଛନ୍ତି | 2015 ମସିହାରେ ପ୍ୟାରିସରେ ଅନୁଷ୍ଠିତ COP21 ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତତ୍କାଳୀନ ଫ୍ରାନ୍ସ ରାଷ୍ଟ୍ରପତି ଫ୍ରାନସୁଆ ଓଲାନ୍ଦଙ୍କ ସହିତ ମିଳିତ ଭାବେ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ଶୁଭାରମ୍ଭ କରିଥିଲେ | ଭାରତୀୟ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି, ସେଣ୍ଟ ପିଟର୍ସବର୍ଗରେ ଆନ୍ତର୍ଜାତୀୟ ଅର୍ଥନୈତିକ ଫୋରମ ବୈଠକରେ ଯୋଗ ଦେବାପରେ ସିଧାସଳଖ ପ୍ୟାରିସ ଯାଇ 2017 ମସିହା ଜୁନ ମାସରେ ଶ୍ରୀ ମାକ୍ରନ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ | ପ୍ୟାରିସ ଜଳବାୟୁ ରାଜିନାମାରୁ ଆମେରିକା ଓହରିଯିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ଘୋଷଣାର ଅଳ୍ପ କିଛି ଦିନ ପରେ ଏହା ଘଟିଥିଲା | ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ପ୍ୟାରିସ ରାଜିନାମାକୁ ପାଳନ କରିବାରେ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି | 2018 ମସିହା ମାର୍ଚ୍ଚ ମାସରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ, ଏହି ପଦକ୍ଷେପକୁ ପ୍ରୋତ୍ସାହନ ଦେବା ସକାଶେ ଆନ୍ତର୍ଜାତୀୟ ସୌର ମେଣ୍ଟ (ISA)ର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା |
ଜଳବାୟୁ ପରିବର୍ତ୍ତନ, ଉପଯୁକ୍ତ ଜଳବାୟୁ ଏବଂ ସାର୍ବଭୌମିକତା ପ୍ରସଙ୍ଗ ସମେତ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ମାକ୍ରନ ସନ୍ତ୍ରାସବାଦ ପ୍ରସଙ୍ଗ ଉପରେ ମଧ୍ୟ ସମଧରଣର ଗୁରୁତ୍ତ୍ଵ ପ୍ରଦାନ କରିଛନ୍ତି | ଉଭୟ ଭାରତ ଏବଂ ଫ୍ରାନ୍ସ ସନ୍ତ୍ରାସବାଦୀ କାର୍ଯ୍ୟକଳାପରେ କ୍ଷତିଗ୍ରସ୍ତ ହୋଇଛନ୍ତି | ଉଭୟ ଦେଶ ସନ୍ତ୍ରାସବାଦକୁ ଆଦୌ ବରଦାସ୍ତ ନକରିବା ଏବଂ ସନ୍ତ୍ରାସବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଧାରିତ ନୀତିକୁ ଅନୁସରଣ କରୁଛନ୍ତି | 2019 ଜୁନ 8 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ଵୀପ ପାର୍ଲାମେଣ୍ଟରେ ତାଙ୍କ ଉଦବୋଧନରେ ସନ୍ତ୍ରାସବାଦ ଉପରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ ପାଇଁ ଭାରତର ଆହ୍ଵାନକୁ ଫ୍ରାନ୍ସ ସମର୍ଥନ ଜଣାଇଛି |
ସାତ ଜଣ ସଦସ୍ୟଙ୍କ ଗୋଷ୍ଠୀ କିମ୍ବା G-7 ଗୋଷ୍ଠୀ ସାତୋଟି ସର୍ବବୃହତ, ଉନ୍ନତ ଅର୍ଥନୀତି ରାଷ୍ଟ୍ରକୁ ନେଇ ଗଠିତ ହୋଇଛି | ବିଶ୍ଵର ମୋଟ ସମ୍ପଦ (317 ଟ୍ରିଲିୟନ ଡଲାର)ର ଶତକଡା 58 ଭାଗ, ବିଶ୍ଵ GDPର ଶତକଡା 46 ଭାଗରୁ ଅଧିକ ଏବଂ PPPର ଶତକଡା 32 ଭାଗ ଥିବା ସାତୋଟି ଦେଶ G-7 ଗୋଷ୍ଠୀରେ ସାମିଲ ଅଛନ୍ତି | କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ବ୍ରିଟେନ ଏବଂ ଆମେରିକା ଏହି ଗୋଷ୍ଠୀରେ ଅଛନ୍ତି | G-7 ସମ୍ମିଳନୀରେ ୟୁରୋପୀୟ ସଂଘର ପ୍ରତିନିଧି ମଧ୍ୟ ଅଂଶ ଗ୍ରହଣ କରୁଛନ୍ତି | 1975 ମସିହାରେ ଫ୍ରାନ୍ସ ଏହି ଗୋଷ୍ଠୀକୁ G-6 ଗୋଷ୍ଠୀ ଭାବେ ଆରମ୍ଭ କରିଥିଲା ଏବଂ କାନାଡା ଏଥିରେ ସାମିଲ ହେବାପରେ ଏହା G-7 ଗୋଷ୍ଠୀରେ ପରିବର୍ତ୍ତନ ହୋଇଥିଲା | 1997 ମସିହାରେ ରୁଷକୁ ଏଥିରେ ସାମିଲ ହେବାକୁ ଆମନ୍ତ୍ରିତ କରାଯାଇ ଏହାକୁ G-8 କରଯାଇଥିଲା ତେବେ 2014 ମସିହାରେ ରୁଷର କ୍ରୀମିଆର ସମ୍ମିଳନ ପରେ ଗୋଷ୍ଠୀରୁ ବାଦ ପଡିଥିଲା |
ଏହି ଗୋଷ୍ଠୀ ଆରମ୍ଭ ହେବାପରଠାରୁ, ଏହା ଆନ୍ତର୍ଜାତୀୟ ସ୍ତରରେ ଅର୍ଥନୈତିକ ଏବଂ ଆର୍ଥିକ ବିକାଶ ଓ ଏ ସମ୍ପର୍କିତ ଘଟଣାବଳୀ ଉପରେ ଆଲୋଚନା କରିଆସୁଛି ଏବଂ ବିଶ୍ଵ ସ୍ତରରେ ବାଣିଜ୍ୟ ଓ ଅର୍ଥନୀତିର ବିକାଶ ପାଇଁ ଅନେକ ନିଷ୍ପତି ଗ୍ରହଣ କରୁଛି | ଅର୍ଥନୈତିକ, ନିରାପତ୍ତା ଏବଂ ଶକ୍ତି ସଙ୍କ୍ରାନ୍ତିୟ ନୀତି ଗୁଡିକର ସହଯୋଗ ସ୍ଥାପନ ପାଇଁ ନିରନ୍ତର କାର୍ଯ୍ୟ ସମ୍ପାଦନ କରିବାରେ G-7 ହେଉଛି ଏକ ଗୁରୁତ୍ତ୍ୱପୂର୍ଣ୍ଣ ଗୋଷ୍ଠୀ | ତେବେ 1999 ମସିହାରେ G-20 ର ସ୍ଥାପନ ପରେ ଏହାର ପ୍ରାସଙ୍ଗିକତା ଉପରେ ପ୍ରଶ୍ନବାଚ ଉତଥାପନ ହୋଇଛି | ପ୍ରାରମ୍ଭିକ ଭାବେ G-20 ର ବର୍ଷକୁ ଦୁଇଟି ବୈଠକ ଅନୁଷ୍ଠିତ ହେଉଥିବାବେଳେ ବର୍ତ୍ତମାନ ବର୍ଷକୁ ଗୋଟିଏ ବୈଠକ ଅନୁଷ୍ଠିତ ହେଉଛି | ଭାରତ ନିୟମିତ ଭାବେ ଏବଂ ସକ୍ରିୟ ଭାବେ ଏହି ବୈଠକରେ ଯୋଗଦାନ କରିଆସୁଛି | ଜାପାନର ଓସାକାରେ 2019 ଜୁନ ମାସ 28 ଓ 29 ତାରିଖରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ |
ଭାରତୀୟ ପ୍ରଧାନମନ୍ତ୍ରୀ, G-7 ଶୀଖର ସମ୍ମିଳନୀରେ ଅଂଶ ଗ୍ରହଣ କରିବା ପରେ ଫ୍ରାନ୍ସକୁ ଦ୍ଵିପକ୍ଷୀୟ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର G-7 ଶୀଖର ସମ୍ମିଳନୀରେ ଅଂଶ ଗ୍ରହଣ, ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ତଥା ପାଶ୍ଚାତ୍ୟ ସୀମାରେ ସନ୍ତ୍ରାସବାଦର ମୂଳୋତ୍ପାଟନ, ବିଶ୍ଵ ପରିବେଶ ସୁରକ୍ଷା ଏବଂ ସ୍ଵଚ୍ଛ ଓ ସନ୍ତୁଳିତ ବହୁମୂଖୀ ବାଣିଜ୍ୟ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଭାରତର ପଦକ୍ଷେପକୁ ଆହୁରି ପ୍ରୋତ୍ସାହିତ କରିବ |
ମୂଳ ଲେଖା : ଅଶୋକ ସଜ୍ଜନହାର, ପୂର୍ବତନ ଭାରତୀୟ କୂଟନୀତିଜ୍ଞ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ
Comments
Post a Comment