Skip to main content

ସଂସଦରେ ଚଳିତ ସପ୍ତାହ

ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏକ ମଜବୁତ,ନିରାପଦ,ସମୃଦ୍ଧ ଏବଂ ସମଷ୍ଟିଗତ ଭାରତ ଗଠନ ଦିଗରେ ଭାରତୀୟ ଜନତା ପାର୍ଟି ନେତୃତ୍ଵାଧୀନ ଏନଡ଼ିଏ ସରକାର ଅଗ୍ରସର ହେଉଛନ୍ତି | ସେ କହିଛନ୍ତି ସବ କା ସାଥ, ସବ କା ବିକାଶ ଏବଂ ସବ କା ବିଶ୍ଵାସର ମୂଳମନ୍ତ୍ରରେ ଅନୁପ୍ରାଣିତ ହୋଇ ସରକାର ଏହି ଯାତ୍ରାପଥରେ ଆଗେଇ ଚାଲିଛନ୍ତି | ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ଉଦାବୋଧନ ଦେବା ବେଳେ ଶ୍ରୀ କୋବିନ୍ଦ କହିଛନ୍ତି ଯେ ସରକାର ପ୍ରଥମ ଦିନରୁ ହିଁ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦୂର କରି ଓ କୁଶାସନ ହଟାଇ ସବୁ ପ୍ରକାରର ଅତ୍ୟାବଶ୍ୟକୀୟ ସୁବିଧା ସୁଯୋଗ ସହ ଦେଶବାସୀଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ନିମନ୍ତେ ସରକାର ଦୃଢ ପ୍ରତିଶ୍ରୁତିବଦ୍ଧତା ବ୍ୟକ୍ତ କରିଛନ୍ତି । 

ରାଷ୍ଟ୍ରପତି ମହୋଦୟ କହିଛନ୍ତି ଯେ ସରକାରଙ୍କ ପ୍ରଥମ ଦଫାର ଉପଲବ୍ଧିକୁ ମୂଲ୍ୟାଙ୍କନ କଲାପରେ ଲୋକମାନେ ଲୋକସଭା ନିର୍ବାଚନରେ ଦ୍ଵିତୀୟ ଥର ଲାଗି ମଧ୍ୟ ଦୃଢ ସମର୍ଥନ ଦେଇଛନ୍ତି | ସେ କହିଛନ୍ତି ଯେ ଅର୍ଦ୍ଧାଧିକ ସାଂସଦ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି ଓ ବହୁ ସଂଖ୍ୟକ ମହିଳା ସାଂସଦ ନିର୍ବାଚିତ ହୋଇ ଏଥର ରେକର୍ଡ ସୃଷ୍ଟି କରିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଗ୍ରାମୀଣ ଭାରତକୁ ମଜବୁତ କରିବା ଉପରେ ସରକାର ପ୍ରାଧାନ୍ୟ ଦେଉଛନ୍ତି | ମହିଳା ସଶକ୍ତିକରଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଥିବା ବିଷୟ ଦର୍ଶାଇ ସେ କହିଛନ୍ତି ଯେ ଏହା ଦ୍ଵାରା ସମାଜ ଓ ଅର୍ଥନୀତିରେ ବିକାଶ ସାଧନ ହୋଇପାରିବ | ସରକାରଙ୍କ ପଦକ୍ଷେପ ଗୁଡିକ ସମ୍ବନ୍ଧରେ ଉଲ୍ଲେଖ କରିବାକୁ ଯାଇ ସେ କହିଛନ୍ତି ଦେଶର ପ୍ରତ୍ୟେକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି | ସେ କହିଛନ୍ତି ଯେ 2022 ସୁଦ୍ଧା କୃଷକ ମାନଙ୍କ ଆୟ ଦ୍ଵିଗୁଣିତ କରିବା ପାଇଁ ସରକାର ଗତ ପାଞ୍ଚ ବର୍ଷ ମଧ୍ୟରେ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି | ଛୋଟ ଓ ଖୁଚୁରା ଦୋକାନୀ ମାନଙ୍କ ପାଇଁ ସରକାରଙ୍କ ପେନସନ ଯୋଜନାର ସେ ଭୂୟସୀ ପ୍ରସଂଶା କରିଛନ୍ତି |

“ଏକ ରାଷ୍ଟ୍ର - ଏକ ନିର୍ବାଚନ” ପ୍ରସ୍ତାବ ଉପରେ ବିବେଚନା କରିବା ଲାଗି ରାଷ୍ଟ୍ରପତି ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି | ଦେଶର ସବୁ ଭଉଣୀ ତଥା ଝିଅ ମାନଙ୍କୁ ସମାନ ଅଧିକାର ନିଶ୍ଚିତ କରିବା ଲାଗି ପ୍ରଚଳିତ ଟ୍ରିପଲ ତଲାକ (ଛାଡପତ୍ର) ଓ ‘ନିକାହ ହଲାଲା’ ପ୍ରଥାକୁ ତୁରନ୍ତ ଉଚ୍ଛେଦ କରିବା ଉପରେ ସେ ଜୋର ଦେଇଛନ୍ତି | ସରକାରଙ୍କ ପାଞ୍ଚ ସପ୍ତାହ ବ୍ୟାପୀ ବଜେଟ ଅଧିବେଶନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ବିରୋଧୀ ପାର୍ଟି ଗୁଡିକୁ ସପ୍ତଦଶ ଲୋକସଭାରେ ସଦସ୍ୟ ସଂଖ୍ୟା କମଥିବା ଯୋଗୁଁ ବ୍ୟସ୍ତ ବିବ୍ରତ ନ ହୋଇ କାର୍ଯ୍ୟ କରିବା ପାଇଁ ନିବେଦନ ପରେ ଆରମ୍ଭ ହୋଇଥିଲା । ସେ କହିଛନ୍ତି ଯେ ଦେଶର ସ୍ଵାର୍ଥ କୁ ଦୃଷ୍ଟିରେ ରଖି ଜନକଲ୍ୟାଣକାରୀ ପ୍ରସଙ୍ଗ ଗୁଡିକ ଲାଗି ଏକ ନିରପେକ୍ଷ ଆଭିମୁଖ୍ଯ ଗ୍ରହଣ ସକାଶେ ସବୁ ମନ୍ତେ ଉଦ୍ୟମ କରାଯିବ | ସେ କହିଛନ୍ତି ଯେ ଏକ ଦୃଢ ଗଣତନ୍ତ୍ର ପ୍ରତିଷ୍ଠା ଲାଗି ବିରୋଧୀ ମାନଙ୍କ ସକ୍ରିୟ ଅଂଶ ଗ୍ରହଣ ଓ ଫଳପ୍ରଦ ମତାମତ ନିହାତି ଆବଶ୍ୟକ | ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ର ଉଦଘାଟନୀ ଦିବସରେ ସେ ଏହି ମନ୍ତବ୍ୟ ଦେଇଥିଲେ | 

ଶ୍ରୀ ମୋଦୀ କହିଛନ୍ତି ଯେ ବିରୋଧୀ ପକ୍ଷର ପ୍ରତ୍ୟେକ ଟି ଶବ୍ଦ ମୂଲ୍ୟବାନ | ସେ ମଧ୍ୟ କହିଛନ୍ତି ଗତ ମାସ ନିର୍ବାଚନ ଫଳାଫଳରୁ ପ୍ରତୀତ ହୋଇଛି ଯେ ଚଳିତ ନିର୍ବାଚନରେ ଦେଶ ସ୍ଵାଧୀନ ହେବା ପରଠୁ ସର୍ବାଧିକ ମତଦାନ ହୋଇଛି, ମହିଳା ମତଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ ସଂସଦରେ ଅଧିକ ମହିଳା ପ୍ରତିନିଧି ଅଛନ୍ତି | ନବ ନିର୍ବାଚିତ ସାଂସଦ ମାନଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ଯେ ଦେଶ ସେବା କରିବା ଲାଗି ଏମାନଙ୍କ ସହ ଏକ ନୂତନ ଆଶା, ନୂତନ ଆକାଂକ୍ଷା ଓ ଏକ ନୂତନ ସଙ୍କଳ୍ପବଦ୍ଧତା ଜାଗୃତ ହୋଇଛି |

ପୂର୍ବରୁ ସଭାଗୃହର କାର୍ଯ୍ୟ ଧାରା ଆରମ୍ଭ ହେବା କ୍ଷଣି ଅସ୍ଥାୟୀ ବାଚସ୍ପତି ଡଃ ବିରେନ୍ଦ୍ର କୁମାର ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇଥିଲେ | ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସର୍ବପ୍ରଥମେ ଶପଥ ଗ୍ରହଣ କରିଥିଲେ | ବୁଧବାର ଦିନ ସଦନରେ ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ରାଜସ୍ଥାନ ର କୋଟା-ବୁନ୍ଦି ରୁ ଦ୍ଵିତୀୟ ଥର ଲାଗି ନିର୍ବାଚିତ ବିଜେପି ସାଂସଦ ଶ୍ରୀ ଓମ ବିର୍ଲାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିଲା | ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏହି ପ୍ରସ୍ତାବ ଆଗତ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ, ଶ୍ରୀ ରାଜନାଥ ସିଂ ଓ ଶ୍ରୀ ନିତିନ ଗଡକାରୀ ଏହାକୁ ସମର୍ଥନ କରିଥିଲେ | 

ପ୍ରଧାନମନ୍ତ୍ରୀ, ଗୁଜରାଟ ଓ ଉତ୍ତରାଖଣ୍ଡରେ ପ୍ରଳୟଙ୍କାରୀ ଭୂମିକମ୍ପ ସମୟରେ ଶ୍ରୀ ବିର୍ଲାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ ବର୍ଣ୍ଣନା କରିଥିଲେ | ଏହାପରେ ସଦନର ସବୁ ସଦସ୍ୟ ନୂତନ ବାଚସ୍ପତିଙ୍କୁ ଅଭିନନ୍ଦନ ଜଣାଇଥିଲେ | ବିଭିନ୍ନ ନେତାଙ୍କ ଠାରୁ ଅଭିବାଦନ ଗ୍ରହଣ କରିବା ପରେ ସେ ସୁଚାରୁରୂପେ ତାଙ୍କ ଦାୟିତ୍ଵ ତୁଲାଇବେ ବୋଲି କହି ଉଭୟ ପକ୍ଷରୁ ସହଯୋଗ ଲୋଡିଥିଲେ | ଭାରତ ମାତା କି ଜୟ ଓ ଜୟ ହିନ୍ଦ ସ୍ଲୋଗାନ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଶ୍ରୀ ବିର୍ଲା ଙ୍କୁ ବାଚସ୍ପତି ଆସନ ଯାଏଁ ପାଛୋଟି ନେଇଥିଲେ | ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ମନ୍ତ୍ରିବୃନ୍ଦଙ୍କୁ ସଭାଗୃହରେ ପରିଚୟ କରାଇଥିଲେ |


ମୂଳ ଲେଖା : ଭି. ମୋହନ ରାଓ, ସାମ୍ବାଦିକ 
ଅନୁବାଦ:ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...