Skip to main content

ବାଗଦାଦୀର ମୃତ୍ୟୁ ଆରବ ଦେଶମାନଙ୍କରେ ନୂଆ ଯୁଗ ଆଣିବକି?

ଆଇଏସଆଇଏସ ମୁଖ୍ୟ ଅବୁ ବକର ଅଲ ବାଗଦାଦିର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଇରାକର ମୋସୁଲରେ ଖୁସିର ଲହଡି ଖେଳିଯାଇଛି ଯେଉଁଠି ସେ 2014ରେ ଇରାକ ଏବଂ ସିରିଆର ଇସଲାମିକ ଷ୍ଟେଟ ଘୋଷଣା କରିଥିଲା। ଯେଉଁଠାରେ ସେ ଗଣ ହତ୍ୟା, ସାମୁହିକ ବଳାତ୍କାର, ଅପହରଣ, ହିଂସା, ଜବରଦଖଲ ଏବଂ ଅନେକ ଅମାନଷିକ ଅତ୍ୟାଚାର ଘଟାଇଥିଲା। ବାଗଦାଦି ଯୋଗୁଁ ମୋସୁଲ ସହରରୁ ତିନି ଲକ୍ଷ ଲୋକ ଗୃହଶୂନ୍ୟ ଏବଂ ହଜାର ହଜାର ଲୋକ ନିଜର ପ୍ରିୟଜନଙ୍କୁ ହରାଇଥିଲେ।

ଆଇଏସଆଇଏସର ମୁଖ୍ୟ ବାଗଦାଦି ଦିନେ ଇରାକ ଏବଂ ସିରିଆର ଏକ ବଡ ଅଞ୍ଚଳ ଉପରେ ଅଧିକାର କରିଥିଲା ଯାହାର କ୍ଷେତ୍ରଫଳ ବ୍ରିଟେନ ପରି ହେବ। ସେ ପାଲମିରା ସହରକୁ ଧ୍ୱଂସ କରିବା ସହିତ 2017ରେ ମୋସୁଲର ଆତିହାସିକ ମସଜିଦ ଅଲ ନୁରି ମସଜିଦକୁ ଧ୍ୱଂସ କରିଦେଇଥିଲା ଏବଂ 2014ରେ ସେ ନିଜକୁ ଇସଲାମିକ ଖଲିଫା ଘୋଷଣା କରିଥିଲା। ଆମେରିକା ନେତୃତ୍ୱାଧିନ ସେନା ଇରାକ ଏବଂ ସିରିଆରେ କୁର୍ଦିସଙ୍କ ସହାୟତାରେ ଆଇଏସଆଇଏସକୁ ସେଠାରୁ ବିତାଡିତ କରିଥିଲା।

ବାଗଦାଦିର ମୃତ୍ୟୁ ଖବର ପ୍ରଚାର ହେବା ପରେ ଅନେକ ଏହାକୁ ବିଶ୍ୱାସ କରିପାରି ନଥିଲେ କାରଣ ଏହା ପୂର୍ବରୁ ମଧ୍ୟ ଏପରି ଖବର ଆସିଥିଲା ଯାହା ସତ୍ୟ ହୋଇ ନଥିଲା। କିନ୍ତୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେତେବେଳେ ଘୋଷଣା କଲେ ଯେ ଜଣେ କୁକୁର ଏବଂ ଭୀରୁ ବାଗଦାଦି ପ୍ରାଣ ହରାଇଛି ସେତେବେଳେ ବିଶ୍ୱାସ ନକରିବାର କୌଣସି କାରଣ ନଥିଲା।

ପାକିସ୍ତାନରେ ଓସାମା ବିନ ଲାଡେନକୁ ମାରିଥିଲା ଆମେରିକାର ସ୍ୱତନ୍ତ୍ର ଡେଲଟା ବାହିନୀ ଅବୁ ବକର ଅଲ ବାଗଦାଦିକୁ ହତ୍ୟା କରିଛି। ଏହା ପୂର୍ବରୁ ବାଗଦାଦିର ସନ୍ଧାନ ଦେଲେ 25 ମିଲିୟନ ଡଲାର ପୁରସ୍କାର ପାଇଁ ଆମେରିକା ଘୋଷଣା କରିଥିଲା। ବାଗଦାଦିର ମୃତ୍ୟୁ ପରେ ଏବେ ବିଶ୍ୱ ଅନିସନ୍ଧିଚ୍ଛୁ ରହିଛି ବାଗଦାଦି ପରେ ଆନ୍ତର୍ଜାତୀୟ ସନ୍ତ୍ରାସବାଦ କେଉଁଆଡକୁ ଗତି କରିବ। ଏଠାରେ ସ୍ମରଣ କରାଯାଇ ପାରେ ଯେ ଓସାମାର ମୃତ୍ୟୁ ପରେ ଠିକ ଏହିପରି ଚିନ୍ତା ପ୍ରକାଶ ପାଇଥିଲା କିନ୍ତୁ ସେପରି ଆଖିଦୃଶିଆ ଭାବେ ସନ୍ତ୍ରାସବାଦ ହ୍ରାସ ହୋଇନଥିଲା। ବରଂ ଅଲ ନୁସରା ଏବଂ ଆଇଏସଆଇଏସ ପରି ସନ୍ତ୍ରାସବାଦି ସଂଗଠନ ଗଢି ଉଠିଥିଲା।

ଅଲକାଇଦା ଦୁର୍ବଳ ହେବା ପରେ ଆଇଏସଆଇଏସ ଶକ୍ତିଶାଳି ହୋଇପଡିଥିଲା। ଏମାନେ ବିଶ୍ୱର ଅନେକ ସ୍ଥାନରେ ଜଘନ୍ୟ ସନ୍ତ୍ରାସବାଦି କାର୍ଯ୍ୟ କରିଥିଲେ। ବାଗଦାଦି ଏବଂ ଓସାମା କେବଳ ସନ୍ତ୍ରାସବାଦର ମୁଁହ ଥିଲେ କିନ୍ତୁ ପ୍ରକୃତ ହିଂସା ଏମାନଙ୍କର କର୍ମୀ କରୁଥିଲେ। ଆଜି ଆଇଏସଆଇଏସ ବିଶ୍ୱର ଅନେକ ଦେଶରେ ନିଜର ସନ୍ତ୍ରାସବାଦ ନେଟୱର୍କ ଜାରି ରଖିଛି। ଏହାର କେନ୍ଦ୍ରୀୟ ନେତାଙ୍କର ଅଳ୍ପକିଛି ଭୂମିକା ରହିଥାଏ। ସିରିଆ ଏବଂ ଇରାକରେ ହଜାର ହଜାର ସନ୍ତ୍ରାସବାଦି ଗିରଫ ହୋଇଛନ୍ତି। କିନ୍ତୁ ଏହି ସମସ୍ୟାକୁ ସଫଳ ଭାବେ ମୁକାବିଲା କରିବାର ଏବେ ଆବଶ୍ୟକତା ବଢିଯାଇଛି। ଭାରତର ଅଭିମତ ହେଉଛି ଆଇଏସଆଇଏସ ସହିତ ମୁକାବିଲା ଜାରି ରହିବା ଦରକାର।

ଆଲେଖ: ଫଜୁର ରହେମାନ ସିଦିକି

ଭାବାନୁବାଦ: ରାମଚଂଦ୍ର ନାଥ

Comments