ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରମୁଖ ପ୍ରାଥମିକତା ଗୁଡିକ ମଧ୍ୟରେ ଆମେରିକା ସହ ‘ବୈଶ୍ଵିକ ରଣନୀତିକ ଭାଗୀଦାରୀତା’ ସ୍ଥାପନା କରିବା ଅନ୍ୟତମ ଅଟେ | ଆମେରିକା, ସମ୍ପ୍ରତ୍ତି କିଛି ବର୍ଷରେ ଭାରତର ଅର୍ଥନୈତିକ ପରିବର୍ତ୍ତନରେ ଏକ ଅପରିହାର୍ଜ୍ୟ ଭାଗିଦାରୀ ଭାବେ ଉଭା ହୋଇଛି ଓ ବିଶ୍ଵ ସ୍ତରୀୟ ମଞ୍ଚରେ ଏକ ପ୍ରମୁଖ ଭୂମିକା ନିଭାଉଛି | ପ୍ରତିରକ୍ଷା ଭାଗୀଦାରୀତା ହେଉଛି ଦ୍ଵିପକ୍ଷୀୟ ସମ୍ପର୍କର ଏକ ପ୍ରମୁଖ ସ୍ତମ୍ଭ | ନିକଟ କିଛି ବର୍ଷ ମଧ୍ୟରେ ଏକ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କ ଆହୁରି ମଜବୁତ ହୋଇଛି |
ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ଭାରତ ଆମେରିକା ମିଳିତ ତ୍ରି-ସେବା ମାନବୀୟ ସହାୟତା ଏବଂ ଦୁର୍ବିପାକ ରିଲିଫ (ଏଚଏଡ଼ିଆର) ଅଭ୍ୟାସ ନଭେମ୍ବର 13 ରୁ 21 ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ଉପକୂଳରେ କରାଯାଉଛି | ଏହି ତ୍ରି-ସେବା ଅଭ୍ୟାସ “ଟାଇଗର ଟ୍ରମ୍ଫ“ରେ ଆମେରିକାର ନୌବାହିନୀ ଓ ସାମରିକ ପର୍ଯ୍ୟବେକ୍ଷଣ ଟିମର ଏକ ସ୍ଵତନ୍ତ୍ର ବାହିନୀ, ଭାରତୀୟ ନୌବାହିନୀର ଦୂରଗାମୀ ସାମୁଦ୍ରିକ ସର୍ବେକ୍ଷଣକାରୀ ପି8i, ବୁଡାଜାହାଜ ନିରୋଧୀ ଯୁଦ୍ଧ ବିମାନ ଆଦି ଅଂଶଗ୍ରହଣ କରୁଛନ୍ତି | ବିଶାଖାପାଟଣା ଠାରେ ନଭେମ୍ବର 13 ରୁ 16 ତାରିଖ ପର୍ଯ୍ୟନ୍ତ ‘ପୋତାଶ୍ରୟ ପର୍ଯ୍ୟାୟ’ରେ ଓ କାକିନାଡା ଠାରେ ନଭେମ୍ବର 17 ରୁ 21 ତାରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟରେ ସମରାଭ୍ୟାସ ହେବ | ଏହି ଅଭ୍ୟାସରେ ଭାରତୀୟ ସେନାବାହିନୀର ସିଗନାଲ, ଚିକିତ୍ସା ଦଳ ଓ ଯୋଗାଯୋଗ ଅସ୍ତ୍ରଶସ୍ତ୍ର ସମେତ ପ୍ରାୟ 400 ବାହିନୀ ଯୋଗ ଦେଉଛନ୍ତି | ପୂର୍ବରୁ ଭାରତ କେବଳ ରୁଷ ସହ ଏପରି ଅଭ୍ୟାସ କରିଥିଲା |
ସେପ୍ଟେମ୍ବର 2018ରେ ଭାରତ ଓ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀ ମାନଙ୍କ ମଧ୍ୟରେ ‘2+2’ ଡାଇଲଗର ଉଦଘାଟନି ଅବସରରେ ଉଭୟଙ୍କ ମଧ୍ୟରେ ଏହି ତ୍ରି-ସେବା ଅଭ୍ୟାସ ଉପରେ ଆଲୋଚନା ହୋଇଥିଲା | ଉଭୟଙ୍କ ମଧ୍ୟରେ ସାମରିକ ସମ୍ପର୍କ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଦୁଇ ସାମରିକ ଓ ପ୍ରତିରକ୍ଷା ସଙ୍ଗଠନ ମଧ୍ୟରେ କର୍ମୀ ଆଦାନ ପ୍ରଦାନ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ନୂତନ ତ୍ରି-ସେବା ଅଭ୍ୟାସର ଆୟୋଜନ କରିବା ଲାଗି ଦୁଇ ପକ୍ଷ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଥିଲେ | ସେପ୍ଟେମ୍ବର 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ଟେକ୍ସାସ ଠାରେ ‘ହାଉଡି ମୋଦୀ’ କାର୍ଯ୍ୟକ୍ରମ ସମୟରେ ରାଷ୍ଟ୍ରପତି ଟ୍ରମ୍ଫ ଏହି ସମରାଭ୍ୟାସ ନେଇ ଘୋଷଣା କରିଥିଲେ |
ଏକ ସ୍ଥିର ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଉଭୟ ରାଷ୍ଟ୍ରର ସମାନ ଆଭିମୁଖ୍ଯ ରହିଛି ଓ ରାଜନୈତିକ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ତାଳମେଳ ବୃଦ୍ଧି ପାଉଛି | ଏଥିଯୋଗୁଁ ଦୁଇ ରାଷ୍ଟ୍ର ଲଜିଷ୍ଟିକ୍ସ ଏକ୍ସଚେଞ୍ଜ ମେମୋରେଣ୍ଡମ ଅଫ ଏଗ୍ରିମେଣ୍ଟ (LeMOA) ଓ କମ୍ୟୁନିକେସନ୍ସ କମ୍ପାଟିବିଲିଟି ଓ ସିକ୍ଯୁରିଟି ଏଗ୍ରିମେଣ୍ଟ (CCSA) ଭଳି ଦୁଇଟି ଆନ୍ତଃ-ସଂଚାଳନ ରାଜିନାମାରେ ସ୍ଵାକ୍ଷର କରିବା ଲାଗି ଏକମତ ହୋଇଛନ୍ତି | ସେମାନେ ବର୍ତ୍ତମାନ ଭୂ-ସ୍ଥାନିକ ମାନଚିତ୍ରର ମିଳିତ ଉପଯୋଗ ଲାଗି ବେସିକ ଏକ୍ସଚେଞ୍ଜ ଓ କୋଓପରେସନ ଏଗ୍ରିମେଣ୍ଟ (BECA) ଭଳି ତୃତୀୟ ରାଜିନାମା ଉପରେ ମଧ୍ୟ ଆଲୋଚନା କରୁଛନ୍ତି | ଭାରତ ଓ ଆମେରିକା ଗୋଟିଏ ବର୍ଷରେ ପରସ୍ପରର ସେବା ସମ୍ମିଳିତରେ ପଚାଶ ରୁ ଅଧିକ କାର୍ଯ୍ୟକ୍ରମର ଆୟୋଜନ କରନ୍ତି | ଭାରତ ଓ ଆମେରିକା ପ୍ରତି ବର୍ଷ ସେମାନଙ୍କ ସେନା ବାହିନୀ ମଧ୍ୟରେ ଅନେକ ଯୁଦ୍ଧ ଅଭ୍ୟାସ କରିଥାନ୍ତି | ଦୁଇ ପକ୍ଷ ମଧ୍ୟରେ ଏହି ମିଳିତ ସମରାଭ୍ୟାସ, ଦୁଇ ଦେଶର ସେନାବାହିନୀକୁ ଯୁଦ୍ଧ ପରିଦୃଶ୍ୟର ପୂର୍ବାଭ୍ୟାସ କରିବା ଓ ପରସ୍ପରର ପରିଚାଳନାଗତ ଢାଞ୍ଚାକୁ ବୁଝିବାରେ ସହାୟକ ହୋଇଥାଏ | ବର୍ତ୍ତମାନର ଭାରତ-ଆମେରିକା ଅଭ୍ୟାସରୁ ଭାରତ ଯୁଦ୍ଧ ଭଳି ପରିସ୍ଥିତିରେ ମିଳିତ ଅଭିଯାନରେ ଆମେରିକା ସେନାର ଅନୁଭୂତିରୁ ଫାଇଦା ଉଠାଇପାରିବ | ଏହା ମଧ୍ୟ ଭବିଷ୍ୟତର ଅଭିଯାନ ପାଇଁ ଦୁଇ ବାହିନୀର ମିଳିତ ପ୍ରସ୍ତୁତିକୁ ଆହୁରି ସୁଦୃଢ କରିବ | ମିଳିତ ଅଭ୍ୟାସ ଅତ୍ୟନ୍ତ ମହତ୍ବପୂର୍ଣ୍ଣ କାରଣ ଏହାଦ୍ବାରା ଭାରତ ଓ ଆମେରିକା ସେମାନଙ୍କ ପ୍ରତିରକ୍ଷା ସମ୍ପର୍କକୁ ଆହୁରି ମଜବୁତ କରିପାରିବେ |
ଭାରତ ଏହାର ଭୁସୀମା ଓ ସାମୁଦ୍ରିକ ପଥରେ ଉଭା ହୋଇଥିବା ବିପଦର ମୁକାବିଲା କରିବାଲାଗି ଏହାର ପ୍ରତିରକ୍ଷା କ୍ଷମତା ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି | ଏଥିପାଇଁ ଏହାକୁ ନବୀନତମ ଜ୍ଞାନକୌଶଳ ଓ ଉପକରଣର ଆବଶ୍ୟକତା ରହିଛି | ଭାରତ ‘ ମେକ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିରକ୍ଷା ବିନିର୍ମାଣ ର ଏକ ମହାତ୍ବାକାଙ୍ଖ୍ୟୀ କାର୍ଯ୍ୟକ୍ରମ ଆରମ୍ଭ କରିଛି | ତେଣୁ ପ୍ରତିରକ୍ଷା ଗବେଷଣା ଓ ବିକାଶ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ଆମେରିକା ସହ ଭାଗୀଦାରୀତା ସ୍ବାଗତଯୋଗ୍ୟ | ତେଣେ ଆମେରିକା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉଭା ହୋଇଥିବା ଚାଲେଞ୍ଜ ଗୁଡିକର ମୁକାବିଲା ପାଇଁ ଭାରତ ହେଉଛି ଏକ ସମ୍ଭାବ୍ୟ ଭାଗୀଦାର ରାଷ୍ଟ୍ର | ଭାରତର ପ୍ରତିରକ୍ଷା ବଜାର ଏକ ପ୍ରମୁଖ ଆକର୍ଷଣ କ୍ଷେତ୍ର ପାଲଟିଛି |
ଆମେରିକା, ପ୍ରତିରକ୍ଷା ଭାଗୀଦାରୀତା ବୃଦ୍ଧି, କ୍ଷମତା କାର୍ଯ୍ୟକ୍ରମ ଓ ସଶସ୍ତ୍ର ବାହିନୀର ପାରସ୍ପରିକତା ପରିପ୍ରେକ୍ଷୀରେ ଭାରତ ସହ ଏହାର ସମ୍ପର୍କକୁ ଦେଖୁଛି | ଦୁଇ ଦେଶ ରପ୍ତାନି ବିକଳ୍ପ ଗୁଡିକର ଅନ୍ଵେଷଣ କରିବା ଲାଗି ଷ୍ଟାର୍ଟ-ଅପ ଓ ପ୍ରକଳ୍ପକୁ ତୃତୀୟ ଦେଶ ରେ ସାମିଲ କରିବା ପାଇଁ 2012ର ଭାରତ ଆମେରିକା ପ୍ରତିରକ୍ଷା ଜ୍ଞାନକୌଶଳ ଓ ବାଣିଜ୍ୟ ଅଭିଯାନରେ ସଂଶୋଧନ ଆଣିବା ପାଇଁ ଯୋଜନା ଚଳେଇଛନ୍ତି | ତେବେ 2018ରେ 2+2 ମନ୍ତ୍ରୀସ୍ତରୀୟ ବୈଠକ ପରେ ପ୍ରତିରକ୍ଷା, ସୁରକ୍ଷା ଓ ବିଦେଶୀ ନୀତି କ୍ଷେତ୍ରରେ ଦ୍ଵିପକ୍ଷୀୟ ସମ୍ପର୍କରେ କେତେ କଣ ପ୍ରଗତି ହୋଇଛି ସେ ନେଇ ସମୀକ୍ଷା କରିବା ଉପରେ ବର୍ତ୍ତମାନ ପ୍ରାଧାନ୍ୟ ଦିଆଯାଉଛି |
ମୂଳ ଲେଖା : ସ୍ତୁତି ବାନାର୍ଜୀ, ଆମେରିକା ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ
ଅନୁବାଦ: ରୀତା ଯୋଶୀ
Comments
Post a Comment