ଭାରତୀୟ ପାର୍ଲାମେଣ୍ଟର ଉଚ୍ଚ ସଦନ, ରାଜ୍ୟ ସଭା ଇତିମଧ୍ୟରେ 250 ତମ ଅଧିବେଶନରେ ପହଞ୍ଚିଛି। ଯାହାକି ଭାରତର ରାଜନୈତିକ ଗଣତନ୍ତ୍ରର ଏକ ମାଇଲ ଖୁଣ୍ଟ। 1952 ମସିହାରେ ଏହାର ସ୍ଥାପନା ପରେ ରାଜ୍ୟ ସଭା ଦେଶର ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସିଛି। 1952ରେ ହିନ୍ଦୁ ବିବାହ ଏବଂ ବିଚ୍ଛେଦ ବିଲ ଠାରୁ ନେଇ 2019ରେ ମୁସଲମାନ ମହିଳା ବିବାହ ସୁରକ୍ଷା ଅଧିକାର ବିଲ ଓ ଜମ୍ମୁ କଶ୍ମୀର ପୁନର୍ଗଠନ ବିଲ ପର୍ଯ୍ୟନ୍ତ ରାଜ୍ୟ ସଭା ଭାରତର ରାଜନୈତିକ ଇତିହାସରେ ବର୍ଣ୍ଣଳ ପ୍ରଭାବ ପକାଇଛି।
ଉପରାଷ୍ଟ୍ରପତି ଏବଂ ରାଜ୍ୟ ସବାର ଉପାଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଯଥାର୍ଥରେ କହିଛନ୍ତି ଯେ ରାଜ୍ୟ ସଭା ଦେଶର ଆବଶ୍ୟକତା ଏବଂ ସମସ୍ୟାର ଯଥାଯଥ ସମାଧାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ତଥାପି ଆହୁରି କିଛି ବାଟ ଯିବାକୁ ଅଛି।
1952 ମଇ 13 ତାରିଖରେ ଏହାର ପ୍ରଥମ ଅଧିବେଶନରୁ 2019 ଅଗଷ୍ଟ 7 ତାରିଖର 249 ଅଧିବେଶନ ପର୍ଯ୍ୟନ୍ତ ରାଜ୍ୟ ସଭା ମୋଟ 5,466ଟି କାର୍ଯ୍ୟ ଦିବସ ସଂପନ୍ନ କରିଛି। ଏହି ସମୟରେ ମୋଟ 3,817ଟି ବିଲ ପାସ ହୋଇଛି ଯେଉଁଥିରେ 108ଟି ସାମ୍ୱିଧାନିକ ସଂଶୋଧନ ବିଲ ଅନ୍ତର୍ଭୁକ୍ତ। ବିଗତ 67 ବର୍ଷରେ 2,282 ଜଣ ସଦସ୍ୟ ଏହି ଗାରିମାମୟ ସଦନରେ ସାଂସଦ ହେବାର ସୁଯୋଗ ପାଇଛନ୍ତି ଯେଉଁଥିରୁ 208 ଜଣ ହେଉଛନ୍ତି ମହିଳା ଏବଂ 137 ମନୋନିତ ସାଂସଦ ଅଛନ୍ତି। ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଲୋକସଭା ପ୍ରତି ପାଞ୍ଚ ବର୍ଷରେ ଥରେ ଭଙ୍ଗ ହେଉଥିବା ବେଳେ ରାଜ୍ୟସଭା ସେହିପରି କାର୍ଯ୍ୟକ୍ଷମ ରହିଥାଏ।
ରାଜ୍ୟ ସଭାର ଚଳିତ 250ତମ ଅଧିବେଶନରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାର୍ଥରେ କହିଛନ୍ତି ଯେ ରାଜ୍ୟ ସଭା ଦେଶର ବିବିଧତାକୁ ପ୍ରତିନିଧିତ୍ୱ କରୁଛି ଏବଂ ଦେଶର ସଂଘୀୟ ଢାଞ୍ଚାର ପ୍ରତିଫଳିତ କରୁଛି। ବିଗତ ଛଅ ଦଶନ୍ଧି ଧରି ଏହା ଦେଶର ସାମାଜିକ- ଆର୍ଥିକ ପରିବର୍ତ୍ତନର ଅଂଶବିଶେଷ ଥିବାବେଳେ ଦେଶ ଗଠନରେ ଅତୁଳନୀୟ ଅବଦାନ ଗ୍ରହଣ କରିଛି। ତେଣିକି ତାହା ନିରକ୍ଷରତା, ରୋଗ, ବେକାରି, ସନ୍ତ୍ରାସବାଦ, ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ବିଷମତା ବିରୁଦ୍ଧରେ ସଂଗ୍ରମ ହେଉ ଅବା ଜଳବାୟୁ ପରିବର୍ତ୍ତନ ପାଇଁ ସମାଧାନ ହେଉ ସବୁଥିରେ ରାଜ୍ୟ ସଭାର ଅବଦାନକୁ କମ କରାଯାଇ ପାରିବ ନାହିଁ।
ବିଗତ ଦିନରେ ଜିଏସଟି, ତିନି ତଲାକ, ଧାରା 370 ରାଜ୍ୟ ସଭା ପାସ କରିଛି। ସମ୍ୱିଧାନ ପ୍ରଣେତା ବାବା ସାହେବ ଭିମରାଓ ଆମ୍ୱେଦକର ରାଜ୍ୟ ସଭାରେ ଦୁଇ ଥର ସଦସ୍ୟ ହୋଇଛନ୍ତି। 2003ରେ ରାଜ୍ୟ ସଭାର 200ତମ ଅଧିବେଶନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀ କହିଥିଲେ ଯେ କେହି ବି ଆମର ଦ୍ୱିତୀୟ ସଦନକୁ ହେୟ ଭାବିବା ଉଚିତ ନୁହେଁ। କାରଣ ଏଠାରେ ଉଚ୍ଚ ବିଦ୍ୱାନ ବ୍ୟକ୍ତିମାନେ ଆସିଥାନ୍ତି। ରାଜ୍ୟ ସଭାର ପରମ୍ପରା ଆମ ପାଇଁ ଗର୍ବର ବିଷୟ।
ଆଲେଖ୍ୟ: ଶଙ୍କର କୁମାର
ଭାଷାନ୍ତର: ରାମଚଂଦ୍ର ନାଥ
Comments
Post a Comment