Skip to main content

ଭାରତ-ପ୍ରଶାନ୍ତ ମହାସାଗରୀୟ ଟ୍ରାକ 1.5 ଆଲୋଚନା

ଭାରତ - ପ୍ରଶାନ୍ତ ମହାସାଗରୀୟ ଅବାଧ ଓ ମୁକ୍ତ ଭାବଧାରାକୁ ନେଇ ଭୂ-ରାଜନୈତିକ ପ୍ରସଙ୍ଗ ସରଗରମ ଥିବାବେଳେ ଭାରତ ଷଷ୍ଠ ଭାରତ ମହାସାଗରୀୟ କଥାବାର୍ତ୍ତା ଏବଂ ଏକାଦଶ ଦିଲ୍ଲୀ କଥାବାର୍ତା ସମେତ ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଆୟୋଜନ କରିଥିଲା। ନୀତି ଭିତ୍ତିକ ଓ ଭାଗିଦାରୀମୂଳକ ଅବାଧ, ମୁକ୍ତ ତଥା ସମଷ୍ଠିଗତ କଥାବାର୍ତ୍ତା ଭିତ୍ତିରେ 2019 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆସିଆନ ଦୂରଦୃଷ୍ଟି ଏବଂ 2018 ଜୁନ ମାସରେ ଭାରତ ପ୍ରଶାନ୍ତ ମହାସାଗର ପାଇଁ ଭାରତର ଦୂରଦୃଷ୍ଟି ସଂକ୍ରାନ୍ତରେ ସାଙ୍ଗ୍ରିଲା କଥାବାର୍ତ୍ତା ଅନୁଷ୍ଟିତ ହୋଇଥିଲା। ଦୁଇଟି ଟ୍ରାକ 1.5 କଥାବାର୍ତ୍ତା ଏକସଙ୍ଗେ ଅନୁଷ୍ଠିତ ହେବା ପ୍ରଥମ ଘଟଣା।

ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର କହିଥିଲେ ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳ ପାଇଁ ନୂଆଦିଲ୍ଲୀର ଦୂରଦୃଷ୍ଟି ମଧ୍ୟରେ ପ୍ରଶାନ୍ତ ମହାସାଗର ର ପଶ୍ଚିମାଞ୍ଚଳ ସମେତ ଉପସାଗର ଓ ଆଫ୍ରିକୀୟ ଦେଶ ସମୁହ ସମେତ ପୂର୍ବାଞ୍ଚଳ ଭାରତ ମହାସାଗର ଅଞ୍ଚଳ ରହିଛି। ଭାରତ ପ୍ରଶାନ୍ତ ମହାସାଗର ଭାବଧାରା ଉପରେ ପ୍ରତ୍ୟେକ ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ଭିନ୍ନଭିନ୍ନ ମତ ପ୍ରକାଶ ପାଉଥିଲେ ମଧ୍ୟ ଆଖିଦୃଶିଆ ସହଯୋଗ ମୂଳକ ପଦକ୍ଷେପଗୁଡିକୁ ଚିହ୍ନଟ କରିବା ଉପରେ ବିଶେଷ ଭାବେ କଥାବାର୍ତ୍ତା ହୋଇଛି। 2019 ନଭେମ୍ୱର ମାସରେ ନୂଆଦିଲ୍ଲୀ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଭିଯାନ ଆରମ୍ଭ କରିଥିଲା। ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଦେଶଗୁଡିକରେ ବିଭିନ୍ନ ପ୍ରକାରର ସାମୁଦ୍ରିକ ନିରାପତ୍ତା ସମେତ ସାମୁଦ୍ରିକ ପରିବେଶ ପରିଚାଳନା, ଦୁର୍ବିପାକ ବିପଦ ହ୍ରାସ ଏବଂ ସାମୁଦ୍ରିକ ସମ୍ୱଳର ନିରନ୍ତର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।

ଅଧିକନ୍ତୁ ନିରନ୍ତର ମୌଳିକ ଢାଞ୍ଚା ନିର୍ମାଣ ଏବଂ ଉଚ୍ଚମାନର ଆର୍ଥିକ ବ୍ୟବସ୍ଥା ସହ ତାଳ ଦେଇ ଆସିଆନ ଦେଶଗୁଡିକ ମଧ୍ୟରେ ସଂଯୋଗ ସ୍ଥାପନ ପାଇଁ ମାଷ୍ଟର ଯୋଜନାକୁ ଆଞ୍ଚଳିକ ସଂଯୋଗ ସ୍ଥାପନ ସମର୍ଥନ ଦ୍ୱାରା ପକ୍ଷଭୁକ୍ତ ରାଷ୍ଟ୍ରଗୁଡିକ ମଧ୍ୟରେ ସହଯୋଗ ପାଇଁ ସୁଯୋଗ ସୃଷ୍ଟି ହୋଇପାରିବ। ଶସ୍ତା ଓ ଅଳ୍ପ ଶକ୍ତି ଖର୍ଚ୍ଚରେ ଲୁଣି ପାଣିକୁ ମଧୁର ଜଳରେ ପରିଣତ କରିବା ପ୍ଲାଣ୍ଟ ସ୍ଥାପନ ପାଇଁ କାରିଗରୀ ବିଦ୍ୟା ଆଦାନପ୍ରଦାନ ସମେତ ଭାଗିଦାରୀ ଭିତ୍ତିରେ ଏହି ପ୍ରକଳ୍ପଗୁଡିକୁ ଆଗେଇ ନେବା ସକାଶେ ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ରଗୁଡିକ ପାଇଁ ଏକ ବଡ ଆହ୍ୱାନ ଦେଖାଦେଇଛି। ଏତଦବ୍ୟତିତ ଡକ୍ଟରେଟ ପରବର୍ତ୍ତି ଗବେଷଣା ପାଇଁ ଫେଲୋସିପ ଯୋଜନା ଜରିଆରେ ଆଖିଦୃଶିଆ ସହଯୋଗ ହାସଲ ହୋଇପାରିବ ବୋଲି ଭାରତ ମତବ୍ୟକ୍ତ କରିଛି। ଦିଲ୍ଲୀ କଥାବାର୍ତ୍ତାରେ ଭାରତ ପ୍ରଶାନ୍ତ ମହାସାଗର ଏବଂ ଶିଳ୍ପ ବିପ୍ଳବ 4.0 ସ୍ଥାପନ ଲାଗି ସ୍ଥାପତ୍ୟ ଓ ପୋଲ୍ଲ ନିର୍ମାଣ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋକପାତ କରାଯାଇଛି।

ଭାରତ ମହାସାଗର ଉପକୂଳବର୍ତ୍ତୀ ରାଷ୍ଟ୍ର ସଂଘ ବା (IORA)ର ମହାସଚିବ ଡକ୍ଟର ନୋମ୍ଭୁୟୋ ନୋକେ ଆଞ୍ଚଳିକ ଢାଞ୍ଚା କ୍ଷେତ୍ରରେ ନୂଆ ଶକ୍ତିର ଅନୁସନ୍ଧାନ ତଥା (IORA), ଆସିଆନ ଓ ବଙ୍ଗୋପ ସାଗର ବହୁ ପକ୍ଷୀୟ ବୈଷୟିକ ଓ ଅର୍ଥନୈତିକ ସହଯୋଗ ସଂଗଠନ (ବିମଷ୍ଟେକ) ମଧ୍ୟରେ ସହଯୋଗର ଆବଶ୍ୟକତା ପ୍ରତି ଗୁରୁତ୍ୱ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଦେଶଗୁଡିକ ମଧ୍ୟରେ ସାମୁହିକ ପଦକ୍ଷେପକୁ IORAର ତିନୋଟି ନୀତି ଦ୍ୱାରା ପଥ ପ୍ରଦର୍ଶନ କରାଯାଇ ପାରିବ। ଏଥି ମଧ୍ୟରେ ସାମଗ୍ରିକତା, ସହମତି, ସବୁ ଦେଶ ମଧ୍ୟରେ ସମାନତା ଓ ନିୟମ ଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା ତଥା ଭାଗିଦାରୀ ରାଷ୍ଟ୍ରଗୁଡିକ ମଧ୍ୟରେ ଆପୋଷ ଫାଇଦା ପାଇଁ ଶାନ୍ତିପୂର୍ଣ୍ଣ ସହଯୋଗ ବିଷୟ ଉଲ୍ଲେଖ କରାଯାଇଛି।

ଏହି ସାମୁଦ୍ରିକ ଅଞ୍ଚଳକୁ ନେଇ ବଡବଡ ଶକ୍ତିଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ, ସୁରକ୍ଷାବାଦ ଓ ବହୁପକ୍ଷୀୟ ଆସ୍ଥା ହ୍ରାସ ପାଉଥିବାବେଳେ ଭାରତ ପ୍ରଶାନ୍ତ ମହାସାଗର ସଂକ୍ରାନ୍ତରେ ଆସିଆନ ଦୂରଦୃଷ୍ଟିର ସକରାତ୍ମକ ଦୀଗଗୁଡିକ ଉପରେ ଇଣ୍ତୋନେସିଆର ବୈଦେଶିକ ମନ୍ତ୍ରୀ ଶ୍ରୀମତୀ ରେଟନୋ ଏଲ.ପି ମର୍ସୁଡି ଆଲୋକପାତ କରିଛନ୍ତି। ଅବାଧ, ମୁକ୍ତ ଓ ଯଥାର୍ଥ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥା ଏହି ରାଷ୍ଟରଗୁଡିକୁ ଆଗେଇ ନେବ ବୋଲି ଶ୍ରୀମତୀ ମର୍ସୁଡି ମତ ଦେଇଛନ୍ତି। ଭାରତ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ବିଷୟ ଉଲ୍ଲେଖ କରି ଶ୍ରୀମତୀ ମର୍ସୁଡି କହିଛନ୍ତି ସାମଗ୍ରୀକତା, ସ୍ୱଚ୍ଛତା ଏବଂ ଖୋଲା ମନଭାବ ଜରିଆରେ ଭାଗିଦାରୀତା ସ୍ଥାପନ ଗୁରୁତ୍ୱପୂର୍ଣ୍ଣ ବୋଲି ମଧ୍ୟ ସେ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗର ସମୁଦ୍ର ପଥରେ ଶତକଡା 40 ଭାଗ ବିଶ୍ୱ ବାଣିଜ୍ୟ କାରବାର ହେଉଥିବାବେଳେ ଶତକଡା 61 ଭାଗ ଅଶୌଧିତ ତୈଳ ସମୁଦ୍ର ପଥରେ ପରିବହନ ହେଉଛି । 24 ଟ୍ରିଲିୟନ ଆମେରେକୀୟ ଡଲାର ମୂଲ୍ୟର କାରବାର ସମୁଦ୍ର ପଥରେ ହେଉଥିବା କଥା ସେ ଦର୍ଶାଇଛନ୍ତି ଏଣୁ ସମସ୍ତେ ଏକତ୍ର ହୋଇ ସହଯୋଗମୂଳକ ପଦକ୍ଷେପ ନେବା ସଙ୍ଗେସଙ୍ଗେ ମତ ପାର୍ଥକ ଦ୍ୱନ୍ଦରୁ ଦୂରେଇ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ଭାରତ ମହାସାଗରୀୟ ଅଞ୍ଚଳରେ ଭାରତ ଆସିଆନ ସହଯୋଗ ବିକାଶ ସଂପର୍କୀୟ କଥାବାର୍ତାରେ ପ୍ରତିଫଳିତ ହୋଇଥିବାରୁ ପାରମ୍ପରିକ ଓ ଅଣ ପାରମ୍ପରିକ ନିରାପତ୍ତା ବିପଦଗୁଡିକୁ ମୁକାବିଲା କରିବାର ଆବଶ୍ୟକତା ଦେଖାଦେଇଛି। ଭାରତ ଆସିଆନ ସାମୁଦ୍ରିକ ଅର୍ଥନୈତିକ ସହଯୋଗ ଛଡା ସାମୁଦ୍ରିକ ମୌଳିକ ଢାଞ୍ଚା ଓ ସଂଯୋଗ ସ୍ଥାପନ ପ୍ରକଳ୍ପଗୁଡିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସୁଯୋଗ ରହିଥିବା କଥା ମଧ୍ୟ ଦର୍ଶା ଯାଇଛି। 2020 ଭାରତ-ପ୍ରଶାନ୍ତ ମହାସାଗର ଫୋରମରେ ଯୋଗ ଦେବା ପାଇଁ ଇଣ୍ତୋନେସିଆ ଭାରତକୁ ନିମନ୍ତ୍ରଣ ଜଣାଇଛି। 

ଭାରତ-ପ୍ରଶାନ୍ତ ମହାସାଗରୀୟ ସଂପ୍ରଦାୟ ଗଠନ କ୍ଷେତ୍ରରେ ଉଭା ହୋଇଥିବା ଚ୍ୟାଲେଞ୍ଜଗୁଡିକ ବ୍ୟତିରେକ ସାଂସ୍କୃତିକ ଐତିହାସୀକ ସଂପର୍କ ଏବଂ ମଜବୁତ ସାମରିକ ସଂପର୍କ ସ୍ଥାପନର ଆବଶ୍ୟକ ଥିବା କଥା ଉଲ୍ଲେଖ କରାଯାଇଛି। IORA ଓ ଆସିଆନ ଭାଗିଦାରୀ ରାଷ୍ଟ୍ରଗୁଡିକ ସହ ଏହି 1.5 ଟ୍ରାକ କଥାବାର୍ତ୍ତା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଖୋଲାମନୋଭାବ, ସ୍ୱାଧୀନତା, ସାମଗ୍ରୀକତା, ନୀତିଭିତ୍ତିକ ସ୍ଥାପତ୍ୟ ସ୍ଥାପନ ଓ ସବୁ ରାଷ୍ଟରଗୁଡିକ ମଧ୍ୟରେ ସମାନତା ବିଷୟଗୁଡିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶା ଯାଇଛି।

ଆଲେଖ୍ୟ: ଡକ୍ଟର ତିତଲି ବସୁ

ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments