71ତମ ସାଧାରଣତନ୍ତ୍ର ଦିବସ ପାଇଁ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ବୋଲସୋନାରୋଙ୍କ ଗସ୍ତ ଭାରତ-ବ୍ରାଜିଲ ସମ୍ପର୍କକୁ ଆହୁରି ମଜବୁତ କରିବ
ଭାରତ ଓ ବ୍ରାଜିଲ ବୈଶ୍ଵିକ ମହାସାଗରରେ ଦୁଇଟି ମହାଶକ୍ତି ଭାବେ ଉଭା ହୋଇଛନ୍ତି । ଚୀନ ବ୍ୟତୀତ କେବଳ ଭାରତ ଓ ବ୍ରାଜିଲ ହିଁ ଏପରି ରାଷ୍ଟ୍ର ଅଟନ୍ତି ଯାହା ପାଖରେ ଏକ ମହାଶକ୍ତି ଭାବେ ରୂପାନ୍ତରିତ ହେବା ଲାଗି ପୂର୍ଣ୍ଣ କ୍ଷମତା ରହିଛି | କିନ୍ତୁ ଅତୀତରେ ଭାରତ ଏହାର ହିନ୍ଦୁ ଅଭିବୃଦ୍ଧି ହାର ଓ ଦାରିଦ୍ର୍ୟତା ପାଇଁ ବେଶ ପରିଚିତ ଥିବା ବେଳେ ବ୍ରାଜିଲ ଅତ୍ୟଧିକ ମୁଦ୍ରାସ୍ଫୀତି ଓ ଋଣଗ୍ରସ୍ତ ହୋଇରହିଥିଲା | ଏକ ଦୃଢ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ସତ୍ତ୍ୱେ ଭାରତ ପାଶ୍ଚାତ୍ୟ ଦେଶମାନଙ୍କ ପାଇଁ ଏକ ସପେରା ଓ ଫକିର ସାଧୁ ମାନଙ୍କ ଦେଶ ଭାବେ ସର୍ବବିଦିତ ଥିବା ବେଳେ ବ୍ରାଜିଲକୁ ଫ୍ରାନ୍ସର ଚାର୍ଲ୍ସ ଡି ଗାଲ “ଏକ ଗମ୍ଭୀର ଦେଶ ନୁହେଁ “ ବୋଲି କହିଥିଲେ | ବର୍ତ୍ତମାନ ଉଭୟ ଭାରତ ଓ ବ୍ରାଜିଲ ସନ୍ତୁଳନ ରାଷ୍ଟ୍ରଶକ୍ତିରୁ ପ୍ରମୁଖ ବୈଶ୍ଵିକ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରସର ହେଉଛନ୍ତି | ଗତ ଏକ ଦଶନ୍ଧିରେ ବିଭିନ୍ନ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ଫୋରମରେ ସକ୍ରିୟ ଆଲୋଚନା ଜରିଆରେ ସେମାନେ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ମଞ୍ଚରେ ନିଜର ବୈଦେଶିକ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ଭାରତର 71 ତମ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ଲାଗି ବ୍ରାଜିଲ ରାଷ୍ଟ୍ରପତିଙ୍କ ଭାରତକୁ ଚାରି ଦିନିଆ ଗସ୍ତରୁ ଭାରତ-ବ୍ରାଜିଲ ମଧ୍ୟରେ ବୃଦ୍ଧି ପାଉଥିବା ଭାଗୀଦାରୀତା ସମ୍ପର୍କର ସ୍ପଷ୍ଟ ଅନୁମେୟ ହେଉଛି | ଭାରତ ଓ ବ୍ରାଜିଲ କେବଳ ସ୍ଥିର ଗଣତନ୍ତ୍ର ରାଷ୍ଟ୍ର ନୁହେଁ ବରଂ ସେମାନେ ଟ୍ରିଲିୟନ ଡଲାର ଅର୍ଥନୀତି ଭାବେ ଉଭା ହୋଇଛନ୍ତି | ଭାରତ ଭଳି ବ୍ରାଜିଲ ମଧ୍ୟ ଆନ୍ତର୍ଜାତୀୟ ମାମଲା ଓ ବୈଶ୍ଵିକ କୂଟନୀତି କ୍ଷେତ୍ରରେ ତୀବ୍ର ଗତିରେ ଆଗେଇ ଚାଲିଛି | ବହୁ ସମୟ ହେଲା ବ୍ରାଜିଲ ଏକ ବୈଦେଶିକ ନୀତିର ଅନୁସରଣ କରିଛି | କିନ୍ତୁ ଏବେ ଏହା ଏକ ବୈଶ୍ଵିକ ରାଷ୍ଟ୍ର ଭାବେ ଦାବି ଉପସ୍ଥାପନ ଲାଗି ଅତି ଚତୁରତାର ସହ ବହୁପକ୍ଷୀୟ ପ୍ରତିଷ୍ଠାନ ଗୁଡିକର ଉପଯୋଗ କରୁଛି | ରାଷ୍ଟ୍ରପତି ବୋଲସୋନାରୋ ହେଉଛନ୍ତି ବ୍ରାଜିଲର ତୃତୀୟ ରାଷ୍ଟ୍ରପତି ଯାହାକୁ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି | ରାଷ୍ଟ୍ରପତି ଫର୍ନାଣ୍ଡୋ ହେନରିକ କାର୍ଦୋସୋ 1996 ରେ ଓ ରାଷ୍ଟ୍ରପତି ଲୁଇଜ ଇନସିଓ ଡା ସିଲଭା ଲୁଲା 2004 ରେ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2014 ରେ ଫୋର୍ଟାଲେଜାରେ ଓ 2019ରେ ବ୍ରାସିଲିଆରେ ଆୟୋଜିତ ଏପରି ଦୁଇଟି ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ | ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ବିଭିନ୍ନ ରାଷ୍ଟ୍ର ମୁଖ୍ୟଙ୍କୁ ଆମନ୍ତ୍ରଣ କରିବା ନେଇ ଭାରତର ନିଷ୍ପତ୍ତି ଏକ ରଣନୀତିକ ବିକଳ୍ପ ଅଟେ |
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ବୋଲସୋନାରୋ ଆନ୍ତର୍ଜାତୀୟ ଓ ଦ୍ଵିପକ୍ଷୀୟ ପ୍ରସଙ୍ଗ ନେଇ ବ୍ୟାପକ କଥାବାର୍ତ୍ତା କରିଛନ୍ତି | ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବ୍ରାଜିଲ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନୈଶ୍ୟ ଭୋଜି ସଭାର ଆୟୋଜନ କରିଥିଲେ |
ଦୁଇ ଦେଶ ଆନ୍ତର୍ଜାତୀୟ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ଏକ ଚୁକ୍ତିରେ ସ୍ଵାକ୍ଷର କରିଛନ୍ତି । ଏଥିସହ ଏକ ଦ୍ଵିପକ୍ଷୀୟ ନିବେଶ ସହଯୋଗ ଓ ସୁଗମ ରାଜିନାମା ସମେତ ବହୁ ରାଜିନାମା ମଧ୍ୟ ସ୍ଵାକ୍ଷର କରିଛନ୍ତି | ରାଷ୍ଟ୍ରପତି ବୋଲସୋନାରୋ ଭାରତ-ବ୍ରାଜିଲ ବ୍ୟବସାୟ ଫୋରମରେ ଉଦବୋଧନ ଦେଇଥିବା ବେଳେ ବ୍ରାଜିଲ ର ସାତ ଜଣ ମନ୍ତ୍ରୀ ସେମାନଙ୍କ ଭାରତୀୟ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ଦ୍ଵିପକ୍ଷୀୟ ସମ୍ପର୍କକୁ ଆହୁରି ନିବିଡ କରିବା ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ବହୁପକ୍ଷୀୟ କଥାବାର୍ତ୍ତାର ମୂଳ ଉଦ୍ଦେଶ୍ୟ ବୋଲି ବିବେଚନା କରାଯାଉଛି |
ଶ୍ରୀ ବୋଲସୋନାରୋ ରାଷ୍ଟ୍ରପତି ଭାବେ ଯେତେବେଳେ ନିର୍ବାଚିତ ହେଲେ, ଅନେକ ବିଶ୍ଳେଷକ ମାନେ ମତ ଦେଇଥିଲେ ଯେ ବ୍ରାଜିଲ “ୟୁରୋପ ଓ ଉତ୍ତର ଆମେରିକାର ପ୍ରମୁଖ ରାଷ୍ଟ୍ର ଗୁଡିକ” ସହ ଏହାର ସମ୍ପର୍କକୁ ପ୍ରାଧାନ୍ୟ ଦେବ । ବ୍ରାଜିଲର ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ତାଙ୍କ ଅଭିଭାଷଣକୁ ଆଧାରକରି ବ୍ରିକ୍ସ ପ୍ରତି ତାଙ୍କ ଆଗ୍ରହ ରହିବ ନାହିଁ ବୋଲି କିଛି ଲୋକ ମତ ପ୍ରକାଶ କରୁଥିଲେ । କିନ୍ତୁ ଏଭଳି ଧାରଣା ମିଥ୍ୟା ଓ କୋପାଳକଳ୍ପିତ ଥିବା କଥା ପ୍ରମାଣିତ ହେଲା | କିଛି ମାସ ପୂର୍ବରୁ ରାଷ୍ଟ୍ରପତି ବୋଲସୋନାରୋ ବ୍ରିକ୍ସ ଶିଖର ସମ୍ମିଳନୀରେ ସଫଳତାର ସହ ଅଧ୍ୟକ୍ଷତା କରିଥିଲେ | ସେ ମଧ୍ୟ ଚୀନକୁ ଏକ ସଫଳ ଗସ୍ତ କରିଥିଲେ | ରଣନୀତିକ ଭାଗୀଦାରୀତା ରାଷ୍ଟ୍ର ଭାବେ ବୈଶ୍ଵିକ କ୍ଷମତା ହାସଲ ଲାଗି ଭାରତ ଓ ବ୍ରାଜିଲ ସେମାନଙ୍କ ବୈଦେଶିକ ନୀତି ଗୁଡିକୁ ପ୍ରାଧାନ୍ୟ ଦେଉଛନ୍ତି | ବର୍ତ୍ତମାନ ଆନ୍ତର୍ଜାତୀୟ ବ୍ୟବସ୍ଥାକୁ “ଅଣ-ଧୃବୀୟ ବିଶ୍ଵ”, “ବହୁ-ଆଞ୍ଚଳିକ ବିଶ୍ଵ ବ୍ୟବସ୍ଥା” ଓ “ବହୁ-ବହୁ-ଧୃବୀୟତା” ଭାବେ ବିଭିନ୍ନ ରୂପରେ ବର୍ଣ୍ଣନା କରାଯାଇଛି | ସେମାନେ ଜାତୀୟ ସ୍ଵାର୍ଥ କ୍ଷେତ୍ରରେ ନୂତନ ମେଣ୍ଟ ଗଠନ ଲାଗି ବୈଶ୍ଵିକ ପ୍ରଶାସନ ପ୍ରତିଷ୍ଠାନର ଫାଇଦା ଉଠାଇଛନ୍ତି |
ବାଣିଜ୍ୟ ଓ ପୁଞ୍ଜି ନିବେଶ କ୍ଷେତ୍ରରେ ସମ୍ପର୍କ ଆହୁରି ମଜବୁତ ହୋଇଛି | ଭାରତ ପକ୍ଷରୁ 3.8 ବିଲିଅନ ଡଲାର ମୂଲ୍ୟର ସାମଗ୍ରୀ ରପ୍ତାନି ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର 8.2 ବିଲିଅନ ଡଲାରକୁ ବୃଦ୍ଧି ପାଇଛି | ବ୍ରାଜିଲର ସୂଚନା ପ୍ରଯୁକ୍ତି ବିଦ୍ୟା, ଫାର୍ମାସିୟୁଟିକାଲ୍ସ, ଶକ୍ତି, କୃଷି-ବ୍ୟବସାୟ, ଖନନ ଓ ଇଞ୍ଜିନିୟରିଙ୍ଗ କ୍ଷେତ୍ରରେ ଭାରତର ପୁଞ୍ଜି ନିବେଶ ବୃଦ୍ଧି ପାଇବା ଅତ୍ୟନ୍ତ ଉତ୍ସାହଜନକ । ପ୍ରତିରକ୍ଷା, ବୈଷୟିକ ଜ୍ଞାନକୌଶଳ ଆଦାନ ପ୍ରଦାନ ଓ ଏକ ଲଜିଷ୍ଟିକ ରାଜିନାମା କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବା ସହ ଉଭୟଙ୍କ ମଧ୍ୟରେ ଦୃଢ ସାମରିକ ଭାଗୀଦାରୀତା ନେଇ ଦୁଇ ଦେଶ ସନ୍ତୋଷ ପ୍ରକଟ କରିଛନ୍ତି ।
ବ୍ରିକ୍ସ, ଜି 20 ଓ ଆଇବିଏସଏ ଭଳି ଆନ୍ତର୍ଜାତୀୟ ମଞ୍ଚରେ ଉଚ୍ଚ ରାଜନୈତିକ ସ୍ତରରେ ନିରନ୍ତର କଥାବାର୍ତ୍ତା ଯୋଗୁଁ ଭାରତ–ବ୍ରାଜିଲ ସମ୍ପର୍କ ଆହୁରି ନିବିଡ ହୋଇଛି | ବହୁ-ଧୃବୀୟ ଓ ପରବର୍ତ୍ତୀ-ପାଶ୍ଚାତ୍ୟ ବିଶ୍ଵ ବ୍ୟବସ୍ଥା ପରିପ୍ରେକ୍ଷୀରେ ଦ୍ଵିପକ୍ଷୀୟ ସମ୍ପର୍କ ମଜବୁତ କରିବା ଲାଗି ବିଶ୍ଵ ପଟଳରେ ଅନ୍ୟ ଦେଶ ପାଇଁ ଏକ ଉଦାହରଣ ଭାବେ ନିଜ ଭାବମୂର୍ତ୍ତି ବଜାୟ ରଖିବାକୁ ହେଲେ ଦୁଇ ଦେଶକୁ କଠୋର ପରିଶ୍ରମ କରିବାକୁ ପଡିବ ।
ମୂଳ ଲେଖା : ଡଃ ଆଶ ନାରାୟଣ ରାୟ, ନିର୍ଦ୍ଦେଶକ, ସାମାଜିକ ବିଜ୍ଞାନ ପ୍ରତିଷ୍ଠାନ, ଦିଲ୍ଲୀ
ଅନୁବାଦ : ରୀତା ଯୋଶୀ
Comments
Post a Comment