Skip to main content

ବ୍ରେକଜିଟ, ୟୁରୋପୀୟ ସଂଘ ଏବଂ ଭାରତ ଉପରେ ଏହାର ପ୍ରଭାବ

ବ୍ରିଟେନ ଏବଂ ୟୁରୋପୀୟ ସଂଘ ମଧ୍ୟରେ 47 ବର୍ଷର ସଂପର୍କ 2020 ଜାନୁୟାରୀ 31 ତାରିଖରେ ବ୍ରେକଜିଟ ସହିତ ଶେଷ ହୋଇଛି। 2016ରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ପରେ ଏବେ ୟୁରୋପୀୟ ସଂଘରୁ ବ୍ରିଟେନ ଅଲଗା ହୋଇଛି। ବ୍ରିଟେନ ୟୁରୋପୀୟ ଅର୍ଥନୈତିକ ସମୁଦାୟ ସହିତ 1973ରେ ଯୋଗ ଦେଇଥିଲା ଏବଂ ଏହା ପ୍ରଥମ ରାଷ୍ଟ୍ର ଯିଏକି ଲିସବନ ଚୁକ୍ତିର ଧାରା 50 ଆଧାରରେ ସଂଘ ଠାରୁ ଅଲଗା ହୋଇଛି।
ବ୍ରେକଜିଟ କାର୍ଯ୍ୟକାରୀ ହେବାର ଅନୁଭବ ଉଭୟ ବ୍ରିଟେନ ଏବଂ ୟୁରୋପୀୟ ସଂଘ ଭିନ୍ନଭିନ୍ନ ଭାବରେ କରିବେ। ବ୍ରେକଜିଟର ସମର୍ଥକମାନଙ୍କ ପାଇଁ ବ୍ରିଟେନ ଏକ ଜାତୀୟ ଶକ୍ତି ଭାବେ ପରିଚିତ ହେବ ଏବଂ ବ୍ରସେଲ୍ସର ବନ୍ଧନରୁ ମୁକ୍ତ ହେବ। କିନ୍ତୁ ଏହି ଯାତ୍ରା ଏତେ ସହଜ ହେବନି। ବ୍ରିଟେନକୁ ବାଣିଜ୍ୟ କାରବାର ପାଇଁ ଏବଂ ବଜାର ସୁବିଧା ପାଇଁ ସବୁ ଦେଶ ସହିତ ବୁଝାମଣା କରିବାକୁ ପଡିବ। ବ୍ରେକଜିଟ ପରେ ବ୍ରିଟେନକୁ ଶ୍ରମିକ, ପୁଞ୍ଜି ଏବଂ ସେବା ଆଦି ଅନେକ କ୍ଷେତ୍ରର ସାମ୍ନା କରିବାକୁ ପଡିବ। ୟୁରୋପୀୟ ସଂଘ ନିକଟରେ ଏକ ବିଶାଳ ଆମଦାନି ରପ୍ତାନି ବ୍ୟବସ୍ଥା ଥିବାବେଳେ ଏବେ ବ୍ରିଟେନକୁ ନିଜେ ସବୁ କିଛି କରିବାକୁ ପଡିବ।
ଅପରପକ୍ଷେ ୟୁରୋପୀୟ ସଂଘ ଉପରେ ମଧ୍ୟ ବ୍ରେକଜିଟର ପ୍ରଭାବ ବିଭିନ୍ନ ଦିଗରୁ ପଡିବ। ୟୁରୋପୀୟ ସଂଘର ସାଧାରଣ ବଜେଟରେ ବ୍ରିଟେନର ଦ୍ୱିତୀୟ ସର୍ବବୃହତ ଯୋଗଦାନ ଥିଲା ଏବଂ ଏହା ଜାତିସଂଘ ନିରାପତ୍ତା ପରିଷଦର ଏକ ସ୍ଥାୟୀ ସଦସ୍ୟ ହେବା ସହିତ ପରମାଣୁ ଶକ୍ତି ରାଷ୍ଟ୍ରର ଏକ ସଦସ୍ୟ ରହିଛି। ଏବେ ୟୁରୋପୀୟ ସଂଘର ସାଧାରଣ ବଜେଟ କେବଳ ହ୍ରାସ ପାଇବନି ବରଂ ବୈଦେଶିକ ଏବଂ ନିରାପତ୍ତା ନୀତି ଉପରେ ମଧ୍ୟ ପ୍ରଭାବ ପଡିବ। ସମସ୍ତ ୟୁରୋପୀୟ ସଂଘ ପ୍ରତିଷ୍ଠାନରୁ ୟୁନିୟନ ଜ୍ୟାକକୁ କାଢି ଦିଆଯାଇଛି।
2020 ଡିସେମ୍ୱର ପର୍ଯ୍ୟନ୍ତ ବ୍ରେକଜିଟର ଟ୍ରାନଜିଟ ସମୟ ରହିବ। ଏହି ସମୟ ମଧ୍ୟରେ ବାଣିଜ୍ୟ ଏବଂ ବଜାର ସଂପର୍କୀୟ ସମସ୍ତ ବୁଝାମଣା ସଂପନ୍ନ ହେବ ଯାହାକୁ ଏତେ ସହଜ କଥା ନୁହେଁ। ବ୍ରିଟେନ ପୂର୍ବରୁ କହିସାରିଛି ଯେ ଏହା ୟୁରୋପୀୟ ସଂଘର ନିୟମ ମାନିବ ନାହିଁ କିମ୍ବା ବିବାଦ ସମାଧାନ ପାଇଁ ୟୁରୋପୀୟ କୋର୍ଟର ଆଦେଶକୁ ଗ୍ରହଣ କରିବ ନାହିଁ। 
ଏହି ପରିପ୍ରେକ୍ଷୀରେ ଭାରତ ଏବଂ ବ୍ରିଟେନ ମଧ୍ୟରେ ସଂପର୍କର ଅନ୍ୟ ଏକ ଦିଗ ଖୋଲିଯାଇଚି। ଭାରତ ସହିତ ବାଣିଜ୍ୟ ସଂପର୍କ ବୃଦ୍ଧି କରିବା ପାଇଁ ବ୍ରିଟେନ ଚାହୁଁଛି ଏବଂ ବାଣିଜ୍ୟ ଓ ଅର୍ଥନୈତିକ ବାଗିଦାରୀ ଉପରେ ବୁଝାମଣା କରିବାକୁ ଚାହୁଁଛି। ଲଣ୍ତନର ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ଲର୍ଡ କରନ ବିଲିମୋରିଆ କହିଛନ୍ତି ଯେ ବ୍ରେକଜିଟର ଲାଭ ଉଠାଇବାକୁ ଭାରତ କଂପାନି ଟିକସ କମ କରିବାକୁ ଆଗେଇ ଆସିବା ଦରକାର। ସେ କହିଛନ୍ତି ଜ୍ଞାନକୌଶଳ, ଅର୍ତନୈତିକ ସେବା ଏବଂ ସ୍ୱାସ୍ଥ୍ୟ ସେବା ଆଦି କ୍ଷେତ୍ରରେ ସକରାତ୍ମକ ଅଭିବୃଦ୍ଧିର ସମ୍ଭାବନା ରହିଛି ଯାହାକୁ ଭାରତ ଏବଂ ବ୍ରିଟେନ ନିଜର ଭାଗିଦାରୀତାକୁ ସୁଦୃଢ କରି କରିପାରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତ ସହିତ ନୂଆ ଭାଗିଦାରୀ ସଂପର୍କ ସ୍ଥାପନ କରିବାକୁ ପୂର୍ବରୁ ଇଙ୍ଗିତ କରିସାରିଛନ୍ତି।
ରାଜନୈତିକ ସ୍ତରରେ ବ୍ରିଟେନ ଗଣରାଜ୍ୟ ରାଷ୍ଟ୍ରସଂଘ ମାଧ୍ୟମରେ ଏହାର ସଂପର୍କକୁ ମଜବୁତ କରିବାକୁ ଚାହିଁବ ଯାହାକି ଭାରତ ପାଇଁ ଉପଯୋଗୀ ହେବ। ଏହାଛଡା ଭାରତ ସେବା କ୍ଷେତ୍ରରେ ଶ୍ରମିକ ସଂମ୍ୱନ୍ଧୀୟ ପ୍ରସଙ୍ଗ ଏବଂ ବାଣିଜ୍ୟ ଓ ବଜାର ସୁବିଧା ହାସଲ କରିବା ନିମନ୍ତେ ବ୍ରିଟେନ ସହିତ ଆଲୋଚନା କରିବା ଦରକାର। ମୋଟ ଉପରେ ବ୍ରେକଜିଟର ସୁବିଧା ଭାରତ ନେବା ଦରକାର ବ୍ରିଟେନ ସହିତ ଭାଗିଦାରୀ ସଂପର୍କକୁ ସୁଦୃଢ କରି।
ଆଲେଖ୍ୟ: ପ୍ରଫେସର ଉମ୍ମୁ ସଲମା ବାଭା
ଭାଷାନ୍ତର:  ରାମଚଂଦ୍ର ନାଥ

Comments