Skip to main content

ଗିଲଗିଟ-ବାଲ୍ଟିସ୍ତାନ ଉପରେ ପାକିସ୍ତାନ ସୁପ୍ରିମକୋର୍ଟର କୌଣସି ଅଧିକାର ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛି ଭାରତ      

ଗିଲଗିଟ-ବାଲ୍ଟିସ୍ତାନ ଏସେମ୍ବ୍ଲି ପାଇଁ ନିର୍ବାଚନ କରେଇବା ଲାଗି ଏକ କାମଚଳା ସରକାର ଲାଗି 2018 ଗିଲଗିଟ-ବାଲ୍ଟିସ୍ତାନ ଅର୍ଡରରେ ଆବଶ୍ୟକୀୟ ସଂଶୋଧନକୁ ଅନୁମତି ଦେବା ପାଇଁ କୋର୍ଟର ଦ୍ଵାରସ୍ଥ ହୋଇଥିବା ଦେଶର ସଙ୍ଘିୟ ସରକାରଙ୍କ ଦ୍ଵାରା ଆଗତ ଏକ ଆବେଦନର ଗତ ସପ୍ତାହରେ ପାକିସ୍ତାନର ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି | ସରକାରଙ୍କ ମାମଲାର ଶୁଣାଣୀ ପରେ ଏକ ସ୍ୱଳ୍ପ ଆଦେଶରେ ପ୍ରଧାନ ବିଚାରପତି ଗୁଲଜାର ଅହମଦଙ୍କ ଅଧ୍ଯକ୍ଷତାରେ ସାତଜଣିଆ ବିଚାରପତିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହା ଉପରେ ସମ୍ମତି ପ୍ରଦାନ କରିଛନ୍ତି |

ଉଲ୍ଲେଖଯୋଗ୍ୟ ଯେ ଜିବି ସୁପ୍ରିମ ଏପେଲେଟ କୋର୍ଟ ଦ୍ଵାରା ଅଗ୍ରାହ୍ୟ କରିଦିଆଯାଇଥିବା 2018 ଜିବି ଅର୍ଡରକୁ ପାକିସ୍ତାନ ସୁପ୍ରିମକୋର୍ଟ ଏହା ପୂର୍ବରୁ ଜାନୁଆରୀ 2019ରେ ଗିଲଗିଟ-ବାଲ୍ଟିସ୍ତାନ ଉପରେ ନିଜର କ୍ଷମତା ସମ୍ପ୍ରସାରିତ କରି ଏହି ଅର୍ଡରକୁ କାଏମ ରଖିଥିଲେ | ସେହିପରି 2018ର ଅର୍ଡରକୁ ଦୃଷ୍ଟିରେ ରଖି ସରତାଜ କମିଟି ସୁପାରିଶ ଆଧାରରେ ଏକ ସଂଶୋଧିତ ଚିଠା ଅର୍ଡର ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ, ସରକାରଙ୍କୁ ପରାମର୍ଶ ଦେଇଥିଲେ | ପୂର୍ବ ପାକିସ୍ତାନ ମୁସଲିମ ଲିଗ ନଵାଜ ସରକାରଙ୍କ ଦ୍ଵାରା ସ୍ଥାପିତ ଏହି କମିଟି ସ୍ଥାନୀୟ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଆଇନଗତ ପଦକ୍ଷେପ ନେବାକୁ ସୁପାରିଶ କରିଥିଲା |

ଭାରତର ବୈଦେଶିକ ମନ୍ତ୍ରଣାଳୟ ତଥାକଥିତ “ଗିଲଗିଟ-ବାଲ୍ଟିସ୍ତାନ” ଅର୍ଡର ବିରୁଦ୍ଧରେ ପାକିସ୍ତାନର ଜଣେ ବରିଷ୍ଠ କୂଟନୈତିକଙ୍କ ନିକଟରେ ବିରୋଧ ପ୍ରକଟ କରିଛି ଏବଂ ସ୍ପଷ୍ଟ ଭାବେ କହିଛି ଯେ ଜାମ୍ମୁ କାଶ୍ମୀର ଓ ଲଦାଖର ସମଗ୍ର କେନ୍ଦ୍ର ଶାସିତ ଅଞ୍ଚଳ ସମେତ ଗିଲଗିଟ ଓ ବାଲ୍ଟିସ୍ତାନର ଅଞ୍ଚଳ ଗୁଡିକ ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଉପରେ ଭାରତର ସଂପୂର୍ଣ୍ଣ ଆଇନଗତ ଅଧିକାର ରହିଛି | ପାକିସ୍ତାନ ସରକାର ବା ଏହାର ନ୍ୟାୟପାଳିକାର ଏହା ଦ୍ଵାରା ଅବୈଧ ଭାବେ ଜବରଦଖଲ କରାଯାଇଥିବା ଅଞ୍ଚଳ ଗୁଡିକ ଉପରେ ରାୟ ଦେବାର କୌଣସି ଅଧିକାର ନାହିଁ | ଭାରତ, ଏଭଳି କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ରୂପେ ଖଣ୍ଡନ କରିଛି ଏବଂ ଜାମ୍ମୁ ଓ କାଶ୍ମୀରର ଭାରତୀୟ ଭୂଖଣ୍ଡର ପାକିସ୍ତାନ ଅଧିକୃତ ଅଞ୍ଚଳରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା ଜାରି ରଖିଛି |

ଗତ ବର୍ଷ ମଧ୍ୟ ଭାରତ ତତ୍କାଳୀନ ଉପ ଉଚ୍ଚ କମିଶନରଙ୍କୁ ଡକାଇ ତଥାକଥିତ “ଗିଲଗିଟ-ବାଲ୍ଟିସ୍ତାନ”କୁ ନେଇ ପାକିସ୍ତାନ ସୁପ୍ରିମକୋର୍ଟଙ୍କ (7 ଜାନୁଆରୀ 2019) ର ଆଦେଶ ବିରୁଦ୍ଧରେ ତୀବ୍ର ବିରୋଧ ପ୍ରକଟ କରି ଏହା ଭାରତର ଆଭ୍ଯନ୍ତରୀଣ ମାମଲା ବୋଲି ସ୍ପଷ୍ଟ କରିଥିଲା | 2015 ଜୁନ 8 ତାରିଖରେ ଗିଲଗିଟ-ବାଲ୍ଟିସ୍ତାନ (ଜିବି)ରେ ନିର୍ବାଚନ ହେବା ପୂର୍ବରୁ ମଧ୍ୟ ଏପରି ଆପତ୍ତି ପ୍ରକଟ କରାଯାଇଥିଲା | ସେତେବେଳେ ପାକିସ୍ତାନ ଏହି ଅଞ୍ଚଳ ଗୁଡିକୁ ଜବରଦଖଲ ଲାଗି ପ୍ରୟାସ ଚଳେଇଥିବା ବେଳେ ଅଞ୍ଚଳର ଲୋକଙ୍କ ରାଜନୈତିକ ଅଧିକାରକୁ ମଧ୍ୟ ଅଣଦେଖା କରୁଥିବାରୁ ଏଥିପ୍ରତି ଉଦବେଗ ପ୍ରକଟ କରାଯାଇଥିଲା |

ପାକିସ୍ତାନ ଦ୍ଵାରା ଅବୈଧ ଭାବେ ଅଧିକୃତ ଅଞ୍ଚଳ ଗୁଡିକୁ ଖାଲି କରାଯିବା ଆବଶ୍ୟକ ବୋଲି ଭାରତ ଲଗାତାର ଦାବି କରିଆସିଛି |ପ୍ରଶାସନିକ, ରାଜନୈତିକ ଓ ନ୍ୟାୟିକ ପଦକ୍ଷେପ ଜରିଆରେ ଜାମ୍ମୁକାଶ୍ମୀର ଅଧିକୃତ ଅଞ୍ଚଳ ହାତେଇବା ଲାଗି ପାକିସ୍ତାନର ନୀତି ପ୍ରତି ଭାରତ ତୀବ୍ର ଭର୍ସନା କରିଛି | ତେବେ ପାକିସ୍ତାନ ଭାରତର ପ୍ରତିକ୍ରିୟାକୁ ଅଣଦେଖା କରି ଏହାର ଯୋଜନା ସହ ଅଧିକୃତ ଅଞ୍ଚଳରେ ଅବୈଧ କାର୍ଯ୍ୟକଳାପ ଜାରି ରଖିଛି |

ସମ୍ବିଧାନର ଧାରା 370ର ଉଚ୍ଛେଦ ଓ ଜାମ୍ମୁ ଓ କାଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ମାନ୍ୟତା ଦେବା ନେଇ ଭାରତର ନିଷ୍ପତ୍ତି ପ୍ରତି ମଧ୍ୟ ପାକିସ୍ତାନ ତୀବ୍ର ବିରୋଧ ପ୍ରକଟ କରିଥିଲା | ପାକିସ୍ତାନ, ନିୟନ୍ତ୍ରଣ ସୀମା ରେଖା ଠାରେ ଅସ୍ତ୍ର ବିରତି ଲଙ୍ଘନ କରି କାଶ୍ମୀରକୁ ଅନୁପ୍ରବେଶ ବୃଦ୍ଧି କରି ସାମରିକ କାର୍ଯ୍ୟକଳାପ ତ୍ୱରାନ୍ୱିତ କରିବା ସହ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିଛି ଏବଂ କାଶ୍ମୀର ପ୍ରସଙ୍ଗ ଉପରେ ଆନ୍ତର୍ଜାତୀୟ ସମୂହର ଦ୍ରୁଷ୍ଟି ଆକର୍ଷଣ କରିବାରେ ପ୍ରୟାସ ଚଳେଇଛି |

ପାକିସ୍ତାନ, “ତଥାକଥିତ “ ଆଜାଦ ଜାମ୍ମୁ ଓ କାଶ୍ମୀର (ଏଜେକେ)” ଓ ଜିବି ଅଧିକୃତ ଅଞ୍ଚଳରେ ସମୟାନୁଯାୟୀ ରାଜନୈତିକ ସ୍ତରରେ ଆଭିମୁଖ୍ଯ ଗ୍ରହଣ କରୁଛି | ପାକିସ୍ତାନୀ ନିୟନ୍ତ୍ରଣ ବୃଦ୍ଧି କରିବା ଲାଗି ଏଜେକେର “ମଧ୍ୟବର୍ତ୍ତୀ” ସମ୍ବିଧାନରେ ସଂଶୋଧନ ଅଣାଯାଇଛି | ସେହିପରି ଜିବିକୁ ନିଜ ଆୟତ୍ତରେ ରଖିବା ଲାଗି ମଧ୍ୟ ପ୍ରୟାସ କରାଯାଉଛି|

ପାକିସ୍ତାନ ସବୁ ବେଳେ ସେମାନଙ୍କୁ ଅଣଦେଖା କରୁଛି ବୋଲି ଗିଲଗିଟ- ବାଲ୍ଟିସ୍ତାନ ଦାବି କରିଆସୁଛି | ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀର ରେ ରହୁଥିବା ଭାଇଭଉଣି ମାନଙ୍କ ପରି ସେମାନଙ୍କୁ ମଧ୍ୟ ଶିକ୍ଷା, ଚାକିରି, ସ୍ୱାସ୍ଥ୍ୟ ସେବା ଏବଂ ଉନ୍ନତ ଜୀବନ ଯାପନର ଆବଶ୍ୟକତା ରହିଛି | ଭାରତ ସଦା ସର୍ବଦା ସଜାଗ ରହିବା ଉଚିତ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ଲାଗି ଉପଯୁକ୍ତ ଉପାୟ ପ୍ରସ୍ତୁତ କରିବା ନିହାତି ଜରୁରୀ |

ମୂଳ ଲେଖା : ଅଶୋକ ବେହୁରିଆ

Comments