ପାକିସ୍ତାନର ନେତୃତ୍ଵ ସହ ଆଫଗାନ ଶାନ୍ତି ପ୍ରକ୍ରିୟା ନେଇ ଆଲୋଚନା କରିବା ଲାଗି ଦୋହାରେ ଥିବା ଆଫଗାନିସ୍ତାନ ତାଲିବାନର ରାଜନୈତିକ କାର୍ଯ୍ୟଳୟର ମୁଖ୍ୟ ମଲ୍ଲିକା ଅବଦୁଲ ଘାନି ବାରାଦରଙ୍କୁ ନେଇ ଗଠିତ ଏକ ଉଚ୍ଚ ସ୍ତରୀୟ ପ୍ରତିନିଧି ଦଳ ଚଳିତ ସପ୍ତାହରେ ପାକିସ୍ତାନରେ ପହଞ୍ଚିଛନ୍ତି | ଗତ 10 ମାସ ମଧ୍ୟରେ ପାକିସ୍ତାନକୁ ମୁଲଲା ବାରଦରଙ୍କ ଏହା ଦ୍ଵିତୀୟ ଗସ୍ତ ଥିଲା | ଆଫଗାନିସ୍ତାନରେ ଆମେରିକା ନେତୃତ୍ଵାଧୀନ ବାହିନୀ ବିରୁଦ୍ଧରେ ସନ୍ତ୍ରାସବାଦୀ ଗୋଷ୍ଠୀର ଆକ୍ରମଣ ଜାରି ରହିଥିବା କଥା ଦର୍ଶାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ତାଲିବାନ ସହ ଶାନ୍ତି କଥାବାର୍ତ୍ତା ହଠାତ ବନ୍ଦ କରିଦେବା ପରେ ପରେ ଅକ୍ଟୋବର 2019ରେ ବରାଦର ଇସଲାମାବାଦ ଗସ୍ତ କରିଥିଲେ | ଇସଲାମାବାଦରେ ଅନୁଷ୍ଠିତ କଥାବାର୍ତ୍ତାରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ର ମୁଖ୍ୟ ଲେଫ୍ଟେନେଣ୍ଟ ଜେନେରାଲ ଫାଏଜ ହେମିଦ ମଧ୍ୟ ଯୋଗ ଦେଇଥିଲେ | 1980 ମସିହାରେ ପୂର୍ବତନ ସୋଭିଏତ ସଂଘ, ଆଫଗାନିସ୍ତାନରେ ଦଖଲ କରିବା ପରଠାରୁ ପାକିସ୍ତାନର ଗୁପ୍ତଚର ସଂସ୍ଥା ଏହାର ଉପଦେଷ୍ଟା ତଥା ଆଫଗାନିସ୍ତାନ ସଶସ୍ତ୍ର ଗୋଷ୍ଠୀ ବିଶେଷ କରି ତାଲିବାନ ସହ ନିବିଡ ସମ୍ପର୍କ ପାଇଁ ସର୍ବବିଦିତ | ପାକିସ୍ତାନ ଗୁପ୍ତଚର ସଂସ୍ଥା ଏହାର ତାଲିବାନ ଉପରେ ପ୍ରଭାବ ବଳରେ ସେମାନଙ୍କୁ କଥାବାର୍ତ୍ତା କରିବାକୁ ରାଜି କରାଇଥିଲା ଏବଂ ପରିଶେଷରେ ଆମେରିକା ସହ ଫେବୃଆରିରେ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା |
ଆନ୍ତଃ-ଆଫଗାନ କଥାବାର୍ତ୍ତା ପୂର୍ବରୁ ହିଁ .ଆଶରଫ ଘାନି ସରକାରକୁ ବୈଧ ନୁହେଁ ବୋଲି ତାଲିବାନ କହିଥିଲା | ତାଲିବାନ ଆହୁରି ମଧ୍ୟ କହିଥିଲା ଆଫଗାନିସ୍ତାନ ସରକାର ହେଉଛି ଏକ ‘ପାଶ୍ଚାତ୍ୟ ଅନୁକରଣୀୟ ଢାଞ୍ଚା’ ଓ ଏହା ତାଙ୍କ ଦେଶରେ ଆମେରିକୀୟ ଉପସ୍ଥିତି ଜାରି ରଖିବା ପାଇଁ କାର୍ଯ୍ୟ କରୁଛି |
ସବୁଠୁ ଉଲ୍ଲେଖନୀୟ କଥା ହେଲା ଯେ ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ ତଥା ଆର୍ଥିକ ସହାୟତା କରୁଥିବା ଇସଲାମାବାଦ 88 ଜଣ ବ୍ୟକ୍ତି ବିଶେଷ ତଥା ଗୋଷ୍ଠୀର ତାଲିକାରେ ଆଫଗାନିସ୍ତାନର ଏହି ଆତଙ୍କବାଦୀ ଗୋଷ୍ଠୀକୁ ମଧ୍ୟ ସାମିଲ କରିଥିଲା ଏବଂ ଏହା ପରେ ପରେ ହିଁ ତାଲିବାନ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା ହୋଇଥିଲା | ଏହା ଏକ ନିରାଟ ସତ୍ୟ କଥା ଯେ ତାଲିବାନକୁ ପାକିସ୍ତାନ ନିଜ ନିୟନ୍ତ୍ରଣରେ ରଖି କାର୍ଯ୍ୟ ଚଳେଇଛି | ତେବେ ଏହା ଦେଖିବା କୌତୁହଳପ୍ରଦ ହେବ ଯେ ନିଜେ ଅବୈଧ ଘୋଷଣା କରିଥିବା ତାଲିବାନ ସହ ପାକିସ୍ତାନ କିପରି ସମ୍ପର୍କ ରଖୁଛି |
ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ଦୃଢ ଐତିହାସିକ ଓ ସାଂସ୍କୃତିକ ସମ୍ପର୍କ ରହିଛି | ଆଫଗାନିସ୍ତାନର ପୁନଃନିର୍ମାଣ ଓ ପୁନର୍ଥଇଥାନରେ ଭାରତ ଏକ ପ୍ରମୁଖ ଭୂମିକା ନିଭାଇଛି | ଆଫଗାନିସ୍ତାନକୁ ଆଞ୍ଚଳିକ ସ୍ଥିରତାର ଏକ ଉତ୍ସ ଭାବେ ପରିଣତ କରିବା ଲାଗି ଗଣତନ୍ତ୍ର ଓ ବିକାଶ ହେଉଛି ପ୍ରମୁଖ ଆୟୁଧ ବୋଲି ନୂଆଦିଲ୍ଲୀ ବିଶ୍ଵାସ କରେ | 2011 ଅକ୍ଟୋବରରେ ଆଫଗାନିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ହାମିଦ କାରଜାଇଙ୍କ ଭାରତ ଗସ୍ତ ସମୟରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ରଣନୀତିକ ଭାଗୀଦାରୀତା ଚୁକ୍ତିରେ ଏହା ସ୍ପଷ୍ଟ ପ୍ରତିଫଳିତ ହୋଇଛି | ଏହା ଦୁଇ ଦେଶ ମଧ୍ୟରେ ଏକ ବଳିଷ୍ଠ, ପ୍ରାଣବନ୍ତ ତଥା ବହୁମୂଖୀ ସମ୍ପର୍କକୁ ଆହୁରି ମଜବୁତ କରିଥିଲା ଏବଂ ଏଥି ସହିତ ରାଜନୈତିକ ଓ ସୁରକ୍ଷା ସହଯୋଗ; ବାଣିଜ୍ୟ ଅର୍ଥନୈତିକ ସହଯୋଗ; ଦକ୍ଷତା ବିକାଶ ଓ ଶିକ୍ଷା; ତଥା ସାମାଜିକ, ସାଂସ୍କୃତିକ, ସଭ୍ୟ ସମାଜ ଓ ଜନ ସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଆନୁଷ୍ଠାନିକ ଭାବେ ଏକ ଢାଞ୍ଚା ପ୍ରସ୍ତୁତ କରାଯାଇଥିଲା | ଏହି ରାଜିନାମା, ସୁରକ୍ଷା ଓ ଶାସନ ବ୍ୟବସ୍ଥାର ଘଡିସନ୍ଧି ମୁହୂର୍ତ୍ତରେ ଆଫଗାନିସ୍ତାନରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପ୍ରତି ଆମ ପ୍ରତିବଦ୍ଧତା ର ଏକ ଦୃଢ ସଂକେତ ଅଟେ |
ଭାରତ 2003 ମସିହା ପରଠୁ ଆଫଗାନିସ୍ତାନର ପୁନଃନିର୍ମାଣ କାର୍ଯ୍ୟରେ ଜଡିତ ଅଛି | ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ସଡକ, ବିଦ୍ୟାଳୟ, ହସ୍ପିଟାଲ ଆଦି ଭିତ୍ତିଭୂମି ନିର୍ମାଣରେ 2 ବିଲିଅନ ଆମେରିକୀୟ ଡଲାର ରୁ ଅଧିକ ଅର୍ଥ ବିନିଯୋଗ କରିସାରିଛି | ଭାରତ ମଧ୍ୟ ଆଫଗାନିସ୍ତାନରେ ସବୁଠୁ ବଡ ଡ୍ୟାମ, ହରି ନଦୀ ଉପରେ ‘ଭାରତ ଆଫଗାନିସ୍ତାନ ବନ୍ଧୁତ୍ଵ ଡ୍ୟାମ’ ସଲମା ଡ୍ୟାମ ନିର୍ମାଣ କରିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଆଶରଫ ଘନୀ ମିଳିତ ଭାବେ ଏହାକୁ ଉଦଘାଟନ କରିଥିଲେ | ଏହି ଡ୍ୟାମର ଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର 42 ମେଗାୱାଟ ଶକ୍ତି ଉତ୍ପାଦନ କରିଥିବା ସହିତ 75,000 ହେକ୍ଟର ଚାଷ ଜମି ପାଇଁ ଜଳସେଚନ ଯୋଗାଉଛି | ଭାରତ ମଧ୍ୟ ଆଫଗାନିସ୍ତାନ ଲୋକଙ୍କ ଶିକ୍ଷାଗତ ଓ ଦକ୍ଷତା ବିକାଶ କାର୍ଯ୍ୟରେ ମଧ୍ୟ ସଂଶ୍ଳିଷ୍ଟ ଅଛି |
ଭାରତ, ଆଫଗାନିସ୍ତାନ ଘଟଣାକ୍ରମ ଉପରେ ତୀକ୍ଷଣ ନଜର ରଖିଛି | ତରବାରିଆ ଭାବେ କୌଣସି ପ୍ରକାରର ଚୁକ୍ତିନାମା ଉପରେ ସନ୍ଦେହ ଥିବା ସତ୍ତ୍ୱେ, ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିବା ଚୁକ୍ତିକୁ ଭାରତ ସ୍ଵାଗତ ଜଣାଇଥିଲା | ନୂଆଦିଲ୍ଲୀ ଘାନି ସରକାରଙ୍କୁ ସମର୍ଥନ କରିଛି ଏବଂ ଆଫଗାନିସ୍ଥାନରେ ଗଣତାନ୍ତ୍ରିକ ରାଜନୈତିକ ଢାଞ୍ଚାକୁ ତାଲିବାନ ମାନ୍ୟତା ଦେଉ ବୋଲି ଚାହେଁ | ବର୍ତ୍ତମାନ ଉଭା ହୋଇଥିବା ସଙ୍କଟଜନକ ମହାମାରୀ କାଳରେ ଭାରତ, ଆଫାଗାନିସ୍ତାନର ସାଧାରଣ ନାଗରିକଙ୍କୁ ସହାୟତା କରିବାର ଏହାର ନୀତି ଅନୁକରଣ କରି ଆଫଗାନିସ୍ତାନକୁ ରୀତିମତ ଚିକିତ୍ସା ସାମଗ୍ରୀ ଓ ଖାଦ୍ୟ ଯୋଗାଇ ଆସୁଛି |
ସମଗ୍ର ବିଶ୍ଵ କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ଚଳେଇଥିବା ବେଳେ ଆଫଗାନିସ୍ତାନ ଉଭୟ ମହାମାରୀ ଏବଂ ଅସ୍ଥିର ଶାନ୍ତି ପ୍ରକ୍ରିୟା ବିରୁଦ୍ଧରେ ମୁକାବିଲା କରୁଛି | ବହୁ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ଘଟାଇବା ଲାଗି ଶାନ୍ତି ପ୍ରୟାସ ଏକ ସର୍ବୋତ୍ତମ ପନ୍ଥା ବୋଲି ଅଧିକାଂଶ ଆଫଗାନବାସୀ ବିଶ୍ଵାସ କରୁଥିବା ବେଳେ ଆମେରିକା ବାହିନୀର ପ୍ରତ୍ୟାହାର ପରେ ଆତଙ୍କବାଦୀ ଗୋଷ୍ଠୀ ପୁନଃସ୍ଥାପନା ପାଇଁ କେତେ ପ୍ରତିବଦ୍ଧତା ପ୍ରକଟ କରିବ ତାହା ଦେଖିବାକୁ ବାକି ଅଛି |
ମୂଳ ଲେଖା : ଡଃ ସ୍ମିତା , ଆଫଗାନିସ୍ତାନ- ପାକିସ୍ତାନ ବ୍ୟାପାରୀୟ ରଣନୀତିକ ବିଶ୍ଳେଷକ
Comments
Post a Comment