Skip to main content

2020 ଆଫଗାନିସ୍ତାନ ସମ୍ମିଳନୀରେ ଭାରତ ଏହାର ବିକାଶ ସହାୟତା ନେଇ ଅବଗତ କରାଇଛି   

ଜେନେଭାରେ ଚଳିତ ସପ୍ତାହରେ ଭର୍ଚୁଆଲ ଭାବରେ "2020 ଆଫଗାନିସ୍ତାନ ସମ୍ମିଳନୀ" ର ଆୟୋଜନ କରାଯାଇଥିଲା | ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ ଏସ ଜୟଶଙ୍କର ଏହି ସମ୍ମିଳନୀରେ ଭାରତର ପ୍ରତିନିଧିତ୍ଵ କରିଥିଲେ | ମିଳିତ ଜାତିସଂଘ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଆଫଗାନିସ୍ତାନ ଏବଂ ଫିନଲ୍ୟାଣ୍ଡ ସରକାର ମିଳିତ ଭାବରେ ଏହି ସମ୍ମିଳନୀର ଆୟୋଜନ କରିଥିଲେ । 2015-2024 ର ପରିବର୍ତ୍ତନଶୀଳ ଦଶନ୍ଧିର ଦ୍ୱିତୀୟାର୍ଦ୍ଧରେ ଆଫଗାନିସ୍ତାନ ପ୍ରତି ଆନ୍ତର୍ଜାତୀୟ ସମ୍ପ୍ରଦାୟର ପ୍ରତିବଦ୍ଧତାକୁ ଜାହିର କରିବା ଥିଲା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ | ​

ଆଫଗାନିସ୍ତାନରେ ‘ଶତୂତ’ ବନ୍ଧ ନିର୍ମାଣ କରିବା ପାଇଁ ଭାରତ ଆଫଗାନିସ୍ତାନ ସହ ସମ୍ପ୍ରତ୍ତି ଏକ ଚୁକ୍ତି କରିଥିବା ନେଇ ଭାରତର ବୈଦେଶିକ ମନ୍ତ୍ରୀ ଘୋଷଣା କରିଛନ୍ତି, ଯଦ୍ୱାରା କାବୁଲ ସହରର 2 ନିୟୁତ ବାସିନ୍ଦାଙ୍କୁ ସ୍ବଚ୍ଛ ଓ ସୁରକ୍ଷିତ ପାନୀୟ ଜଳ ପ୍ରଦାନ କରାଯାଇପାରିବ | ଏହା ପୂର୍ବରୁ ଭାରତ 202 କିଲୋମିଟର ଫୁଲ-ଇ-ଖୁମ୍ରି ଟ୍ରାନ୍ସମିସନ ଲାଇନ ନିର୍ମାଣ କରିଥିଲା ​​ଯାହା କାବୁଲ ସହରକୁ ବିଦ୍ୟୁତ ଯୋଗାଇଥାଏ। ଡକ୍ଟର ଜୟଶଙ୍କର ମଧ୍ୟ ଆଫଗାନିସ୍ତାନରେ ଉଚ୍ଚ ପ୍ରଭାବଶାଳୀ ବିକାଶ ପ୍ରକଳ୍ପର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି, ଯେଉଁଥିରେ ଆଫଗାନିସ୍ତାନରେ ଭାରତ 80 ମିଲିୟନ ଆମେରିକୀୟ ଡଲାର ମୂଲ୍ୟର 100 ରୁ ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ କରିବ। ଏହାର ପଡୋଶୀ ରାଷ୍ଟ୍ର ତଥା ରଣନୀତିକ ଭାଗିଦାରୀ ଭାବରେ ଆଫଗାନିସ୍ତାନର ବିକାଶ ଓ ଏହାର ଲୋକଙ୍କ ହିତସାଧନ ପାଇଁ ଭାରତର ଦୀର୍ଘମିଆଦୀ ପ୍ରତିବଦ୍ଧତା ଉପରେ ମନ୍ତ୍ରୀ ମହୋଦୟ ଗୁରୁତ୍ୱାରୋପ କରିଥିଲେ ।

ଆଫଗାନିସ୍ତାନରେ ଭାରତର ବିକାଶମୂଳକ କାର୍ଯ୍ୟ ପାଇଁ ଆଜି ପର୍ଯ୍ୟନ୍ତ 3 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରାଯାଇସାରିଛି | ଆଫଗାନିସ୍ତାନର ସମସ୍ତ 34 ଟି ପ୍ରଦେଶରେ ଭାରତ ଦ୍ଵାରା କରାଯାଇଥିବା ଚାରିଶହରୁ ଅଧିକଟି ପ୍ରକଳ୍ପରେ ଆଫଗାନିସ୍ତାନର ପ୍ରାୟ ସବୁ ଭାଗକୁ ସାମିଲ କରାଯାଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଦର୍ଶାଇଛନ୍ତି |

ଶ୍ରୀ ଜୟଶଙ୍କର ଆଫଗାନିସ୍ତାନର ବିକାଶ ଭୌଗୋଳିକ ଦୃଷ୍ଟିରୁ ବାଧାପ୍ରାପ୍ତ ହେଉଛି ବୋଲି ବର୍ଣ୍ଣନା କରି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଏକ ଉତ୍ସର୍ଗୀକୃତ ବିମାନ ମାଲ ପରିବହନ କରିଡର ଓ ଚବାହାର ବନ୍ଦର ଜରିଆରେ ଏକ ବିକଳ୍ପ ଯୋଗାଯୋଗ ବ୍ୟବସ୍ଥା ପ୍ରଦାନ କରିବା ଦିଗରେ ଭାରତର ପ୍ରୟାସ ବିଷୟରେ ଅବଗତ କରାଇଥିଲେ | ଆଫଗାନିସ୍ତାନର ଖାଦ୍ୟ ନିରାପତ୍ତାକୁ ସୁଦୃଢ କରିବା ପାଇଁ କୋଭିଡ -19 ମହାମାରୀ ସମୟରେ 75,000 ଟନ୍ ଗହମର ଭାରତର ମାନବିକ ସହାୟତା ଚାବାହାର ବନ୍ଦର ଦେଇ ପରିବହନ କରାଯାଇଛି।

ଆଫଗାନିସ୍ତାନରେ ଶାନ୍ତି ଏବଂ ବିକାଶ ପ୍ରତିଷ୍ଠା ଲାଗି ଭାରତ ବିପୁଳ ପରିମାଣର ବିନିଯୋଗ କରିଛି ଏବଂ ଗତ ଦୁଇ ଦଶନ୍ଧିର ଲାଭ ନିଶ୍ଚିତ ଭାବରେ ସଂରକ୍ଷିତ ରହିବ ଏବଂ ସଂଖ୍ୟାଲଘୁ, ମହିଳା ଏବଂ ଅସୁରକ୍ଷିତ ବର୍ଗ ଲୋକଙ୍କ ସ୍ୱାର୍ଥ ସାଧନ ନିଶ୍ଚିତ ହେବା ଆବଶ୍ୟକ । ଆଫଗାନିସ୍ତାନରେ ବୃଦ୍ଧି ପାଉଥିବା ହିଂସାକୁ ନେଇ ବୈଦେଶିକ ମନ୍ତ୍ରୀ ଉଦବେଗ ପ୍ରକାଶ କରିବା ସହ ଏକ ତୁରନ୍ତ ଏବଂ ବ୍ୟାପକ ଅସ୍ତ୍ରବିରତି ପାଇଁ ଭାରତର ଆହ୍ଵାନକୁ ଦୋହରାଇଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ ଭାରତ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସାର୍ବଭୌମ୍ୟ, ଗଣତାନ୍ତ୍ରିକ ତଥା ମିଳିତ ଆଫଗାନିସ୍ତାନ ଦିଗରେ କାର୍ଯ୍ୟ କରିବାକୁ ବିଶ୍ଵ ସମୁଦାୟ ତଥା ଆଫଗାନିସ୍ତାନ ର ଲୋକଙ୍କ ସହ ତାଳ ମିଳାଇ ଆଗେଇବାକୁ ଚାହେଁ । ପଡୋଶୀ ଦେଶ ଭାବରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ଦୃଢ ଐତିହାସିକ ସମ୍ପର୍କ ରହିଛି | ଭାରତର ରଣନୀତିକ ସହଭାଗୀତା ଏବଂ ଆଫଗାନିସ୍ତାନର ବିକାଶ ପାଇଁ ଦୀର୍ଘମିଆଦୀ ପ୍ରତିବଦ୍ଧତା ଏହି ଭାଗିଦାରୀତାରେ ସ୍ପଷ୍ଟ ପ୍ରତିଫଳିତ ହୋଇଥାଏ|

ଆଫଗାନିସ୍ତାନ ପାଇଁ 3 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ପରିମାଣର ଭାରତର ବିକାଶମୂଳକ କାର୍ଯ୍ୟରେ ଆଫଗାନିସ୍ତାନ ନାଗରିକଙ୍କ ସାମର୍ଥ୍ୟତା ତଥା ଦକ୍ଷତା ଏବଂ ଏହାର ଅନୁଷ୍ଠାନ ଗୁଡିକର ପ୍ରଶାସନ ତଥା ସର୍ବସାଧାରଣ ସେବାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି । ଆଫଗାନିସ୍ତାନର 34ଟି ପ୍ରଦେଶରେ ବ୍ୟାପୀ ଥିବା ଭାରତର 400 ରୁ ଅଧିକ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ସେଠାକାର ଲୋକମାନେ ବହୁ ମାତ୍ରାରେ ଉପକୃତ ହେଉଛନ୍ତି ଏବଂ ଆଫଗାନିସ୍ତାନର ସାଧାରଣ ଲୋକ ମାନେ ସୁଖ ସ୍ଵାଚ୍ଛନ୍ଦ୍ୟରେ ଜୀବନ ବିତାଉଛନ୍ତି |

ଭାରତର ଜାରିରହିଥିବା ବିକାଶମୂଳକ କାର୍ଯ୍ୟକ୍ରମ ଗୁଡିକ ବୃହତ ଭିତ୍ତିଭୂମି ପ୍ରକଳ୍ପ; ମାନବ ସମ୍ବଳ ବିକାଶ ଏବଂ ଦକ୍ଷତା ବିକାଶ; ମାନବିକ ସହାୟତା; ଉଚ୍ଚ ପ୍ରଭାବ ସମ୍ପ୍ରଦାୟର ବିକାଶ ପ୍ରକଳ୍ପଗୁଡିକ; ଏବଂ ଆକାଶ ପଥ ଏବଂ ସ୍ଥଳପଥ ସଂଯୋଗ ମାଧ୍ୟମରେ ବାଣିଜ୍ୟ ଏବଂ ବିନିଯୋଗକୁ ବୃଦ୍ଧି କରିବା ଆଦି ପାଞ୍ଚଟି ସ୍ତମ୍ଭ ଉପରେ କେନ୍ଦ୍ରିତ |

ଭାରତର ବୃହତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ଗୁଡ଼ିକରେ 218 କିଲୋମିଟର ନିର୍ମାଣ କାର୍ଯ୍ୟ ଅନ୍ତର୍ଭୁକ୍ତ | ଡେଲାରାମରୁ ଜାରଞ୍ଜ ପର୍ଯ୍ୟନ୍ତ ରାସ୍ତା (ଆଫଗାନିସ୍ତାନ-ଇରାନ ସୀମାରେ) ଯାହା ଆଫଗାନିସ୍ତାନ ପାଇଁ ଇରାନ ଦେଇ ଏକ ବିକଳ୍ପ ସଂଯୋଗ ଯୋଗାଇଛି | ଭାରତ-ଆଫଗାନିସ୍ତାନ ବନ୍ଧୁତ୍ୱ ବନ୍ଧ ଏବଂ 2015 ରେ ଉଦଘାଟିତ ଆଫଗାନିସ୍ତାନ ସଂସଦ ଭବନର ନିର୍ମାଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ | ଏହା ହେଉଛି ଆଫଗାନିସ୍ତାନ ଗଣତନ୍ତ୍ରର ସର୍ବୋତ୍ତମ ପ୍ରତୀକ |

ବିଭିନ୍ନ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଅଧୀନରେ 65,000 ରୁ ଅଧିକ ଆଫଗାନିସ୍ତାନ ଛାତ୍ର ଭାରତରେ ଅଧ୍ୟୟନ କରିଛନ୍ତି। ବର୍ତ୍ତମାନ ଭାରତରେ 15,000 ଛାତ୍ର ଅଧ୍ୟୟନ କରୁଛନ୍ତି। ଭାରତରେ ଉଚ୍ଚଶିକ୍ଷା ପାଇଁ ଆଫଗାନିସ୍ତାନର ଯୁବା ମହିଳାମାନଙ୍କୁ ଏପର୍ଯ୍ୟନ୍ତ 3000 ଛାତ୍ରବୃତ୍ତି ପ୍ରଦାନ କରାଯାଇସାରିଛି। ମୌଳିକ ଶିକ୍ଷା ବ୍ୟତୀତ ନୂଆଦିଲ୍ଲୀ ଆଫଗାନିସ୍ତାନରେ ବହୁ ସଂଖ୍ୟକ ମହିଳାଙ୍କୁ ଧନ୍ଦାମୂଳକ ତାଲିମ ପ୍ରଦାନ କରିଛି । ଆଫଗାନିସ୍ତାନକୁ ପୁନଃ ନିର୍ମାଣ କରିବାରେ ସହାୟତା କରିବା ନେଇ ଭାରତର ଦୀର୍ଘକାଳୀନ ପ୍ରତିବଦ୍ଧତା ସହିତ ଏହି ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଡଃ ଜୟଶଙ୍କର କହିଛନ୍ତି ଯେ ଆଫଗାନିସ୍ତାନର ବିକାଶ ଏହାର ଭୌଗୋଳିକ ସ୍ଥିତି ଯୋଗୁଁ ବାଧାପ୍ରାପ୍ତ ହୋଇଛି ଏବଂ ଏହାର ସମାଧାନ ହେବା ନିହାତି ଜରୁରୀ । ଚାବାହାର ବନ୍ଦର ମାଧ୍ୟମରେ ଭାରତ ଆଫଗାନିସ୍ତାନକୁ ଏକ ବିକଳ୍ପ ସଂଯୋଗ ଯୋଗାଇ ଦେଇଛି। ଆଫଗାନିସ୍ତାନରେ କୋଭିଡ -19 ମହାମାରୀର ମୁକାବିଲା ପାଇଁ ଭାରତ 20 ଟନରୁ ଅଧିକ ଜୀବନରକ୍ଷାକାରୀ ଔଷଧ ପତ୍ର ଏବଂ ଅନ୍ୟାନ୍ୟ ଉପକରଣ ପଠାଇଛି।

ଆଲେଖ୍ୟ : ପଦମ ସିଂ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ v

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...