Skip to main content

ଉନ୍ନତ ନିରୀକ୍ଷଣ କ୍ଷମତା ସକାଶେ ମହାକାଶରେ ଭାରତର ନବୀନତମ ପ୍ରଚେଷ୍ଟା

ପୃଥିବୀକୁ ପର୍ଯ୍ୟବେକ୍ଷଣ କରିବାକୁ ଉଦ୍ଦିଷ୍ଟ ଭାରତର ଆଧୁନିକ ଉପଗ୍ରହ RISAT-2B (ରାଡାର ଇମେଜିଙ୍ଗ ଉପଗ୍ରହ) ବୁଧବାରଦିନ ସକାଳେ ଉତକ୍ଷେପଣ କରାଯାଇଛି ଯାହା ଦେଶର ସୀମାବର୍ତ୍ତି ଅଞ୍ଚଳ ଗୁଡିକୁ ଦିନରାତି ସବୁପ୍ରକାର ପାଣିପାଗରେ ଫଳପ୍ରଦ ଭାବେ ତଦାରଖ କରିବାର ସାମର୍ଥ୍ୟ ରଖିଛି ଏବଂ ଯଦ୍ୱାରା ଏହା ଦେଶର ନିରୀକ୍ଷଣ ଦକ୍ଷତାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ | 615 କିଲୋଗ୍ରାମ ଓଜନ ବିଶିଷ୍ଟ RISAT-2B ଉପଗ୍ରହର ମିଶନ ସମୟ 5 ବର୍ଷ ରହିଥିବା ଆକଳନ କରାଯାଇଛି |

ଏହି ଉପଗ୍ରହ ସମସ୍ତ ପ୍ରକାର ପାଣିପାଗ ଓ ପରିସ୍ଥିତିରେ ପୃଥିବୀ ପୃଷ୍ଠକୁ ପର୍ଯ୍ୟବେକ୍ଷଣ କରିପାରିବ | ସୀମାବର୍ତ୍ତୀ ଅଞ୍ଚଳ ଗୁଡିକର ନିରୀକ୍ଷଣ, ଉଗ୍ରବାଦୀ ମାନଙ୍କ ଅନୁପ୍ରବେଶକୁ ରୋକିବା ଏବଂ ସନ୍ତ୍ରାସବାଦୀ-ବିରୋଧୀ କାର୍ଯ୍ୟକଳାପ ଗୁଡିକରେ ଏହି ଉପଗ୍ରହକୁ ବ୍ୟବହାର କରାଯିବ | ପାରମ୍ପରିକ ରିମୋଟ-ସେନସିଙ୍ଗ ଉପଗ୍ରହ ଗୁଡିକ ଭୁପୃଷ୍ଠର ଛବି ଦିନବେଳା କିମ୍ବା ସମ୍ପୁର୍ଣ୍ଣ ଆଲୋକରେ ଉତ୍ତୋଳନ କରିଥାନ୍ତି ଏବଂ ରାତ୍ରି ସମୟରେ ଓ ମେଘୁଆ ପାଗରେ ଏହି ଉପଗ୍ରହ ଗୁଡିକ ଭୁପୃଷ୍ଠର ଛବି ଉତ୍ତୋଳନ କରିବାରେ ସଫଳ ହୋଇପାରି ନଥାନ୍ତି | ତେବେ RISAT-2B ଉପଗ୍ରହ ହେଉଛି ଏକ ରାଡାର ଇମେଜିଙ୍ଗ ଉପଗ୍ରହ, ଯାହାର ସିନ୍ଥେଟିକ ଆପାର୍ଚର ରାଡାର ନାମକ ଏକ ସକ୍ରିୟ ସେନ୍ସର ରହିଛି | ଏହି ସେନ୍ସର ଏହାର ରାଡାର ରଶ୍ମୀ ବ୍ୟବହାର କରି ମହାକାଶରୁ ଦିନରାତି ଏବଂ ମେଘୁଆ ପାଗରେ ମଧ୍ୟ ପୃଥିବୀକୁ ଏକ ସ୍ଵତନ୍ତ୍ର ଉପାୟରେ ପର୍ଯ୍ୟବେକ୍ଷଣ କରିଥାଏ | RISAT-2B ଉପଗ୍ରହର x-ବ୍ୟାଣ୍ଡ ଆପାର୍ଚର ରାଡାର ଭୁପୃଷ୍ଠରେ ବସ୍ତୁର ଆକାର, ଆକୃତି, ପରିବର୍ତ୍ତନ ଏବଂ ଗତିବିଧି ସଙ୍କ୍ରାନ୍ତିୟ ବିବରଣୀ ପ୍ରଦାନ କରିଥାଏ |

RISAT-2B ସମେତ ପୋଲାର ସାଟେଲାଇଟ ଲଞ୍ଚ ଭେଇକଲ (PSLV-C46) ଦୁଇଟି ଗୁରୁତ୍ତ୍ୱପୂର୍ଣ୍ଣ ଉପକରଣ ବହନ କରୁଛି | ସ୍ଵଦେଶୀ ଜ୍ଞାନକୌଶଳ ସମ୍ପନ୍ନ ବିକ୍ରମ ପ୍ରୋସେସର ଏବଂ ଏକ ଦିଗବାରେଣୀ ପ୍ରଣାଳୀ ସହ ଉପଗ୍ରହକୁ ମହାକାଶକୁ ପଠାଯାଇଥିବା ବିଷୟରେ ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ISRO) ଅଧ୍ୟକ୍ଷ ଡକ୍ଟର କେ ଶିବନ କହିଛନ୍ତି | ଭବିଷ୍ୟତର ପ୍ରକ୍ଷେପଣ ମିଶନ ଗୁଡିକୁ ଏହା ଉଲ୍ଲେଖନୀୟ ଭାବେ ସହାୟତା କରିବ ବୋଲି ସେ ଜଣାଇଛନ୍ତି | ଚଣ୍ଡୀଗଡର ସେମିକଣ୍ଡକ୍ଟର ପରିସରରେ ବିକଶିତ ବିକ୍ରମ ପ୍ରୋସେସର ଭବିଷ୍ୟତରେ ISRO ର ଉତକ୍ଷେପଣକାରୀ ଯାନ ଗୁଡିକୁ ନିୟନ୍ତ୍ରଣ କରିବ |

ISRO ଦ୍ଵାରା ପ୍ରେରିତ RISAT ସିରିଜର ଉପଗ୍ରହ ଗୁଡିକ ସବୁପ୍ରକାର ପାଣିପାଗରେ ପୃଥିବୀ ପୃଷ୍ଠକୁ ପର୍ଯ୍ୟବେକ୍ଷଣ କରିବାର କ୍ଷମତା ରଖିଥିବା ପ୍ରଥମ ଧରଣର ଉପଗ୍ରହ | ପୂର୍ବରୁ ପର୍ଯ୍ୟବେକ୍ଷଣ ପାଇଁ ଉଦ୍ଦିଷ୍ଟ ଭାରତୀୟ ଉପଗ୍ରହ ଗୁଡିକ ମୁଖ୍ୟତଃ ଅପ୍ଟିକାଲ ଏବଂ ସ୍ପେକ୍ତ୍ରାଲ ସେନ୍ସର ଗୁଡିକ ଉପରେ ନିର୍ଭର କରୁଥିଲା ଏବଂ ଅନ୍ଧାର ଓ ମେଘୁଆ ପାଗରେ ଏଥିରେ ବାଧା ଉପୁଜୁଥିଲା | ସବୁ ପ୍ରକାର ପାଣିପାଗରେ ଦୃଶ୍ୟମାନ ହୋଇପାରୁଥିବା ସମ୍ପନ୍ନ କ୍ଷମତା ଯୋଗୁଁ ନିରାପତ୍ତା ବାହିନୀ ଏବଂ ଦୁର୍ବିପାକ ରିଲିଫ ସଂସ୍ଥା ଗୁଡିକ ପାଇଁ ଏହି ଉପଗ୍ରହର ଉପଯୋଗୀତାକୁ ଏକ ସ୍ଵତନ୍ତ୍ର ଦକ୍ଷତା ଭାବେ ବିବେଚନା କରାଯାଉଛି | ମେଘୁଆପାଗ, ବର୍ଷା ଏବଂ ଅନ୍ଧାରରେ ଭୁପୃଷ୍ଠର ଚିତ୍ର ଓ ତଥ୍ୟ ଗୁଡିକ ଏହି ସଂସ୍ଥା ମାନଙ୍କର ଆବଶ୍ୟକ ହୋଇଥାଏ |

ଭାରତରେ ରାଡାର ଇମେଜିଙ୍ଗ, କୃଷିକାର୍ଯ୍ୟ ଜନିତ ଆକଳନ ତଥା ଫସଲ ଆକଳନରେ ମଧ୍ୟ ବ୍ୟବହୃତ ହୋଇଥାଏ କାରଣ ଆମର ପ୍ରମୁଖ ଶସ୍ୟ ଅମଳ “ଖରିଫ” ଋତୁର ସମୟ ହେଉଛି ମେ ରୁ ସେପ୍ଟେମ୍ବର ମାସ ମଧ୍ୟରେ ଯେତେବେଳେ ବର୍ଷା ହେଉଥାଏ ଏବଂ ଆକାଶ ସାଧାରଣତଃ ମେଘାଚ୍ଛନ୍ନ ରହିଥାଏ | RISAT ତଥ୍ୟ ଜଙ୍ଗଲ, ଜମି, ଭୂତତ୍ଵ ଏବଂ ବନ୍ୟା ଓ ବାତ୍ୟା ସମୟରେ ମଧ୍ୟ ବିସ୍ତୃତ ଭାବେ ବ୍ୟବହାର କରାଯାଇଥାଏ |

RISAT-2B ଉପଗ୍ରହ ହେଉଛି ଗତ ଦଶ ବର୍ଷରେ ତୃତୀୟ ଭାରତୀୟ ରାଡାର ଇମେଜିଙ୍ଗ ଉପଗ୍ରହ | 2008 ମସିହାରେ ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ RISAT ଉପଗ୍ରହ ପ୍ରକ୍ଷେପଣ ଯୋଜନାରେ ପରିବର୍ତ୍ତନ କରଯାଇଥିଲା | RISAT-1 ପୂର୍ବରୁ RISAT-2କୁ ମହାକାଶକୁ ପଠାଇବାକୁ ISRO ସ୍ଥିର କରିଥିଲା | RISAT-1 ରେ ବ୍ୟବହାର ହେବାକୁ ଥିବା ସି-ବ୍ୟାଣ୍ଡ ସିନ୍ଥେଟିକ ଆପାର୍ଚର ପ୍ରସ୍ତୁତ ନଥିବାରୁ RISAT-2କୁ ପ୍ରଥମେ ପଠାଯାଇଥିଲା | RISAT-2କୁ 2009 ମସିହାରେ ଉତକ୍ଷେପଣ କରାଯାଇଥିବାବେଳେ RISAT-1 କୁ 2012 ମସିହାରେ ଉତକ୍ଷେପଣ କରାଯାଇଥିଲା |

ମହାକାଶରୁ ପୃଥିବୀ ପୃଷ୍ଠ ଏବଂ ଭାରତୀୟ ଅଞ୍ଚଳର ପର୍ଯ୍ୟବେକ୍ଷଣକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ISRO ଆଗାମୀ ମାସ ଗୁଡିକରେ ଅନେକ ରାଡାର ଇମେଜିଙ୍ଗ ଉପଗ୍ରହ ବିକଶିତ କରିବା ଯୋଜନା କରିଛି | କେବଳ 2019 ମସିହାରେ ସେଥିମଧ୍ୟରୁ ଚାରି ରୁ ପାଞ୍ଚୋଟି ଉପଗ୍ରହକୁ ନିୟୋଜିତ କରିବାକୁ ମଧ୍ୟ ISRO ସ୍ଥିର କରିଛି |

ସମ୍ପ୍ରତି ଏହି ସଫଳ ପ୍ରକ୍ଷେପଣ ISROର ପ୍ରଧାନ କାର୍ଯ୍ୟକ୍ଷମ PSLV ରକେଟର ବିଶ୍ବାସନୀୟତାକୁ ପୁଣିଥରେ ଦୋହରାଇଛି | PSLV-C46 ହେଉଛି PSLVର ଚତୁର୍ଦ୍ଦଶ ରକେଟ | ଏ ପର୍ଯ୍ୟନ୍ତ ହୋଇଥିବା 48ଟି ଉତକ୍ଷେପଣ ମଧ୍ୟରୁ ଏହି ରକେଟ ମାତ୍ର ଦୁଇ ଥର ବିଫଳ ହୋଇଛି | 1993 ମସିହାରେ ଏହାର ଉତକ୍ଷେପଣରେ ବିଫଳ ହୋଇଥିଲା | 2017 ମସିହା ସେପ୍ଟେମ୍ବର ମାସରେ PSLV ସମ୍ପୁର୍ଣ୍ଣ ସଠିକ ଭାବେ ଏହାର କାର୍ଯ୍ୟ ସମ୍ପାଦନ କରିଥିଲା ତେବେ PSLV-C39 ସଫଳ ଭାବେ ପହଞ୍ଚିପାରିନଥିବାରୁ IRNSS-1H କକ୍ଷପଥରେ ସଫଳ ଭାବେ ସ୍ଥାପିତ ହୋଇପାରିନଥିଲା | 2008 ମସିହାରେ ଚନ୍ଦ୍ରକୁ ଭାରତର ପ୍ରଥମ ମିଶନ ଚନ୍ଦ୍ରଯାନ-1 ଏବଂ 2013 ମସିହାରେ ମଙ୍ଗଳ ଗ୍ରହକୁ ଭାରତର ପ୍ରଥମ ଆନ୍ତଉପଗ୍ରହ ମିଶନର ଉତକ୍ଷେପଣ ପାଇଁ ମଧ୍ୟ PSLV ବ୍ୟବହାର କରାଯାଇଛି |

ଚନ୍ଦ୍ରକୁ ଭାରତର ଦ୍ଵିତୀୟ ମିଶନ ଚନ୍ଦ୍ରଯାନ-2ର ପ୍ରକ୍ଷେପଣ ଜୁଲାଇ ମାସରେ କରାଯିବାକୁ ସ୍ଥିର ହୋଇଛି | ଚନ୍ଦ୍ରର ଦକ୍ଷିଣ ଭାଗ କକ୍ଷରେ ଅବତରଣ ଲକ୍ଷ୍ୟରେ ଏହି ମିଶନ ଏକ ଐତିହାସିକ ମିଶନ ହେବାକୁ ଯାଉଛି |

ମୂଳ ଲେଖା : ବିମାନ ବାସୁ , ବରିଷ୍ଠ ବିଜ୍ଞାନ ଭାଷ୍ୟକାର

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...