ଦୃଢ ନିଷ୍ପତ୍ତି ନେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେହି ସମକକ୍ଷ ନୁହନ୍ତି। ବୋଧହୁଏ ଏଇଥିପାଇଁ ସେ ଯଥାର୍ଥରେ କହିଛନ୍ତି ଯେତାଙ୍କ ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଯାତ୍ରା ଏକ ନୂଆ ଭାରତ, ଏକ ନୂଆ ଉଦ୍ଧିପନା ସହ ଗଠନ କରିବ । ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲରେ ପ୍ରଧାନମନ୍ତ୍ରୀ ଯେଉଁ ବିବୃତ୍ତି ଦେଇଛନ୍ତି ତାହା 2022 ସୁଦ୍ଧା ଭାରତର ପ୍ରତ୍ୟେକ ନାଗରିକମାନଙ୍କ ସ୍ବପ୍ନର ଭାରତ ଗଠନ ଦିଗରେ ସାମଞ୍ଜସ୍ୟ ପ୍ରତିପାଦନ କରୁଛି। ଏହି ସ୍ବପ୍ନ କେବଳ ଉଚ୍ଚମାନର ସ୍ବାସ୍ଥ୍ୟ ସେବା, ଶିକ୍ଷା, ଆବାସ ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଅନ୍ୟ ମୌଳିକ ଆବଶ୍ୟକତାର ପରିପୂରଣ ନୁହେଁ ବରଂ ବିଶ୍ବ ପଟ୍ଟଳରେ ଭାରତକୁ ଏକ ନୂଆ ଉଚ୍ଚତାରେ ପହଞ୍ଚାଇବା ମଧ୍ୟ ରହିଛି ।
ପ୍ରଧାନମନ୍ତ୍ରୀଙ୍କ ନୂଆ ସ୍ଲୋଗାନ- NARA (National Ambition+Regional Aspirations) ଅର୍ଥାତ ଜାତୀୟ ଲକ୍ଷ୍ୟ ଏବଂ ଆଞ୍ଚଳିକ ମନୋକାମନାର ପରିପୂରଣ। ବ୍ୟାପକ ଅର୍ଥରେ କୁହାଯାଇପାରେ ଯେ ନିକଟ ଭବିଷ୍ୟତରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା । ଭାରତକୁ ଅଭିନବ ଜ୍ଞାନ କୌଶଳ ଏବଂ ବିଜ୍ଞାନର ଏକ ପେଣ୍ଠସ୍ଥଳି ଭାବେ ବିକଶିତ କରିବା ପାଇଁ ରହିଥିବା ଲକ୍ଷ୍ୟର ଏହି ସ୍ଲୋଗାନ ଏକ ଅଂଶବିଶେଷ ମଧ୍ୟ । ବିଶ୍ବରେ ଭାରତକୁ ଏକ ଶକ୍ତିଶାଳି ରାଷ୍ଟ୍ରରେ ପରିଣତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ।
କିନ୍ତୁ ଏସବୁ ବାସ୍ତବତାର ରୂପ ନେବା ପୂର୍ବରୁ ଭାରତକୁ ଉଜ୍ବଳା, ଆୟୁଷ୍ମାନ ଭାରତ ପରି ଲୋକାଭିମୁଖି ଯୋଜନାଗୁଡିକୁ ଆହୁରି ଅଧିକ ପରିବ୍ୟାପ୍ତ କରିବାକୁ ପଡ଼ିବ। ଏସବୁ କଲ୍ୟାଣକାରୀ ଯୋଜନାଗୁଡ଼ିକ ସହିତ ଭାରତ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 5 ଟ୍ରିଲିୟନ ଡଲାର ଅର୍ଥନୀତି ଗୋଷ୍ଠିରେ ସାମିଲ ହେବା ସହିତ 2030 ମସିହା ସୁଦ୍ଧା ବିଶ୍ବର ତୃତୀୟ ବୃହତ୍ତ ଅର୍ଥନୀତି ଭାବେ ଦଣ୍ତାୟମାନ ହୋଇପାରିବ । ଏହାର ଅର୍ଥ ଭାରତର ଜିଡିପି ଉପଭୋଗ ଏବଂ ନିବେଶ ସହାୟତାରେ 10 ଟ୍ରିଲିୟନ ଡଲାରରେ ପହଞ୍ଚିବ । ଏହି ଇଛାଶକ୍ତି ହିଁ ଭାରତକୁ ବିଶ୍ବରେ ସର୍ବଶ୍ରେଷ୍ଠ ରାଷ୍ଟ୍ରମାନଙ୍କ ମଧ୍ୟରେ ପହଞ୍ଚାଇବ।
ଅର୍ଥନୀତି ଏବଂ ପୁଞ୍ଜିନିବେଶର ସଂପ୍ରସାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବପ୍ନର ନୂଆ ଭାରତ କ୍ଷେତ୍ରରେ ଗୋଟିଏ ଦିଗ ହୋଇଥିବାବେଳେ ଦେଶକୁ କୂଟନୈତିକ, ରାଜନୈତିକ ଏବଂ କୌଶଳଗତ ଭାବେ ସୁଦୃଢ କରିବା ଅନ୍ୟ ଏକ ଦିଗ ରହିଛି । ପ୍ରଧାନମନ୍ତ୍ରୀ ବାରମ୍ବାର କହିଆସୁଛନ୍ତି ଯେ ଆଗାମୀ ପାଞ୍ଚ ବର୍ଷ ଭାରତର ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ ଯେପରି 1942ରୁ 1947 ମଧ୍ୟରେ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ ଏହି ସମୟସୀମା ମଧ୍ୟରେ ଦେଶର ପ୍ରତ୍ୟେକ ବର୍ଗ, ଅଞ୍ଚଳ ଏବଂ ଜିଲ୍ଲାର ଲୋକ ଭାରତକୁ ଇଂରେଜ ଶାସନରୁ ମୁକ୍ତ କରିବା ପାଇଁ ଏକାଠି ହୋଇଥିଲେ । ଏହାର ଅର୍ଥ ଭାରତକୁ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ସେହିପରି ଇଛାଶକ୍ତି ଏବଂ ମନୋବଳର ଆବଶ୍ୟକତା ପ୍ରଦର୍ଶନ କରିବାକୁ ପଡ଼ିବ ।
ସେହିପରି ଭାରତକୁ ଜାତିସଂଘ ନିରାପତ୍ତା ପରିଷଦରେ ସଦସ୍ୟତା ପାଇଁ ବିଶ୍ବ ସ୍ତରରେ ରାଜନୈତିକ ଏବଂ କୂଟନୈତିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ। ଏହି ପରିପ୍ରେକ୍ଷିରେ ସାଂଘାହି ସହଯୋଗ ସଂଗଠନର ସଦସ୍ୟ ରାଷ୍ଟ୍ରମାନଙ୍କୁ ଜାତିସଂଘରେ ସଂଶୋଧନ ଆଣିବା ପାଇଁ ଭାରତ ପ୍ରବର୍ତ୍ତାଇବା ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି। ଅନେକ ବର୍ଷ ହେଲା ଭାରତ ଜାତିସଂଘ ନିରାପତ୍ତା ପରିଷଦରେ ସଂଶୋଧନ ଆଣିବାକୁ କହିଆସୁଛି କିନ୍ତୁ ଗୋଟିଏ ଦୁଇଟା ଦେଶ କୌଣସି ପ୍ରକାର ସଂଶୋଧନକୁ ବିରୋଧ କରୁଛନ୍ତି । କିନ୍ତୁ ଭାରତର ଅର୍ଥନୀତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ବ ନେତାମାନଙ୍କ ସହ ସଂପର୍କ ଯୋଗୁଁ ବିଗତ ଦିନରେ ଏହି କ୍ଷେତ୍ରରେ ଭାରତ ଅନେକାଂଶରେ ଆଗେଇଯାଇଛି ।
ବିଶ୍ବରେ ଏକ ଦାୟିତ୍ବଶୀଳ ରାଷ୍ଟ୍ର ଦୃଷ୍ଟିରୁ ଭାରତ ଜଳବାୟୁ ପ୍ରସଙ୍ଗ ସମେତ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜଳବାୟୁ ନ୍ୟାୟକୁ ସୁନିଶ୍ଚିତ କରିବା ପାଇଁ ଭାରତ ଆନ୍ତର୍ଜାତୀୟ ସୌର ମେଣ୍ଟର ମୁଖ୍ୟ ହେବାକୁ ସହମତ ହୋଇଛି ଯାହାର ଲକ୍ଷ୍ୟ ପାରମ୍ପରିକ ଇନ୍ଧନ ଉପରୁ ନିର୍ଭରଶୀଳତା କମ କରି ସୌର ଶକ୍ତିର ଅଧିକରୁ ଅଧିକ ଉପଯୋଗ କରିବା । ନୂଆ ଭାରତ ମଧ୍ୟ ଏହି ଆଭିମୁଖ୍ୟକୁ ସମର୍ଥନ କରେ। ଆନ୍ତର୍ଜାତୀୟ ମାମଲାରେ ଭାରତ ବଡ ଭୂମିକା ଗ୍ରହଣ କରୁଛି । ଭାରତର ବସୁଧେବ କୁଟୁମ୍ବକମ୍ ନୀତି ଏହାର ବୈଦେଶିକ ନୀତିକୁ ପ୍ରତିପାଦିତ କରୁଛି।
ମୂଳ ଲେଖା : ଶଙ୍କର କୁମାର
ଅନୁବାଦ : ରାମଚଂଦ୍ର ନାଥ
ଅନୁବାଦ : ରାମଚଂଦ୍ର ନାଥ
Comments
Post a Comment