Skip to main content

ଜିଏସପି ପ୍ରତ୍ୟାହାର ଏକ ବିଭେଦମୂଳକ ପଦକ୍ଷେପ

ଆମେରିକା ଭାରତ ପାଇଁ ସାଧାରଣ ଅଗ୍ରାଧିକାର ପ୍ରଣାଳୀ କିମ୍ବା ଜେନେରାଲଇଜଡ ସିଷ୍ଟମ ଅଫ ପ୍ରିଫରେନ୍ସ (GSP) 5 ଜୁନ 2019 ରୁ ପ୍ରତ୍ୟାହାର କରିନେଇଛି | ବିକଶିତ ରାଷ୍ଟ୍ର ଗୁଡିକ ବିକାଶମୁଖୀ ରାଷ୍ଟ୍ର ଗୁଡିକୁ ବିନା ପକ୍ଷପାତିତା ଏବଂ ଅଣ-ପାରସ୍ପରିକ ଭାବେ GSP ସୁବିଧା ଦେଇଥାଆନ୍ତି | ଏହି ଯୋଜନା ଅଧୀନରେ କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଗୁଡିକୁ ନିଶୁଳ୍କ ଭାବେ ଆମେରିକୀୟ ବଜାରରେ ପ୍ରବେଶ ପାଇଁ ଅନୁମତି ମିଳିଥାଏ | ଏହା ଉଭୟ ଦେଶକୁ ଲାଭ ଦେବା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଦୃଢ କରିଥାଏ | ଏହି ଯୋଜନା ଅଧୀନରେ ଭାରତକୁ ପ୍ରାୟ 3000 ସାମଗ୍ରୀକୁ ନିଶୁଳ୍କ ଭିତ୍ତିରେ ଆମେରିକାକୁ ରପ୍ତାନୀ କରିବାର ଅନୁମତି ମିଳିଥିଲା | GSP ଅଧୀନରେ ଭାରତ 2018 ମସିହାରେ 6.2 ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିଥିଲା | ତେବେ ଏହାର ପ୍ରତ୍ୟାହାର ଦ୍ୱାରା ଆମେରିକାକୁ ଭାରତର ମୋଟ ରପ୍ତାନୀରେ GSPର ଅଂଶ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି |

ଏପ୍ରିଲ 2018 ରେ ଆମେରିକୀୟ ଦୁଗ୍ଧ ଉତ୍ପାଦନ ଏବଂ ଭେଷଜ ଉଦ୍ୟୋଗ ଦ୍ୱାରା ଦିଆଯାଇଥିବା ଆବେଦନକୁ ଭିତ୍ତି କରି ଆମେରିକା, GSP ଯୋଜନା ଅଧୀନରେ ଲାଭ ସଂକ୍ରାନ୍ତୀୟ ସମୀକ୍ଷା ଆରମ୍ଭ କରିଥିଲା | ଭାରତୀୟ ଘରୋଇ ବଜାରରେ ଷ୍ଟେଣ୍ଟ ଭଳି କିଛି ଗୁରୁତ୍ତ୍ୱପୂର୍ଣ୍ଣ ଭେଷଜ ସାମଗ୍ରୀ ଓ ସରଞ୍ଜାମର ମୂଲ୍ୟ ଅତ୍ୟଧିକ ଥିଲା; ଯାହା ଉପରେ ଭାରତ ମୂଲ୍ୟ ବୃଦ୍ଧିର ନିୟନ୍ତ୍ରଣ କରିଥିଲା | ଏହି ପଦକ୍ଷେପ ଉପରେ ଆମେରିକୀୟ କମ୍ପାନୀ ଗୁଡିକ ଉଦବେଗ ପ୍ରକାଶ କରିଥିଲେ | ପରେ, ଆମେରିକା ମଧ୍ୟ ବିଭିନ୍ନ କୃଷି-ଉତ୍ପାଦ, ପଶୁ ପାଳନ ସାମଗ୍ରୀ ତଥା IT ଆଦି ସାମଗ୍ରୀ ଗୁଡିକ ଉପରେ ବିଭିନ୍ନ ବିଷୟ ସାମିଲ କରିଥିଲା | ଏହା ଅନେକ ବାଣିଜ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ସମୀକ୍ଷା ସଦୃଶ ପଦକ୍ଷେପ ହୋଇଥିଲା |

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କ ଘୋଷଣାରେ ମନ୍ତବ୍ୟ ଦେଇ କହିଛନ୍ତି 2019 ଜୁନ 5 ତାରିଖରୁ ଭାରତ ପାଇଁ GSP ଯୋଜନା ପ୍ରତ୍ୟାହାର ପଦକ୍ଷେପ ଯୁକ୍ତିଯୁକ୍ତ | ବିକାଶଶିଳ ରାଷ୍ଟ୍ର ଗୁଡିକର ତାଲିକାରୁ ଭାରତକୁ ବାଦ ଦେବା ବିଷୟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି | ଭାରତୀୟ ଅଧିକାରୀ ମାନେ ସେମାନଙ୍କର ଆମେରିକୀୟ ପ୍ରତିପକ୍ଷ ମାନଙ୍କ ସହିତ କୃଷି ଓ ଦୁଗ୍ଧ ଉତ୍ପାଦନ ଏବଂ ମେଡିକାଲ ସରଞ୍ଜାମ କ୍ଷେତ୍ରରେ ଏକ ବାଣିଜ୍ୟ ପ୍ୟାକେଜ ଉପରେ କାର୍ଯ୍ୟ କରୁଛନ୍ତି |

ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଆମେରିକା, GSP ଯୋଜନା ପ୍ରତ୍ୟାହାର କରିନେବ, ନୂଆଦିଲ୍ଲୀ ଏହାର ବଜାରକୁ ଆମେରିକା ପାଇଁ ସମାନ ଏବଂ ଯଥାର୍ଥ ସୁବିଧା ଯୋଗାଇବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛି | ଭାରତ ଏକ ବିକାଶଶୀଳ ରାଷ୍ଟ୍ର ହୋଇ ଆଉ ରହିନାହିଁ ଏବଂ ଏଥିପାଇଁ କେବଳ ବିକାଶଶୀଳ ରାଷ୍ଟ୍ର ଗୁଡିକୁ ଦିଆଯାଉଥିବା ସହଯୋଗ ତାଲିକାରୁ ଭାରତକୁ ଅପସାରଣ କରାଯାଇଥିବା ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି |

ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବୁର ରସ ଗତ ମାସରେ ତାଙ୍କର ଭାରତ ଗସ୍ତ ସମୟରେ ଭାରତ ଦ୍ୱାରା ଅସାଧୁ ବାଣିଜ୍ୟ କାରବାର ଅଭିଯୋଗ କରି ଏହାକୁ ତାଲିକାରୁ ହଟାଇ ଦେଇଥିଲେ | ବିଭିନ୍ନ ସାମଗ୍ରୀର ତଥ୍ୟ ନିରୂପଣ, ମେଡିକାଲ ଉପକରଣ ଗୁଡିକ ଉପରେ ମୂଲ୍ୟ ନିୟନ୍ତ୍ରଣ ଏବଂ ଟେଲିଯୋଗାଯୋଗ ସରଞ୍ଜାମ ଉପରେ ଅଧିକ ଶୁକ୍ଳ ଲାଗୁ ଇତ୍ୟାଦି ବିଷୟ ଉପରେ ଆମେରିକା ଚିନ୍ତିତ ଥିବା ସେ ମତବ୍ୟକ୍ତ କରିଥିଲେ |

ଆମେରିକାର ଏହି ନିଷ୍ପତିକୁ ଅନେକ ବିଶ୍ଳେଷକ 'ସଂରକ୍ଷଣବାଦ' ଭାବେ ବର୍ଣ୍ଣନା କରିଛନ୍ତି | ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ପ୍ରଶାସନ, ଆନ୍ତର୍ଜାତୀୟ ବାଣିଜ୍ୟ ଉପରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି ଯାହା ନିର୍ଦ୍ଧାରିତ ନିୟମାବଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିଛି | ଚୀନ-ଆମେରିକା ବାଣିଜ୍ୟ ବିବାଦ ସ୍ୱରୂପ ଏହି ପଦକ୍ଷେପ ଅନ୍ୟ ଦେଶ ସହ ମଧ୍ୟ ବାଣିଜ୍ୟ-ବିବାଦ ସୃଷ୍ଟି କରାଇପାରେ | ଆମେରିକାର ଏହି ପଦକ୍ଷେପ ଅଣ-ଭେଦଭାବ ନୀତି ବିରୁଦ୍ଧରେ ଯାଇଛି କାରଣ ଏହା ବିକାଶଶୀଳ ରାଷ୍ଟ୍ର ଗୁଡିକ ମଧ୍ୟରେ ଭେଦଭାବ ସୃଷ୍ଟି କରିଛି | ଆମେରିକାର ଏହି ନିଷ୍ପତି ବିଶ୍ୱ ବାଣିଜ୍ୟ ସଙ୍ଗଠନ (WTO)ର ନୀତି ନିର୍ଦ୍ଦେଶ ଗୁଡିକର ମଧ୍ୟ ଅଣଦେଖାକରିଛି |

ଏହି ନିଷ୍ପତି ତରବରିଆ ଭାବେ ନିଆଯାଇଛି ଏବଂ ଏହା ଘରୋଇ ରପ୍ତାନୀକାରୀ ମାନଙ୍କ ପାଇଁ ହାନିକାରକ ଥିବା ଭାରତୀୟ ଉଦ୍ୟୋଗ ମହାସଂଘ କହିଛି | ଉଭୟ ଆମେରିକା ଏବଂ ଭାରତ ଏହି ପ୍ରସଙ୍ଗ ଉପରେ ଆଲୋଚନା କରି ଏକ ଆପୋଷମୂଳକ ସମାଧାନ ଖୋଜି ବାହାର କରିବା ନେଇ ମହାସଂଘ ଆଶାପ୍ରକଟ କରିଛି |

ଭାରତ ପାଇଁ ଆମେରିକା ଦ୍ୱାରା GSP ମାନ୍ୟତା ପ୍ରତ୍ୟାହାର କରିନିଆଯାଇଥିବା ନିଷ୍ପତିକୁ ଭାରତ 'ଦୁର୍ଭାଗ୍ୟଜନକ' ଭାବେ ବର୍ଣ୍ଣନା କରିଛି | ଏହା ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି | ଇତିମଧ୍ୟରେ ଭାରତ ରପ୍ତାନି କରୁଥିବା ଚମଡା ନିର୍ମିତ ସାମଗ୍ରୀ (ଜୋତା ଚପଲ ବ୍ୟତୀତ), ଅଳଙ୍କାର, ରସାୟନ ଓ ପ୍ଲାଷ୍ଟିକ, କୃଷି, ଔଷଧପତ୍ର ଏବଂ ଶଲ୍ୟଚିକିତ୍ସା ଉପକରଣ ଗୁଡିକ ଉପରେ ଆମେରିକାର ଏହି ନିଷ୍ପତିର ପ୍ରତିକୂଳ ପ୍ରଭାବ ପଡିପାରେ |

ରପ୍ତାନୀକାରୀ ମାନେ, ସେମାନଙ୍କର ବ୍ୟବସାୟ ଯେଭଳି ବିପଦ ଓ କ୍ଷତିଗ୍ରସ୍ତ ନହୁଏ ସେଥିପାଇଁ ଅନ୍ୟ ଦେଶର ବଜାର ଉପରେ ମଧ୍ୟ କାରବାରକୁ ପ୍ରୋତ୍ସାହନ ଦେବା ଉଚିତ | ଆମେରିକୀୟ ସାମଗ୍ରୀ ଗୁଡିକ ଉପରେ ମଧ୍ୟ ପ୍ରତ୍ୟୁତ୍ତରମୂଳକ ଶୁଳ୍କ ଲାଗୁ କରାଯାଇପାରେ | ତେବେ ଦ୍ବିପକ୍ଷୀୟ ସମ୍ପର୍କରେ ହାନି ଘଟିଲା ଭଳି କୌଣସି ପଦକ୍ଷେପ ଭାରତ ଗ୍ରହଣ କରେ ନାହିଁ | ଭାରତର ଆବଶ୍ୟକତା ପୂରଣ କରିବାକୁ ଏବଂ ଆମେରିକାର ଉଦ୍ୟୋଗ ଗୁଡିକର ଆବଶ୍ୟକତା ପୂରଣ ସକାଶେ ନୂଆଦିଲ୍ଲୀ ଆମେରିକା ସହ ମିଳିମିଶି କାମ କରିବା ଜାରୀ ରଖିବା ଆଶା ରଖିଛି |

ମୂଳ ଲେଖା : ଡକ୍ଟର ସ୍ତୁତି ବାନାର୍ଜୀ, ଆମେରିକୀୟ ବ୍ୟାପାର ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...