Skip to main content

ଇରାନ-ଆମେରିକା ବିବାଦ ଘନୀଭୂତ ଏବଂ ଏହାର କୂଟନୈତିକ ସମାଧାନର ଆବଶ୍ୟକତା

ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଦିନକୁ ଦିନ ଆହୁରି ଘନୀଭୂତ ହେଉଛି | ସମୟ ଅତିକ୍ରମ ହେବା ସହ ଉଭୟ ଦେଶ ମଧ୍ୟରେ ବିବାଦ ବୃଦ୍ଧି ପାଉଥିବାବେଳେ ଏଥିପ୍ରତି ଆନ୍ତର୍ଜାତୀୟ ସମୁଦାୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି | ଯଦ୍ୟପି 1979 ମସିହାର ଇରାନ ବିଦ୍ରୋହ ଠାରୁ ଇରାନ ଏବଂ ଆମେରିକା ମଧ୍ୟରେ ବିବାଦ ଲାଗି ରହିଛି, ତେବେ ନିକଟ ଅତୀତରେ ଗତବର୍ଷ ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ମିଳିତ ବ୍ୟାପକ କ୍ରିୟାନୁଷ୍ଠାନ ଯୋଜନା – JCPOA ରୁ ଏକତରଫା ଭାବେ ଓହରି ଯିବାକୁ ନିଷ୍ପତି ନେଲେ, ସେତେବେଳେ ଠାରୁ ଉଭୟ ଦେଶ ମଧ୍ୟରେ ଉପୁଜିଥିବା ବିବାଦ ଆହୁରି ଘନୀଭୂତ ହୋଇପଡିଛି | ତାହା ପରଠାରୁ ଆମେରିକା ଇରାନ ଉପରେ ନୂଆ କଟକଣା ଲାଗୁ କରିଆସୁଛି | ଇରାନର ସର୍ବୋଚ୍ଚ ନେତା ଏବଂ ଇରାନ ରିଭୋଲ୍ଯୁସନାରୀ ଗାର୍ଡ କର୍ପ୍ସ ଉପରେ ମଧ୍ୟ ଆମେରିକା ବିଭିନ୍ନ କଟକଣା ଲାଗୁ କରିଛି |

ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ତାଙ୍କର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ସମୟରୁ JCPOA ରାଜିନାମା ଉପରେ ଅସନ୍ତୋଷ ବ୍ୟକ୍ତ କରିଆସିଥିଲେ ଏବଂ ତାଙ୍କର ସେହି ଦୃଷ୍ଟିଭଙ୍ଗୀରୁ ସେ ଏହି ରାଜିନାମାରୁ ଓହରିଯିବା ସ୍ପଷ୍ଟ ପ୍ରତୀୟମାନ ହୋଇଥିଲା | ନିର୍ବାଚନରେ ବିଜୟ ହେବା ପରେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନ ବିରୁଦ୍ଧରେ ଅଧିକ କଠୋର ନୀତି ଆପଣେଇଥିଲେ | ଇରାନର ଆଞ୍ଚଳିକ ଭିତ୍ତିକ କାର୍ଯ୍ୟକଳାପକୁ କାଣ୍ଟଛାଣ୍ଟ କରିବା ଉଦ୍ଦେଶ୍ୟରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ | ଆମେରିକା, ଇରାନ ଉପରେ ରାଜନୈତିକ ଏବଂ ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥା ଲାଗୁ କରିବା ସମେତ ଉପସାଗରୀୟ ଅଞ୍ଚଳରେ ସାମରିକ ପ୍ରସ୍ତୁତି, ଯୁଦ୍ଧ ବିମାନ, B52 ବୋମାବର୍ଷଣକାରୀ ବିମାନ ମୁତୟନ ଏବଂ ଅତିରିକ୍ତ 1000 ଆମେରିକୀୟ ସୈନ୍ୟ ମଧ୍ୟ ମୁତୟନ କରିଛି |

ଆମେରିକାର ଏହି ସବୁ ପଦକ୍ଷେପ ଗୁଡିକର ପ୍ରତ୍ୟୁତ୍ତରରେ ଇରାନ ମଧ୍ୟ ସେଭଳି ଧରଣର ପଦକ୍ଷେପ ଗ୍ରହଣ କରିଥିବା ଯୋଗୁଁ ଉଭୟ ଦେଶ ମଧ୍ୟରେ ବିବାଦ ଘନୀଭୂତ ହୋଇଛି | ସେଥି ମଧ୍ୟରୁ ଅତ୍ୟନ୍ତ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଇରାନ JCPOA ରେ ଏହାର ପ୍ରତିଶ୍ରୁତି ଗୁଡିକୁ କାଣ୍ଟଛାଣ୍ଟ କରିଛି | ସେଥିମଧ୍ୟରୁ ଇରାନ ୟୂରାନିୟମ ରପ୍ତାନୀ ବନ୍ଦ କରିବା ପଦକ୍ଷେପ ଅନ୍ଯତମ | ଇରାନର ଆଣବିକ କାର୍ଯ୍ୟକ୍ରମକୁ ସୀମିତ କରିବା ପାଇଁ JCPOA ରେ ଉଲ୍ଲେଖିତ ପଦକ୍ଷେପ ଗୁଡିକରୁ ୟୂରାନିୟମ ବ୍ୟବହାର ସୀମିତ କରିବା ପଦକ୍ଷେପ ଅନ୍ଯତମ | ଏହି ଚୁକ୍ତିରୁ ଆମେରିକା ଓହରିଗଲେ ୟୂରାନିୟମ ଉତ୍ପାଦନ ଓ ଏହାର ବ୍ୟବହାର ସୀମାରୁ ଅର୍ଥନୈତିକ ଫାଇଦା ପାଇପାରିବ ନାହିଁ ବୋଲି ଇରାନ ଉଲ୍ଲେଖ କରିଛି | ତେବେ ଏହି ଚୁକ୍ତିକୁ ରକ୍ଷା କରିବା ସକାଶେ ଇରାନ JCPOA ରେ ଉଲ୍ଲେଖିତ ରାଜିନାମା ଗୁଡିକୁ ପାଳନ କରିବା ପାଇଁ ରାଜିନାମାରେ ସାମିଲ ଥିବା ୟୁରୋପୀୟ ଦେଶ ଗୁଡିକ ଇରାନକୁ କହିଛନ୍ତି |

ଉପସାଗରୀୟ ଅଞ୍ଚଳରେ ଏ ସମ୍ପର୍କିତ ଆହୁରି ଅନେକ ଘଟଣାବଳୀ ନିକଟ ଅତୀତରେ ଘଟିଯାଇଛି ଯାହାର ଫଳସ୍ଵରୂପ ସାମ୍ପ୍ରତିକ ବିବାଦ ଆହୁରି ବଢିବାରେ ଲାଗିଛି | ଓମାନ ଉପସାଗରରେ ଅନେକ ତୈଳ ଟ୍ୟାଙ୍କର ଗୁଡିକ ଉପରେ ଆକ୍ରମଣ, ପାରସ୍ୟ ଉପସାଗରରେ ଇରାନ ଦ୍ଵାରା ଏକ ଆମେରିକୀୟ ଡ୍ରୋନକୁ ଗୁଳିମାଡ ଦ୍ଵାରା ଖସାଇଦେବା, ଗିବ୍ରାଲଟାରରେ ବ୍ରିଟେନ ସେନାବାହିନୀ ଦ୍ଵାରା ଇରାନର ତୈଳ ଟ୍ୟାଙ୍କର ଜବତ ଏବଂ ଏହାର ଜବାବରେ ଇରାନର ଚେତାବନୀ ଇତ୍ୟାଦି ଘଟଣାବଳୀ ଗୁଡିକ ବିବାଦକୁ ଘନୀଭୂତ କରିଛି |

ତେଣୁ ଉଭୟ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନାକୁ କୂଟନୈତିକ ଜରିଆରେ ହ୍ରାସ କରିବା ପାଇଁ ବିଶ୍ଵ ଶକ୍ତି ଗୁଡିକ ଗୁରୁତ୍ତ୍ୱପୂର୍ଣ୍ଣ ଭାବେ ଉଦ୍ୟମ କରିବା ଉଚିତ |

ଭାରତ ଏହାର ଶକ୍ତି କ୍ଷେତ୍ରର ବିଭିନ୍ନ ଆବଶ୍ୟକତାରୁ ଅଧିକାଂଶ, ଉପସାଗରୀୟ ଦେଶ ଗୁଡିକରୁ ଆମଦାନୀ କରିଥାଏ | ସେଥିପାଇଁ ଏହି ଅଞ୍ଚଳକୁ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ବିବେଚନା କରାଯାଏ ଏବଂ ଏହି ଅଞ୍ଚଳରେ କୌଣସି ପ୍ରକାର ବିବାଦ ଉପୁଜିଲେ ଏହା ଭାରତ ପାଇଁ ଆଦୌଭାବେ ଲାଭଦାୟକ ହେବନାହିଁ | ହୋରମୁଜ ଷ୍ଟ୍ରେଟରେ କୌଣସି ବିବାଦ ଭାରତର ହାଇଡ୍ରୋକାର୍ବନ ଆମଦାନୀ ହ୍ରାସ କରାଇବା ସହ ଏହାର ଶକ୍ତି ସୁରକ୍ଷା କ୍ଷେତ୍ର ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇବ | ଏହି ଅଞ୍ଚଳରେ ସାମ୍ପ୍ରତିକ ଉତ୍ତେଜନା ମୂଳକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନୌବାହିନୀ ଏହାର ସାମରିକ ଜାହାଜ INS ଚେନ୍ନାଇ ଏବଂ ସୁନୟନା ଓମାନ ଉପସାଗରରେ ମୁତୟନ କରିଛି | ପାରସ୍ୟ ଉପସାଗର ଏବଂ ଓମାନ ଉପସାଗର ମଧ୍ୟଦେଇ ପରିଚାଳିତ ହେଉଥିବା ଭାରତୀୟ ଜାହାଜ ଗୁଡିକର ସୁରକ୍ଷା ନିମନ୍ତେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି | ସେହି ଅଞ୍ଚଳର ଦେଶ ଗୁଡିକ ସହ ଭାରତ ଉତ୍ତମ ଦ୍ଵିପକ୍ଷୀୟ ସମ୍ପର୍କ ବଜାୟ ରଖିଛି | ତେଣୁ ସେହି ଅଞ୍ଚଳରେ ଉପୁଜିଥିବା ବିବାଦ ଗୁଡିକର ଯଥାଶୀଘ୍ର ସମାଧାନ ସକାଶେ ମଧ୍ୟ ଭାରତ ଆଶା ରଖିଛି | ଏହି ବିବାଦ ଦ୍ଵାରା ସେହି ଅଞ୍ଚଳରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇ ବ୍ୟାପକ ଅର୍ଥନୈତିକ ସଙ୍କଟ ଏବଂ ମାନବୀୟ କ୍ଷୟକ୍ଷତି ଘଟିବା ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଉପଯୁକ୍ତ ଉଦ୍ୟମ ସହକାରେ ବିବାଦର ସମାଧାନ କରାଇବାକୁ ଆଶାବ୍ୟକ୍ତ କରାଯାଉଛି |


ମୂଳ ଲେଖା : ଡକ୍ଟର ଆସିଫ ସୁଜ, ଇରାନ ସାମରିକ ବ୍ଯାପାର ଉପରେ ବିଶ୍ଳେଷକ
ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...