Skip to main content

ଶ୍ରୀଲଙ୍କାରେ ଭାରତର ବୃଦ୍ଧି ପାଉଛି ନିବେଶ

ଭାରତ ଓ ଶ୍ରୀଲଙ୍କା ମାହୋ ରୁ ଓମାନଥାଇ ପର୍ଯ୍ୟନ୍ତ 130 କିଲୋମିଟର ଦୀର୍ଘ ବିଶିଷ୍ଟ ରେଳଧାରଣାର ଉନ୍ନତିକରଣ ଲାଗି 91.26 ନିୟୁତ ଆମେରିକୀୟ ଡଲାର ସମ୍ବଳିତ ଏକ ରାଜିନାମାରେ ସ୍ଵାକ୍ଷର କରିଛନ୍ତି | ବିଗତ 100 ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ରେଳ ଧାରଣାର ଉନ୍ନତିକରଣ କରାଯାଉଥିବାରୁ ଏହି ରାଜିନାମାକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଶ୍ରୀଳଙ୍କାର ରେଳବାଇ ବିକାଶ କ୍ଷେତ୍ରରେ ଭାରତର ଯୋଗଦାନ ସର୍ବପରିଚିତ | ଭାରତ ଏହି ଦ୍ଵିପ ଦେଶରେ ରେଳବାଇ କ୍ଷେତ୍ରର ବିକାଶ ନିମନ୍ତେ ଏବେ ପର୍ଯ୍ୟନ୍ତ 1.3 ବିଲିୟନ ଆମେରିକୀୟ ଡଲାର ସହାୟତା ପ୍ରଦାନ ଲାଗି ପ୍ରତିଶୃତି ଦେଇଛି |.

ଏହା ପ୍ରତୀତ ହେଉଛି ଯେ ଭାରତ ଶ୍ରୀଲଙ୍କାରେ କେବଳ ପୁଞ୍ଜି ନିବେଶ ବୃଦ୍ଧି ଲାଗି ଇଛୁକ ନୁହେଁ ବରଂ ଅନ୍ୟ ଦେଶ ଗୁଡିକ ସହ ମଧ୍ୟ ମିଳିତ ନିବେଶ ଲାଗି ପ୍ରସ୍ତୁତ ଅଛି | ଭାରତ ଦ୍ଵାରା ସ୍ୱାସ୍ଥ୍ୟ, ଶିକ୍ଷା ଓ ଯୋଗାଯୋଗ ଉପରେ କେନ୍ଦ୍ରିତ ଜନକଲ୍ୟାଣ ପ୍ରକଳ୍ପ ଗୁଡିକ ଆରମ୍ଭ କରାଯାଇଛି | ଚଳିତ ମାସ ଗମପା ଜିଲ୍ଲାରେ ଭାରତୀୟ ସହାୟତାରେ ନିର୍ମିତ 100ଟି ଆଦର୍ଶ ଗ୍ରାମ ଉଦଘାଟନ କରାଯାଇଥିଲା | ଏହି ନିର୍ମାଣ ଶ୍ରୀଲଙ୍କାର ଯୁଦ୍ଧ କ୍ଷ୍ୟତିଗ୍ରସ୍ତ ଉତ୍ତର, ପୂର୍ବ ଓ ମଧ୍ୟ ଭାଗରେ ନିର୍ମାଣ କରାଯିବାକୁ ଥିବା 60,000 ଘରର ଅଂଶ ବିଶେଷ ଭାବେ ନିର୍ମିତ କରାଯାଇଛି | ଏଥିମଧ୍ୟରୁ 2,400ଟି ଗ୍ରାମର ନିର୍ମାଣ ଭାରତ ସହାୟତାରେ କରାଯିବ | ଏହା ବ୍ଯତୀତ ଭାରତ ଦ୍ଵାରା ପ୍ରଦାନ କରାଯାଇଥିବା ଦେଶ ବ୍ୟାପୀ ଆମ୍ବୁଲାନ୍ସ ସେବା କୁ ମଧ୍ୟ ଶ୍ରୀଲଙ୍କା ବାସୀ ଭୂୟସୀ ପ୍ରଶଂସା କରୁଛନ୍ତି | କେବଳ ତାମିଲ ଅଧ୍ୟୁଷିତ ଉତ୍ତର ଓ ପୂର୍ବ ଅଞ୍ଚଳରେ ନୁହେଁ ବରଂ ଦେଶବ୍ୟାପୀ ଆଦର୍ଶ ଗ୍ରାମ ନିର୍ମାଣ କରିବାରେ ସହାୟତା କରି ଭାରତ ସହଯୋଗର ଏକ ସକାରାତ୍ମକ ସନ୍ଦେଶ ଦେଇଛି | ରଣନୀତିକ ସହଯୋଗ ସୁଦୃଢୀକରଣ କରିବା ପାଇଁ ପରସ୍ପର ମଧ୍ୟରେ ବିଶ୍ଵାସ ଭାଜନ ହେବା ନିହାତି ଜରୁରୀ |

ଭାରତର ସହଯୋଗର ଏହା ଥିଲା କେତୋଟି ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣ | ଶ୍ରୀଲଙ୍କା ରାଜନୀତି ପରିଦୃଶ୍ୟରେ ଅସ୍ଥିରତା ଜାରି ରହିଥିବା ସତ୍ତ୍ୱେ ଭାରତର ଉନ୍ନୟନମୂଳକ ପ୍ରକଳ୍ପ ଗୁଡିକୁ ଉଚିତ ସମୟରେ କାର୍ଯ୍ୟକାରୀ କରାଯାଉଛି | ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ଓ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଶ୍ରୀଲଙ୍କା ରେ ରାଜନୈତିକ ତର୍କ ଭାବେ ଚର୍ଚ୍ଚାର ବିଷୟ ହୋଇପଡିଛି | ଇଷ୍ଟର ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣା ପରେ ଦେଶରେ ସୁରକ୍ଷା ସ୍ଥିତି ବିପଦ ଶଙ୍କୁଳ ରହିଛି | ଭାରତ ଶ୍ରୀଲଙ୍କାର ରାଜନୈତିକ ଅସ୍ଥିରତାକୁ ଦୃଷ୍ଟିରେ ରଖି ସନ୍ତୁଳିତ ଆଭିମୁଖ୍ଯ ବ୍ୟକ୍ତ କରି କହିଛି ଯେ ଦେଶର ରାଜନେତା ଦ୍ୱୟ ପାରସ୍ପରିକ ମତଭେଦକୁ ଦେଶର ସାମ୍ବିଧାନିକ ନିୟମାନୁଯାୟୀ ସମାଧାନ କରିବା ଉଚିତ | ନିରାପତ୍ତା ଜନିତ ସମସ୍ୟାର ମୁକାବିଲା କରିବା ଲାଗି ଭାରତ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ଵାନ ଜଣାଇ ସୀମା ପାର ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ ଲାଗି ସାମୁହିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛି |

ଭାରତ ବନ୍ଦର ଗୁଡିକ ସମେତ ରଣନୀତିକ କ୍ଷେତ୍ରରେ ମଧ୍ୟ ନିବେଶ କରିବା ଲାଗି ସକ୍ଷମ ଅଛି | ଭାରତ- ଜାପାନ –ଶ୍ରୀଲଙ୍କା କଲୋମ୍ବୋ ବନ୍ଦର ଠାରେ ‘ଇଷ୍ଟ କଣ୍ଟେନର ଟର୍ମିନାଲ’ କୁ ମିଳିତ ଭାବେ ବିକଶିତ କରିବା ଲାଗି ରାଜି ହୋଇଛନ୍ତି | ଏହି ନିଷ୍ପତ୍ତି ଗ୍ରହଣ କରିବା ପରେ କ୍ଷେତ୍ରରେ ଚୀନର ବୃଦ୍ଧି ପାଉଥିବା ପ୍ରଭାବକୁ ରୋକିବା ପାଇଁ ଏହାକୁ ଏକ ମହତ୍ବପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି | ଚୀନକୁ ହାମ୍ବାନଟୋଟା ବନ୍ଦର 99 ବର୍ଷ ଲାଗି ଲିଜ ରେ ମିଳିଛି |

ଅପ୍ରେଲ 2019ରେ ହାମ୍ବାନଟୋଟା ରେ ମଟାରା ଓ ବେଲିଆଟ୍ଟା ଉପକୂଳବର୍ତ୍ତୀ ସହରକୁ ସଂଯୋଗ କରିବା ଲାଗି ଏକ ନୂଆ ରେଳ ଲାଇନ ଖୋଲିଥିଲା | ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଅନ୍ତର୍ଗତ ଶ୍ରୀଲଙ୍କାରେ କୌଣସି ରେଳ ପ୍ରକଳ୍ପରେ ଚୀନ ଦ୍ଵାରା ଏହା ପ୍ରଥମ ନିବେଶ ଥିଲା |

ଭାରତ ଉତ୍ତରାଞ୍ଚଳ ପ୍ରଦେଶ ରେ କାଙ୍କେସାନ୍ଥୁରାଇ ପୋତାଶ୍ରୟ କୁ ବିକଶିତ କରିବା ପାଇଁ 45.27 ନିୟୁତ ଡଲାର ସମ୍ବଳିତ ଆର୍ଥିକ ସହାୟତା ପ୍ରଦାନ କରିବ | ଏଥି ସହିତ ମାର୍ଚ୍ଚ 2019 ରେ ହାମ୍ବାନଟୋଟା ବନ୍ଦର ନିକଟରେ 3.85 ବିଲିୟନ ଡଲାର ମୂଲ୍ୟର ତୈଳ ବିଶୋଧନାଗାର ସ୍ଥାପନା କରିବା ଲାଗି ଶିଳାନ୍ୟାସ କରାଯାଇଛି | ଭାରତୀୟ ବ୍ୟବସାୟ ସହ ଜଡିତ ସିଙ୍ଗାପୁର ରେ ପଞ୍ଜୀକୃତ କମ୍ପାନୀ ଓ ଓମାନ ର ତୈଳ ମନ୍ତ୍ରଣାଳୟ ର ମିଳିତ ସହଭାଗିତା ରେ ଏହା ସ୍ଥାପନା କରାଯିବ | ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହାମ୍ବାନଟୋଟା ନିକଟରେ ବହୁଦେଶୀୟ ପୁଞ୍ଜି ନିବେଶକୁ ସ୍ଵାଗତ ଜଣାଇଛନ୍ତି | ଭାରତ ତ୍ରିଙ୍କୋମାଲେ ପୋତାଶ୍ରୟ ଓ ମତାଲା ବିମାନ ବନ୍ଦର ମଧ୍ୟ ବିକଶିତ କରିବା ଲାଗି ଇଚ୍ଛା ପ୍ରକଟ କରିଛି | ତେବେ ନିବେଶ ଓ ପରିଯୋଜନା ର ରୂପରେଖ ଏଯାଏଁ ଚୁଡାନ୍ତ ହୋଇ ନାହିଁ |

ଶକ୍ତି ଓ ସଂଯୋଗ କ୍ଷେତ୍ରରେ ମଧ୍ୟ ଉଭୟ ଦେଶ ସହଯୋଗ ବୃଦ୍ଧି କରିବା ପାଇଁ ସହମତ ହୋଇଛନ୍ତି | ଜୁନ 2019 ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସଙ୍କ୍ରାନ୍ତୀୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ର ଚତୁର୍ଥ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକରେ ତ୍ରିଙ୍କୋମାଳି ନିକଟସ୍ଥ ସାମପୁର ରେ ସୌର ଶକ୍ତି ପ୍ରକଳ୍ପ ଓ କେରାବାଲାପିଟିୟା ରେ ଏଲଏନଜି ପ୍ରକଳ୍ପ ନେଇ ସମୀକ୍ଷା କରାଯାଇଛି |

ଜାତିଗତ ସଂଘର୍ଷ ଓ ପୁଡ୍ଡୁଚେରି ନିକଟସ୍ଥ କାଙ୍କେସାନ୍ଥୁରାଇ ଓ କରାଇକଲ ବନ୍ଦର ମଧ୍ୟରେ ଯାତାୟାତ ସେବାର ଅଭାବ ଯୋଗୁଁ ସଂଯୋଗୀକରଣ ଦୀର୍ଘ ସମୟରୁ ଏକ ସମସ୍ୟା ଭାବେ ଉଭା ହୋଇଛି | ଭାରତ ର ସହାୟତାରେ କାଙ୍କେସାନ୍ଥୁରାଇ ପୋତାଶ୍ରୟ ର ବିକାଶ ଦ୍ଵାରା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ହେବାର ଆଶା ଉଜ୍ଜୀବିତ ହୋଇଛି | ଏହାଦ୍ବାରା ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ପ୍ରୋତ୍ସାହନ ମିଳିବ |

ଏହି ବିକାଶ ଯୋଜନା ଗୁଡିକରୁ ସ୍ପଷ୍ଟ ସଂକେତ ମିଳୁଛି ଯେ ଭାରତ ପଡୋଶୀ ଦେଶ ଶ୍ରୀଲଙ୍କାରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିଛି | ତେବେ ଭାରତୀୟ ମହାସାଗର କ୍ଷେତ୍ରରେ ଭାରତକୁ ନିଜର ରଣନୀତିକ ସ୍ଥିତି ଆହୁରି ମଜବୁତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି |

ମୂଳ ଲେଖା : ଡଃ ଏମ ସମଥା, ଭାରତୀୟ ମହାସାଗର ଅଞ୍ଚଳ ଉପରେ ସାମରିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...