Skip to main content

ଭାରତର ଦ୍ଵିତୀୟ ଚନ୍ଦ୍ର ମିଶନ ପ୍ରକ୍ଷେପଣ

ଭାରତର ମହାକାଶ କାର୍ଯ୍ୟକ୍ରମର ଅନ୍ୟତମ ଅତ୍ୟନ୍ତ ଜଟୀଳ ଏବଂ ମହତ୍ୱାକାଂକ୍ଷୀ ମିଶନର ଉଡାଣ ସୋମବାରଦିନ ଅପରାହ୍ନରେ ଆରମ୍ଭ ହୋଇଛି | ଚନ୍ଦ୍ରକୁ ଭାରତର ଦ୍ଵିତୀୟ ମିଶନ ଚନ୍ଦ୍ରଯାନ-2 କୁ ବହନ କରି ଦେଶର ସବୁଠାରୁ ଅଧିକ ଶକ୍ତିଶାଳୀ ରକେଟ GSLV Mk-III କୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସୋମବାର ଅପରାହ୍ନ 2 ଟା 43 ମିନିଟରେ ପ୍ରକ୍ଷେପଣ କରାଯାଇଥିଲା | ପ୍ରକ୍ଷେପଣର 17 ମିନିଟ ପରେ ଚନ୍ଦ୍ରଯାନ-2 କୁ ଏହାର ପୂର୍ବ ନିର୍ଦ୍ଧାରିତ ପୃଥିବୀ ଚତୁଃପାର୍ଶ୍ବ କକ୍ଷପଥରେ ସ୍ଥାପିତ କରାଯାଇଥିଲା |

ପ୍ରଥମତଃ ଜୁଲାଇ 15 ତାରିଖରେ ଏହି ମିଶନର ପ୍ରକ୍ଷେପଣ ହେବାର ଥିଲା ତେବେ କୌଣସି ବୈଷୟିକ ତ୍ରୁଟି କାରଣରୁ ଏହାକୁ ସେଦିନ ସ୍ଥଗିତ ରଖାଯାଇଥିଲା | ଏତେ କମ ସମୟରେ ବୈଷୟିକ ତୃଟି ଚିହ୍ନଟ କରି ଓ ଏହାକୁ ସୁଧାରି ମିଶନକୁ ପ୍ରକ୍ଷେପଣ କରାଯାଇଥିବା ଶ୍ରେୟ ଭାରତୀୟ ମହାକାଶ ବୈଜ୍ଞାନିକ ମାନଙ୍କୁ ଦିଆଯାଇପାରେ |

ସଠିକ ଭାବେ ପ୍ରକ୍ଷେପଣ ହୋଇଥିବା ଏହି ମିଶନର ଏହା ପ୍ରଥମ ପର୍ଯ୍ୟାୟ ଏବଂ ଏହା ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ - ISRO ର ବୈଜ୍ଞାନିକ ମାନଙ୍କ ଦ୍ୱାରା ସମ୍ଭବପର ହୋଇପାରିଛି | ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାକୁ ଚନ୍ଦ୍ରଯାନ-2 କୁ 48 ଦିନ ସମୟ ଲାଗିବ | ସେପ୍ଟେମ୍ବର ମାସ 7 ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ସମୟ ଧାର୍ଯ୍ୟ କରାଯାଇଛି |

ଚନ୍ଦ୍ର ପୃଷ୍ଠକୁ ଭାରତର ପ୍ରଥମ ମିଶନ, ଚନ୍ଦ୍ରଯାନ-1 ତୁଳନାରେ ଏହି ଦ୍ଵିତୀୟ ମିଶନ ଅଧିକ ଜଟିଳ ଧରଣର ମିଶନ | ଏହାର ତିନୋଟି ଭାଗ ରହିଛି - ଅର୍ବିଟର, ଲ୍ୟାଣ୍ଡର ଏବଂ ରୋଭର | ଏହି ତିନୋଟି ଯାକ ଅବୟବ ଏକାଠି କାର୍ଯ୍ୟକାରୀ ହୋଇ ଚନ୍ଦ୍ର ପୃଷ୍ଠର ଉପର ଭାଗରୁ ଏବଂ ପୃଷ୍ଠଭାଗରେ ରହି ଚନ୍ଦ୍ରର ଅଧ୍ୟୟନ କରିବେ | ପ୍ରଖ୍ୟାତ ଭାରତୀୟ ବୈଜ୍ଞାନିକ ତଥା "ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ" ବିକ୍ରମ ସରାଭାଇଙ୍କ ସମ୍ମାନାର୍ଥେ ଚନ୍ଦ୍ରଯାନ-2 ର ଲ୍ୟାଣ୍ଡରର ନାମ “ବିକ୍ରମ” ରଖାଯାଇଛି | ରୋଭରର ନାମ ପ୍ରଜ୍ଞା ରଖାଯାଇଛି | ସଂସ୍କୃତରେ ପ୍ରଜ୍ଞାର ଅର୍ଥ ହେଉଛି "ଜ୍ଞାନ" |

ପ୍ରଥମେ ଏକ ରାଜିନାମା ଅନୁଯାୟୀ ରୁଷ ଲ୍ୟାଣ୍ଡର ଯୋଗାଇବା ଥିଲା କିନ୍ତୁ ଏଥିରୁ ରୁଷ ଓହରିଯିବା ପରେ ISRO ଲ୍ୟାଣ୍ଡର ନିର୍ମାଣ କରିଥିଲା | ଏହିପରି ଚନ୍ଦ୍ରଯାନ-2 ସମ୍ପୂର୍ଣ୍ଣ ଭାବେ ଏକ ଭାରତୀୟ ମିଶନ |

ଚନ୍ଦ୍ରକୁ ଅଧ୍ୟୟନ କରିବା ପାଇଁ ଚନ୍ଦ୍ରଯାନ-2, 13 ଟି ପେଲୋଡ଼ ବହନ କରୁଛି, 8ଟି ଅର୍ବିଟରରେ, 3ଟି ଲ୍ୟାଣ୍ଡରରେ ଏବଂ 2ଟି ରୋଭରରେ ବହନ କରୁଛି | ଲ୍ୟାଣ୍ଡର ଏକ NASA ଲେଜର ରିଟ୍ର-ପ୍ରତିଫଳକ ମଧ୍ୟ ବହନ କରୁଛି | ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି ଚନ୍ଦ୍ରପୃଷ୍ଠରେ ଏହାର ଦକ୍ଷତା ପ୍ରତିପାଦନ କରିବା ଏବଂ ଚନ୍ଦ୍ରପୃଷ୍ଠରେ ଏକ ରୋବଟିକ ରୋଭର ପରିଚାଳନା କରିବା |

ଦକ୍ଷିଣ ମେରୁ ଠାରୁ 600 କିଲୋମିଟର ଦୂରରେ ଚନ୍ଦ୍ରଯାନ-2 ର ଅବତରଣ ସ୍ଥଳୀ ନିରୂପଣ କରାଯାଇଛି | ଚନ୍ଦ୍ରପୃଷ୍ଠରେ ପାଣି ବରଫ ଓ ଅଧିକାଂଶ ସ୍ଥାନ ଛାଇ ଓ ଅନ୍ଧକାରମୟ ଆଚ୍ଛାଦିତ ଥିବାରୁ ଏହି ସ୍ଥାନକୁ ଉଲ୍ଲେଖନୀୟ ମନେକରାଯାଉଛି |

ସୋମବାରଦିନ ପ୍ରକ୍ଷେପଣ ପରେ ଚନ୍ଦ୍ରଯାନ-2 ପୃଥିବୀର କକ୍ଷପଥର ଏକ ଉଚ୍ଚକକ୍ଷ ସ୍ଥାନରେ ସ୍ଥାପିତ କରାଯାଇଛି ଯେଉଁଠାରୁ ଅନେକ କକ୍ଷ ପଥ ଦେଇ ଚନ୍ଦ୍ରର ମାଧ୍ୟାକର୍ଷଣୀୟ ବଳୟ ମଧ୍ୟକୁ ଧୀରେ ଧୀରେ ପ୍ରବେଶ କରିବ | 27 ଦିନ ଧରି ଏହି ଯାନ ଚନ୍ଦ୍ରପୃଷ୍ଠରେ ବିରାଜମାନ ହେବ |

ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ଲ୍ୟାଣ୍ଡର ଧୀରେ ଧୀରେ ତଳକୁ ଖସି ଚନ୍ଦ୍ରପୃଷ୍ଠରେ ଅବତରଣ କରିବ | ଏହି ସମୟ ମିଶନର ସବୁଠାରୁ ଅଧିକ ଉଲ୍ଲେଖନୀୟ ଏବଂ ମହତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ ବୋଲି ISRO ଅଧ୍ୟକ୍ଷ କେ. ଶିବନ କହିଛନ୍ତି |

ଯଦି ସବୁ କିଛି ଠିକ ଭାବେ ପରିଚାଳିତ ହୁଏ, ତେବେ ଆମେରିକା, ରୁଷ ଏବଂ ଚୀନ ପରେ, ଭାରତ ଚତୁର୍ଥ ଦେଶ ଭାବେ ଚନ୍ଦ୍ରପୃଷ୍ଠରେ ଏହାର ଏକ ମହାକାଶଯାନ ଅବତରଣ କରାଇବାରେ ସକ୍ଷମ ହୋଇପାରିବ |

ଅବତରଣ ପରେ ରୋଭର, ଲ୍ୟାଣ୍ଡରରୁ ପୃଥକ ହୋଇଯାଇ ବାହାରିଆସିବ ଏବଂ ଚନ୍ଦ୍ରପୃଷ୍ଠରେ ଏକ ଦିନର ଚନ୍ଦ୍ର ଦିନ ପାଇଁ ଏହାର ପରୀକ୍ଷଣ ଆରମ୍ଭ କରିବ | ଚନ୍ଦ୍ରରେ ଗୋଟିଏ ଦିନର ସମୟ ପୃଥିବୀର 14 ଦିନର ସମୟ ସହ ସମାନ | ଅର୍ବିଟର ଏହାର ମିଶନ କାର୍ଯ୍ୟ ଗୋଟିଏ ବର୍ଷ ପର୍ଯ୍ୟନ୍ତ ଜାରି ରଖିବ |

ଚନ୍ଦ୍ରପୃଷ୍ଠରେ ଅବତରଣ ମିଶନର ସଫଳତା ହାର ଶତକଡା 50 ଭାଗରୁ କମ ଥିବା ISRO ସୂଚିତ କରିଥିଲେ ସୁଦ୍ଧା, ISROର ପୂର୍ବ ସଫଳତା ହାରକୁ ଦୃଷ୍ଟିରେ ରଖି, ବିଶେଷ ଭାବେ 2008 ମସିହାରେ ଚନ୍ଦ୍ରଯାନ-1ର ସଫଳତା ଓ 2013ରେ ମଙ୍ଗଳ ମିଶନର ସଫଳତାକୁ ତୁଳନା କଲେ ଚନ୍ଦ୍ରଯାନ-2 ମିଶନ ମଧ୍ୟ ଆଉ ଏକ ସଫଳତା ଭାବେ ଲିପିବଦ୍ଧ ହେବାକୁ ଯାଉଛି |

ମୂଳ ଲେଖା : ବିମାନ ବାସୁ, ବରିଷ୍ଠ ବିଜ୍ଞାନ ଲେଖକ

ଅନୁବାଦ : ଅନୀଲ କୁମାର ପଟ୍ଟନାୟକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...