ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜାରିରହିଛି | ଏହି ଅଧିବେଶନରେ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ବିଲ ସମେତ ଅନେକ ବିଧେୟକ ପାରିତ ହୋଇଛି | ଏହି ବିଲରେ ଆନ୍ତର୍ଜାତୀୟ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନ ଗୁଡିକରେ 3 ପ୍ରତିଶତ କୋଟା ପ୍ରଦାନ କରିବାର ବ୍ୟବସ୍ଥା ରହିଛି | ନିମ୍ନ ସଦନ(ଲୋକସଭା) ଓ ଉଚ୍ଚ ସଦନ (ରାଜ୍ୟସଭା)ରେ ଜାମ୍ମୁ ଓ କାଶ୍ମୀର ରେ ରାଷ୍ଟ୍ରପତି ଶାସନର ଅବଧିକୁ ଆଉ ଛ ମାସ ଲାଗି ସମ୍ପ୍ରସାରଣ କରିବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଛି | ଜାମ୍ମୁ କାଶ୍ମୀର ସଂରକ୍ଷଣ ଆଇନ 2004 ରେ ସଂଶୋଧନ ଲାଗି ଏକ ବିଲ ଆଗତ ଲାଗି ମଧ୍ୟ ନିଷ୍ପତ୍ତି ନିଆଯାଇଛି | ଉଭୟ ପ୍ରସଙ୍ଗ ପୂର୍ବରୁ ଲୋକସଭାରେ ପାସ ହେବାପରେ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହୋଇଥିଲା | ବର୍ତ୍ତମାନ ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ ରାଜ୍ୟର ସୀମା ସଂଲଗ୍ନ ଅଞ୍ଚଳରେ ରହୁଥିବା ବ୍ୟକ୍ତି ମାନଙ୍କୁ ଶିକ୍ଷା ଓ ଚାକିରିରେ 3 ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରଦାନ କରିଥାଏ କିନ୍ତୁ ଏହାର ଫାଇଦା ଆନ୍ତର୍ଜାତୀୟ ସୀମା ନିକଟରେ ରହୁଥିବା ଲୋକମାନଙ୍କୁ ମିଳୁ ନଥିଲା | ଏହି ଆଲୋଚନାରେ ଭାଗ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ ସରକାର ଏହି ଅଧିନିୟମ ଅନ୍ତର୍ଗତ ସ୍ଥାନ ସଂରକ୍ଷଣର ସୀମାକୁ ଆଉ 4 ପ୍ରତିଶତ ବୃଦ୍ଧି ଲାଗି ବିବେଚନା କରିବେ | ସେ କହିଥିଲେ ଯେ ମୋଦୀ ସରକାର ଜାମ୍ମୁ ଓ କାଶ୍ମୀରରେ ଉପୁଜିଥିବା ଜଟିଳ ପରିସ୍ଥିତିର ସମାଧାନ କରିବା ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ “ଇନସାନିୟତ, ଜାମୁରିୟତ ଓ କାଶ୍ମିରୀୟତ” ସିଦ୍ଧାନ୍ତର ଅନୁସରଣ କରୁଛନ୍ତି |
ଶ୍ରୀ ଶାହ ସନ୍ତ୍ରାସବାଦକୁ ଆଦୌ ବରଦାସ୍ତ ନକରିବା ବା ଜିରୋ ଟୋଲେରାନ୍ସ ନେଇ ସରକାରଙ୍କ ନୀତି ବିଷୟ ଦୋହୋରାଇଥିଲେ ଓ ଏହାର ପରିଣାମ ସ୍ପଷ୍ଟ ଦେଖିବାକୁ ମିଳିଛି ବୋଲି ସେ କହିଥିଲେ | ମନ୍ତ୍ରୀ ମହୋଦୟ କହିଥିଲେ ଯେ ପଞ୍ଚାୟତ ଓ ପୌରପରିଷଦ ନିର୍ବାଚନ କରାଇ କେନ୍ଦ୍ରସରକାର ଜାମୁରିୟତକୁ କରିଥିବା ନିଜର ପ୍ରତିଶୃତି ପାଳନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି | ଲଦାଖକୁ ଏକ ପୃଥକ ଡିଭିଜନ ଭାବେ ଗଠନ କରିବା ଓ ପାର୍ବତ୍ୟ ପରିଷଦ କୁ ଅଧିକ କ୍ଷମତା ପ୍ରଦାନ କରିବା ସରକାରଙ୍କ ଦ୍ଵାରା ଗଣତନ୍ତ୍ର କୁ ମଜବୁତ କରିବା ଦିଗରେ ଏକ ଦୃଢ ପଦକ୍ଷେପ ବୋଲି ସେ ଦର୍ଶାଇଥିଲେ |
ଦଳମତ ନିର୍ବିଶେଷରେ ରାଜ୍ୟସଭାରେ ଏକ ବିଲକୁ ସମର୍ଥନ କରାଯାଇଥିଲା ଯାହାକି କେନ୍ଦ୍ରିୟ ଶିକ୍ଷା ପ୍ରତିଷ୍ଠାନ ଗୁଡିକରେ ଶିକ୍ଷା ପଦବୀ ଲାଗି ତଫସିଲଭୁକ୍ତ ଜାତି ଓ ଜନଜାତି ଏବଂ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବା ଲାଗି ଜାରି କରାଯାଇଥିବା ଅଧ୍ୟାଦେଶର ସ୍ଥାନ ନେବ | କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନ (ଶିକ୍ଷକ କ୍ୟାଡର ରେ ସଂରକ୍ଷଣ ) ବିଲ 2019 , ଅନୁଯାୟୀ 41ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା 8,000 ପଦବୀ ଲାଗି ଆବେଦନ ପାଇଁ ଅନୁମତି ମିଳିବ ଓ ଏହା ଅନ୍ତର୍ଗତ ସାଧାରଣ ବର୍ଗର ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀ ଲୋକ ମାନଙ୍କୁ ମଧ୍ୟ 10 ପ୍ରତିଶତ ସ୍ଥାନ ସଂରକ୍ଷଣ ମିଳିବ | ଏହି ବିଧେୟକ ଚଳିତ ବର୍ଷ ମାର୍ଚ୍ଚ ମାସରେ ଜାରି ଏକ ଅଧ୍ୟାଦେଶର ସ୍ଥାନ ନେବ |
ଲୋକସଭାରେ ଦନ୍ତଚିକିତ୍ସକ ସଂଶୋଧନ ବିଲ 2019 କୁ ମଧ୍ୟ ଅନୁମୋଦନ ମିଳିଛି | ଦନ୍ତଚିକିତ୍ସକ ପରିଷଦରେ ଉପଯୁକ୍ତ ଯୋଗ୍ୟତା ବିନା ଦନ୍ତଚିକିତ୍ସକଙ୍କ ବାଧ୍ୟତାମୂଳକ ପ୍ରତିନିଧିତ୍ଵକୁ ହଟାଇନେବା ହେଉଛି ଏହି ବିଲ ର ମୂଳ ଉଦ୍ଦେଶ୍ୟ | ଦନ୍ତଚିକିତ୍ସକ ଆଇନ, 1948 କୁ ସଂଶୋଧନ କରିବାଲାଗି ଏହି ବିଲରେ ପ୍ରସ୍ତାବ ରହିଛି | ଏହି ଅଧିନିୟମ ରାଜ୍ୟ ଦନ୍ତଚିକିତ୍ସା ପରିଷଦ ଓ ଯୁଗ୍ମ ରାଜ୍ୟ ଦନ୍ତଚିକିତ୍ସା ପରିଷଦ ସମେତ ଦନ୍ତଚିକିତ୍ସା ପେଷାରେ ଜଡିତ ସବୁ ଲୋକଙ୍କ ଉପରେ ନିୟନ୍ତ୍ରଣ କରିଥାଏ | ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ‘ବାଧ୍ୟତାମୂଳକ’ ଶବ୍ଦ ହଟେଇବା ହେଉଛି ଏହି ସଂଶୋଧନର ମୂଳ ଲକ୍ଷ | ଏହି ବିଲକୁ ସର୍ବସମ୍ମତି କ୍ରମେ ସମର୍ଥନ କରାଯାଇଥିଲା | ଲୋକସଭାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ମେଡିକାଲ ଶିକ୍ଷା କ୍ଷେତ୍ରରେ ବ୍ୟାପାକ ସଂସ୍କାର ଆଣିବା ଲାଗି ସରକାର ଏକ ଜାତୀୟ ମେଡିକାଲ କମିଶନ (ଏନଏମସି) ବିଲ ଆଗତ କରିବେ |
ଭାରତୀୟ ମେଡିକାଲ ପରିଷଦ (ସଂଶୋଧନ) ବିଲ, 2019 ଉପରେ ଏକ ବିତର୍କ ସମୟରେ ଉତ୍ତର ଦେବା ବେଳେ ଶ୍ରୀ ହର୍ଷବର୍ଦ୍ଧନ ଏକଥା କହିଥିଲେ | ତେବେ ଏହା ପରେ ଏହି ବିଲ ସଭାଗୃହରେ ବାଚନିକ ଭୋଟରେ ପାସ ହୋଇଯାଇଥିଲା | ଏହି ବିଧେୟକରେ 26 ସେପ୍ଟେମ୍ବର 2018 ରୁ ଦୁଇ ବର୍ଷ ର ଅବଧି ପାଇଁ ଭାରତୀୟ ଭେଷଜ ପରିଷଦର ଅଧିକ୍ରମଣ କରିବା ଲାଗି ବ୍ୟବସ୍ଥା ଅଛି । ଏହା ଫେବୃୟାରୀ 21 ରେ ଜାରିକରାଯାଇଥିବା ଅଧ୍ୟାଦେଶ ର ସ୍ଥାନ ନେବ |
ସଂସ୍ଥାଗତ ଦେଶୀୟ ଓ ଆନ୍ତର୍ଜାତୀୟ ମଧ୍ୟସ୍ଥତା ପାଇଁ ଏକ ସ୍ଵତନ୍ତ୍ର ଓ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ସ୍ଥାପିତ କରିବା ଲାଗି ଏକ ବିଧେୟକ ଲୋକସଭାରେ ଆଗତ କରାଯାଇଥିଲା | ନୂଆଦିଲ୍ଲୀ ଆନ୍ତର୍ଜାତୀୟ ମଧ୍ୟସ୍ଥତା କେନ୍ଦ୍ର (ଏନଡ଼ିଏଆଇସି) ବିଲ 2019 ପୂର୍ବ ସରକାରଙ୍କ ଦ୍ଵାରା ଚଳିତ ବର୍ଷ ମାର୍ଚ୍ଚ ରେ ଜାରି କରାଯାଇଥିବା ଅଧ୍ୟାଦେଶର ସ୍ଥାନ ନେବ | ଏହି ବିଲରେ ସଂସ୍ଥାଗତ ମଧ୍ୟସ୍ଥତା ପାଇଁ ଏକ ସ୍ଵାଧୀନ ଓ ସ୍ୱାୟତ୍ତ ସଂସ୍ଥାର ସ୍ଥାପନ ଏବଂ 2019-20 ରେ ବିଶ୍ଵରେ ଅର୍ଥବ୍ୟବସ୍ଥାର ସଂସ୍ଥା ଗୁଡିକର ଅଧିଗ୍ରହଣ ଓ ହସ୍ତାନ୍ତରଣ ଲାଗି ବ୍ୟବସ୍ଥା ରହିଛି |
କେନ୍ଦ୍ର ଅର୍ଥ ତଥା କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣ ଗତ 4 ତାରିଖରେ ପାର୍ଲିଆମେଣ୍ଟରେ 2018-19ର ଅର୍ଥନୈତିକ ସର୍ଭେ ଉପସ୍ଥାପନା କରିଥିଲେ | ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ 2019-20 ରେ ସରକାରଙ୍କୁ ମିଳିଥିବା ବିଶାଳ ରାଜନୈତିକ ଜନସମର୍ଥନ, ଭାରତକୁ ବିଶ୍ଵର ପ୍ରମୁଖ ଦ୍ରୁତ ପ୍ରଗତିଶୀଳ ଅର୍ଥନୀତି ଭାବେ ଉଚ୍ଚ ସ୍ତରରେ ପହଞ୍ଚାଇବାର ଅଧିକ ସମ୍ଭାବନା ରହିଛି । ଅର୍ଥମନ୍ତ୍ରୀ ଶ୍ରୀମତୀ ସିଥାରମଣ ଶୁକ୍ରବାର ଦିନ ମୋଦୀ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ ଉପସ୍ଥାପିତ କରିଥିଲେ | ମୋଟାମୋଟି ଭାବେ କହିବାକୁ ଗଲେ, ସରକାରଙ୍କ ଏକ ବୃହତ ତଥା ଦୃଢ ନୀତିଗତ ପଦକ୍ଷେପ ଦେଶକୁ ନିଶ୍ଚିତ ରୂପେ ଏକ ଉଚ୍ଚ ଅଭିବୃଦ୍ଧି ବିକାଶ ଦିଗରେ ଆଗେଇନେବ |
ମୂଳ ଲେଖା : ଯୋଗେଶ ସୂଦ, ସାମ୍ବାଦିକ
ଅନୁବାଦ : ରୀତା ଯୋଶୀ
Comments
Post a Comment