କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବା ପାଇଁ ପାକିସ୍ତାନର ପ୍ରଚେଷ୍ଟା ଜାତିସଂଘ ନିରାପତ୍ତା ପରିଷଦରେ ସଂପୂର୍ଣ୍ଣ ବିଫଳ ହୋଇଛି। ପାକିସ୍ତାନ ପକ୍ଷରୁ ଏହାର ବଂଧୁ ଚୀନ ଜାତିସଂଘର 15 ଜଣିଆ ସଦସ୍ୟ ରାଷ୍ଟ୍ରର ଏକ ଜରୁରିକାଳିନ ବୈଠକ ଡାକିଥିଲା। ଏହି ବୈଠକରେ କେବଳ ଚୀନ ହିଁ ପାକିସ୍ତାନ ପକ୍ଷରୁ ଚିନ୍ତା ବ୍ୟକ୍ତ କରିଥିଲେ ହେଁ ଅନ୍ୟ କୌଣସି ବି ରାଷ୍ଟ୍ର ଏହାକୁ ଗୁରୁତ୍ବ ନଦେଇ ଏହା ଭାରତ ପାକିସ୍ତାନର ଦ୍ବିପକ୍ଷୀୟ ମାମଲା କହି ଏଡାଇ ଦେଇଥିଲେ। ଭାରତୀୟ ସମ୍ବିଧାନର ଧାରା 370କୁ ଉଚ୍ଛେଦ କରାଯିବା ପରେ ପାକିସ୍ତାନ କଶ୍ମୀରକୁ ନେଇ ଯେଉଁ ଭେଳିକି ଦେଖାଉଥିଲା ତାହା ଶେଷ ହେଇଛି ଏବଂ ନିଜ ପାଦ ତଳୁ ମାଟି ଖସିଯିବା ପରି ତାକୁ ବୋଧ ହୋଇଛି। ଆମେରିକା କହିଛି ଯେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ରୁଷ କହିଛି ଭାରତ ଯାହା କରିଛି ତାହା ଏହାର ସମ୍ବିଧାନ ଅନୁଯାୟୀ କରିଛି। ଏହି ସମସ୍ୟାର ସମାଧାନ ଆପୋଷ ଆଲୋଚନା ମାଧ୍ୟମରେ କରିବାକୁ ପ୍ରାୟ ସବୁ ରାଷ୍ଟ୍ର ପାକିସ୍ତାନକୁ ପରାମର୍ଶ ଦେଇଛନ୍ତି। ସବୁଠୁ ଆଲୋଚ୍ୟ ବିଷୟ ହେଲା ଯେ କଶ୍ମୀର ପ୍ରସଙ୍ଗରେ ନିରାପତ୍ତା ପରିଷଦର ଏହି ଅନୌପଚାରିକ ଆଲୋଚନାକୁ ଔପଚାରିକତା ଭାବେ ପଞ୍ଜିକରଣ ମଧ୍ୟ କରାଯିବ ନାହିଁ।
ନିରାପତ୍ତା ପରିଷଦର ଏହି ରୁଦ୍ଧଦ୍ବାର ବୈଟକ ସଂପର୍କରେ ଏକ ଅନୌପଚାରିକ ବିବୃତ୍ତି ଜାରି କରିବାକୁ ଚୀନର ଦାବିକୁ ନିରାପତ୍ତା ପରିଷଦ ଖାରଜ କରିଛି। ପରେ ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଅକବରାଦ୍ଦୁନ କଶ୍ମୀର ପ୍ରସଙ୍ଗରେ ଚୀନର ପ୍ରତିନିଧିତ୍ବକୁ ନେଇ ଚୀନ ରାଷ୍ଟ୍ରଦୂତଙ୍କ ପ୍ରତି ପ୍ରଶ୍ନବାଚୀ ଉଠାଇଥିଲେ। ପାକିସ୍ତାନ ଭାବିଥିଲା ଜାତିସଂଘ ନିରାପତ୍ତା ପରିଷଦ ଏହି ବୈଠକ ପରେ କଶ୍ମୀର ପ୍ରସଙ୍ଗ ନେଇ ଚିନ୍ତାଜନକ ବିବୃତ୍ତି ଜାରି କରିବ କିନ୍ତୁ ତାହା ହେଲାନିହିଁ। ବରଂ ପାକିସ୍ତାନ ସଂପୂର୍ଣ୍ଣ ଭାବେ ଏହି ପ୍ରସଙ୍ଗରେ ଏକଘରିକିଆ ହୋଇଗଲା ଅପରପକ୍ଷେ ପାକିସ୍ତାନ ଏହାର ଲୋକମାନଙ୍କୁ କହିବୁଲୁଛି ଯେ ସରକାର କଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତୀୟକରଣ କରିବାରେ ସଫଳ ହୋଇଛନ୍ତି କିନ୍ତୁ ବାସ୍ତବରେ ତାହା ଆଦୌ ନୁହେଁ। 1971 ମସିହା ପରେ କଶ୍ମୀର ପ୍ରସହ୍ଗ ପ୍ରଥମ ଥର ପାଇଁ ନିରାପତ୍ତା ପରିଷଦରେ ଉଠିଥିଲେ ମଧ୍ୟ ତାହା ରୁଦ୍ଧଦ୍ବାରା ବୈଠକ ଥିଲା ଏବଂ ଏହି ବୈଠକ ପରେ କୌଣସି ବିବୃତ୍ତି ପଞ୍ଜିକରଣ ହେଲା ନାହିଁ । ଏହି ପ୍ରସଙ୍ଗ ଚୀନର ଇଙ୍ଗିତରେ ଉଠାଯାଇଥିଲା ଯିଏକି ଏହା ପୂର୍ବରୁ ପାକିସ୍ତାନ ଭିତ୍ତିକ ଜୈସେ ମହମ୍ମଦ ମୁଖ୍ୟ ମସୁଦ ଅଝରକୁ ଆନ୍ତର୍ଜାତୀକ ସନ୍ତ୍ରାସବାଦୀ ଭାବେ ଘୋଷଣା କରାଯିବାକୁ ବିରୋଧ କରି ବିଫଳ ହୋଇଥିଲା। କଶ୍ମୀର ପ୍ରସଙ୍ଗରେ ଉଭୟ ପାକିସ୍ତାନ ଏବଂ ଚୀନ ଜାତିସଂଘରେ ଏକଘରିକିଆ ହୋଇ ପଡିଥିଲେ।
ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିରାପତ୍ତା ପରିଷଦରେ ପାକିସ୍ତାନର ଦାବିକୁ ସମର୍ଥନ କରିବାକୁ ଆମେରିକା ରାଷ୍ଟ୍ରପତିଙ୍କୁ ଶେଷ ମୁହୂର୍ତ୍ତରେ କରିଥିବା ଅନୁରୋଧ ମଧ୍ୟ ନିରାଧାର ସାବ୍ୟସ୍ତ ହୋଇଥିଲା। ବରଂ ରାଷ୍ଟ୍ରପତି ଟ୍ରମ୍ପ ଏହି ପ୍ରସଙ୍ଗକୁ ଭାରତ ସହିତ ଦ୍ବିପକ୍ଷୀୟ ମାମଲା ଭାବେ ଉଠାଇବାକୁ ପାକିସ୍ତାନକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ ଜାତି ସଂଘ ନିରାପତ୍ତା ପରିଷଦର ସଦସ୍ୟମାନେ ଅନୁଭବ କରିଥିଲେ ଯେ 1972ର ଶିମଳା ରାଜିନାମା ଏବଂ 1999ର ଲାହୋର ଘୋଷଣାନାମା ପରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉପରେ ଅନ୍ୟ କୌଣସି ଦେଶର କିଛି ଭୂମିକା ନାହିଁ ବରଂ ଏହା ଦୁଇ ଦେଶର ଦ୍ବିପକ୍ଷୀୟ ମାମଲା। ଭାରତ ମଧ୍ୟ ସର୍ବଦା କହିଆସିଛି ଯେ ଏହି ଦୁଇଟି ରାଜିନାମା ପରେ ତୃତୀୟ ପକ୍ଷର ହସ୍ତକ୍ଷେପର କୌଣସି ସୁଯୋଗ ଆଉ ରହିନାହିଁ। ଭାରତ ପାକିସ୍ତାନ ସହିତ କୌଣସି ବି ଦ୍ବିପକ୍ଷୀୟ ମାମଲା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛି କିନ୍ତୁ ପାକିସ୍ତାନ ପ୍ରଥମେ ସନ୍ତ୍ରାସବାଦକୁ ବନ୍ଦ କରିବା ଦରକାର। କଥାବାର୍ତ୍ତା ଏବଂ ସନ୍ତ୍ରାସବାଦ ଏକସଙ୍ଗେ ହୋଇପାରିବ ନାହିଁ ବୋଲି ଭାରତ କହିଆସିଛି। କଶ୍ମୀରକୁ ନେଇ ପାକିସ୍ତାନ ଏବଂ ଚୀନ ମଧ୍ୟରେ ରହିଥିବା ଚାଲବାଜିକୁ ବିଶ୍ବ ହୃଦୟଙ୍ଗମ କରିଛି ଏବଂ ସନ୍ତ୍ରାସବାଦକୁ ବନ୍ଦ କରି ଭାରତ ସହିତ ରାଜନୈତିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା କରିବା ଉଚିତ ବୋଲି ଗ୍ରହଣ କରିଛି।
ଜମ୍ମୁ କଶ୍ମୀର ଉପରେ ଭାରତ ଏକପାଖିଆ ପଦକ୍ଷେପ ନେଇଥିବା ଚୀନ ରାଷ୍ଟ୍ରଦୂତଙ୍କ ବକ୍ତବ୍ୟକୁ ଭାରତର ଜାତିସଂଘରେ ଥିବା ସ୍ଥାୟୀ ରାଷ୍ଟ୍ରଦୂତ ଦୃଢ ଭାବେ ଖଣ୍ତନ କରି କହିଛନ୍ତି ଯେ ଧାରା 370 ଉଚ୍ଛେଦ ଭାରତର ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ମାମଲା ଏଥିରେ ଅନ୍ୟ କୌଣସି ଦେଶର କୌଣସି ପ୍ରକାର ଭୂମିକା ନାହିଁ କିମ୍ବା ହ୍ସତକ୍ଷେପ ଲୋଡା ନାହିଁ। କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘରେ ପାକିସ୍ତାନର ଅସଫଳ ଉଦ୍ୟମ ପୁଣି ଥରେ ଧୂଳିସାତ ହୋଇଛି।
ଆଲେଖ୍ୟ: ରଣଜୀତ କୁମାର
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment