Skip to main content

ଭାରତୀୟ ବିମାନ ବାହିନୀ : ଏକ ଗେମ ଚେଞ୍ଜର ହେବା ପାଇଁ ପ୍ରସ୍ତୁତ

ଭାରତୀୟ ବିମାନ ବାହିନୀ (ଆଇଏଏଫ) ଆସନ୍ତା ମାସ ଦ୍ଵିତୀୟ ସପ୍ତାହରେ ଫ୍ରାନ୍ସର ବିମାନ ଚଳାଚଳ କମ୍ପାନୀ ଡାସଲ୍ଟ ଠାରୁ ପ୍ରଥମ ଲଢୁଆ ବିମାନ ରାଫେଲର କ୍ରୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି | ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଫ୍ରାନ୍ସ ରେ ଏହି ପ୍ରଥମ ରାଫେଲ ଜେଟ ଗ୍ରହଣ କରିବେ | ଆଇଏଏଫ ଆସନ୍ତା ବର୍ଷ ମେ ପର୍ଯ୍ୟନ୍ତ ରାଫେଲ ଉଡାଣ ପାଇଁ ତିନୋଟି ଭିନ୍ନ ଭିନ୍ନ ବ୍ୟାଚରେ 24 ଜଣ ପାଇଲଟଙ୍କୁ ତାଲିମ ପ୍ରଦାନ କରିବ | ପ୍ରଥମ ବ୍ୟାଚର ଜେଟ ଗୁଡିକ ସେହି ସମୟରେ ଭାରତରେ ପହଞ୍ଚିବ| ଶହ ଶହ ସଂଖ୍ୟାରେ ଅପ୍ରଚଳିତ ପୁରୁଣା ପିଢୀର ଆଇଏଏଫ ମିଗ-21, ମିଗ-23 ଓ ମିଗ-27କୁ କିପରି ବଦଳାଯିବ ସେ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ରାଫେଲ ର ତତ୍କାଳ କ୍ରୟ କରିବାର ନିଷ୍ପତ୍ତି ଯୁକ୍ତି ସଙ୍ଗତ ବୋଲି ବିବେଚନା କରାଯାଉଛି |


ବିଗତ ବହୁ ଦଶନ୍ଧି ହେଲା ଭାରତର ନିକଟ ପଡୋଶୀରେ ଉପୁଜିଥିବା ଘଟଣାକ୍ରମ ଓ ସୀମା ପାର ସନ୍ତ୍ରାସବାଦ ବୃଦ୍ଧି ଯୋଗୁଁ ଭାରତର ନେତୃତ୍ଵ ଜରୁରୀକାଳିନ ଭାବେ ପ୍ରତିରକ୍ଷା କ୍ରୟ ଉପରେ ଦ୍ରୁଷ୍ଟି କେନ୍ଦ୍ରିତ କରିଥିଲେ | ବର୍ତ୍ତମାନ ସମୟରେ ଭାରତର ପ୍ରତିରକ୍ଷା ନୀତିରେ ମଧ୍ୟ ଏକ ବଡ ପରିବର୍ତ୍ତନ ଦେଖାଯାଇଛି ଯଦ୍ୱାରା ନିକଟ ପଡୋଶୀ ରାଷ୍ଟ୍ର ଦ୍ଵାରା ପ୍ରାୟୋଜିତ ସନ୍ତ୍ରାସବାଦ କାର୍ଯ୍ୟକଳାପର ଦମନ ଲାଗି ଏକ ଦୃଢ ଆଭିମୁଖ୍ୟ ଗ୍ରହଣ କରାଯାଇଛି | ଏମିତିରେ ଭାରତ ମଧ୍ୟ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ ଯଦି କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତି ଉପୁଜେ ତେବେ ନୂଆଦିଲ୍ଲୀ ଏହାର ପରମାଣୁ ସଙ୍କ୍ରାନ୍ତୀୟ ସିଦ୍ଧାନ୍ତ “ପ୍ରଥମେ ପ୍ରୟୋଗ ନ କରିବା” ନୀତି ଉପରେ ସମୀକ୍ଷା କରିବା ଲାଗି ଆଦୌ ସଙ୍କୋଚ କରିବ ନାହିଁ |


ଗତ ଫେବୃଆରୀ ମାସରେ ବାଲାକୋଟରେ କରାଯାଇଥିବା ଭାରତର ସର୍ଜିକାଲ ଷ୍ଟ୍ରାଇକ ଏହା ସ୍ପଷ୍ଟ ସଂକେତ ଦେଇଛି ଯେ ଭାରତୀୟ ବିମାନ ବାହିନୀ ଭବିଷ୍ୟତରେ ମଧ୍ୟ ଏହିପରି କଡା ଜବାବ ଦେବ | ଭାରତୀୟ ନେତୃତ୍ଵ ଅନୁଭବ କରିଛନ୍ତି ଯେ ଅଧିକ ପ୍ରଭାବଶାଳୀ ବାୟୁ ଶକ୍ତି ଓ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ବିନା ଉତ୍ତରାଞ୍ଚଳରେ ଉଭା ହୋଇଥିବା ପରିସ୍ଥିତିର ମୁକାବିଲା କରାଯାଇପାରିବ ନାହିଁ | ଏହି ପରିପ୍ରେକ୍ଷୀରେ ରାଫେଲ କ୍ରୟ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି | ବାଲାକୋଟ ଅଭିଯାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ରାଫେଲ ଲଢୁଆ ବିମାନ ଯଦି ବ୍ୟବହାର କରାଯାଇଥା’ନ୍ତା ତାହାହେଲେ ପରିଣାମ ଆହୁରି ଫଳପ୍ରଦ ହୋଇପାରିଥାନ୍ତା | ସେ ମୁଖ୍ୟତଃ ରାଫେଲ ର ଦକ୍ଷତା ଓ କ୍ଷମତା ବିଷୟରେ କହିଥିଲେ ଓ ଭାରତୀୟ ସ୍କ୍ବାଡ୍ରନରେ ଏହି ବିମାନର ଅଭାବ ରହିଛି ବୋଲି ଜଣାଇଥିଲେ | ସୂଚନାଯୋଗ୍ୟ ଯେ ବାଲାକୋଟ ଆକ୍ରମଣ ରେ ଭାରତୀୟ ବିମାନ ବାହିନୀକୁ ଏହି କମ୍ପାନୀ ଦ୍ଵାରା ହିଁ ନିର୍ମାଣ କରାଯାଇଥିବା ମିରାଜ-2000 ବିମାନ ଗୁଡିକ ଉପରେ ନିର୍ଭର ହେବାକୁ ପଡିଥିଲା|

ରାଫେଲ ନିଜ ଦକ୍ଷତା ପ୍ରମାଣିତ କରିସାରିଛି ଯାହାକି ବିଶ୍ଵର ସର୍ବଶ୍ରେଷ୍ଠ ଲଢୁଆ ବିମାନ ଆମେରିକାର ଏଫ-22 ରାପଟର ଠାରୁ ଅଧା ପିଢୀ ପଛରେ ରହିଛି | ଏହା ଭାରତୀୟ ବିମାନ ବାହିନୀ ପାଇଁ ଅତ୍ୟନ୍ତ ଲାଭକାରୀ ହେବ |ବାସ୍ତବରେ କହିବାକୁ ଗଲେ ରାଫେଲ ଭାରତୀୟ ବିମାନ ବାହିନୀ ଲାଗି ଏକ ଗେମ ଚେଞ୍ଜର ସଦୃଶ୍ୟ ହେବ କାରଣ ଆକାଶ ମାର୍ଗରେ ଶତ୍ରୁ ଦମନ ଲାଗି ଏହାର ଯଥେଷ୍ଟ କ୍ଷମତା ରହିଛି | ବହୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରାଫେଲ ର ଉଦ୍ଦେଶ୍ୟ ହେଉଛି ଆକାଶ ପଥରେ ସଞ୍ଚାଳନ, ନିବାରଣ, ପର୍ଯ୍ୟବେକ୍ଷଣ ଓ ପରମାଣୁ ନିବାରକ ମିଶନ ଭଳି କାର୍ଯ୍ୟ କରିବା | ରାଫେଲ ଭାରତର ଆବଶ୍ୟକତା ଗୁଡିକ ମଧ୍ୟ ପୁରା କରିବ ଯେମିତିକି ପାଇଲଟ ମାନଙ୍କୁ ନିମିଷକ ମଧ୍ୟରେ ଗୁଳିଚାଳନା କରିବାର କ୍ଷମତା ଦେବା, ଲେହ ଭଳି ସମୁଦ୍ର ପତନ ଠାରୁ ଉଚ୍ଚରେ ଥିବା ଏୟାର ବେସ ରୁ ଉଡାଣ କରି ଶୀଘ୍ର ମୁକାବିଲା କରିବାର କ୍ଷମତା ପ୍ରଦାନ କରିବା ଇତ୍ୟାଦି। ଏହି ବିମାନରେ ଶତ୍ରୁ ଉପରେ ନଜର ରଖିବା ବ୍ୟବସ୍ଥାର ରାଡ଼ାରକୁ ଚିହ୍ନଟ ଲାଗି ଚେତାବନୀ ରିସିଭର ତଥା କ୍ଷେପଣାସ୍ତ୍ର ଆକ୍ରମଣ କୁ ବିଫଳ କରିବାର ମଧ୍ୟ ଏକ ବ୍ୟବସ୍ଥା ରହିଛି | 

ରାଫେଲ ରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରହିଛି ଯେଉଁଥିରେ ଭୂମି ଉପରେ ଆକ୍ରମଣ କରିପାରୁଥିବା ଏକ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଅଛି ଯାହାକି 300 କିଲୋମିଟର ପରିଧି ମଧ୍ୟରେ ସଠିକ ରୂପେ ଏହାର ଲକ୍ଷସାଧନ କରିଥାଏ | ଏଥିସହିତ ଆକାଶ ମାର୍ଗରୁ ଆକାଶ ମାର୍ଗରେ କ୍ଷେପଣାସ୍ତ୍ର ଆକ୍ରମଣରେ ମଧ୍ୟ ଏହା ନିଜ ଶ୍ରେଣୀରେ ସର୍ବଶ୍ରେଷ୍ଠ ଅଟେ | ରାଫେଲର 100 କିଲୋମିଟର ରୁ ଅଧିକ ଦୂରରୁ ମଧ୍ୟ ଶତ୍ରୁ ର ବିମାନକୁ ଚିହ୍ନଟ କରିବାର କ୍ଷମତା ରହିଛି | ରାଫେଲ ବିଗତ ବହୁ ବର୍ଷ ହେଲା ସକ୍ରିୟତାର ସହ ଅନେକ ଯୁଦ୍ଧ ରେ ସାମିଲ ହୋଇଛି ଓ ଏହାର କ୍ଷମତା ପ୍ରମାଣ କରିସାରିଛି|

ସମ୍ପ୍ରତ୍ତି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପରୀକ୍ଷଣ ସ୍ୱରୂପ ଭାରତର ହାଲୁକା ଲଢୁଆ ବିମାନ ତେଜାସରେ ଉଡାଣ କରିଥିଲେ | ତେଜାସ ହେଉଛି ଏକ ବହୁମୂଖୀ ସୁପରସୋନିକ ବିମାନ ଯାହାକୁ ଆକାଶ ମାର୍ଗରୁ ଆକାଶ ମାର୍ଗକୁ, ଆକାଶ ମାର୍ଗରୁ ଭୁପୃଷ୍ଠ କୁ, ସଠିକ ପରିଚାଳିତ କ୍ଷେପଣାସ୍ତ୍ର ଓ ଅସ୍ତ୍ରଶସ୍ତ୍ର କୁ ବହନ କରିବା ଲାଗି ଡିଜାଇନ କରାଯାଇଛି | ଏହି ବିମାନ ମଧ୍ୟ ଖୁବ ଶୀଘ୍ର ଭାରତୀୟ ବିମାନ ବାହିନୀରେ ସାମିଲ ହେବାର ଆଶା କରାଯାଉଛି |


ବିକାଶଶୀଳ ଭାରତରେ ଜାତୀୟ ସ୍ଵାର୍ଥ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାର ସ୍ଵାର୍ଥ ରକ୍ଷା ଲାଗି ଏକ ଶକ୍ତିଶାଳୀ ସାମରିକ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି | ଏହି ସନ୍ଦର୍ଭରେ ଭାରତ ଏକ ମଜବୁତ ଉଦ୍ୟୋଗିକ କ୍ଷମତା ସହାୟତାରେ ସ୍ଵଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ନିର୍ଭରଶୀଳ ଅଟେ | ଏହା ରଣନୀତିକ ସ୍ଵତନ୍ତ୍ରତା ଓ ଏକ ସ୍ଵାଧୀନ ଜାତୀୟ କ୍ଷମତା ତଥା ଶକ୍ତି କୁ ଦର୍ଶାଇଥାଏ | ରାଫେଲ ଲଢୁଆ ବିମାନ ଭାରତୀୟ ବିମାନ ବାହିନୀର ବର୍ତ୍ତମାନର ଆବଶ୍ୟକତା ପୂରଣ କରିବ ଓ ଏହାର କ୍ଷମତା ବୃଦ୍ଧି କରିବ | କିନ୍ତୁ ଦୀର୍ଘକାଳୀନ ହିତସାଧନ ପାଇଁ ଏପରି ଅତ୍ୟାଧୁନିକ ବିମାନ କ୍ରୟ ସହିତ ଦେଶୀୟ ଉଦ୍ୟୋଗିକ କ୍ଷମତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ରହିଛି |



ମୂଳ ଲେଖା : ଉତ୍ତମ କୁମାର ବିଶ୍ଵାସ, ପ୍ରତିରକ୍ଷା ବିଶ୍ଳେଷକ 

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...