ଭାରତ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ ସହିତ ସମାନତା ଏବଂ ସାର୍ବଭୌମତ୍ବ ପାଇଁ ଆପୋଷ ସମ୍ମାନ ଭିତ୍ତିରେ ସହଯୋଗକୁ ବିକଶିତ କରିବା ଲାଗି ନିଜର ପ୍ରତିଜ୍ଞାବଦ୍ଧତାକୁ ଦୋହରାଇଛି। ଭାରତ ଏହାର ଜ୍ଞାନକୌଶଳ ଏବଂ ଅର୍ଥନୈତିକ ସହଯୋଗ(ଆଇ.ଟି.ଇ.ସି)ର 55ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବୈଦେଶିକ ମନ୍ତ୍ରଣାଳୟ ଏହାର ଅନ୍ୟତମ ସର୍ବବୃହତ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଫ୍ରିକା ପାଇଁ ଟେଲି ମେଡିସିନ, ଟେଲି ଶିକ୍ଷା ବ୍ୟତିତ ଇ-ବିଦ୍ୟା ଏବଂ ଇ-ଆରୋଗ୍ୟ ଭାରତୀ ଆରମ୍ଭ କରିଛି।
ଏହିସବୁ ପ୍ରକଳ୍ପ ଦ୍ୱାରା ଆଫ୍ରିକାର ଛାତ୍ରମାନେ ଘରେ ବସି ଭାରତର ସର୍ବୋତ୍ତମ ଶିକ୍ଷା ହାସଲ କରିପାରୁଛନ୍ତି ଏବଂ ଆଫ୍ରିକୀୟ ଡାକ୍ତର ଏବଂ ରୋଗୀମାନେ ଭାରତୀୟ ଉଚ୍ଚ ଚିକିତ୍ସା ଅଭିଜ୍ଞତାର ଲାଭ ପାଇପାରୁଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର 55ତମ ଆଇ.ଟି.ଇ.ସି ଉତ୍ସବ ଉପଲକ୍ଷେ ଉଦବୋଧନ ଦେଇ କହିଛନ୍ତି ଯେ ଭାରତର ବୈଦେଶିକ ନୀତିରେ ସର୍ବଦା ବିକାଶମୂଳକ ସହଯୋଗ ରହିଆସିଛି ଏବଂ ଦୀର୍ଘ ସାତ ଦଶନ୍ଧି ଧରି ଭାରତର ଯେଉଁ ବିକାଶମୂଳକ ଅଭିଜ୍ଞତା ରହିଛି ତାକୁ ଏହାର ଭାଗିଦାରୀ ରାଷ୍ଟ୍ରମାନଙ୍କ କଲ୍ୟାଣରେ ନିୟୋଜିତ କରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଭିତ୍ତିରେ ଭାରତର ଡିଜିଟାଲ ଜ୍ଞାନର ଲାଭ ଯେପରି ଆଫ୍ରିକାର ଯୁବପିଢି ପାଇପାରିବେ ସେଥିପାଇଁ ଆଇ.ଟି.ଇ.ସି ଆଫ୍ରିକାର ସମସ୍ତ 54ଟି ଦେଶରେ କାର୍ଯ୍ୟକାରୀ କରାଯାଉଛି। ମାନବ ସମ୍ୱଳର ବିକାଶ ହେଉଛି ଭାରତର ବିକାଶମୂଳକ ସହଯୋଗ ଏବଂ ବିଦେଶ ନୀତିର ମୁଖ୍ୟ ଆଧାର। ଆଇ.ଟି.ଇ.ସି ଏବଂ ଅନ୍ୟ ଦକ୍ଷତା ବିକାଶ ପଦକ୍ଷେପଗୁଡିକ ମାଧ୍ୟମରେ ବିଶ୍ବର ସମୃଦ୍ଧି ଏବଂ ଅଭିବୃଦ୍ଧି ହାସଲ ହେବାରେ ସହାୟତା ମିଳିବ ବୋଲି ଭାରତ ବିଶ୍ୱାସ କରେ ଏବଂ ଭାରତ ନିଜର ବିକାଶମୂଳକ କାହାଣୀ ଅନ୍ୟ ଦେଶମାନଙ୍କ କଲ୍ୟାଣରେ ଲଗାଇବା ନୀତିରେ ଅଟଳ ରହିଛି।
ବେଦେଶିକ ମନ୍ତ୍ରୀଙ୍କ ଅଭିଭାଷଣରୁ ଏହା ସ୍ପଷ୍ଟ ଅନୁମେୟ ଯେ ଦକ୍ଷିଣ ଗୋଲାର୍ଦ୍ଧର ଦେଶଗୁଡିକ ହେଉଛି ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ବାଗିଦାରୀ ରାଷ୍ଟ୍ର। ଭାରତ ଏବଂ ଆଫ୍ରିକା ମିଳିତ ଭାବେ ବିଶ୍ୱର 6.3 ବିଲିୟନ ଲୋକମାନଙ୍କ ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଆମମାନଙ୍କ ମଧ୍ୟରେ ଅନେକଙ୍କ ସହିତ ଶତାବ୍ଦି ଶତାବ୍ଦି ଧରି ସଂପର୍କ ରହିଆସିଛି ସଂସ୍କୃତି ଏବଂ ବାଣିଜ୍ୟ ଆଧାରରେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମର ପୂର୍ବପୁରୁ,ମାନେ ଉପନିବେଶବାଦି ଶକ୍ତିଙ୍କ ବିରୁଦ୍ଧରେ ମିଳିତ ଭାବେ ସଂଗ୍ରାମ କରିଛନ୍ତି। ଆଜି ଆମର ସାମଗ୍ରୀକ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର 220 ବିଲିୟନ ଡଲାରରେ ପହଞ୍ଚିଛି।
ବିଗତ 55 ବର୍ଷ ମଧ୍ୟରେ ଭାରତ 161ଟି ଭାଗିଦାରୀ ରାଷ୍ଟ୍ରର 2ଲକ୍ଷ ସରକାରୀ ଅଧିକାରୀ ଏବଂ ଉଦୌଗୀମାନଙ୍କ ଦକ୍ଷତା ବୃଦ୍ଧି କରିଛି। ପ୍ରତି ବର୍ଷ ଭାରତ ଆଇଟି, ସ୍ୱାସ୍ଥ୍ୟ ସେବା, କୃଷି, ଶାସନ, ଉଦୌଗ, ଶକ୍ତି, ପାର୍ଲାମେଣ୍ଟାରି ଶିକ୍ଷା ଆଦି କ୍ଷେତ୍ରରେ 12 ହଜାର ବୃତ୍ତି ପ୍ରଦାନ କରୁଛି ଏବଂ ଏହାକୁ ଅଧିକ ସଂପ୍ରସାରଣ କରିବାର ଆବଶ୍ୟକତା ଥିବା ଦାବି କରାଯାଉଛି। ବସୁଧୈବ କୁଟୁମ୍ବକମ ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର ବୋଲି ଭାରତର ଯେଉଁ ମୂଳ ନୀତି ଏବଂ ପ୍ରତିଜ୍ଞା ରହିଛି ତାହା ପରିପୂରଣ ଭାରତର ଧ୍ୟେୟ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି।
ଦ୍ୱିପକ୍ଷୀୟ ଗସ୍ତ କାଳରେ ଆଇ.ଟି.ଇ.ସି ପ୍ରଶିକ୍ଷଣ କେନ୍ଦ୍ର ବୃଦ୍ଧି ପାଇଁ ଅନେକ ଥର ଘୋଷଣା ହୋଇଛି ବିଭିନ୍ନ ମଞ୍ଚ ଯେପରିକି ବିଷ୍ଟେକ, ଆସିଆନ, କାରବିୟନ କମ୍ୟୁନିଟି ଇତ୍ୟାଦିରେ। ଶ୍ରୀ ଜୟଶଙ୍କର କହିଛନ୍ତି ପଡୋଶୀ ଦେଶ ପ୍ରଥମେ ଏବଂ ଆଫ୍ରିକା କେନ୍ଦ୍ରବିନ୍ଦୁ ବୋଲି ଭାରତର ରହିଥିବା ଆଞ୍ଚଳିକ ନୀତି ଅନୁଯାୟୀ ଏହିସବୁ ଦକ୍ଷତା ବିକାଶ କାର୍ଯ୍ୟ କରାଯାଉଛି। ଆଇ.ଟି.ଇ.ସି ଅନ୍ତର୍ଗତ ଏସିଆ, ୟୁରୋପ, ମଧ୍ୟ ଏସିଆ, ଆଫ୍ରିକା ଏବଂ ଲାଟିନ ଆମେରିକାର 161ଟି ଦେଶରେ ଦୀର୍ଘ ସାତ ଦଶନ୍ଧି ହେଲା ଭାରତ ଏହାର ବିକାଶମୂଳକ ଅଭିଜ୍ଞତାକୁ ପହଞ୍ଚାଇଛି ଏବଂ ଏଥିପାଇଁ ଦୁଇ ବିଲିୟନ ଡଲାର ଖର୍ଚ୍ଚ ହୋଇଛି ଯାହାଦ୍ୱାରା ହଜାର ହଜାର ଛାତ୍ର ଉପକୃତ ହୋଇଛନ୍ତି। କିଛି ବର୍ଷ ହେଲା ଏହି କାର୍ଯ୍ୟକ୍ରମ ପାଇଁ ବର୍ଷକୁ 100 ମିଲିୟନ ଡଲାର ଖର୍ଚ କରାଯାଉଛି।
ଆଲେଖ: ବିନିତ ୱାହି
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment