Skip to main content

କର୍ତ୍ତାରପୁର କୋରିଡରର ଶୁଭାରମ୍ଭ

ଭାରତ ଓ ପାକିସ୍ତାନ, ସମ୍ପ୍ରତି ଚାଲିଥିବା ଦ୍ଵିପକ୍ଷୀୟ ଉତ୍ତେଜନା ସତ୍ତ୍ୱେ ମଧ୍ୟ, ଗୁରୁଦ୍ଵାରା ଦରବାର ସାହିବର ପରିଦର୍ଶନ ଲାଗି ତୀର୍ଥଯାତ୍ରୀ ମାନଙ୍କ ପାଇଁ କର୍ତ୍ତାରପୁର ସାହିବ କୋରିଡର ଖୋଲିବା ଲାଗି ନିଷ୍ପତ୍ତି ନେଇଛନ୍ତି | ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନାରୋୱାଲ ଜିଲ୍ଲା ସ୍ଥିତ କର୍ତ୍ତାରପୁର ସାହିବ ହେଉଛି ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବ ଜୀ ଙ୍କ ପବିତ୍ର ଧର୍ମପୀଠ | ଶ୍ରୀ ଗୁରୁ ନାନକ ଦେବ ଜୀ ଅଠର ବର୍ଷ ପର୍ଯ୍ୟନ୍ତ କର୍ତ୍ତାରପୁର ସାହିବରେ ନୀତିଶିକ୍ଷା ପ୍ରଦାନ କରିବା ସହ ଧର୍ମବାଣୀ ପ୍ରଚାର କରିଥିଲେ | ଏହି ସ୍ଥାନରେ ସେ ତାଙ୍କ ଅନ୍ତିମ ସମୟ ବିତାଇଥିଲେ | ପ୍ରଥମ ଶିଖ ଗୁରୁଙ୍କ 550 ତମ ଜୟନ୍ତୀ ଅବସରରେ ନଭେମ୍ବର ମାସରେ ଏହାକୁ ଉଦଘାଟନ କରିବାକୁ ଯୋଜନା କରାଯାଇଛି | ଗତ ବର୍ଷ ନଭେମ୍ବରରେ ଭାରତ ସରକାର ଭାରତର ଗୁରଦାସପୁର ଜିଲ୍ଲାରେ ଡେରା ବାବା ନାନକରୁ ଆନ୍ତର୍ଜାତୀୟ ସୀମା ପର୍ଯ୍ୟନ୍ତ ଏକ ଚାରି ଲେନ ବିଶିଷ୍ଟ କୋରିଡର ର ନିର୍ମାଣ ଲାଗି ମଞ୍ଜୁରୀ ପ୍ରଦାନ କରିଥିଲେ |

ପାକିସ୍ତାନରେ ଶିଖ ସମ୍ପ୍ରଦାୟର ପାଖାପାଖି 173ଟି ଧର୍ମପୀଠ ରହିଛି | 1974ରେ ହୋଇଥିବା ଭାରତ ଓ ପାକିସ୍ତାନ ଦ୍ଵିପକ୍ଷୀୟ ପ୍ରୋଟୋକଲ ଅନୁଯାୟୀ ଏଥିମଧ୍ୟରୁ ମାତ୍ର କେତୋଟି ଧର୍ମପୀଠରେ ଭାରତର ଶିଖ ଧର୍ମାବଲମ୍ବୀ ମାନେ ଦର୍ଶନ କରିପାରୁଛନ୍ତି | ଏହି ପ୍ରୋଟୋକଲ ଅନୁଯାୟୀ ତୀର୍ଥଯାତ୍ରୀ ମାନେ ପରସ୍ପର ର କ୍ଷେତ୍ରରେ ସ୍ଥିତ ଧାର୍ମିକ ସ୍ଥଳୀ ଗୁଡିକୁ ଯାତ୍ରା କରିପାରନ୍ତି |

ଏହା ପୂର୍ବରୁ ଶିଖ ସମ୍ପ୍ରଦାୟର ତୀର୍ଥଯାତ୍ରୀ ମାନେ ସୀମା ଠାରେ ଡେରା ବାବା ନାନକରେ ସ୍ଥାପିତ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଗୁରୁଦ୍ଵାର ଦରବାର ସାହିବ ର ଦର୍ଶନ କରୁଥିଲେ | କେବଳ ବୈଶାଖୀ ଉତ୍ସବ, ଗୁରୁ ଅର୍ଜନ ଦେବଜୀ ଙ୍କ ଶହିଦ ଦିବସ , ମହାରାଜା ରଞ୍ଜିତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ ଓ ଗୁରୁ ନାନକ ଦେବଜୀ ଙ୍କ ଜୟନ୍ତୀ ଭଳି ଚାରୋଟି ଅବସରରେ ବହୁ କମ ସଂଖ୍ୟାରେ ତୀର୍ଥଯାତ୍ରୀଙ୍କୁ ଗସ୍ତ ଲାଗି ପାକିସ୍ତାନ ଅନୁମତି ଦେଉଥିଲା |

ଦରବାର ସାହିବ ଧର୍ମପୀଠକୁ ଭାରତର ଶିଖ ତୀର୍ଥଯାତ୍ରୀ ମାନଙ୍କ ଯାତ୍ରା ସୁଗମ କରିବା ଲାଗି ଏକ କୋରିଡର ସହ ସଂଯୋଗ କରିବା ପାଇଁ ବହୁ ପୂର୍ବରୁ ପ୍ରସ୍ତାବ ରହିଥିଲା | ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଲାହୋରକୁ ଐତିହାସିକ ବସ ଯାତ୍ରା ସମୟରେ ଏକ କୋରିଡର ନିର୍ମାଣ ଲାଗି ଭାରତ ପ୍ରସ୍ତାବ ଦେଇଥିଲା | 1999ରେ କର୍ତ୍ତାରସାହିବ ର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବା ପରେ ସେହି ବର୍ଷ ପାକିସ୍ତାନୀ ଶିଖ ମାନଙ୍କୁ ନିଜ ଧର୍ମସ୍ଥଳୀକୁ ସ୍ୱାୟତ୍ତ ଭାବେ ପରିଚାଳିତ କରିବା ଉଦ୍ଦ୍ୟେଶରେ ପାକିସ୍ତାନ ମଧ୍ୟ, ଲେଫ୍ଟେନେଣ୍ଟ ଜେନେରାଲ ଜାଭିଦ ନାସୀରଙ୍କ ଅଧ୍ୟକ୍ଷତାରେ ପାକିସ୍ତାନ ଗୁରୁଦ୍ୱାରା ପ୍ରବନ୍ଧକ କମିଟି ସ୍ଥାପନା କରିଥିଲା | ତେବେ ପାକିସ୍ତାନ ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ ଅଧୀନରେ ଏହି ସଂସ୍ଥା କାର୍ଯ୍ୟ କରୁଛି |

ଗୁରୁଦ୍ୱାରା ଦରବାର ସାହିବ ପରିଦର୍ଶନ ଲାଗି ଶିଖ ତୀର୍ଥଯାତ୍ରୀ ମାନଙ୍କ ସୁବିଧା ଲାଗି କର୍ତ୍ତାରପୁର କୋରିଡର ଖୋଲିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଥିବା ବିଷୟ ଘୋଷଣା କରିବା ପରେ କୋରିଡର ର ସଞ୍ଚାଳନ ପାଇଁ କାର୍ଯ୍ୟ ପ୍ରଣାଳୀ ଉପରେ ବିଚାର ବିମର୍ଶ ଲାଗି ଚଳିତ ବର୍ଷ ମାର୍ଚ୍ଚ ମାସରେ ଅଟାରୀ ଠାରେ ଦୁଇ ଦେଶ ସେମାନଙ୍କ ପ୍ରଥମ ବୈଠକ କରିଥିଲେ | ତେବେ ଦୁଇଟି ବିଷୟ ଉପରେ ମତପାର୍ଥକ୍ୟ ରହିଥିଲା | ପାକିସ୍ତାନ କହିଛି ଯେ ଏକ ପରମିଟ ବା ଅନୁମତି ବ୍ୟବସ୍ଥା ଆରମ୍ଭ କରିବ ଓ ତୀର୍ଥଯାତ୍ରୀ ମାନଙ୍କ ଉପରେ 20 ଡଲାରର ପ୍ରବେଶ ଶୁଳ୍କ ଲାଗୁ କରିବ | ତୀର୍ଥଯାତ୍ରୀ ମାନଙ୍କ ଠାରୁ ଆଦାୟ ଅର୍ଥକୁ କୋରିଡର ର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ପାକିସ୍ତାନ ମୁଖ୍ୟତଃ ଯୁକ୍ତି ବାଢିଛି | ତେଣେ ମୁକ୍ତ ଯାତ୍ରା ଲାଗି ଅନୁମତି ଦେବାକୁ ଭାରତ ନିରନ୍ତର ଦାବି କରିଆସୁଛି କାରଣ ଶୁଳ୍କ ଲାଗୁ କଲେ ଗରିବ ଶ୍ରଦ୍ଧାଳୁ ମାନେ ପବିତ୍ର ଧାର୍ମିକ ପୀଠ ଦର୍ଶନରୁ ବଞ୍ଚିତ ହେବେ | ଏଥିସହିତ ତୀର୍ଥଯାତ୍ରୀ ମାନଙ୍କ ସହ କୂଟନୈତିକ ଓ ପ୍ରୋଟୋକଲ ଅଧିକାରୀ ମାନେ ମଧ୍ୟ ଯାତ୍ରା କରିବାକୁ ଅନୁମତି ଦେବା ଲାଗି ଭାରତର ଅନୁରୋଧ ଉଭୟଙ୍କ ମଧ୍ୟରେ ମତଭେଦର ଅନ୍ୟ ପ୍ରମୁଖ କାରଣ ପାଲଟିଛି | ଅତୀତରେ ସୁରକ୍ଷା ଜନିତ କାରଣ ଦର୍ଶାଇ ଇସଲାମାବାଦ ଦ୍ଵାରା ପନଯା ସାହିବ ଓ ନାନକାନା ସାହିବ ଗୁରୁଦ୍ଵାରକୁ ଯାଉଥିବା ଶିଖ ତୀର୍ଥଯାତ୍ରୀ ମାନଙ୍କ ସହ ସାକ୍ଷାତ କାରିବାଲାଗି ଭାରତୀୟ ଉଚ୍ଚ କମିଶନ ର ଅଧିକାରୀ ମାନଙ୍କୁ ରୋକା ଯାଉଥିଲା |

ଦୁଇ ଦେଶ ଭିସା-ମୁକ୍ତ ଯାତ୍ରା ଲାଗି ସହମତି ପ୍ରକାଶ କରିଛନ୍ତି କିନ୍ତୁ ତୀର୍ଥଯାତ୍ରୀ ମାନଙ୍କୁ ନିଜ ନିଜର ପାସପୋର୍ଟ ସାଙ୍ଗରେ ନେବା ସହ ଅନଲାଇନ ପଞ୍ଜୀକରଣ କରିବାକୁ ପଡିବ | ଭାରତ, ପ୍ରତିଦିନ 10,000 ତୀର୍ଥଯାତ୍ରୀଙ୍କୁ ଧର୍ମପୀଠ ଦର୍ଶନ ଲାଗି ଅନୁମତି ଦେବାକୁ ଅନୁରୋଧ କରିଥିଲା ହେଲେ ଦିନକୁ 5,000 ତୀର୍ଥଯାତ୍ରୀ ଦର୍ଶନ କରିବା ଓ ସ୍ଵତନ୍ତ୍ର ଅବସରରେ ଅଧିକ ଲୋକଙ୍କୁ ଅନୁମତି ଦେବା ପାଇଁ ସହମତି ପ୍ରକାଶ ପାଇଛି |

ତେବେ ଏପରି କେତେକ ଭାରତ ବିରୋଧୀ ତତ୍ତ୍ଵ ଅଛନ୍ତି ଯେଉଁମାନେ କର୍ତ୍ତାରପୁର ସାହିବରେ ତୀର୍ଥଯାତ୍ରୀ ମାନଙ୍କ ଉପସ୍ଥିତିର ଫାଇଦା ଉଠାଇବା ପାଇଁ ଚାହାନ୍ତି ଓ ପାକିସ୍ତାନ ଦ୍ଵାରା ସମର୍ଥିତ ଭାରତରେ ବିନାଶକାରୀ କାର୍ଯ୍ୟକଳାପ ଭିଆଇବାକୁ ଚାହାନ୍ତି | ଏହା ଭାରତ ପାଇଁ ଏକ ବଡ ଚିନ୍ତାର କାରଣ ପାଲଟିଛି | ଅତୀତରେ ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପ ପଛରେ ପାକିସ୍ତାନର ହାତ ରହିଥିବା ବେଳେ ବର୍ତ୍ତମାନ ଏହି ଆତଙ୍କବାଦକାର୍ଯ୍ୟ ପୁଣିଥରେ ସକ୍ରିୟ ହେବାର ଆଶଙ୍କା ରହିଛି | ପାକିସ୍ତାନ ଜଣେ ଭାରତ ବିରୋଧୀ ତତ୍ତ୍ଵ ଗୋପାଳ ସିଂ ଚାୱଲାଙ୍କୁ କର୍ତ୍ତାରପୁର ଆୟୋଜନ କମିଟିର ସଦସ୍ୟ ଭାବେ ନିଯୁକ୍ତ କରିବା ପରେ କୋରିଡର ପ୍ରକଳ୍ପ ବିବାଦୀୟ ହୋଇପଡିଥିଲା | ଚାୱଲା ଆତଙ୍କବାଦୀ ମାନଙ୍କ ପାଇଁ ଜଣେ ଆୟୋଜକ ଭାବେ କାର୍ଯ୍ୟ କରିଆସୁଛି ଓ ଅନେକ ଦେଶ ତାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି |

ଶିଖଧର୍ମାବଲମ୍ବୀ ମାନଙ୍କ ପବିତ୍ର ଧର୍ମପୀଠ ମଧ୍ୟରୁ ଗୋଟିଏ ଧାର୍ମିକସ୍ଥଳୀ କର୍ତ୍ତାରପୁର କୋରିଡରର ଶୁଭାରମ୍ଭ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ | ବର୍ତ୍ତମାନ ପ୍ରଚଳିତ ତିକ୍ତତା ପୂର୍ଣ୍ଣ ଦ୍ଵିପକ୍ଷୀୟ ସମ୍ପର୍କରେ ଏହି କୋରିଡର ଏକ ‘ଶାନ୍ତିର କୋରିଡର’ ଭାବେ ଉଭା ହେବାର ଆଶା ଉଜ୍ଜୀବିତ ହୋଇଛି |

ମୂଳ ଲେଖା : ଡଃ ସ୍ମୃତି ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...