ଅଜରବାଇଜାନ ର ସମୁଦ୍ର ତଟବର୍ତ୍ତୀ ରାଜଧାନୀ ବାକୁରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ (ନାମ) ର ଦୁଇ ଦିବସୀୟ ଅଷ୍ଟାଦଶ ଶିଖର ସମ୍ମିଳନୀ ଶେଷ ହୋଇଛି | ‘ନାମ’ ର କୌଣସି ସ୍ଥିତି ନାହିଁ ବୋଲି ପର୍ଜ୍ୟବେକ୍ଷକ ମାନେ ଟିପ୍ପଣୀ ଦେଉଥିବା ସମୟରେ ଏହାର ସ୍ଥିତି ଏବେ ମଧ୍ୟ ବଜାୟ ରହିଛି ବୋଲି ଏହି ସମ୍ମିଳନୀରୁ ସ୍ପଷ୍ଟ ପ୍ରତୀୟମାନ ହୋଇଛି | ଛ ଦଶନ୍ଧି ପୂର୍ବରୁ ସ୍ଥାପନା ହୋଇଥିବା ନାମ ଉପରେ ଭାଷ୍ୟକାର ମାନେ ଅନେକ ମନ୍ତବ୍ୟ ଦେଇଆସୁଛନ୍ତି ହେଲେ ସେମାନେ ବାରମ୍ବାର ଭୁଲ ପ୍ରମାଣିତ ହେଉଛନ୍ତି | 2011 ଶେଷ ବେଳକୁ ନାମ ରେ ସାମିଲ ହୋଇଥିବା ଅଜରବାଇଜାନ ଏହି ଶିଖର ସମ୍ମିଳନୀର ଆୟୋଜନ କରିଥିବା ବିଷୟରୁ ପ୍ରତୀତ ହେଉଛି ଯେ ସଦସ୍ୟ ରାଷ୍ଟ୍ର ଗୁଡିକ ପାଇଁ ଏହାର ସ୍ଥିତି ଏବେ ମଧ୍ୟ ସୁଦୃଢ ରହିଛି ଓ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ବରେ ଏହାର ପ୍ରାସଙ୍ଗିକତା ଆଗକୁ ମଧ୍ୟ ଜାରି ରହିବ | ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ ସ୍ଵର ଉତ୍ତୋଳନ କରିବା ପାଇଁ ‘ନାମ’ ହେଉଛି ଏକ ପ୍ରକୃତ ମଞ୍ଚ ବୋଲି ଏବେ ମଧ୍ୟ ସମଗ୍ର ଦୁନିଆର ଅଧିକାଂଶ ଲୋକ ଏଥିପ୍ରତି ଆସ୍ଥା ଓ ବିଶ୍ଵାସ ପ୍ରକଟ କରନ୍ତି |
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଜଣେ ପ୍ରତିଷ୍ଠାତା ଭାବେ ଭାରତର ଏଥିପ୍ରତି ଐତିହାସିକ ଭାବେ ମହତ୍ବପୂର୍ଣ୍ଣ ଭୂମିକା ରହିଛି | ଭାରତର ଉପରାଷ୍ଟ୍ରପତି ଏମ ଭେଙ୍କୟାନାଈଡୂ ଭାରତୀୟ ପ୍ରତିନିଧି ଦଳର ନେତୃତ୍ଵ ନେଇ ଏହି ଶିଖର ବୈଠକରେ ଯୋଗ ଦେଇଥିଲେ | ଏହି ଅବସରରେ ସେ କହିଥିଲେ ଯେ ଏହାର ସିଦ୍ଧାନ୍ତ ଓ ଉଦ୍ଦେଶ୍ୟ ପାଇଁ ଭାରତର ଦୃଢ ପ୍ରତିଶୃତିବଦ୍ଧତା ରହିଛି ଓ ଏହା ଉପରେ ପୁନର୍ବିଚାର କରିବାର କୌଣସି ଆବଶ୍ୟକତା ନାହିଁ |
ପାକିସ୍ତାନ ସବୁ ଆନ୍ତର୍ଜାତୀୟ ମଞ୍ଚରେ କାଶ୍ମୀର ପ୍ରସଙ୍ଗ ନେଇ ଅଯଥା ପ୍ରଳାପ କରିବା ଭଳି ଏହି ମଞ୍ଚ ରେ ମଧ୍ୟ କାଶ୍ମୀର ପ୍ରସଙ୍ଗ ଉତଥାପନ କରିଥିଲା | ଏହି ପ୍ରସଙ୍ଗରେ ଭାରତ ବିରୁଦ୍ଧରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଅଲଵ୍ବୀ ଙ୍କ ବିବୃତ୍ତି ଉପରେ ଜବାବ ଦେଇ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପାକିସ୍ତାନକୁ “ସନ୍ତ୍ରାସବାଦର ପେଣ୍ଠସ୍ଥଳୀ” ବୋଲି ବର୍ଣ୍ଣନା କରିଥିଲେ ଓ ସୀମାପାର ସନ୍ତ୍ରାସବାଦକୁ ପ୍ରୋତ୍ସାହନ ଦେବା ଲାଗି ଏହାର ଦୀର୍ଘ ସ୍ଥାୟୀ ନୀତିକୁ ଯୁକ୍ତିଯୁକ୍ତ ବୋଲି ବିବେଚିତ କରିବା ପାଇଁ କାଶ୍ମୀର ପ୍ରସଙ୍ଗକୁ ଉପଯୋଗ କରିବାରୁ ନିବୃତ୍ତ ରହୁ ବୋଲି ନିବେଦନ କରିଥିଲେ | ପାକିସ୍ଥାନ ଯଦି ସନ୍ତ୍ରାସବାଦ ପ୍ରୋତ୍ସାହନ ନେଇ ଏହାର ନୀତି ପରିହାର କରିବ ତେବେ ଏହା କେବଳ ପାକିସ୍ତାନ ପାଇଁ ନୁହେଁ ବରଂ ସମଗ୍ର ବିଶ୍ଵ ପାଇଁ ହିତକାରୀ ହେବ ବୋଲି ଉପରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି |
ଜାତିସଂଘ ସନନ୍ଦ, ଆନ୍ତର୍ଜାତୀୟ ଆଇନ ଓ ପ୍ରାସଙ୍ଗିକ ଆନ୍ତର୍ଜାତୀୟ ସମ୍ମିଳନୀର ସିଦ୍ଧାନ୍ତ ଅନୁଯାୟୀ ସବୁ ରୂପର ଆତଙ୍କବାଦର ମୁକାବିଲା କରିବା ପାଇଁ ସାମୁହିକ ପ୍ରୟାସ କରିବା ଲାଗି ଶିଖର ସମ୍ମିଳନୀର ଘୋଷାଣାନାମାରେ ସଙ୍କଳ୍ପବଦ୍ଧତା ପ୍ରକାଶ କରାଯାଇଛି |
ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଆବିର୍ଭାବ ହେବା ପରଠୁ ଓ ଶୀତଳ ଯୁଦ୍ଧ ସମୟ ପରେ ବିଶ୍ବରେ ଅନେକ ପରିବର୍ତ୍ତନ ଦେଖା ଦେଇଛି | ଶୀତଳ ଯୁଦ୍ଧ ବିଶ୍ଵକୁ ଦୁଇଟି ଆଦର୍ଶବାଦ ପ୍ରତିଦ୍ଵନ୍ଦୀ ଗୋଷ୍ଠୀରେ ବିଭାଜିତ କରିଥିଲା | ଆନ୍ତର୍ଜାତୀୟ ରାଜନୀତିରେ ପରିବର୍ତ୍ତନ ସହ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଭୂମିକାରେ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥିଲା | ସେହିପରି ‘ନାମ’ ସଦସ୍ୟ ରାଷ୍ଟ୍ର ଗୁଡିକୁ ମଧ୍ୟ ଆଞ୍ଚଳିକ ଓ ଆନ୍ତର୍ଜାତୀୟ ରାଜନୀତି ର ଗତିଶୀଳତାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ପଡିଲା | କିନ୍ତୁ ତଥାପି ମଧ୍ୟ ଜାତିସଂଘ ପରେ ‘ନାମ’, ଏବେ ମଧ୍ୟ ବିଶ୍ଵର ସବୁଠୁ ବଡ ରାଷ୍ଟ୍ରଗୋଷ୍ଠୀ ଅଟେ | ଏଥିରେ 120 ସଦସ୍ୟ ରାଷ୍ଟ୍ର ଥିବା ସହ ଏହା ବିଶ୍ଵର ଦୁଇ ତୃତୀୟାଂଶ ଜନସଂଖ୍ୟା କୁ ପ୍ରତିନିଧିତ୍ଵ କରୁଛି |
ଏହା ଉଲ୍ଲେଖନୀୟ ଯେ ‘ନାମ’ ନିଜର ଏକ ପୃଥକ କାର୍ଯ୍ୟସୂଚୀ ସ୍ଥାପିତ କରିବା ପରିବର୍ତ୍ତେ ଏହି ଶିଖର ସମ୍ମିଳନୀ ଜାତିସଂଘ ର ସିଦ୍ଧାନ୍ତକୁ ଅନୁକରଣ କରିବା ପାଇଁ ସ୍ଥିର କରିଛି | ବାକୁ ଘୋଷଣାନାମାରେ ବହୁପକ୍ଷବାଦକୁ ପ୍ରୋତ୍ସାହନ ଦେବା ଓ ଜାତିସଂଘ ସାଧାରଣ ସଭାକୁ ଆହୁରି ମଜବୁତ କରିବା ପାଇଁ ଆହ୍ଵାନ ଦିଆଯାଇଛି | ବାସ୍ତବରେ, ଜାତିସଂଘ ପ୍ରଣାଳୀର ଗଣତାନ୍ତ୍ରିକରଣ କରିବା ତଥା ଜାତିସଂଘ ବ୍ୟବସ୍ଥାର ସଂସ୍କାର ଲାଗି ଦୀର୍ଘ ଦିନରୁ ଦାବି କରାଯାଉଛି | ତେବେ ଏହି ଦାବିକୁ ସଜ୍ଞାନରେ ନେଇ ଏହା ଉପରେ ବିଚାର ବିମର୍ଶ କରିବା ବିଶ୍ଵ ସଂସ୍ଥା ଉପରେ ହିଁ ନିର୍ଭର କରୁଛି |
ଜାତିସଂଘ ମହାସଚିବ ଏହି ଶିଖର ସମ୍ମିଳନୀ ଲାଗି ତାଙ୍କ ବାର୍ତ୍ତାରେ ବୈଶ୍ଵିକରଣ କ୍ଷେତ୍ରରେ ଲୋକମାନଙ୍କ ଆସ୍ଥା ଓ ଭରସା ତୁଟିବା , ବୈଶ୍ଵିକ ଓ ଆନ୍ତର୍ଜାତୀୟ ହିଂସା ବୃଦ୍ଧି ପାଇବା ଓ ସାମୁହିକ କାର୍ଯ୍ୟାନୁଷ୍ଠାନ ର ଆବଶ୍ୟକତା ଭଳି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ | ଜାତିସଂଘ ମହାସଚିବଙ୍କ ଏହି ବାର୍ତ୍ତା ପରେ ବିଶ୍ଵର ଦୁଇଟି ପ୍ରମୁଖ ପ୍ରତିନିଧି ଗୋଷ୍ଠୀ ପରସ୍ପର ମଧ୍ୟରେ ସମନ୍ବୟ ରକ୍ଷା କରି ମିଳିମିଶି କାର୍ଯ୍ୟ କରିବାର ସମୟ ଉପନୀତ ହୋଇଥିବାର ଆଶା ଉଜ୍ଜୀବିତ ହୋଇଛି |
ମୂଳ ଲେଖା : ଏମ. କେ ଟିକକୁ, ରାଜନୈତିକ ଭାଷ୍ୟକାର
ଅନୁବାଦ : ରୀତା ଯୋଶୀ
Comments
Post a Comment