ଚିନ ଆନ୍ତର୍ଜାତୀୟ ଆଇନ ଲଂଘନ କରି ଭିଏତନାମର ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ଜବରଦଖଲ କରିବାକୁ ଯାଇ ଦକ୍ଷିଣ ଚିନ ସାଗରରେ ଲକ୍ଷ୍ଣଣ ରେଖା ପାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ହୋଇଛି ଯେ ଚିନ ଭିଏତନାମର ଉପକୂଳର 60 ନଟିକାଲ ମାଇଲ ଯାଏଁ ନିଜର ସର୍ଭେକ୍ଷଣ ଜାହାଜକୁ ପହଞ୍ଚାଇ ଦେଇଛି।ଯାହାଦ୍ୱାରା ଭିଏତନାମର ଅର୍ଥନୈତିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି।
ଖବର ଅନୁଯାୟୀ ଚିନର ଚାରୋଟି ଜାହାଜ ଭିଏତନାମର ଅର୍ଥନୈତିକ ଯୋନ ଅନ୍ତର୍ଗତ ଦକ୍ଷିଣ ପୂର୍ବ ଭିଏତନାମର ଫୁକି ଦ୍ୱୀପପୁଞ୍ଜରୁ 120 କିଲୋମିଟର ଏବଂ ଦକ୍ଷିଣାଞ୍ଚଳ ଭିଏତନାମ ସହରର ଫାନଥିଏଟ ଠାରୁ ମାତ୍ର 185 କିଲୋମିଟର ଦୂରରେ ପହଞ୍ଚି ଯାଇଛି। ଆଇନ ଅନୁଯାୟୀ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ ଯୋନ ଉପକୂଳରୁ 200 ନଟିକାଲ ମାଇଲ ଅର୍ଥାତ 370 କିଲୋମିଟର ବା 230 ମାଇଲ ଯାଏଁ ପରିବ୍ୟାପ୍ତ ଥାଏ ଯାହାକୁ ଏକ ଦେଶର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପାଇଁ ଅଭିପ୍ରେତ। ଦକ୍ଷିଣ ଚିନ ସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ଚିନ ଏହାର ଜାହାଜକୁ ତୁରନ୍ତ ଅପସାରଣ କରିବା ପାଇଁ ଦେଶମାନେ ଚିନକୁ ଅନୁରୋଧ କରିବା ଉଚିତ।
ଭିଏତନାମ ଉପକୂଳର ଏତେ ନିକଟବର୍ତ୍ତି ଯାଏଁ ଜାହାଜଗୁଡିକୁ ନେବା ଅର୍ଥ ଚିନ ଏହାର ସାମୁଦ୍ରିକ ଦକ୍ଷତା ବୃଦ୍ଧି କରିବାକୁ ଚାହୁଁଛି। ଏହାଦ୍ୱାରା ଭିଏତନାମର ତୈଳ ଏବଂ ଗ୍ୟାସ ଉତ୍ତୋଳନରେ ମଧ୍ୟ ବାଧା ଉପୁଜିବ ଯାହାକୁ ସେ ରୁଷର ପେଟ୍ରୋଲିୟମ କଂପାନି ରୋସନେଫ୍ଟକୁ ଦେଇଛି। ଯଦିଓ ଦକ୍ଷିଣ ଚିନ ସାଗରକୁ ନେଇ ଭିଏତନାମ ଏବଂ ଚିନ ମଧ୍ୟରେ ବିବାଦ ଦୀର୍ଘ ଦିନରୁ ରହିଆସିଛି କିନ୍ତୁ ଏବେ ଏହା ଅଧିକ ବଢିଯାଇଛି। ଚିନ ଏବେ ସାମ୍ୟବାଦି ସାଧାରଣତନ୍ତ୍ରର 70ତମ ପ୍ରତିଷ୍ଠା ଦିବସ ପାଳନ କରୁଥିବାବେଳେ ଏହି ଅଞ୍ଚଳରେ ନିଜର ଆଧିପତ୍ୟ ବୁଦ୍ଧି କରିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସ୍ୱପ୍ନ ବୋଧହୁଏ ଏହି ଆଳରେ ସାକାର କରିବାକୁ ମସୁଧା ଚାଲିଛି।
ଚିନର ଏପରି ବ୍ୟବହାରକୁ ରୋକିବା ପାଇଁ ଅତିତରେ ଅନେକ ପ୍ରଚେଷ୍ଟା କରାଯାଇଛି କିନ୍ତୁ ତାର କୌଣସି ଫଳ ମିଳିନି ବରଂ ଦିନକୁ ଦିନ ଏହା ବଢିଚାଲିଛି। 2019 ଜୁନରେ ଆସିଆନ ବୈଦେଶିକମନ୍ତ୍ରୀମାନଙ୍କ ବୈଠକରେ ଦକ୍ଷିଣ ଚିନ ସାଗରରେ ଚିନର ବ୍ୟବହାର ପ୍ରତି ଚିନ୍ତା ପ୍ରକଟ କରାଯାଇଥିଲା। ଏବେ ବ୍ୟାଙ୍କକରେ ହେବାକୁ ଥିବା ଆସିଆନ ସମ୍ମିଳନୀରେ ଚିନକୁ ଏଥିପାଇଁ ନିବୃତ୍ତ ରହିବାକୁ ସଦସ୍ୟ ଦେଶମାନେ କହିବାକୁ ଏକତା ଦେଖାଇବେ ବୋଲି ଆଶା କରାଯାଉଛି ଯାହାଦ୍ୱାରା ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିପାରିବ। ଆୟୋଜକ ଏବଂ ଅଧ୍ୟକ୍ଷ ଥାଇଲ୍ୟାଣ୍ତ ଆସିଆନ ସମ୍ମିଳନୀ 35 ଏବଂ ପୂର୍ବ ଏସିଆ ସମ୍ମିଳନୀ 14ରେ ଦକ୍ଷିଣ ଚିନ ସାଗର ସଂପର୍କରେ ଏହାର ଘୋଷଣାନାମା ଜାରି କରିବା ଉଚିତ।
ଦକ୍ଷିଣ ଚିନ ସାଗରକୁ ନେଇ ଭାରତର ଆଭିମୁଖ୍ୟ ଜାତିସଂଘର ଆଇନ ଉପରେ ପର୍ଯ୍ୟବଶିତ। ଭାରତର କହିବା କଥା ଯେ ଦକ୍ଷିଣ ଚିନ ସାଗରରେ ଉତ୍ତେଜନା ସୃଷ୍ଟି ହେଲେ ଏହା ଆନ୍ତର୍ଜାତୀୟ ବାଣିଜ୍ୟ କାରବାରକୁ କ୍ଷତିଗ୍ରସ୍ତ କରିବ। ଦକ୍ଷିଣ ଚିନ ସାଗର ହେଉଛି ଗୁରୁତ୍ୱପୂର୍ଣ୍ଣ ଜଳପଥ ଯେଉଁ ପଥରେ ଆମେରିକାର ବାର୍ଷିକ 5 ଟ୍ରିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥାଏ। ମାଲାକା ହେଉଛି ଭାରତ ମହାସାଗରକୁ ଦକ୍ଷିଣ ଚିନ ସାଗର ସହିତ ସଂଯୋଗ କରୁଥିବା ସ୍ଥଳ ଯାହା ସୁଏଜ କେନାଲ ଠାରୁ 5ଗୁଣା ଅଧିକ ତୈଳ କାରବାର କରାଯାଇ ପାରୁଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକ୍ଟ ଇଷ୍ଟ ନୀତି ଅନ୍ତର୍ଗତ ଏହି ଅଞ୍ଚଳର ଦେଶ ବିଶେଷ କରି ଇଣ୍ତୋନେସିଆ, ସିଙ୍ଗାପୁର, ଭିଏତନାମ ଏବଂ ଫିଲିପାଇନ୍ସ ସହିତ ଭାରତର କୌଶଳଗତ ସଂପର୍କ ରହିଛି। ଏଣୁ ଆଶା କରାଯାଉଛି ଯେ ପୂର୍ବ ଏସିଆ ରାଷ୍ଟ୍ରମାନଙ୍କ ସମ୍ମିଳନୀ ଏବଂ ଆସିଆନ ସମ୍ମିଳନୀରେ ଦକ୍ଷିଣ ଚିନ ସାଗର ପ୍ରସଙ୍ଗ ଉତ୍ଥାପନ ହେବ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ତଥା ସବୁ ଦେଶର ସମୃଦ୍ଧି ପାଇଁ।
ଆଲେଖ: ବାଲାଦାସ ଘୋଶାଲ
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment