Skip to main content

ଆମେରିକା ପ୍ୟାରିସ ରାଜିନାମାରୁ ଓହରିଯିବା ଏକ ଉଦବେଗର କାରଣ

2015 ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବା ନେଇ ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି କେବଳ ବିଶ୍ଵ ପାଇଁ ନୁହେଁ ବରଂ ତା ନିଜ ପାଇଁ ମଧ୍ୟ ଏକ ବଡ ଉଦବେଗର କାରଣ ପାଲଟିଛି | ଗତ ସୋମବାର ଦିନ ଟ୍ରମ୍ଫ ପ୍ରଶାସନ ଜାତିସଂଘକୁ ଆନୁଷ୍ଠାନିକ ଭାବେ ଜଣେଇବା ପରେ ଏହି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ବିଜ୍ଞପ୍ତି ଜାରି ହେବାର ଗୋଟିଏ ବର୍ଷ ପରେ ଏହାକୁ ଲାଗୁ କରାଯିବ |

ସ୍ପେନର ମେଡ୍ରିଡରେ ଡିସେମ୍ବର 2 ରୁ 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତିସଂଘର ଜଳବାୟୁ COP25 ସମ୍ମିଳନୀର ମାତ୍ର ଗୋଟିଏ ମାସ ପୂର୍ବରୁ ଏହି ଘୋଷଣାନାମା ପ୍ରକାଶ ପାଇଛି | ସାଣ୍ଟିଆଗୋରେ ଏହି ବୈଠକର ଆୟୋଜନ କରିବାର ଥିଲା କିନ୍ତୁ ଦେଶୀୟ ତିକ୍ତତା ଯୋଗୁଁ ଚିଲି ଏଥିରୁ ଓହରିଗଲା |

2015ରେ ପ୍ରାୟ 200ଟି ଦେଶ ପ୍ୟାରିସ ରାଜିନାମାରେ ସ୍ଵାକ୍ଷର କରିଥିଲେ | ତାପମାତ୍ରା ବିପଦସ୍ତରରୁ ଯେପରି ଅଧିକ ମାତ୍ରାରେ ବୃଦ୍ଧି ନପାଇବ ସେଥିପାଇଁ ଗ୍ରୀନହାଉସ ଗ୍ୟାସ (ଜିଏଚଜି) ନିର୍ଗମନ ହ୍ରାସ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ | ବିଶ୍ଵର ହାରାହାରି ତାପମାତ୍ରାରେ ବୃଦ୍ଧିକୁ 2 ଡିଗ୍ରୀ ସେଲସିସରୁ ତଳେ ରଖିବା ହେଉଛି ଏହାର ଲକ୍ଷ୍ୟ | ଆମେରିକା ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ବିଶ୍ଵ ଲକ୍ଷ ସାଧନ ଦିଗରେ ସାଂଘାତିକ ବିପଦର ସମ୍ମୁଖୀନ ହୋଇପାରେ |

ଆମେରିକା ହେଉଛି ଏକମାତ୍ର ଦେଶ ଯିଏକି ଚୁକ୍ତିରୁ ଓହରିଯିବା ନେଇ ଘୋଷଣା କରିଛି | ଚୀନ ପରେ ଆମେରିକା ହେଉଛି ବିଶ୍ଵର ଗ୍ରୀନହାଉସ ଗ୍ୟାସର ଦ୍ଵିତୀୟ ସବୁଠୁ ବଡ ନିର୍ଗମକ | ଏହା 2025 ସୁଦ୍ଧା ଜାତୀୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ 26ରୁ 28 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା | ଆମେରିକା ଓହରିଯିବା ପରେ ଏହି ଚୁକ୍ତି ବୈଶ୍ଵିକ ଗ୍ରୀନହାଉସ ଗ୍ୟାସର ପ୍ରାୟ 80 ପ୍ରତିଶତ ନିର୍ଗମନକୁ ଅନ୍ତର୍ଭୁକ୍ତ କରିବ ଯାହାକି ପୂର୍ବରୁ 97 ପ୍ରତିଶତ ଥିଲା |

କିନ୍ତୁ ଜଳବାୟୁ କ୍ରିୟାନ୍ଵୟନକୁ ସକ୍ଷମ କରିବା ଲାଗି ଆର୍ଥିକ ପ୍ରବାହ ଉପରେ ଅତ୍ୟଧିକ ପ୍ରଭାବ ପଡିପାରେ | କାରଣ ଆମେରିକା ବିଶ୍ଵ ସ୍ତରରେ ଆର୍ଥିକ ସମ୍ବଳ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରେ | ଜଳବାୟୁ କ୍ରିୟାନ୍ଵୟନ ପାଇଁ ବିକାଶଶୀଳ ଦେଶ ଗୁଡିକ ଲାଗି ଅର୍ଥ ପ୍ରଦାନ କରୁଥିବା ମୁଖ୍ୟ ତନ୍ତ୍ର ଗ୍ରୀନ ଜଳବାୟୁ ପାଣ୍ଠି (ଜିସିଏଫ)କୁ ଟ୍ରମ୍ଫ ପ୍ରଶାସନ ସବୁ ପ୍ରକାରର ଅର୍ଥଦାନକୁ ମଧ୍ୟ ବନ୍ଦ କରିଦେଇଛି |

ଫଳତଃ ଭାରତ, ଚୀନ ଓ ଗ୍ରୀନହାଉସ ଗ୍ୟାସର ଅନ୍ୟାନ୍ୟ ସ୍ରୋତ ଉପରେ ବିଶ୍ଵର ଧ୍ୟାନ କେନ୍ଦ୍ରୀଭୂତ ହେବ | ଏହିସବୁ ଦେଶ ଗୁଡିକରୁ ନିର୍ଗମନ ହ୍ରାସ ଲାଗି ଅଧିକ ପଦକ୍ଷେପ ନେବା ନେଇ ଆଶା କରାଯିବ | ନିର୍ଗମନ ହ୍ରାସ ଲାଗି ଦେଶୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ବିକାଶଶୀଳ ଦେଶ ଗୁଡିକ ପାଇଁ ଆର୍ଥିକ ଓ ଜ୍ଞାନକୌଶଳ କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବାକୁ ପଡିବ | 

ଭାରତ ଏହାର ପ୍ୟାରିସ ପ୍ରତିଶୃତିବଦ୍ଧତା ସହ ଅଗ୍ରସର ହେଉଛି | ଭାରତ ଅଂଶୀଦାର ସମ୍ମିଳନୀ (COP 21)ରେ 2030 ପାଇଁ ଧାର୍ଯ୍ୟ କରିଥିବା ଅଧିକାଂଶ ଜଳବାୟୁ ପରିବର୍ତ୍ତନ ଲକ୍ଷ ଆଗାମୀ ଦେଢ ବର୍ଷରେ ହାସଲ କରିବ ବୋଲି ଘୋଷଣା କରିଛି| ପ୍ୟାରିସରେ ଆୟୋଜିତ COP 21 ରେ ଭାରତ ଚାରୋଟି ପ୍ରତିଶୃତି ଦେଇଥିଲା |

ଭାରତ ଜାତୀୟ ନିର୍ଦ୍ଧାରିତ ଅଂଶଦାନ (ଏନଡ଼ିସି)ରେ ଏହାର ଦୁଇଟି ପ୍ରମୁଖ ଲକ୍ଷ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା କେତୋଟି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ହେଲା ଭାରତ , 2030 ମସିହା ସୁଦ୍ଧା ଏହାର ମୋଟ ଉତ୍ପାଦିତ ବିଜୁଳି ଶକ୍ତିର 40 ପ୍ରତିଶତ ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ ଉତ୍ପାଦନ କରିବ ଏବଂ 2030 ସୁଦ୍ଧା 2005ର ନିର୍ଗମନ ସ୍ତରରୁ 33 ରୁ 35 ପ୍ରତିଶତ ନିର୍ଗମନକୁ ହ୍ରାସ କରିବ | ତେବେ ଭାରତ 2030 ପୂର୍ବରୁ ଏହି ଲକ୍ଷ ହାସଲ କରିବାର ସମ୍ଭାବନା ରହିଛି | ଭାରତ, ନବୀକରଣ ଶକ୍ତି ସ୍ଥାପନ ମୁଖ୍ୟତଃ ସୌର ଶକ୍ତି କ୍ଷେତ୍ରରେ କାର୍ଯ୍ୟ ତ୍ୱରାନ୍ୱିତ କରୁଛି | ସୌର ଶକ୍ତି କ୍ଷେତ୍ରରେ ବିଦେଶୀ ନିବେଶ ଲାଗି ଯଥେଷ୍ଟ ସମ୍ଭାବନା ରହିଛି ଯାହାକି ‘ମେକ ଇନ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରିବ |

ଆମେରିକାର ଅପସାରଣ ଯଦିଓ ଭାରତ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ ତେବେ ଏହା ଭବିଷ୍ୟତର ଜଳବାୟୁ ନୀତି ଗୁଡିକୁ ପ୍ରଭାବିତ କରିବ | ଭାରତ ଜଳବାୟୁ ପରିବର୍ତ୍ତନ ପାଇଁ ଏକ ସମ୍ବେଦନଶୀଳ ଦେଶ ହୋଇଥିବା ଦୃଷ୍ଟିରୁ ଆଗକୁ ଅନେକ କିଛି କରିବାକୁ ପଡିବ | ଦେଶର ଉନ୍ନୟନମୂଳକ ପ୍ରକଳ୍ପ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ |

ଭାରତ ନବୀକରଣ ଶକ୍ତି କ୍ଷେତ୍ରରେ ଏକ ବିଶ୍ଵସ୍ତରୀୟ ନେତା ଭାବେ ଉଭା ହୋଇଛି | ଏହା ଫସିଲ ଇନ୍ଧନ ତୁଳନାରେ ଏଥିରେ ଅଧିକ ନିବେଶ କରୁଛି | ଭାରତ କହିଛି ଯେ ଏହା ଦୀର୍ଘକାଳୀନ ଯୋଜନା ରଣକୌଶଳ ଗୁଡିକୁ ଚୁଡାନ୍ତ କରିବ ଯାହାର ଫଳସ୍ଵରୂପ 2020 ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ ଓ ଅନ୍ୟ ଗ୍ରୀନାହାଉସ ଗ୍ୟାସ ନିର୍ଗମନ ନିମ୍ନ ସ୍ତରରେ ରହିବ | ଏହା ସ୍ଥାୟୀ ବନ ପରିଚାଳନା ଜରିଆରେ ଜଳବାୟୁ ପରିବର୍ତ୍ତନ ପ୍ରଶମନର ପ୍ରସ୍ତାବ ଦେଇଛି | ଜାତୀୟ ବନ ନୀତି ଚିଠା 2018ର ଉଦ୍ଦେଶ୍ୟ ହେଉଛି କଡା ନିୟମ ତଥା ବିଜ୍ଞାନର ସଦୁପଯୋଗ କରି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର ଏକ ତୃତୀୟାଂଶକୁ ବନ କ୍ଷେତ୍ରରେ ପରିଣତ କରିବା |

ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଫ୍ରାନ୍ସ ସହ ଆନ୍ତର୍ଜାତୀୟ ସୌର ମେଣ୍ଟ(ଆଇଏସଏ) ଭଳି ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଅଭିଯାନ ଜାରି ରଖିବାକୁ ପଡିବ | ଭାରତ ଏହାର ମହାତ୍ୱାକାଙ୍ଖି ଲକ୍ଷ ହାସଲ କରିବା ପାଇଁ ଅନେକ କିଛି କରିବାକୁ ବାକି ଥିବାବେଳେ ଭବିଷ୍ୟତର ସ୍ଵଚ୍ଛ ଉର୍ଜ୍ଜା ଦିଗରେ ନିରନ୍ତର ପ୍ରଗତି କରି ଚାଲିଛି |

ମୂଳ ଲେଖା : କେ ଭି ଭେଙ୍କଟସୁବ୍ରମନିୟମ, ବରିଷ୍ଠ ସାମ୍ବାଦିକ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...