Skip to main content

ଆମେରିକା ପ୍ୟାରିସ ରାଜିନାମାରୁ ଓହରିଯିବା ଏକ ଉଦବେଗର କାରଣ

2015 ପ୍ୟାରିସ ଜଳବାୟୁ ରାଜିନାମାରୁ ଓହରିଯିବା ନେଇ ଯୁକ୍ତରାଷ୍ଟ୍ର ଆମେରିକାର ନିଷ୍ପତ୍ତି କେବଳ ବିଶ୍ଵ ପାଇଁ ନୁହେଁ ବରଂ ତା ନିଜ ପାଇଁ ମଧ୍ୟ ଏକ ବଡ ଉଦବେଗର କାରଣ ପାଲଟିଛି | ଗତ ସୋମବାର ଦିନ ଟ୍ରମ୍ଫ ପ୍ରଶାସନ ଜାତିସଂଘକୁ ଆନୁଷ୍ଠାନିକ ଭାବେ ଜଣେଇବା ପରେ ଏହି ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି | ବିଜ୍ଞପ୍ତି ଜାରି ହେବାର ଗୋଟିଏ ବର୍ଷ ପରେ ଏହାକୁ ଲାଗୁ କରାଯିବ |

ସ୍ପେନର ମେଡ୍ରିଡରେ ଡିସେମ୍ବର 2 ରୁ 13 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତିସଂଘର ଜଳବାୟୁ COP25 ସମ୍ମିଳନୀର ମାତ୍ର ଗୋଟିଏ ମାସ ପୂର୍ବରୁ ଏହି ଘୋଷଣାନାମା ପ୍ରକାଶ ପାଇଛି | ସାଣ୍ଟିଆଗୋରେ ଏହି ବୈଠକର ଆୟୋଜନ କରିବାର ଥିଲା କିନ୍ତୁ ଦେଶୀୟ ତିକ୍ତତା ଯୋଗୁଁ ଚିଲି ଏଥିରୁ ଓହରିଗଲା |

2015ରେ ପ୍ରାୟ 200ଟି ଦେଶ ପ୍ୟାରିସ ରାଜିନାମାରେ ସ୍ଵାକ୍ଷର କରିଥିଲେ | ତାପମାତ୍ରା ବିପଦସ୍ତରରୁ ଯେପରି ଅଧିକ ମାତ୍ରାରେ ବୃଦ୍ଧି ନପାଇବ ସେଥିପାଇଁ ଗ୍ରୀନହାଉସ ଗ୍ୟାସ (ଜିଏଚଜି) ନିର୍ଗମନ ହ୍ରାସ କରିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ | ବିଶ୍ଵର ହାରାହାରି ତାପମାତ୍ରାରେ ବୃଦ୍ଧିକୁ 2 ଡିଗ୍ରୀ ସେଲସିସରୁ ତଳେ ରଖିବା ହେଉଛି ଏହାର ଲକ୍ଷ୍ୟ | ଆମେରିକା ଦ୍ଵାରା ନିଆଯାଇଥିବା ନିଷ୍ପତ୍ତି ଯୋଗୁଁ ବିଶ୍ଵ ଲକ୍ଷ ସାଧନ ଦିଗରେ ସାଂଘାତିକ ବିପଦର ସମ୍ମୁଖୀନ ହୋଇପାରେ |

ଆମେରିକା ହେଉଛି ଏକମାତ୍ର ଦେଶ ଯିଏକି ଚୁକ୍ତିରୁ ଓହରିଯିବା ନେଇ ଘୋଷଣା କରିଛି | ଚୀନ ପରେ ଆମେରିକା ହେଉଛି ବିଶ୍ଵର ଗ୍ରୀନହାଉସ ଗ୍ୟାସର ଦ୍ଵିତୀୟ ସବୁଠୁ ବଡ ନିର୍ଗମକ | ଏହା 2025 ସୁଦ୍ଧା ଜାତୀୟ ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ 26ରୁ 28 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲା | ଆମେରିକା ଓହରିଯିବା ପରେ ଏହି ଚୁକ୍ତି ବୈଶ୍ଵିକ ଗ୍ରୀନହାଉସ ଗ୍ୟାସର ପ୍ରାୟ 80 ପ୍ରତିଶତ ନିର୍ଗମନକୁ ଅନ୍ତର୍ଭୁକ୍ତ କରିବ ଯାହାକି ପୂର୍ବରୁ 97 ପ୍ରତିଶତ ଥିଲା |

କିନ୍ତୁ ଜଳବାୟୁ କ୍ରିୟାନ୍ଵୟନକୁ ସକ୍ଷମ କରିବା ଲାଗି ଆର୍ଥିକ ପ୍ରବାହ ଉପରେ ଅତ୍ୟଧିକ ପ୍ରଭାବ ପଡିପାରେ | କାରଣ ଆମେରିକା ବିଶ୍ଵ ସ୍ତରରେ ଆର୍ଥିକ ସମ୍ବଳ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରେ | ଜଳବାୟୁ କ୍ରିୟାନ୍ଵୟନ ପାଇଁ ବିକାଶଶୀଳ ଦେଶ ଗୁଡିକ ଲାଗି ଅର୍ଥ ପ୍ରଦାନ କରୁଥିବା ମୁଖ୍ୟ ତନ୍ତ୍ର ଗ୍ରୀନ ଜଳବାୟୁ ପାଣ୍ଠି (ଜିସିଏଫ)କୁ ଟ୍ରମ୍ଫ ପ୍ରଶାସନ ସବୁ ପ୍ରକାରର ଅର୍ଥଦାନକୁ ମଧ୍ୟ ବନ୍ଦ କରିଦେଇଛି |

ଫଳତଃ ଭାରତ, ଚୀନ ଓ ଗ୍ରୀନହାଉସ ଗ୍ୟାସର ଅନ୍ୟାନ୍ୟ ସ୍ରୋତ ଉପରେ ବିଶ୍ଵର ଧ୍ୟାନ କେନ୍ଦ୍ରୀଭୂତ ହେବ | ଏହିସବୁ ଦେଶ ଗୁଡିକରୁ ନିର୍ଗମନ ହ୍ରାସ ଲାଗି ଅଧିକ ପଦକ୍ଷେପ ନେବା ନେଇ ଆଶା କରାଯିବ | ନିର୍ଗମନ ହ୍ରାସ ଲାଗି ଦେଶୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେମାନଙ୍କୁ ବିକାଶଶୀଳ ଦେଶ ଗୁଡିକ ପାଇଁ ଆର୍ଥିକ ଓ ଜ୍ଞାନକୌଶଳ କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବାକୁ ପଡିବ | 

ଭାରତ ଏହାର ପ୍ୟାରିସ ପ୍ରତିଶୃତିବଦ୍ଧତା ସହ ଅଗ୍ରସର ହେଉଛି | ଭାରତ ଅଂଶୀଦାର ସମ୍ମିଳନୀ (COP 21)ରେ 2030 ପାଇଁ ଧାର୍ଯ୍ୟ କରିଥିବା ଅଧିକାଂଶ ଜଳବାୟୁ ପରିବର୍ତ୍ତନ ଲକ୍ଷ ଆଗାମୀ ଦେଢ ବର୍ଷରେ ହାସଲ କରିବ ବୋଲି ଘୋଷଣା କରିଛି| ପ୍ୟାରିସରେ ଆୟୋଜିତ COP 21 ରେ ଭାରତ ଚାରୋଟି ପ୍ରତିଶୃତି ଦେଇଥିଲା |

ଭାରତ ଜାତୀୟ ନିର୍ଦ୍ଧାରିତ ଅଂଶଦାନ (ଏନଡ଼ିସି)ରେ ଏହାର ଦୁଇଟି ପ୍ରମୁଖ ଲକ୍ଷ ହାସଲ କରିବା ଦିଗରେ ଅଗ୍ରସର ହେଉଥିବା କେତୋଟି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଦୁଇଟି ପ୍ରମୁଖ ଲକ୍ଷ୍ୟ ହେଲା ଭାରତ , 2030 ମସିହା ସୁଦ୍ଧା ଏହାର ମୋଟ ଉତ୍ପାଦିତ ବିଜୁଳି ଶକ୍ତିର 40 ପ୍ରତିଶତ ଅଣ ଜୀବାଶ୍ମ ଇନ୍ଧନ ଉତ୍ସରୁ ଉତ୍ପାଦନ କରିବ ଏବଂ 2030 ସୁଦ୍ଧା 2005ର ନିର୍ଗମନ ସ୍ତରରୁ 33 ରୁ 35 ପ୍ରତିଶତ ନିର୍ଗମନକୁ ହ୍ରାସ କରିବ | ତେବେ ଭାରତ 2030 ପୂର୍ବରୁ ଏହି ଲକ୍ଷ ହାସଲ କରିବାର ସମ୍ଭାବନା ରହିଛି | ଭାରତ, ନବୀକରଣ ଶକ୍ତି ସ୍ଥାପନ ମୁଖ୍ୟତଃ ସୌର ଶକ୍ତି କ୍ଷେତ୍ରରେ କାର୍ଯ୍ୟ ତ୍ୱରାନ୍ୱିତ କରୁଛି | ସୌର ଶକ୍ତି କ୍ଷେତ୍ରରେ ବିଦେଶୀ ନିବେଶ ଲାଗି ଯଥେଷ୍ଟ ସମ୍ଭାବନା ରହିଛି ଯାହାକି ‘ମେକ ଇନ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହିତ କରିବ |

ଆମେରିକାର ଅପସାରଣ ଯଦିଓ ଭାରତ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ ତେବେ ଏହା ଭବିଷ୍ୟତର ଜଳବାୟୁ ନୀତି ଗୁଡିକୁ ପ୍ରଭାବିତ କରିବ | ଭାରତ ଜଳବାୟୁ ପରିବର୍ତ୍ତନ ପାଇଁ ଏକ ସମ୍ବେଦନଶୀଳ ଦେଶ ହୋଇଥିବା ଦୃଷ୍ଟିରୁ ଆଗକୁ ଅନେକ କିଛି କରିବାକୁ ପଡିବ | ଦେଶର ଉନ୍ନୟନମୂଳକ ପ୍ରକଳ୍ପ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ |

ଭାରତ ନବୀକରଣ ଶକ୍ତି କ୍ଷେତ୍ରରେ ଏକ ବିଶ୍ଵସ୍ତରୀୟ ନେତା ଭାବେ ଉଭା ହୋଇଛି | ଏହା ଫସିଲ ଇନ୍ଧନ ତୁଳନାରେ ଏଥିରେ ଅଧିକ ନିବେଶ କରୁଛି | ଭାରତ କହିଛି ଯେ ଏହା ଦୀର୍ଘକାଳୀନ ଯୋଜନା ରଣକୌଶଳ ଗୁଡିକୁ ଚୁଡାନ୍ତ କରିବ ଯାହାର ଫଳସ୍ଵରୂପ 2020 ସୁଦ୍ଧା ଅଙ୍ଗାରକାମ୍ଳ ଗ୍ୟାସ ଓ ଅନ୍ୟ ଗ୍ରୀନାହାଉସ ଗ୍ୟାସ ନିର୍ଗମନ ନିମ୍ନ ସ୍ତରରେ ରହିବ | ଏହା ସ୍ଥାୟୀ ବନ ପରିଚାଳନା ଜରିଆରେ ଜଳବାୟୁ ପରିବର୍ତ୍ତନ ପ୍ରଶମନର ପ୍ରସ୍ତାବ ଦେଇଛି | ଜାତୀୟ ବନ ନୀତି ଚିଠା 2018ର ଉଦ୍ଦେଶ୍ୟ ହେଉଛି କଡା ନିୟମ ତଥା ବିଜ୍ଞାନର ସଦୁପଯୋଗ କରି ଭାରତର ମୋଟ ଭୌଗୋଳିକ କ୍ଷେତ୍ରର ଏକ ତୃତୀୟାଂଶକୁ ବନ କ୍ଷେତ୍ରରେ ପରିଣତ କରିବା |

ଜଳବାୟୁ ପରିବର୍ତ୍ତନର ମୁକାବିଲା ଲାଗି ଫ୍ରାନ୍ସ ସହ ଆନ୍ତର୍ଜାତୀୟ ସୌର ମେଣ୍ଟ(ଆଇଏସଏ) ଭଳି ଆନ୍ତର୍ଜାତୀୟ ସ୍ତରରେ ଭାରତକୁ ଅଭିଯାନ ଜାରି ରଖିବାକୁ ପଡିବ | ଭାରତ ଏହାର ମହାତ୍ୱାକାଙ୍ଖି ଲକ୍ଷ ହାସଲ କରିବା ପାଇଁ ଅନେକ କିଛି କରିବାକୁ ବାକି ଥିବାବେଳେ ଭବିଷ୍ୟତର ସ୍ଵଚ୍ଛ ଉର୍ଜ୍ଜା ଦିଗରେ ନିରନ୍ତର ପ୍ରଗତି କରି ଚାଲିଛି |

ମୂଳ ଲେଖା : କେ ଭି ଭେଙ୍କଟସୁବ୍ରମନିୟମ, ବରିଷ୍ଠ ସାମ୍ବାଦିକ

ଅନୁବାଦ: ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...