Skip to main content

ଓଇସିଡି ଅର୍ଥନୈତିକ ସର୍ଭେ କହିଛି ଭାରତର ଅଭିବୃଦ୍ଧି ଜାରି ରହିବ

ଅର୍ଥନୈତିକ ସହଯୋଗ ଓ ଉନ୍ନୟନ ସଂଗଠନ(ଓଇସିଡି)ପକ୍ଷରୁ ଗତ ସପ୍ତାହରେ ନୂଆଦିଲ୍ଲୀରେ ଜାରି କରାଯାଇଥିବା ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟରେ ଭାରତୀୟ ଆର୍ଥିକ ଅଭିବୃଦ୍ଧି ମଜବୁତ ଅଛି ଓ ନିରନ୍ତର ଅଭିବୃଦ୍ଧି ପଥରେ ଆଗେଇ ଚାଲିଥିବା ଦର୍ଶାଯାଇଛି। ତେବେ ବେସରକାରୀ କର୍ପୋରେଟ ପୁଞ୍ଜିନିବେଶ ଓ ଶିଳ୍ପ ଉତ୍ପାଦନ ସଂକ୍ରାନ୍ତରେ ଏହି ରିପୋର୍ଟରେ ଉଦବେଗ ପ୍ରକାଶ କରାଯାଇଛି। ଏମିତିରେ ଦେଖିବାକୁ ଗଲେ ଉପଭୋଗ ଅନୁଯାୟୀ ଭାରତର ଆର୍ଥିକ ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରିଥାଏ। ଶୁଳ୍କ ସରଳିକରଣ କ୍ଷେତ୍ରରେ ସଂସ୍କାର, ବେବସାୟ ସହଜ କରିବା ପାଇଁ ବ୍ୟବସ୍ଥାକୁ ମଜବୁତ କରିବା ଏବଂ ମୌଳିକ ଢାଞ୍ଚା ପୁଞ୍ଜି ନିବେଶ ବୃଦ୍ଧି ଯୋଗୁଁ ମାନ୍ଦା ଅବସ୍ଥା ପରେ ମଧ୍ୟମ ଅଭିବୃଦ୍ଧି ହାସଲ ହେବାର ରିପୋର୍ଟରେ ଆଶା ପ୍ରକଟ କରାଯାଇଛି। ଉଚ୍ଚ ମାନର ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମ୍ୟ ଆୟ ମଜବୁତ କରିବା ବିଷୟ ତଥାପି ଆହ୍ୱାନ ଭାବେ ଉଭା ହୋଇଛି।

ଭାରତର ରାଜ୍ୟଗୁଡିକ ମଧ୍ୟରେ ଅର୍ଥନୈତିକ ସମ୍ମେଳନର ଅଭାବ ଯୋଗୁଁ ଗରିବ ରାଜ୍ୟଗୁଡିକ ସହ ତାଳ ଦେଇ ଚାଲିପାରୁ ନଥିବାରୁ ଦେଶ ଭିତରେ ଥିବା ତାରତମ୍ୟକୁ ଦୂର କରିବା ପାଇଁ ବିଭିନ୍ନ ପରିସର ବୃଦ୍ଧି ପ୍ରତି ତୁରନ୍ତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏହି ରିପୋର୍ଟକୁ ଉନ୍ମୋଚନ କଲାବେଳେ ଓସିଇବି ମୁଖ୍ୟ ଅର୍ଥନୀତିଜ୍ଞ ଲରେନ୍ସ ବୁନେ କହିଛନ୍ତି ଯେ ବର୍ତ୍ତମାନ ବି ବିଶ୍ୱ ଅର୍ଥନୀତିରେ ଭାରତ ଅଭିବୃଦ୍ଧି କ୍ଷେତ୍ରରେ ଆଗରେ ଥିବାର ନିଜକୁ ପ୍ରତିଷ୍ଠା କରାଇପାରିଛି କିନ୍ତୁ ଆର୍ଥିକ ଅଭିବୃଦ୍ଧିର ପୁନଃଉତ୍ଥାନ ପାଇଁ ଭାରତକୁ ଗଠନମୂଳକ ଏବଂ ପୁନଃପୌନିକ ସଂସ୍କାରର ଆବଶ୍ୟକତା ରହିଛି।

ଓଇସିଡି ଅର୍ଥନୈତିକ ସର୍ଭେରେ ଭାରତର ଅଭିବୃଦ୍ଧି 2020 ମସିହାରେ ଶତକଡା 6.2 ଭାଗ ଏବଂ 2021 ମସିହାରେ ଶତକଡା 6.4 ଭାଗ ହେବବୋଲି ଆକଳନ କରାଯାଇଛି। ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ 2019 ମସିହାରେ ଶତକଡା 5.8 ଭାଗ ଅଭିବୃଦ୍ଧି ପୁନସ୍ଥାପନ କରିବା ପାଇଁ ରପ୍ତାନି ଓ ପୁଞ୍ଜିନିବେଶକୁ ପୁନର୍ଜୀବିତ କରିବାକୁ ହେବ। ସଂଘୀୟ ନୀତି ପ୍ରତି ନୂଆ ଆଭିମୁଖ୍ୟ ସହ ସମଷ୍ଠିଗତ ଅର୍ଥନୈତିକ ଉଦ୍ୟମ ଯୋଗୁଁ ଅନାଦେୟ ଋଣ(ଏନପିଏ) ସମସ୍ୟାକୁ ଦୂର କରାଯାଇ ଆର୍ଥିକ କ୍ଷେତ୍ରରେ ଉନ୍ନତିର ପ୍ରୟାସ ଯୋଗୁଁ ଦେବାଳିୟା ନୀତିର ଉପଯୁକ୍ତ କାର୍ଯ୍ୟକାରିତା, ଜିଏସଟିର ରୂପାୟନ ଏବଂ କର୍ପୋରେଟ ଶୁଳ୍କ ସଂସ୍କାର ଆଦି ସାଂଗଠନିକ ସଂସ୍କାର ଆଦି ବିଷୟ ରିପୋର୍ଟରେ ଦର୍ଶାଯାଇଛି।

‘ସେବା ବାଣିଜ୍ୟ’ କଟକଣା ହ୍ରାସ କରାଗଲେ ଅର୍ଥନୈତିକ ଅଭିବୃଦ୍ଧି ସାଧନ ହେବ ବୋଲି ବାହ୍ୟ ପକ୍ଷର ପ୍ରଭାବ ବିଷୟ ଓସିଇଡି ରିପୋର୍ଟରେ ଦର୍ଶାଯାଇଛି। ବିଶ୍ୱ ସାମଗ୍ରୀ ଓ ସେବା ରପ୍ତାନୀରେ ଭାରତର ଅବଦାନ 1990 ମସିହାରେ ଶତକଡା 0.5 ଭାଗ ଥିବାବେଳେ 2018 ମସିହା ବେଳକୁ ଏହା ଶତକଡା 2.1 ଭାଗରେ ପହଞ୍ଚିଛି। ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଅଭିବୃଦ୍ଧି ଯୋଗୁଁ ଏହା ସାଧନ ହୋଇପାରିଛି।

ବାସ୍ତବିକ କର୍ମଯୋଗାଣ, ସାମାଜିକ ମୌଳିକ ଢାଞ୍ଚା, ଶ୍ରମ ଆଇନର ଆଧୁନିକୀକରଣ ଏବଂ ଅର୍ଥନୀତିରେ ମହିଳାମାନଙ୍କୁ ଅଧିକ ନିଯୁକ୍ତି, ଆର୍ଥିକ କ୍ଷେତ୍ରରେ ଉନ୍ନତି, ବାଣିଜ୍ୟ କଟକଣା ହ୍ରାସ, ଭଡା ନିୟମକୁ ମଜବୁତ କରିବା ଏବଂ ସମସ୍ତଙ୍କୁ ଶସ୍ତାରେ ଘର ଯୋଗାଇବା ପାଇଁ ସଂପତ୍ତି ଆଇନକୁ ନିଶ୍ଚିତ କରିବା ଲାଗି ଆର୍ଥିକ ବ୍ୟବସ୍ଥା ସୃଷ୍ଟି କରାଗଲେ ଅଭିବୃଦ୍ଧି ଲକ୍ଷ୍ୟ ପୁନର୍ଜୀବିତ କରାଯାଇପାରିବ ବୋଲି ଓଇସିଡି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଆୟ ଅସମାନତା ଭଳି ସାମାଜିକ ଆହ୍ୱାନଗୁଡିକର ମୁକାବିଲା ଏବଂ କର୍ମଜୀବି ମହିଳାମାନଙ୍କ ଭାଗିଦାରୀତା ବୃଦ୍ଧି ସମସ୍ୟାଗୁଡିକୁ ଲରିପୋର୍ଟରେ ଦର୍ଶାଯାଇଛି। ରିପୋର୍ଟରେ ଏକଥା ମଧ୍ୟ କୁହାଯାଇଛି ଯେ ବାହ୍ୟ ମଳତ୍ୟାଗ ଉଚ୍ଛେଦ ପାଇଁ ଶହେ ନିୟୁତ ଶୌଚାଳୟ 2014 ଅକ୍ଟୋବର ସୁଦ୍ଦା ନିର୍ମାଣ କରାଯାଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ସକାଶେ ସରକାର ଅନେକ ସାମାଜିକ କଲ୍ୟାଣ ନୀତି କାର୍ଯ୍ୟକାରୀ କରିଛନ୍ତି। ମହିଳାମାନଙ୍କୁ କ୍ଷମତାପନ୍ନ କରିବା, କନ୍ୟା ଭ୍ରୁଣ ହତ୍ୟା ହ୍ରାସ ପାଇଁ କାର୍ଯ୍ୟକ୍ରମ ରୂପାୟନ ଏବଂ କନ୍ୟା ଶିକ୍ଷା ଲାଗି ଅନେକ ପଦକ୍ଷେପ ନିଆଯାଇଥିବା କଥା ମଧ୍ୟ ରିପୋର୍ଟରେ କୁହାଯାଇଛି। କିନ୍ତୁ ଅର୍ଥନୈତିକ ଅଭିବୃଦ୍ଧି ସହ ସମାନତା ଆଣିବା କ୍ଷେତ୍ରରେ ଆହ୍ୱାନ ତଥାପି ରହିଛି।

ସମସ୍ତଙ୍କ ମଙ୍ଗଳ ପାଇଁ ସବୁଜ ଅଭିବୃଦ୍ଧିକୁ ହାତେଇବା ଏବଂ ଜଳବାୟୁ ପରିବର୍ତ୍ତନକୁ ସୀମିତ ରଖିବାର ଆବଶ୍ୟକତା ଉପରେ ରିପୋର୍ଟରେ ଅଗ୍ରାଧିକାର ଦିଆଯାଇଛି। ବାୟୁ ପ୍ରଦୂଷଣ ଅତ୍ୟନ୍ତ ବୃଦ୍ଧି ପାଇଥିବାରୁ ଏ ଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଓଇସିଡି ରିପୋର୍ଟରେ ସତର୍କ କରାଯାଇଛି। ଘର ଭିତରେ ପ୍ରଦୂଷଣ ଯୋଗୁଁ ଭାରତରେ ଅକାଳ ମୃତ୍ୟୁ ମୁଖ୍ୟ କାରଣ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଗରିବମାନଙ୍କୁ ସବସିଡିଯୁକ୍ତ ଗ୍ୟାସ ସଂଯୋଗ ଯୋଗେଇଦେବା ପାଇଁ ସରକାରଙ୍କ ଉଦ୍ୟମକୁ ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି। ବିଶ୍ୱରେ 10ଟି ପ୍ରଦୃଷଣ ସହର ମଧ୍ୟରୁ କେବଳ ଭାରତରେ 9ଟି ସହର ରହିଥିବା କଥା ରିପୋର୍ଟରେ କୁହାଯାଇଛି।

ଭାରତର ଓଇସିଡି ଅର୍ଥନୈତିକ ସର୍ଭେ ରିପୋର୍ଟ ମୁଖ୍ୟ ଅର୍ଥନୈତିକ ଉପରଦେଷ୍ଟା କେ. ସୁବ୍ରମଣ୍ୟମ ଏବଂ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ଦିଆଯାଇଛି।

ନୂଆ ମୁଦ୍ରା ନୀତି ଢାଞ୍ଚା ଜରିଆରେ ମୁଦ୍ରାସ୍ଫିତି ନିୟନ୍ତ୍ରଣରେ ରଖିବା ଲାଗି ଭାରତର ସଫଳତାକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଥିବାବେଳେ ବିଶ୍ୱ ଅର୍ଥନୀତିରେ ଭାରତର ଅଂଶ ଗ୍ରହଣ ବୃଦ୍ଧି ପାଉଥିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଛି। ବୃହତ ଅର୍ଥନୈତିକ କ୍ଷେତ୍ରରେ ପ୍ରଶାସନିକ ଉନ୍ନତି ସମେତ ପୁଞ୍ଜିନିବେଶ ବୃଦ୍ଧି ସାମାଜିକ ଅସମାନତା ଦୂର, ବିଶ୍ୱ ଅର୍ଥନୀତିରେ ଅଧିକ ଅଂଶ ଗ୍ରହଣ, ସଂପତ୍ତିର ମାଲିକାନା ସତ୍ତ୍ୱ ସଂପ୍ରସାରଣ, ଶସ୍ତାରେ ଗୃହ ଓ ସବୁଜିମା ଅଭିବୃଦ୍ଧି ଲାଗି ପଦକ୍ଷେପ ନେବାକୁ ଓଇସିଡି ରିପୋର୍ଟରେ ସୁପାରିସ କରାଯାଇଛି।

ଆଲେଖ୍ୟ: ଡକ୍ଟର ଲେଖା ଏସ ଚକ୍ରବର୍ତ୍ତୀ

ଭାଷାନ୍ତର : ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...