Skip to main content

ପାକିସ୍ତାନର ଜାତୀୟ  ଏସେମ୍ବ୍ଲିରେ ଗୃହିତ ପ୍ରସ୍ତାବକୁ ଭାରତର ଦୃଢ ପ୍ରତ୍ୟାକ୍ଷାନ 

ପାକିସ୍ତାନର ବିଭିନ୍ନ ଅନୁଷ୍ଠାନ ଗୁଡିକ ମଧ୍ୟରେ ଏବେ କନ୍ଦଳ ଲାଗି ରହିଛି | କିନ୍ତୁ ଭାରତର ପ୍ରତ୍ୟେକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାକିସ୍ତାନ ତାର ଚିରାଚରିତ କଦର୍ଯ୍ୟ ଅଭ୍ୟାସ ତ୍ୟାଗ କରିପାରୁନାହିଁ | ଭାରତୀୟ ସଂସଦରେ ନାଗରିକତା ସଂଶୋଧନ ବିଲ ଅନୁମୋଦନ ହେବା ପରେ ଏହା ବର୍ତ୍ତମାନ ନାଗରିକତା ସଂଶୋଧନ ଆଇନରେ ପରିଣତ ହୋଇଛି, ଏବିଷୟରେ ମଧ୍ୟ ପାକିସ୍ତାନ ଏସେମ୍ବ୍ଲିରେ ବିତର୍କ କରାଯାଇଛି | ପାକିସ୍ତାନ ହେଉ କିମ୍ବା ଯେକୌଣସି ଦେଶରେ ହେଉ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳେଇବା ସେମାନଙ୍କର କୌଣସି ଅଧିକାର ନାହିଁ | ନାଗରିକତା ସଂଶୋଧାନ ଆଇନର ଲକ୍ଷ୍ୟ ହେଲା ଆଫଗାନିସ୍ତାନ, ପାକିସ୍ତାନ ଓ ବାଙ୍ଗଲାଦେଶରେ ଉତ୍ପୀଡନର ଶିକାର ହେଉଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା | 

ପାକିସ୍ତାନରେ ସଂଖ୍ୟାଲଘୁ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ବିଷୟକୁ ନେଇ ଇସଲାମାବାଦକୁ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦା କରାଯାଉଥିବା ବେଳେ ଭାରତର ନାଗରିକତା ସଂଶୋଧନ ଆଇନକୁ ନେଇ ବର୍ତ୍ତମାନ ସେ ଦେଶରେ ହଇଚଇ ସୃଷ୍ଟି ହୋଇଛି | ସଂଖ୍ୟାଲଘୁ ମାନଙ୍କ ସୁରକ୍ଷା କ୍ଷ୍ରେତ୍ରରେ ପାକିସ୍ତାନର ରେକର୍ଡ ଆଦୌ ଭଲ ନୁହେଁ | ସେ ଦେଶରେ ସଂଖ୍ୟାଲଘୁ ଲୋକମାନେ ଅତ୍ୟନ୍ତ ଭୟରେ କାଳାତିପାତ କରୁଛନ୍ତି | କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ପ୍ରତ୍ୟେକ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରତ୍ୟେକ ଦେଶର କର୍ତ୍ତବ୍ୟ | ପାକିସ୍ତାନର ସୁପ୍ରିମକୋର୍ଟ ଧର୍ମ ନିନ୍ଦୁକ ଅଭିଯୋଗରୁ ଖ୍ରୀଷ୍ଟିୟାନ ମହିଳା ଆସିଆ ବିବିକୁ ମୁକ୍ତ କରିବା ରାୟକୁ ନେଇ ସେ ଦେଶର ମୌଳବାଦୀଙ୍କ ପ୍ରତିକ୍ରିୟା ଉପରେ ବିଶ୍ଵବାସୀ ଭଲ ଭାବେ ଜାଣନ୍ତି | ଆସିଆ ବିବି, ତାଙ୍କ ପରିବାର ଓ ତାଙ୍କ ଓକିଲକୁ ପାକିସ୍ତାନ ଛାଡିବାକୁ ପଡିଥିଲା ଓ ବିଦେଶରେ ଆଶ୍ରୟ ନେବାକୁ ପଡିଥିଲା | 

ଏବେ ପାକିସ୍ତାନ ସଂଖ୍ୟାଲଘୁ ସମ୍ପ୍ରଦାୟ ଲୋକ ମାନଙ୍କର ତ୍ରାଣକର୍ତ୍ତା ବୋଲି ନିଜକୁ ଚିତ୍ରଣ କରିବାରେ ଲାଗିଛି | ପାକିସ୍ତାନ ସରକାର ବର୍ତ୍ତମାନ ଆତ୍ମ ବିଶ୍ଳେଷଣ କରିବା ଉଚିତ | ନବ ଗଠିତ ପାକିସ୍ତାନରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମାନଙ୍କ ପ୍ରତି ଦୁର୍ବ୍ୟବହାର କରାଯିବାରୁ ମୁସଲିମ ଲିଗର ପ୍ରତିଷ୍ଠାତା ସଦସ୍ୟ ତଥା ସେ ଦେଶର ପ୍ରଥମ ଆଇନ ଓ ଶ୍ରମ ମନ୍ତ୍ରୀ ଯୋଗେନ୍ଦ୍ର ନାଥ ମଣ୍ଡଳଙ୍କୁ 1950 ମସିହାରେ ପାକିସ୍ତାନ ଛାଡିବାକୁ ପଡିଥିଲା | ଶ୍ରୀ ମଣ୍ଡଳ ପରେ ପାକିସ୍ତାନ ନାଗରିକତ୍ଵ ପରିହାର କରି କୋଲକାତା ଉପକଣ୍ଠରେ ଶରଣାର୍ଥୀ ଭାବେ ରହିଥିଲେ | 

ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ପାତର ଅନ୍ତର କରାଯାଉଥିବା ଆଉ ଏକ ଜ୍ଵଳନ୍ତ ଉଦାହରଣ ହେଲା ପାର୍ସି ସମ୍ପ୍ରଦାୟର ଜଷ୍ଟିସ ଦୋରାବ ପଟେଲଙ୍କୁ ପ୍ରଧାନ ବିଚାରପତି ପଦ ପାଇଁ ବିବେଚନା କରାନଯିବା | କାରଣ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋଙ୍କୁ ମୃତ୍ୟୁଦଣ୍ଡାଦେଶ ଦେବା ପାଇଁ ସେ ଏକମାତ୍ର ବିଚାରପତି ଥିଲେ ଯିଏକି ଅସହମତି ପ୍ରକାଶ କରିଥିଲେ | ଏହିଭଳି ଅନେକ ଉଦାହରଣ ରହିଛି ଏପରିକି ପାକିସ୍ତାନର ପରମାଣୁ କାର୍ଯ୍ୟକ୍ରମର ଜନକ ଡଃ ଏ.କିଉ ଖାଁ ଅହମଦିୟା ସମ୍ପ୍ରଦାୟର ହୋଇଥିବାରୁ ତାଙ୍କ ପ୍ରତି ମଧ୍ୟ ବାଛ ବିଚାର କରାଯାଇଥିଲା |

ଭାରତର ସମ୍ପୁର୍ଣ୍ଣ ଆଭ୍ୟନ୍ତରୀଣ ବିଷୟ ଗୁଡିକ ଉପରେ ପାକିସ୍ତାନ ଏସେମ୍ବ୍ଲିର ପ୍ରସ୍ତାବରେ ଉଲ୍ଲେଖ କରାଯିବା ବିଷୟକୁ ନୂଆଦିଲ୍ଲୀ ଦୃଢ ଭାବେ ପ୍ରତ୍ୟାକ୍ଷାନ କରିଛି | ଭାରତର ବୈଦେଶିକ ମନ୍ତ୍ରୀ କହିଛନ୍ତି ଜାମ୍ମୁ ଓ କାଶ୍ମୀର ଓ ଲଦାଖ ପ୍ରସଙ୍ଗକୁ ନେଇ ପାକିସ୍ତାନ ଯେଉଁ ମିଛ କଥା କହିବୁଲୁଛି ଏହା ଆହୁରି ଏକ ବୃଥା ପ୍ରଚେଷ୍ଟା | ଭାରତରେ ସୀମାପାରି ଆତଙ୍କବାଦକୁ ପାକିସ୍ତାନ ଦେଇ ଆସୁଥିବା ସମର୍ଥନକୁ ଯଥାର୍ଥ ବୋଲି ପ୍ରତିପାଦନ କରିବା ପାଇଁ ଏହା ଆଉ ଏକ ଉଦ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏଭଳି ଉଦ୍ୟମ ନିଶ୍ଚିତ ବିଫଳ ହେବ ବୋଲି ଭାରତ ଭଲ ଭାବେ ଜାଣିଛି |

ଭାରତ ପୁଣି କହିଛି ପାକିସ୍ତାନ ତା ନିଜର ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ଯେଉଁଭଳି ଉତ୍ପୀଡନ ଦେଉଛି ସେଥିରୁ ଧ୍ୟାନ ହଟେଇବା ପାଇଁ ସେ ଦେଶର ଜାତୀୟ ଏସେମ୍ବ୍ଲିର ପ୍ରସ୍ତାବ ନେପଥ୍ୟରେ ଏକ ଉଦ୍ୟମ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ| ପାକିସ୍ତାନରେ ରହୁଥିବା ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ ଓ ଅନ୍ୟ ଧର୍ମର ସଂଖ୍ୟାଲଘୁ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ଯୋଗୁଁ ଏହା ସ୍ପଷ୍ଟ ଭାବେ ପ୍ରମାଣିତ ହୋଇଛି | 

ଭାରତର ନାଗରିକତା ସଂଶୋଧନ ଆଇନ 2019ର ପ୍ରକୃତ ଲକ୍ଷ୍ୟକୁ ଭୁଲ ଭାବେ ଚିତ୍ରଣ କରିବା ହେଉଛି ଏହି ପ୍ରସ୍ତାବର ମୂଳ ଲକ୍ଷ୍ୟ |ଏହି ଆଇନର ମୂଳ ଲକ୍ଷ୍ୟ ହେଲା କେତେକ ବଛା ବଛା ବିଦେଶୀ ରାଷ୍ଟ୍ରର ନିର୍ଯ୍ୟତିତା ଧାର୍ମିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ମାନଙ୍କୁ ଭାରତର ନାଗରିକତ୍ଵ ପ୍ରଦାନ କରିବା | ତେବେ କୌଣସି ଧର୍ମର ଭାରତୀୟଙ୍କ ଠାରୁ ନାଗରିକତ୍ଵ ଛଡାଇ ନେବା ଏହି ଆଇନର କଦାପି ଲକ୍ଷ୍ୟ ନୁହେଁ |

ସଂଖ୍ୟାଲଘୁ ସମ୍ପ୍ରଦାୟ ବିରୁଦ୍ଧରେ ବାଛ ବିଚାର ମୂଳକ ଆଇନକୁ ଅନୁମୋଦନ କରୁଥିବା ପାକିସ୍ତାନର ଜାତୀୟ ଏସେମ୍ବ୍ଲି ଅନ୍ୟ ମାନଙ୍କୁ ଅଙ୍ଗୁଳି ଦେଖେଇବା ଏକ ହାସ୍ୟାସ୍ପଦ ବିଷୟ | ନିଜେ ଜଡିତ ଥିବା ଦୋଷକୁ ଘୋଡେଇବା ପାଇଁ ଅନ୍ୟ ମାନଙ୍କୁ ମିଥ୍ୟାରେ ଅଭିଯୁକ୍ତ କରିବା ଅପେକ୍ଷା ପାକିସ୍ତାନ ଆତ୍ମ ବିଶ୍ଳେଷଣ କରୁ ବୋଲି ଭାରତ ପରାମର୍ଶ ଦେଇଛି |

ପାକିସ୍ତାନ ମନେ ରଖିବା ଉଚିତ ଯେ ଭାରତ ହେଉଛି ଏକ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଏହାର ସରକାର ମାନେ ଅବାଧ ଓ ନିରପେକ୍ଷ ଭାବେ ଭୋଟ ଦ୍ଵାରା ନିର୍ବାଚିତ ହୋଇଥାନ୍ତି ଏବଂ ଯେକୌଣସି ଧର୍ମର ହେଉନା ଥାନ୍ତୁ କାହିଁକି ସମ୍ବିଧାନରେ ସବୁ ଭାରତୀୟ ମାନଙ୍କୁ ସମାନ ଅଧିକାର ଦିଆଯାଇଛି | ଏଣୁ ପାକିସ୍ତାନ ଏଭଳି ଆଦର୍ଶ ଅନୁସରଣ କରୁ ବୋଲି ପରାମର୍ଶ ଦିଆଯାଇଛି|

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପେଶୱାର ହାଇକୋର୍ଟର ମୁଖ୍ୟ ବିଚାରପତି ୱାକର ଅହମଦ ସେଠଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ଵତନ୍ତ୍ର ଅଦାଲତ ଦ୍ଵାରା ଦେଶଦ୍ରୋହ ଅଭିଯୋଗରେ ସେ ଦେଶର ପୂର୍ବତନ ରାଷ୍ଟ୍ରପତି ଜେନେରାଲ ପରଭେଜ ମୁସାରଫଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଦିନ ପାକିସ୍ତାନ ଜାତୀୟ ଏସେମ୍ବ୍ଲିରେ ଭାରତର ନାଗରିକତା ସଂଶୋଧନ ଆଇନ ଉପରେ ଆଲୋଚନା ହୋଇଛି | ମୁସରଫ ବର୍ତ୍ତମାନ ନିର୍ବାସନରେ ଦୁବାଇରେ ରହୁଛନ୍ତି | ତେଣେ ପାକିସ୍ତାନୀ ସେନା ବାହିନୀ ଏହି ରାୟ ଉପରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରି ମୁସାରଫ ଦେଶର ଜଣେ ଅନୁଗତ ନାଗରିକ ବୋଲି କହିଛି | 

ତେଣୁ ଏଥିରୁ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଛି ଯେ ପାକିସ୍ତାନର ବିଭିନ୍ନ ସରକାରୀ ସଂସ୍ଥା ଗୁଡିକ ମଧ୍ୟରେ ବର୍ତ୍ତମାନ ତାମସା ଚାଲିଛି କହିଲେ ଅତ୍ୟୁକ୍ତି ହେବ ନାହିଁ | 

ମୂଳ ଲେଖା : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ 

ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...