ଚିନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲଙ୍କ ସହ ସୀମା କଥାବାର୍ତ୍ତା ନେଇ ଭାରତ ଗସ୍ତରେ ଆସିଥିଲେ। ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁଙ୍କୁ ମଧ୍ୟ ସେ ସାକ୍ଷାତ କରିଥିଲେ। ଏଥର ସ୍ୱତନ୍ତ୍ର ପ୍ରତିନିଧି ସ୍ତରୀୟ ଏହି କଥାବାର୍ତ୍ତା କେତେକ ପ୍ରସଙ୍ଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚିନ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିତୀୟ ଅଣ ଆନୁଷ୍ଠାନିକ ଆଲୋଚନା ଚେନ୍ନାଇ ନିକଟସ୍ଥ ମାମଲ୍ଲାପୁରମରେ 2019 ଅକ୍ଟୋବରରେ ଅନୁଷ୍ଠିତ ହୋଇଥିଲା। ସୀମାକୁ ଶାନ୍ତିପୂର୍ଣ୍ଣ ରଖିବା ପାଇଁ ଦୁଇ ଦେଶ ମଧ୍ୟରେ ଆସ୍ଥା ସୂଚକ ପଦକ୍ଷେପ ଅଧିକ ନେବାକୁ ବୈଠକ ଶେଷରେ ଦୁଇ ନେତା ନିଷ୍ପତ୍ତି ନେଇଥିଲେ।
ଭାବାବେଗ ଅନୁଯାୟୀ ଏନଏସଏ ଅଜିତ ଡୋଭାଲ କହିଛନ୍ତି ଯେ ସୀମା ବିବାଦର ସମାଧାନ ଏବଂ ଦ୍ୱିପକ୍ଷୀୟ ସଂପର୍କରେ ଉନ୍ନତି ଆଣିବା ପାଇଁ ଉଭୟ ପକ୍ଷ ଏକ ନୂଆ ଦୂରଦୃଷ୍ଟି ଏବଂ ଆଭିମୁଖ୍ୟ ରଖୁଛନ୍ତି। ଚିନ ପକ୍ଷରୁ କୁହାଯାଇଛି ଯେ ଆଲୋଚନା ପରେ ଉଭୟ ଭାରତ ଏବଂ ଚିନ ଏକ ପରିଚାଳନା ନିୟମର ପ୍ରଣୟନ କରିବା ଏବଂ ସୀମା ବାହିନି ମଧ୍ୟରେ ଆଦାନପ୍ରଦାନକୁ ମଜବୁତ କରିବା ସହିତ ସୀମା ଘାଟିରେ ଅଧିକ ଆଲୋଚନା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। କୌଣସି ଅପ୍ରିତିକର ସ୍ଥିତିକୁ ଏଡାଇବା ପାଇଁ ଅଧିକ ପଦକ୍ଷେପ ନେବାକୁ ମଧ୍ୟ ଦୁଇ ପକ୍ଷ ରାଜି ହୋଇଛନ୍ତି।
ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବା ପରେ ଦ୍ୱାବିଂଶ ସୀମା ଆଲୋଚନା ହେଉଛି ଦୁଇ ଦେଶ ମଧ୍ୟରେ ପ୍ରଥମ ବୈଠକ। ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମର୍ଯ୍ୟଦା ହଟାଇ ନିଆଯିବା ପରେ ଲଦାଖର ସୀମାରେଖାରେ ପରିବର୍ତ୍ତନକୁ ନେଇ ଚିନ ଘୋର ଆପତ୍ତି ଉଠାଇବା ସଙ୍ଗେ ସଙ୍ଗେ ଜାତିସଂଘ ନିରାପତ୍ତା ପରିଷଦରେ କଶ୍ମୀର ପ୍ରସଙ୍ଗ ଉତ୍ଥାପନ କରିବା ପାଇଁ ପାକିସ୍ତାନକୁ ସମର୍ଥନ ଜଣାଇଛି। ଏଭଳି ଉଦ୍ୟମକୁ ଭାରତ ପଣ୍ତ କରିଦେଇଛି।
ସୀମା କଥାବାର୍ତ୍ତା ପୂର୍ବରୁ ଚିନ ପୁଣି ଥରେ କଶ୍ମୀର ପ୍ରସଙ୍ଗରେ କଥାବାର୍ତ୍ତା ପାଇଁ ଏକ ବୈଠକ କରିବାକୁ ପ୍ରସ୍ଥାବ ଦେଇଛି। ପରିସ୍ଥିତି ସଂକ୍ରାନ୍ତରେ ଜାତିସଂଘ ଶାନ୍ତିରକ୍ଷା ମିଶନ ପକ୍ଷରୁ ସଦସ୍ୟ ରାଷ୍ଟ୍ରମାନଙ୍କୁ ଅବଗତ କରାଯାଇ ନପାରିବାରୁ ଏହି ବୈଠକକୁ ସ୍ଥଗିତ ରଖାଯାଇଛି। ଜାତିସଂଘରେ ଚିନର ରାଷ୍ଟ୍ରଦୂତ କହିଛନ୍ତି ଜାତିସଂଘ ଶାନ୍ତିରକ୍ଷା ମିଶନ ପକ୍ଷରୁ ରିପୋର୍ଟ ପ୍ରସ୍ତୁତ ହେବା ପରେ ବୈଠକ ପାଇଁ ସେ ଅନୁରୋଧ କରିବେ। ତେଣେ ଭାରତ ସ୍ପଷ୍ଟ ଭାବେ କହିଛି ଯେ ଉଭୟ ଦେଶ ଉଭୟଙ୍କ ସମ୍ୱେଦନଶିଳତା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଆପୋଷ ଆସ୍ଥା ସୃଷ୍ଟି ପାଇଁ ସହମତିରେ ଉପନୀତ ହେବେ। ଜାତୀୟ ସ୍ୱାର୍ଥ ରଖିବା ପାଇଁ ଭାରତର ପଦକ୍ଷେପ ପ୍ରତି ଚିନକୁ ସମ୍ୱେଦନଶିଳ ହେବାକୁ ପଡିବ।
ଚିନ ବୈଦେଶିକ ମନ୍ତ୍ରୀ କହିଛନ୍ତି ସୀମା ସମସ୍ୟାର ସମାଧାନ ପାଇଁ ଏକ ବାସ୍ତବ ଢାଞ୍ଚା ଉପରେ କଥାବାର୍ତ୍ତା ପାଇଁ ଚିନ ପ୍ରସ୍ଥାବ ଦେଇଛି ଓ ଏଥିପାଇଁ ଭାରତର ଧ୍ୟାନ ମଧ୍ୟ ଆକର୍ଷଣ କରାଯାଇଛି। ଗତ କେଇ ବର୍ଷ ହେଲା ଚାଲିଥିବା ସୀମା କଥାବାର୍ତ୍ତାର ଫଳାଫଳ ଏହି ପର୍ଯ୍ୟନ୍ତ ପହଞ୍ଚିଛି। ଚିନ ପକ୍ଷରୁ ପ୍ରକୃତ ଢାଞ୍ଚା ବିଷୟରେ ସବିଶେଷ ଭାବେ କିଛି କୁହାଯାଇ ନାହିଁ କିମ୍ୱା ଭାରତ ଏହା ଉପରେ ବିବେଚନା କରୁଛି କି ନାହିଁ ତାହା ମଧ୍ୟ ଅଜଣା ଅଛି। ସୀମା କଥାବାର୍ତ୍ତା ପୂର୍ବରୁ ଚିନ ବୈଦେଶିକ ମନ୍ତ୍ରୀ କହିଥିଲେ ସୀମା ପୁନଃନିର୍ଦ୍ଧାରଣ ସଂକ୍ରାନ୍ତରେ ଉଭୟ ପକ୍ଷ ମତ ଆଦାନ ପ୍ରଦାନ କରିବା ଉଚିତ ହେବ। ଚୁଡାନ୍ତ ରୂପରେଖ ପାଇଁ କଥାବାର୍ତ୍ତା ସକାଶେ କୌଣସି ଢାଞ୍ଚା ରାଜିନାମା ସ୍ୱାକ୍ଷରିତ ହୋଇନଥିଲେ ମଧ୍ୟ ଆପୋ, ଗ୍ରହଣ ଯୋଗ୍ୟ ଏକ ଢାଞ୍ଚା ପ୍ରସ୍ତୁତ କରିବା ପାଇଁ ଉଭୟ ପକ୍ଷ ପ୍ରତିଶ୍ରୁତିବଦ୍ଧତା ପ୍ରକାଶ କରିଛନ୍ତି।
ଆସନ୍ତା ବର୍ଷ ଦୁଇ ଦେଶ ସତୁରିତମ କୂଟନୈତିକ ସଂପର୍କ ପାଳନ କରିବାକୁ ଯାଉଥିବା ବେଳେ ସୀମା କଥାବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ସୁଯୋଗକୁ ହାତଛଡା ନକରି ଦୁଇ ଦେଶ ମଧ୍ୟରେ ସଂପର୍କରେ ଉନ୍ନତି ଆଣିବା ପାଇଁ ଉଭୟ ଦେଶ ଯୋଜନା କରୁଥିବାରୁ ଏ କ୍ଷେତ୍ରରେ ଏକପ୍ରକାର ପ୍ରଗତି ବୋଲି ବିବେଚନା କରାଯାଉଛି। ଦୁଇ ଦେଶ ମଧ୍ୟରେ ଜନ ସହଯୋଗ ଓ ଆଦାନପ୍ରଦାନ ପାଇଁ ଆସନ୍ତା ବର୍ଷର ସତୁରିତମ କୂଟନୈତିକ ସଂପର୍କ ପାଳନ ଅବସରରେ ଯୋଜନା ରହିଥିବାର ଜଣା ପଡିଛି। ଚିନ ଏହାକୁ ସାମାଜିକ ଓ ସାର୍ବଜନୀନ ବନ୍ଧୁତ୍ୱ ଓ ଉନ୍ନୟନ ପାଇଁ ବୁଝାମଣା ବୋଲି ବର୍ଣ୍ଣନା କରିଛି। ଉଭୟ ଦେଶର ସାଂସ୍କୃତିକ ପରମ୍ପରାକୁ ଆଧାର କରି ସଂପର୍କକୁ ଆଗେଇ ନେବାର ପ୍ରୟାସ କରାଯିବାର ଉଦ୍ୟମ ମଧ୍ୟ କରାଯାଇ ପାରେ। ଭୂ ରାଜନୈତିକ ସୀମା ସରହଦ ଡେଇଁ ଦ୍ୱିପକ୍ଷୀୟ ସହଯୋଗକୁ ଉତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟକୁ ମଧ୍ୟ ଏଭଳି ଉଦ୍ୟମ ପ୍ରତିପାଦିତ କରୁଛି।
ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଚିନ ସଂପର୍କରେ ବହୁତ ଉତ୍ଥାନ ପତ୍ତନ ଦେଖିବାକୁ ମିଳିଛି। ସୀମା କଥାବାର୍ତ୍ତା ଦ୍ୱାରା ଭାରତ ଚିନ ଦ୍ୱିପକ୍ଷୀୟ ସଂପର୍କର ରୂପରେଖ ଭବିଷ୍ୟତରେ କଣ ହେବ ତାହା ସକାରାତ୍ମକ ଭାବେ ଏହି କଥାବାର୍ତ୍ତାରୁ ନିର୍ଧାରଣ କରାଯାଇ ପାରିବ।
ଆଲେଖ୍ୟ: ଡକ୍ଟର ଏମ.ଏସ. ପ୍ରତିଭା
ଭାଷାନ୍ତର: ଜଗନ୍ନାଥ ମଲ୍ଲିକ, ରାମଚଂଦ୍ର ନାଥ
Comments
Post a Comment