ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଅବସରରେ ଉଚ୍ଚାଭିଳାଷୀ ଜଳ ପରିଚାଳନା ‘ଅଟଳ ଭୂଜଳ ଯୋଜନା’ ଲୋକାର୍ପିତ କରି ଜଳାକ୍ଳିଷ୍ଟ କୋଟି କୋଟି ଲୋକଙ୍କୁ ଜଳ ଯୋଗାଇବା ପାଇଁ ଭାରତ ତାର ପ୍ରତିଶୃତିବଦ୍ଧତା ପ୍ରତିପାଦନ କରିଛି | ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଦ୍ଵିତୀୟ କାର୍ଯ୍ୟକାଳ ସମୟରେ ଜଳଶକ୍ତି ମନ୍ତ୍ରଣାଳୟ ଖୋଲିବା ପୂର୍ବରୁ ଦେଶ ଜଳସଙ୍କଟ ଦୂର କରିବା ପାଇଁ ଉଦ୍ୟମ ଜାରି ରଖିଥିଲା | ଜଳଶକ୍ତି ମନ୍ତ୍ରଣାଳୟ ଖୋଲାଯିବା ଦ୍ଵାରା ଏକ ସୀମାବଦ୍ଧ ଆଭିମୁଖ୍ୟରୁ ବାହାରକୁ ଉଠି ଜଳସଙ୍କଟ ମୋଚନ ଲାଗି ଅଧିକ ବିସ୍ତୃତ ଓ ସମଷ୍ଟିଗତ ଆଭିମୁଖ୍ୟ ଗ୍ରହଣ କରାଯାଇପାରିଛି |
ଲୋକ ମାନଙ୍କ ଆଶା ଆକାଂକ୍ଷା ସହ ତାଳ ଦେଇ ଦେଶର ସମସ୍ୟା ଗୁଡିକର ସମାଧାନ କରାନଗଲା ପର୍ଯ୍ୟନ୍ତ ନୂଆ ଭାରତ ଗଠନ ଲକ୍ଷ ସାଧିତ ହୋଇପାରିବ ନାହିଁ | ଗୁଜରାଟ, ରାଜସ୍ଥାନ, ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକର ଯେଉଁ 78ଟି ଜିଲ୍ଲାରେ ଭୂତଳ ଜଳ ହ୍ରାସ ପାଉଛି ତାର ସମସ୍ୟା କେବଳ ଅଟଳ ଭୂଜଳ ଯୋଜନା ଦ୍ଵାରା ଯେ ସାମାଧାନ ହେବ ଖାଲି ସେତିକି ନୁହେଁ ବରଂ ଏହି ଯୋଜନା ବିକଳ୍ପ ଫସଲ ଚାଷ କରିବାର ଆବଶ୍ୟକତା ସଙ୍କ୍ରାନ୍ତରେ କୃଷକ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ମଧ୍ୟ ସାହାଯ୍ୟ କରୁଛି |
ଭାରତରେ କୃଷି କାର୍ଯ୍ୟ ବିଶେଷକରି ଜଳସେଚନ ଉପରେ ନିର୍ଭର କରିଥାଏ ଏବଂ ଏଥିପାଇଁ ଭୂତଳ ଜଳକୁ ବ୍ୟବହାର କରାଯାଇଥାଏ | ବର୍ତ୍ତମାନ ବହୁ ପରିମାଣରେ ଭୂତଳଜଳ ଉତ୍ତୋଳନ ଏବଂ କମ ବର୍ଷା ହେଉଥିବାରୁ ଭୂତଳ ଜଳସ୍ତର ବହୁମାତ୍ରାରେ ହ୍ରାସ ପାଇଛି | ଦେଶରେ ଗତ 10 ବର୍ଷ ମଧ୍ୟରେ 61 ପ୍ରତିଶତ ଭୂତଳ ଜଳ ହ୍ରାସ ପାଇଥିବା କଥା ଏକ ସର୍ବେକ୍ଷଣରୁ ଜଣାପଡିଛି | ବିଶ୍ଵ ତାପମାନ ବୃଦ୍ଧି ଯୋଗୁଁ ଅସମତୂଲ ବର୍ଷା କାରଣରୁ ଭୂତଳ ଜଳ ସ୍ତର ହ୍ରାସ ପାଇଛି | 1950 ମସିହା ପରଠାରୁ ହାରାହାରି ବର୍ଷାପାତ 7 ପ୍ରତିଶତ ହ୍ରାସ ପାଉଛି | ଭାରତ ମହାସାଗର, ଆରବ ସାଗର ଓ ବଙ୍ଗୋପ ସାଗରରୁ ଦକ୍ଷିଣ ପଶ୍ଚିମ ଦିଗରୁ ପବନ ବହିଲେ ଭାରତରେ ସାଧାରଣତଃ ଜୁନ, ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ମୌସୁମୀର ଆଗମନ ହୋଇ ବୃଷ୍ଟିପାତ ହୋଇଥାଏ | ତେବେ ଅକ୍ଟୋବର ଓ ଡିସେମ୍ବର ମାସ ମଧ୍ୟରେ ପବନ ବିପରୀତ ଦିଗରୁ ପ୍ରବାହିତ ହୋଇଥାଏ | କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋତୁଜନିତ ବୃଷ୍ଟିପାତ ଚକ୍ର ବାଧାପ୍ରାପ୍ତ ହେଉଛି |.
ବର୍ତ୍ତମାନ ନିୟମିତ ଭାବେ ବର୍ଷା ନହୋଇ ପର୍ଯ୍ୟାୟ କ୍ରମେ କିମ୍ବା ପର୍ଯ୍ୟାପ୍ତ ବର୍ଷା ହେଉନଥିବାରୁ ମରୁଡି ଓ ବନ୍ୟା ଭଳି ପରିସ୍ଥିତି ଉପୁଜୁଛି | ଅନ୍ୟ ଉନ୍ନତ ଦେଶ ମାନଙ୍କ ତୁଳନାରେ ଭାରତ ଅଳ୍ପ ପରିମାଣରେ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ କରୁଥିଲେ ମଧ୍ୟ ଏଭଳି ଅଦିନିଆ ବର୍ଷା ଓ ହଠାତ ବନ୍ୟା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛି |
ଭୂତଳ ଜଳ ହ୍ରାସ ସମସ୍ୟାର ସମାଧାନ ପାଇଁ ଭାରତ ସରକାର ପ୍ରସ୍ତୁତ ହେବା ଏକ ଭଲ ଖବର | ଅଟଳ ଭୂତଳ ଯୋଜନାରେ ଯେଉଁ ସବୁ ବ୍ୟବସ୍ଥା ରହିଛି ତାହା ଭାରତ ସରକାରଙ୍କ ପ୍ରସ୍ତୁତି ସଙ୍କ୍ରାନ୍ତରେ ସ୍ପଷ୍ଟତା ପ୍ରକାଶ କରୁଛି | ଏହି ଯୋଜନା ଭୂତଳ ଜଳ ପରିଚାଳନା ପାଇଁ ପ୍ରତିଷ୍ଠାନଗତ ଢାଞ୍ଚାକୁ ମଜବୁତ କରିବା ସଙ୍ଗେ ସଙ୍ଗେ ନିରନ୍ତର ଭୂତଳ ଜଳ ସମ୍ବଳ ପରିଚାଳନା ପାଇଁ ଗୋଷ୍ଠୀ ସ୍ତରରେ ମନୋଭାବରେ ପରିବର୍ତ୍ତନ ଆଣିବାରେ ଏହା ସହାୟକ ହେଉଛି |
ଜଳ ବ୍ୟବହାର ସଂଘ, ଭୂତଳ ଜଳ ତଥ୍ୟ ସଂଗ୍ରହ ପରିଚାଳନା, ଜଳ ବଜେଟ ଓ ଗ୍ରାମ ପଞ୍ଚାୟତ ଭିତ୍ତିକ ଜଳ ନିରାପତ୍ତା ଯୋଜନା ପ୍ରସ୍ତୁତି ଆଦି କ୍ଷେତ୍ରରେ ସଂପ୍ରଦାୟର ଅଂଶଗ୍ରହଣକୁ ଅଟଳ ଭୂଜଳ ଯୋଜନା ପ୍ରୋତ୍ସାହିତ କରୁଛି |
ଜଳ ପରିଚାଳନା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଗ୍ରାମ ପଞ୍ଚାୟତ ଗୁଡିକୁ ପ୍ରୋତ୍ସାହନ ଦେବାର ବ୍ୟବସ୍ଥା ରଖିଥିବା ସାତୋଟି ରାଜ୍ୟର 78ଟି ଜିଲ୍ଲାର ପାଖାପାଖି 8350ଟି ଗ୍ରାମ ପଞ୍ଚାୟତ ଏହା ଦ୍ଵାରା ଉପକୃତ ହେବେ | ଏହି ଯୋଜନା ଶୁଭାରମ୍ଭ କଲା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଥା ଘୋଷଣା କରିଥିଲେ | ସେ କହିଥିଲେ ଭଲ ପ୍ରଦର୍ଶନ କରୁଥିବା ଗ୍ରାମପଞ୍ଚାୟତ ଗୁଡିକୁ ଅଟଳ ଜଳ ଯୋଜନା ଅଧୀନରେ ଅଧିକ ପାଣ୍ଠି ଯୋଗାଇଦିଆଯିବ | ଏହା ଭୂତଳ ଜଳ ପରିଚାଳନା ଦିଗରେ ଏକ ଦୃଢ ଆଭିମୁଖ୍ୟ କହିଲେ ଅତ୍ଯୁକ୍ତି ହେବ ନାହିଁ |
ଏହି ଯୋଜନାକୁ ଅଧିକ ସଫଳ କରିବାକୁ ହେଲେ କୃଷକ ମାନଙ୍କୁ ଏଥିରେ ସାମିଲ କରିବାକୁ ପଡିବ ଏବଂ କୃଷି କାର୍ଯ୍ୟ ପଦ୍ଧତି ବଦଳେଇବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯିବା ଉଚିତ | ଅଳ୍ପ ଜଳ ଆବଶ୍ୟକ କରୁଥିବା ଫସଲ ଗୁଡିକର ଚାଷ କରିବାର ପଦ୍ଧତିକୁ ସେମାନଙ୍କୁ ଆପଣେଇବାର ଆବଶ୍ୟକତା ରହିଛି | ଆଖୁ ଚାଷରେ ଅଧିକ ଜମି ଓ ଅଧିକ ଜଳର ଆବଶ୍ୟକତା ହୋଇଥାଏ ଏବଂ ଆଖୁ ଚାଷ ହେଉଥିବା ଅଞ୍ଚଳରେ ମାଟି ତଳ ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇଛି |
ଜଳ ଅପଚୟ ହ୍ରାସ କରିବା ପାଇଁ ପୁରୁଣା ଚାଷ ପଦ୍ଧତିରେ ପରିବର୍ତ୍ତନ ଆଣିବାକୁ ପଡିବ | ମାଟିତଳେ ଅଳ୍ପ ଜଳ ଥିବା ଅଞ୍ଚଳ ଗୁଡିକରେ ଜଳ ବଜେଟ ପ୍ରସ୍ତୁତ କରିବା ପାଇଁ କୃଷକ ମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ଜଳ କାର୍ଯ୍ୟାନୁଷ୍ଠାନ ଯୋଜନା ଓ ଜଳ ପାଣ୍ଠି ସୃଷ୍ଟି କରିବା ପାଇଁ ଗ୍ରାମବାସୀ ମାନେ ଆଗେଇ ଆସିବା ଉଚିତ | ଦେଶରେ ଜଳ ବ୍ୟବହାର ଓ ଏହାର ପରିଚାଳନା ପାଇଁ ଲୋକ ମାନଙ୍କ ମନୋଭାବରେ ପରିବର୍ତ୍ତନ ଅଣାଯାଇ ଟାଙ୍ଗର ଜମିକୁ ଶସ୍ୟ ଶ୍ୟାମଳ କରିବା ପାଇଁ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ଵପ୍ନକୁ ସାକାର କରାଗଲେ ଏହା ତାଙ୍କ ପ୍ରତି ଏକ ବଡ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ |
ଆଲେଖ୍ୟ ଶଙ୍କର କୁମାର, ସାମ୍ବାଦିକ
ଭାଷାନ୍ତର ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ
Comments
Post a Comment