ଭାରତର ବୈଦେଶିକ ବିନିମୟ ମୁଦ୍ରା ପରିମାଣ ଗତ 20 ତାରିଖରେ ସର୍ବାଧିକ 455 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି | ଗତ ମାର୍ଚ୍ଚ ମାସରେ ଏହା 412 ବିଲିୟନ ଆମେରିକୀୟ ଡଲାର ଥିଲା | ବୈଦେଶିକ ମୁଦ୍ରା ସମ୍ପତ୍ତି (ଏଫସିଏ) ଗତ ମାର୍ଚ୍ଚ ମାସ ତୁଳନାରେ ଶତକଡା 10 ଭାଗ ବୃଦ୍ଧି ପାଇବାରୁ ଫୋରେକ୍ସରେ ବୃଦ୍ଧି ଘଟିଛି |
ଆମେରିକୀୟ ଡଲାର, ୟୁରୋ, ପାଉଣ୍ଡ ଷ୍ଟର୍ଲିଙ୍ଗ ଓ ୟେନ ଆଦି ବହୁମୂଖୀ ମୁଦ୍ରା ଗୁଡିକୁ ନେଇ ବୈଦେଶିକ ମୁଦ୍ରା ସମ୍ପତ୍ତି ଧାର୍ଯ୍ୟ ହୋଇଥାଏ ଏବଂ ଏଗୁଡ଼ିକୁ ଆମେରିକୀୟ ଡଲାର ହିସାବରେ ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ | ରିଜର୍ବ ବ୍ୟାଙ୍କର ରିପୋର୍ଟ ଅନୁଯାୟୀ ଏଫସିଏର ମୂଲ୍ୟ ଉତଥାନ ପତନ ହେବାର ମୂଳ କାରଣ ହେଲା ବୈଦେଶିକ ବିନିମୟ ମୁଦ୍ରା କିଣାବିକା, ବୈଦେଶିକ ବିନିମୟ ମୁଦ୍ରା ଭଣ୍ଡାରରୁ ଆୟ, କେନ୍ଦ୍ରସରକାରଙ୍କ ବାହ୍ୟ ସହାୟତା ଗ୍ରହଣ ଏବଂ ସମ୍ପତ୍ତିର ପୁନଃଆକଳନ ପରିବର୍ତ୍ତନ ଯୋଗୁଁ ହୋଇଥାଏ |
ଏଫସିଏ ଛଡା ଫୋରେକ୍ସର ଅନ୍ୟ ତିନୋଟି ଅଂଶ ହେଲା , ସୁନା, ଏସଡ଼ିଆର ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠିରେ ଥିବା ଆରଟିପି | 2019 ଡିସେମ୍ବର 20 ତାରିଖ ସୁଦ୍ଧା ଶତକଡା 93 ଭାଗ ଫୋରେକ୍ସ ରହିଥିବା ବେଳେ 6 ଭାଗ ସୁନା ଏବଂ 0.32 ଭାଗ ଏସଡ଼ିଆର ଓ ଆଇଏମଏଫ ରେ ଶତକଡା 0.80 ଭାଗ ଆରଟିପି ରହିଥିଲା |
ଜିଡ଼ିପି ଅନୁସାରେ ବାହ୍ୟ କ୍ଷେତ୍ରର ଆକାର ଏବଂ ଅର୍ଥନୀତିର ଉନ୍ମୁକ୍ତ ହାର ତଥା ନଗଦି ଆବଶ୍ୟକତା ଅନୁଯାୟୀ ବୈଦେଶିକ ବିନିମୟ ଭଣ୍ଡାର ଚାହିଦା ଧାର୍ଯ୍ୟ କରାଯାଇଥାଏ | 1934 ରିଜର୍ବ ବ୍ୟାଙ୍କ ଆଇନ ହେଉଛି ଭଣ୍ଡାର ପରିଚାଳନା ପାଇଁ ଆବଶ୍ୟକୀୟ ଆଇନଗତ ଢାଞ୍ଚା | ଫୋରେକ୍ସର ଉତ୍ସ ଉତଥାନ ପତନ ବିଷୟରେ ଜାଣିବାକୁ ହେଲେ ବାଣିଜ୍ୟ ନିଅଣ୍ଟ ଓ ବାଲାନ୍ସ ପେମେଣ୍ଟ ପୁଞ୍ଜିକୁ ବୁଝିବାକୁ ପଡିବ |
କ୍ୟାପିଟାଲ ଆକାଉଣ୍ଟ ପାଇଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ପ୍ରଥମଟି ହେଲା ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜି ନିବେଶ (ଏଫଡ଼ିଆଇ) ଏବଂ ଦ୍ବିତୀୟଟି ବୈଦେଶିକ ପୋର୍ଟଫୋଲିଓ ପୁଞ୍ଜି ନିବେଶ (ଏଫପିଆଇ) | ବୈଦେଶିକ ପୋର୍ଟ ଫୋଲିଓ ପୁଞ୍ଜି ନିବେଶ ମଧ୍ୟରେ ବୈଦେଶିକ ପୁଞ୍ଜିନିବେଶକାରୀ ମାନଙ୍କ ପୁଞ୍ଜି ନିବେଶ, ପ୍ରବାସୀ ଭାରତୀୟ ମାନଙ୍କ ଜମା ସମେତ ବ୍ୟାଙ୍କ କ୍ଷେତ୍ରର ପୁଞ୍ଜି, ସ୍ଵଳ୍ପକାଳୀନ ଋଣ, ବାହ୍ୟ ସହାୟତା ଏବଂ ବୈଦେଶିକ ବାଣିଜ୍ୟ ଋଣ ଆଦି ଅନ୍ତର୍ଭୁକ୍ତ | ଏଫଡ଼ିଆଇ ଓ ଏଫଆଇଆଇ ବୃଦ୍ଧି ସାଙ୍ଗକୁ ବାଣିଜ୍ୟ ନିଅଣ୍ଟ ସ୍ଥିତିରେ ଉନ୍ନତି ଆସିବାରୁ ବର୍ତ୍ତମାନ ଫୋରେକ୍ସ ବୃଦ୍ଧି ପାଇଥିବା କଥା କୁହାଯାଉଛି |
ଆମଦାନୀକୁ ଆବରଣ କରିବା ପାଇଁ ଦକ୍ଷତା ଉପରେ ଫୋରେକ୍ସ ଭଣ୍ଡାରର ପର୍ଜ୍ୟାପ୍ତତା ନିର୍ଭର କରୁଛି | ଆର୍ଥିକ ବର୍ଷ 2019-20ରେ ବୈଦେଶିକ ବିନିମୟ ଭଣ୍ଡାର ଆମଦାନୀ ଆବରଣ ବୃଦ୍ଧି 2019 ମାର୍ଚ୍ଚ ମାସରେ 9.6 ମାସରୁ ଜୁନ ମାସରେ 10 ମାସକୁ ବୃଦ୍ଧି ପାଇଥିଲା |
ଫୋରେକ୍ସ ଭଣ୍ଡାର ବୃଦ୍ଧି ପାଉଥିବା ସ୍ଥିର କି ଅସ୍ଥିର ତାହା ପରୀକ୍ଷା ନିରୀକ୍ଷା କରିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ | ଏହା ଫୋରେକ୍ସର ବିଭିନ୍ନ ଅଂଶର ସମ୍ମେଳନ ଉପରେ ନିର୍ଭର କରୁଛି | ଯଦି ଅସ୍ଥିର ପୁଞ୍ଜି ପ୍ରବାହ, ଉଦାହରଣ ସ୍ୱରୂପ- ଏଫପିଆଇ ଏବଂ ବକେୟା ସ୍ଵଳ୍ପକାଳୀନ ଋଣ ଅଧିକ ହୋଇଥାଏ ତେବେ ଫୋରେକ୍ସ ଭଣ୍ଡାର ଅସ୍ଥିର ରହିବ | ଏହାର କାରଣ ହେଉଛି ଏଫପିଆଇ ଉପରେ ସୁଧ ହାରରେ ତାରତମ୍ୟ ଏବଂ ଦେଶରୁ ବିଦେଶରେ ପୁଞ୍ଜି ନିବେଶ ଉପରେ ସୁଧ ହାର ଅନ୍ୟ ଦେଶ ଗୁଡିକ ତୁଳନାରେ ଅଧିକ ହେବା ବା “ହଟ ମନି” ଉପରେ ନିର୍ଭର କରୁଛି |
ବର୍ତ୍ତମାନ ରିଜର୍ବ ବ୍ୟାଙ୍କର ଫୋରେକ୍ସ ପରିଚାଳନା ରିପୋର୍ଟରେ କୁହା ଯାଇଛିଯେ ଅସ୍ଥିର ପୁଞ୍ଜି ପ୍ରବାହ ଅନୁପାତ ମାର୍ଚ୍ଚ ମାସରେ ଶତକଡା 88.7 ଭାଗରୁ ହ୍ରାସ ପାଇ ଜୁନ ଶେଷ ସୁଦ୍ଧା 86.7 ଭାଗରେ ପହଞ୍ଚିଥିଲା |
ତେଣୁ ଏଠାରେ କୁହାଯାଇପାରିବ ଭାରତର ଦେଶୀୟ ବଜାରରେ ଚାହିଦା ହ୍ରାସ ଏବଂ ବିଶ୍ଵ ଅର୍ଥନୀତିରେ ମାନ୍ଦାବସ୍ଥା ସତ୍ତ୍ୱେ ଦେଶର ବୃହତ ଅର୍ଥନୈତିକ ସ୍ଥିତି ଫୋରେକ୍ସ ବୃଦ୍ଧି ପାଇଥିବା କ୍ଷେତ୍ରରେ ଏକ ବଡ ସଫଳତା | ବିଶ୍ଵ ଅର୍ଥନୀତିରେ ମନ୍ଥରତାକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଫୋରେକ୍ସ ଭଣ୍ଡାର ବୃଦ୍ଧି ପ୍ରତି ଖାଲି ଧ୍ୟାନ ଦିଆଯିବ ନାହିଁ ବରଂ ଆର୍ଥିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଦୀର୍ଘ ମିଆଦି ଅଭିବୃଦ୍ଧି ପାଇଁ ଅଧିକ ଗଠନମୂଳକ ସଂସ୍କାର କରାଯିବ | 2020 କେନ୍ଦ୍ରିୟ ବଜେଟ ପାଖେଇ ଆସୁଥିବା ବେଳେ ଭାରତର ଅର୍ଥନୀତିରେ ଉନ୍ନତି ପାଇଁ ସରକାର ପଦକ୍ଷେପ ନେବେ ବୋଲି ଦେଶବାସୀ ଆଶା କରୁଛନ୍ତି|
ମୂଳ ଲେଖା : ଡଃ ଲେଖା ଚକ୍ରବର୍ତ୍ତୀ, ପ୍ରଫେସର, NIPFP
ଅନୁବାଦ : ଜଗନ୍ନାଥ ମଲ୍ଲିକ, ରୀତା ଯୋଶୀ
Comments
Post a Comment