ଗତ ଦୁଇମାସ ହେଲା ଇରାକର ଯୁବକମାନେ ଦୁର୍ନୀତି, ବେରୋଜଗାରୀ ଏବଂ ଘରୋଇ ରାଜନୀତିରେ ଇରାନ ଓ ଆମେରିକାର ହସ୍ତକ୍ଷେପକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାର ବିରୋଧି ଆନ୍ଦୋଳନ ଏବେ ବ୍ୟାପକ ରୂପ ନେଇ ନଜଫ, କରବଲା, ବସ୍ରା ଏବଂ ବାଗଦାଦ ଆଦି ସହର ପର୍ଯ୍ୟନ୍ତ ବ୍ୟାପି ଯାଇଛି। ଖବର ମିଳୁଛି ଯେ ନିରାପତ୍ତା ବାହିନୀ ଏବଂ ଇରାନ ରିଭୋଲୁସନାରୀ ଗାର୍ଡ କର୍ପ୍ସ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ପପୁଲାର ମୋବିଲାଇଜେସନ ଫୋର୍ସ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ 400ରୁ ଅଧିକ ଲୋକ ପ୍ରାଣ ହରେଇଲେଣି।
ପ୍ରଭାବଶାଳି ସିଆ ଧର୍ମଗୁରୁ ଆୟାତୁଲ୍ଲା ଅଲ୍ଲୀ ଅଲ ସିସତାନୀ ପାଲ୍ରାମେଣ୍ଟରୁ ତାଙ୍କର ସମର୍ଥନ ପ୍ରତ୍ୟାହାର କରିନେବା ପରେ ଗତ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଅଦେଲ ଅବଦୁଲ ମହଦି ଇସ୍ତଫା ଦେଇଛନ୍ତି। ଦୁଇ ଦିନ ପରେ ପାର୍ଲାମେଣ୍ଟ ତାଙ୍କର ଇସ୍ତଫାକୁ ଗ୍ରହଣ କରି ନୂଆ ପ୍ରଧାନମନ୍ତ୍ରୀ ମନୋନୀତ କରିବାକୁ ରାଷ୍ଟ୍ରପତିଙ୍କୁ କହିଛନ୍ତି। ସେଠାରେ ବିପ୍ଳବ ଏବେ ଜାରି ରହିଛି ଏବଂ ଏହାର ମୁଖ୍ୟ କେନ୍ଦ୍ର ବାଗଦାଦର ତାହରିର ସ୍କୋୟାରକୁ ପହଞ୍ଚି ଯାଇଛି।
ଆର୍ଥିକ ଦୁସ୍ଥିତି ଏବଂ ଦୁର୍ନୀତି ଇରାକର ଯୁବକମାନଙ୍କୁ ବିକ୍ଷୋଭ ପାଇଁ ଇନ୍ଧନ ଯୋଗାଇଛି। 2003ର ଆମେରିକା ଆକ୍ରମଣ ପରଠାରୁ ଇରାକରେ ଗୃହ ଯୁଦ୍ଧ ଏବଂ ଅଶାନ୍ତି ଲାଗି ରହିଛି। ସେଠାରେ ନିୟମିତ ନିର୍ବାଚନ ହେବା ସତ୍ତ୍ୱେ ରାଜନୈତିକ ସ୍ଥିରତା ଆସିପାରି ନାହିଁ। ଇରାକ ପ୍ରମୁଖ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ହେବା ସତ୍ତ୍ୱେ ମଧ୍ୟ ଆର୍ଥିକ ସ୍ଥିତି ମଜବୁତ ହୋଇନାହିଁ। ରାଜନୈତିକ ଲୋକମାନଙ୍କ ପରିଚାଳନାଗତ ତ୍ରୁଟି ଏବଂ ଦୁର୍ନୀତି ଯୋଗୁଁ ସେ ଦେଶ ଆଜି ଆର୍ଥିକ ଅସ୍ଥିରତାର ଶିକାର ହେଉଛି।
2013-14ରେ ଆଇଏସଆଇ ଦ୍ୱାରା ଇରାକର ପ୍ରମୁଖ କେତେକ ଅଞ୍ଚଳକୁ କରଗତ କରାଗଲା ପରେ ସେଠାରେ ପରିସ୍ଥିତି ଆହୁରି ଖରାପ ହୋଇ ପଡିଲା। 2017ରେ ଆଇଏସଆଇର ବିତାଡିତ ପରେ ମଧ୍ୟ ଲୋକମାନଙ୍କର ସମସ୍ୟା କମ ହେବାକୁ ଲାଗିଲା ନାହିଁ।
2018 ମଇରେ ସେଠାରେ ହୋଇଥିବା ସଂସଦୀୟ ନିର୍ବାଚନ ପରେ ଲାଗୁଥିଲା ଇରାକରେ ଏକ ନୂଆ ଯୁଗ ଆରମ୍ଭ ହେବ ଏବଂ ଦେଶରୁ ଦୁର୍ନୀତି, ଅରାଜକତା, ବେରୋଜଗାରୀ ଆଦି ଦୂର ହେବ। କିନ୍ତୁ ନିର୍ବାଚନରେ କାହାକୁ ସଂଖ୍ୟାଗରିଷ୍ଠତା ନମିଳିବାରୁ ସରକାର ଗଠନ ବିଳମ୍ବ ହେଲା ଏବଂ ଅକ୍ଟୋବରରେ ଯାଇ ପ୍ରଧାନମନ୍ତ୍ରୀ ହୋଇଥିବା ଅଦେଲ ଅବଦୁଲ ମହଦି ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସଫଳ ହୋଇପାରିଲେ ନାହିଁ।
ଯୁବକମାନଙ୍କ ବିପ୍ଳବର ଅନ୍ୟ ଏକ କାରଣ ହେଉଛି ଇରାନ ଦ୍ୱାରା ଇରାକର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ। 2003ରେ ସଦାମ ହୁସେନଙ୍କ ଶାସନ ପରେ ଇରାକରେ ଇରାନର ରାଜନୈତିକ ପ୍ରଭାବ ଏବଂ ଏହାର ସେନାବାହିନୀ ଉପସ୍ଥିତି ଜାରି ରହିଲା। ଇରାନ ସମର୍ଥିତ ସେନାବାହିନୀ ଯୋଗୁଁ ସେଠାରୁ ଆଇଏସଆଇ ବିତାଡିତ ହୋଇଥିଲା। କୁହାଯାଉଛି ଯେ 2018 ନିର୍ବାଚନ ପରେ ମଧ୍ୟ ସରକାର ଗଠନରେ ଯେଉଁ ବିଳମ୍ବ ଘଟିଥିଲା ତା ପଛରେ ଇରାନର ହାତ ଥିଲା।
ଇରାକରେ ଆମେରିକା ଏବଂ ସାଉଦି ଆରବର ମଧ୍ୟ ପ୍ରଭାବ ରହିଲା। ଇରାକର ଲୋକମାନେ ଅନୁଭବ କଲେ ଯେ ଆମେରିକା ଏବଂ ଇରାନର ଅତ୍ୟଧିକ ହସ୍ତକ୍ଷେପ ଇରାକର ଶାସନ ତନ୍ତ୍ରକୁ ପଙ୍ଗୁ କରିଦେଲା। ଏଣୁ ଏହି ଦୁଇ ଗୋଷ୍ଠିଙ୍କ ବିରୁଦ୍ଧରେ ଯୁବକମାନେ ନିଜର ଅଶନ୍ତୋଷକୁ ବିପ୍ଳବ ମାଧ୍ୟମରେ ମଧ୍ୟ ଦର୍ଶାଉଛନ୍ତି।
ବିଶ୍ୱରେ ତୈଳ ରପ୍ତାନକାରୀ ଦେଶ ମଧ୍ୟରେ ଇରାକ ହେଉଛି ଅନ୍ୟତମ ସର୍ବବୃହତ ଦେଶ । ଭାରତ ମଧ୍ୟ 2018 ଠାରୁ ଇରାକରୁ ସର୍ବାଧିକ ତୈଳ ଆମଦାନୀ କରୁଛି । 2018-19ରେ ଭାରତ ଇରାକ ଠାରୁ 22.3 ବିଲିୟନ ଡଲାରର ତୈଳ ଆମଦାନୀ କରିଛି ଯାହାକି ମୋଟ ଆମଦାନୀର ଶତକଡା 13 ଭାଗ। ବର୍ତ୍ତମାନ ସେଠାରେ ଯେପରି ପରିସ୍ଥିତି ଉପୁଜିଛି ଭାରତ ତାକୁ ଅନୁଧ୍ୟାନ କରୁଛି ଏବଂ ସେଥିପ୍ରତି ସତର୍କ ରହିଛି। ଏବେ ଇରାକର ପରିସ୍ଥିତି ଏପରି ହୋଇଛି ଯେପରି ମଝିରାସ୍ତାରେ ଛିଡା ହୋଇଛି। ଗୋଟିଏ ପଟେ ବାହ୍ୟ ପ୍ରଭାବ ଏବଂ ଅନ୍ୟ ପଟେ ଆଭ୍ୟନ୍ତରିଣ ବିଦ୍ରୋହ। ଏପରି ସ୍ଥିତିରେ ଯଦି ଇରାକ ପରିସ୍ଥିତିକୁ ଠିକରେ ସମ୍ଭାଳିବ ନାହିଁ ତେବେ ପରିସ୍ଥିତି ଆହୁରି ଭୟାବହ ହେବ।
ଆଲେଖ୍ୟ: ଡକ୍ଟର ମହମ୍ମଦ ମୁଦାସୀର କମର
ଭାବାନୁବାଦ: ରାମଚଂଦ୍ର ନାଥ
Comments
Post a Comment