Skip to main content

ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧିକରି  ପାକିସ୍ତାନ ଅଡୁଆରେ 

ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳ ଗତବର୍ଷ ନଭେମ୍ବର ମାସରେ ଶେଷ ହେଇଥିବା ବେଳେ ସେହି ବର୍ଷ ଅଗଷ୍ଟ ମାସରେ ଏକ ବିଜ୍ଞପ୍ତି ଜରିଆରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦ୍ଵାରା ଆଉ ତିନି ବର୍ଷ ଲାଗି ସଂପ୍ରସାରଣ କରାଯାଇଛି | ଖାଁ ସରକାର ଏହି ସଂପ୍ରସାରଣକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇବାକୁ ଯାଇ ପୁଲୱାମା ବିସ୍ଫୋରଣ ପରେ ବାଲାକୋଟ ଆକ୍ରମଣ, , ଜାମ୍ମୁ ଓ କାଶ୍ମୀରରେ ଭାରତର ସାମ୍ବିଧାନିକ ପରିବର୍ତ୍ତନ ଏବଂ ନିୟନ୍ତ୍ରଣ ରେଖାରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁଁ ପାକିସ୍ତାନର ଜାତୀୟ ଓ ଆଞ୍ଚଳିକ ନିରାପତ୍ତା ପ୍ରତି ବିପଦ ଦେଖାଦେଇଥିବାରୁ ଏକ “ଅପ୍ରତ୍ୟାଶିତ ପରିସ୍ଥିତି” ସୃଷ୍ଟି ହୋଇଛି, ତେଣୁ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ବୋଲି କହିଛନ୍ତି |

କିନ୍ତୁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପରେ ପାକିସ୍ତାନ ସୁପ୍ରିମକୋର୍ଟ ନଭେମ୍ବର 26 ତାରିଖରେ ସମ୍ପ୍ରସାରଣ ନୋଟିସକୁ ଖାରଜ କରି, ଏହାର ଯୁକ୍ତିଯୁକ୍ତତା ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ସମ୍ବନ୍ଧିତ ଆଇନରେ ପ୍ରକ୍ରିୟାଗତ ଅନିୟମିତତା ଓ ଏଥିରେ ଥିବା ତ୍ରୁଟି ବିଷୟ ଉଲ୍ଲେଖ କରିଥିଲେ | ସର୍ବୋଚ୍ଚ ଅଦାଲତ ପ୍ରମୁଖତାର ସହ କହିଥିଲେ ଯେ ଧାରା 243, ଖଣ୍ଡ 3 ଅନ୍ତର୍ଗତ ସେନା ଅଧିନିୟମରେ ତ୍ରୁଟି ରହିଛି | ଏଥିରେ କାର୍ଯ୍ୟକାଳ ଅବଧି ବା ଏହାର ସମ୍ପ୍ରସାରଣ ନେଇ କିଛି ହେଲେ ଉଲ୍ଲେଖ କରାଯାଇନାହିଁ | ସୁପ୍ରିମକୋର୍ଟ, ପିଟିଆଇ ସରକାରଙ୍କୁ ବରିଷ୍ଠ କର୍ମଚାରୀ ମାନଙ୍କ କାର୍ଯ୍ୟକାଳର ସମ୍ପ୍ରସାରଣ/ ପୁନଃନିଯୁକ୍ତି ଲାଗି ଏକ ଆଇନ ପ୍ରଣୟନ ସକାଶେ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ଏଥିରେ ବିଫଳ ହେଲେ ବାଜୱାଙ୍କୁ ଛ ମାସ ମଧ୍ୟରେ ସେବାନିବୃତ୍ତ ଘୋଷିତ କରିଦିଆଯିବ ବୋଲି ରାୟ ଦେଇଥିଲେ |

ସୁପ୍ରିମକୋର୍ଟଙ୍କ ଆଦେଶ ପିଟିଆଇ ସରକାରଙ୍କୁ ବିବ୍ରତ କରିଦେଇଥିଲା, କାରଣ ସେମାନେ ଏବିଷୟ ନେଇ ଅବଗତ ଥିଲେ ଯେ ପାର୍ଲାମେଣ୍ଟ ର ଏକ ସାମ୍ବିଧାନିକ ସଂଶୋଧନ ଦ୍ଵାରା ହିଁ ଏହାର ସ୍ଥାୟୀ ସମାଧାନ ହୋଇ ପାରିବ ଏବଂ ପାର୍ଲାମେଣ୍ଟରେ କୌଣସି ବିଧେୟକ ଉପସ୍ଥାପନା ଲାଗି ବିରୋଧୀ ଦଳର ସମର୍ଥନ ଆବଶ୍ୟକ | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଅତୀତରେ ସେନାଧ୍ୟକ୍ଷ ମାନଙ୍କ ସମ୍ପ୍ରସାରଣ କୌଣସି ଆଇନ ନଥାଇ ମଧ୍ୟ ପାରମ୍ପରିକ ଭାବେ କରାଯାଉଥିଲା |

ସାମରିକ ପ୍ରତିଷ୍ଠାନର ପରାମର୍ଶ କ୍ରମେ ପିଟିଆଇ ସରକାର ବିରୋଧୀ ପାର୍ଟି ଗୁଡିକ ସହ ନରମ ମନୋଭାବପ୍ରଦର୍ଶନ କରିବା ଆରମ୍ଭ କରିଦେଲେ ଏବଂ ନେସନାଲ ଏସେମ୍ବ୍ଲି ଓ ସିନେଟ ରେ ସେବା ବିଲକୁ ପାସ କରାଇବାପାଇଁ ସେମାନଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଦେଇଥିଲେ | ଏହାକୁ ଏକ ଫିକ୍ସ୍ଡ଼ ମ୍ୟାଚ ଭାବେ ଦେଖାଯାଉଛି କାରଣ ପିଏମଏଲ-ଏନର ବରିଷ୍ଠ ନେତା ରାଣା ସନାଉଲ୍ଲାଙ୍କୁ ନିଶା ଔଷଧ ଚୋରାଚାଲାଣ ମାମଲାରେ ଜାମିନ ମିଳିଯାଇଥିଲା, ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀଙ୍କୁ ସ୍ଵାସ୍ଥ୍ୟଗତ କାରଣରୁ ଜାମିନ ମଞ୍ଜୁରୀ କରଯାଇଥିଲା ଏବଂ ନଵାଜ ସରିଫଙ୍କ ଲଣ୍ଡନରୁ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ ନେଇ ସରକାରଙ୍କ ଦ୍ଵାରା କୌଣସି ମନ୍ତବ୍ୟ ପ୍ରକାଶ ପାଇନଥିଲା | ଏହି ସବୁ ପଦକ୍ଷେପ ଚଳିତ ବର୍ଷ ଜାନୁଆରୀ 7 ତାରିଖରେ ସେବା ବିଲକୁ ପାସ କରାଇବାର ମାର୍ଗ ପ୍ରଶସ୍ତ କଲା | ଏହି ନିୟମ କେବଳ ସେନାଧ୍ୟକ୍ଷ ନୁହେଁ ବରଂ ସବୁ ସେବାର ମୁଖ୍ୟ ମାନଙ୍କ କାର୍ଯ୍ୟକାଳକୁ ନିୟନ୍ତ୍ରିତ କରିବା ପାଇଁ ଉଦ୍ଦିଷ୍ଟ | ପାକିସ୍ତାନ ସେନାବାହିନୀ (ସଂଶୋଧନ) ଆଇନ 2020, ପାକିସ୍ତାନ ନୌବାହିନୀ (ସଂଶୋଧନ) ଆଇନ 2020 ଏବଂ ପାକିସ୍ତାନ ବିମାନ ବାହିନୀ (ସଂଶୋଧନ) ଆଇନ 2020 ଆଦି ତିନୋଟି ସଂଶୋଧନ ବିଲକୁ ଉଭୟ ନେସନାଲ ଏସେମ୍ବ୍ଲି ଓ ସିନେଟ ରେ ଉପସ୍ଥାପନ କରାଯାଇ ଗୃହିତ କରାଯାଇଥିଲା | ପିଏମଏଲ-ଏନ ଓ ପିପିପି ଭଳି ପ୍ରମୁଖ ବିରୋଧୀ ପାର୍ଟି ଏହି ବିଲକୁ ବିରୋଧ କରିନଥିବା ବେଳେ ଜେଇଉଆଇ-ଏଫ ଓ ଜମାତ-ଇ-ଇସଲାମୀ ଏବଂ ପିଟିଏମ ଭଳି କେତୋଟି ବିରୋଧୀ ପାର୍ଟି ଏହି ସମୟରେ କକ୍ଷତ୍ୟାଗ କରିଥିଲେ |

କିନ୍ତୁ ସେବା ପ୍ରମୁଖ ବିଲକୁ ନେଇ ସରକାର ବିବାଦ ଘେରରେ ଅଛନ୍ତି ଓ ଏବେ ପ୍ରଶ୍ନ ଉଠୁଛି ଯେ ଏହି ବିଲ ରେ ସେବା ପ୍ରମୁଖମାନଙ୍କ ପୁନଃନିଯୁକ୍ତି ବା କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ମଞ୍ଜୁରୀ ଦେବା ନେଇ ରାଷ୍ଟ୍ରପତିଙ୍କୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ନା ନାହିଁ | ଯଦିଓ ବାଜାୱା ଙ୍କ କାର୍ଯ୍ୟକାଳ ସଙ୍କ୍ରାନ୍ତରେ ସୁପ୍ରିମକୋର୍ଟର ଆଦେଶ ର ଏକ ନ୍ୟାୟିକ ସମୀକ୍ଷା ଲାଗି ପୂର୍ବରୁ ହିଁ ପାକିସ୍ତାନ ସରକାର ପିଟିସନ ଦାୟର କରିଛନ୍ତି, ତେବେ ସରକାର କାହିଁକି ପାର୍ଲାମେଣ୍ଟ ର ସାହାରା ନେଲେ ବୋଲି ଅନେକ ଲୋକ ପ୍ରଶ୍ନ କରୁଛନ୍ତି | ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହେଉଛି ଯେ ଖାଁ ସରକାରଙ୍କ ଆଇନ ବିଭାଗର ପଦକ୍ଷେପ ଅସ୍ପଷ୍ଟ ରହିଛି | ଯଦି ପିଟିସନ ସ୍ଵୀକାର ବା ଖାରଜ କରିଦିଆଯିବ ତେବେ କଣ ହେବ ?

ସେବା ପ୍ରମୁଖ ବିଲରେ ଅସ୍ପଷ୍ଟତା ରହିଛି ଓ ରିପୋର୍ଟ ଅନୁଯାୟୀ ତିନି ବାହିନୀର ପ୍ରମୁଖଙ୍କ ସେବାନିବୃତ୍ତିର ବୟସକୁ ବୃଦ୍ଧି କରି 64 ବର୍ଷ କରିଦିଆଯାଇଛି | ଏହା ବ୍ୟତୀତ ଏହି ବିଲ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସେନାଧ୍ୟକ୍ଷଙ୍କ କାର୍ଯ୍ୟକାଳ ଆହୁରି ବୃଦ୍ଧି କରିବା ଲାଗି କ୍ଷମତା ଦେଇଛି ଯାହାକୁ କେବେ ମଧ୍ୟ ଚାଲେଞ୍ଜ କରାଯାଇପାରିବ ନାହିଁ | ତେବେ ପ୍ରଧାନମନ୍ତ୍ରୀ ଯେତେବେଳେ ଚାହିଁବେ ସେତେବେଳେ କୌଣସି ସେବା ପ୍ରମୁଖଙ୍କୁ ହଟେଇ ମଧ୍ୟ ପାରିବେ ବୋଲି ଏଥିରେ କୁହାଯାଇଛି | କିନ୍ତୁ ଏହା କଣ ସମ୍ଭବ ? ଏଠାରେ ସ୍ମରଣ କରିଦିଆଯାଇପାରେ ଯେ ନଵାଜ ସରିଫଙ୍କ ନିର୍ବାଚିତ ସରକାର ଏପରି କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଏହାର ପରିଣାମ ସ୍ୱରୂପ ସେନାବାହିନୀ କ୍ଷମତା ହାତେଇନେଇଥିଲା | ସଂସ୍ଥା ଗଠନ କରି ଏକ ମଜବୁତ ପାକିସ୍ତାନ ଗଠନ କରିବା ଏକ ଉତ୍ତମ ରଣକୌଶଳ ହୋଇଥିବା ବେଳେ ଏହି ଯୁକ୍ତିର ପ୍ରାସଙ୍ଗିକତା ଏବେ ଲୋପ ପାଇଛି | .ଏହା ବ୍ୟତୀତ ବିରୋଧୀ ପକ୍ଷ ମୁଖ୍ୟତଃ ଦୁର୍ନୀତି ସଙ୍କ୍ରାନ୍ତୀୟ ମାମଲାରେ ସରକାର ଠାରୁ ଅଧିକ କୋହଳତା ଆଶା କରିବ | ତେଣୁ ବର୍ତ୍ତମାନ ଭ୍ରଷ୍ଟାଚାର ମୁକ୍ତ ‘ନୟା ପାକିସ୍ତାନ’ ର ସ୍ଵପ୍ନ, ସ୍ଵପ୍ନରେ ହିଁ ରହିଯିବ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ |

ମୂଳଲେଖା : ଡଃ ଜୟନାବ ଅଖତର, ପାକିସ୍ତାନ ଉପରେ ରଣନୀତିକ ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...