Skip to main content

ଭାରତର ପଡୋଶୀ ପ୍ରଥମ ନୀତି : ଆଞ୍ଚଳିକ ଉପଲବ୍ଧି

ଭାରତର ପ୍ରମୁଖ ପ୍ରତିଷ୍ଠାନ ନୂଆଦିଲ୍ଲୀର ପ୍ରତିରକ୍ଷା ଅଧ୍ୟୟନ ଓ ବିଶ୍ଳେଷଣ (ଆଇଡ଼ିଏସଏ), ଭାରତର ପଡୋଶୀ ପ୍ରଥମ ନୀତି: ଆଞ୍ଚଳିକ ଉପଲବ୍ଧି ଉପରେ ଆଧାରିତ ଦ୍ଵାଦଶ ଦକ୍ଷିଣ ଏସିଆ ସମ୍ମିଳନୀର ଆୟୋଜନ କରିଥିଲା | ଏହି ସମ୍ମିଳନୀରେ ଦକ୍ଷିଣ ଏସିଆ ଅଞ୍ଚଳ ଓ ମିଆଁମାରର ନୀତି ନିର୍ଦ୍ଧାରକ, ଶିକ୍ଷାବିତ ଓ ବିଶେଷଜ୍ଞ ମାନେ ଯୋଗ ଦେଇ ଭାରତର ପଡୋଶୀ ପ୍ରଥମ ନୀତି ଏହି ଦେଶ ଗୁଡିକ ଲାଗି କେତେ ମହତ୍ବପୂର୍ଣ୍ଣ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ଏହି ଦୁଇଦିନିଆ ସମ୍ମିଳନୀରେ ପାଖାପାଖି 25ଟି ପତ୍ର ଉପସ୍ଥାପନା କରାଯାଇଥିଲା | ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ପ୍ରତିନିଧି ମାନଙ୍କ ସହ ଭାରତର 9 ଜଣ ପ୍ରତିନିଧି ମଧ୍ୟ ଭାରତର ପଡୋଶୀ ପ୍ରଥମ ନୀତି ସଙ୍କ୍ରାନ୍ତରେ ନିଜ ନିଜର ମତ ଆଦାନ ପ୍ରଦାନ କରିଥିଲେ | ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଯିଏକି ଆଇଡ଼ିଏସଏ ର ଅଧ୍ୟକ୍ଷ ମଧ୍ୟ ଅଛନ୍ତି , ତାଙ୍କ ଉଦଘାଟନୀ ଅଭିଭାଷଣରେ ଜୋର ଦେଇ କହିଥିଲେ ଯେ ବର୍ତ୍ତମାନ ଏହି ଅଞ୍ଚଳ ଏହାର ବ୍ୟକ୍ତିଗତ ଜାତୀୟ ପରିଚୟରୁ ଉପରକୁ ଉଠି ଦକ୍ଷିଣ ଏସିଆର ଲୋକ ଭଳି ଆଗକୁ ବଢିବାର ସମୟ ଉପନୀତ ହୋଇଛି | ଏହି ଅବସରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଭି ମୁରଲୀଧରନ ଭାରତର ପଡୋଶୀ ନୀତିର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ |

2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ଶପଥ ପାଠ କରିଥିଲେ, ସେ ଭାରତର ନିକଟ ପଡୋଶୀ ରାଷ୍ଟ୍ର ଗୁଡିକ ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ | ସେ ଶପଥ ଗ୍ରହଣ ସମାରୋହରେ ସାର୍କ ଦେଶର ନେତାମାନଙ୍କୁ ଆମନ୍ତ୍ରଣ କରିଥିଲେ ଓ ଭୁଟାନକୁ ତାଙ୍କ ପ୍ରଥମ ବିଦେଶ ଗସ୍ତ କରିଥିଲେ ଏବଂ ଏହାପରେ ସେ ଅନେକ ପଡୋଶୀ ରାଷ୍ଟ୍ରକୁ ଗସ୍ତ କରିଥିଲେ | ପୂର୍ବ ସରକାରଙ୍କ ନୀତିରୁ ଏହି ସରକାରଙ୍କ ନୀତି ଭିନ୍ନ ଥିଲା , ପ୍ରଧାନମନ୍ତ୍ରୀଙ୍କ ପଡୋଶୀ ରାଷ୍ଟ୍ର ଗସ୍ତରୁ ଏହା ପ୍ରତୀୟମାନ ହେଉଛି ଯେ ଏହି ଦେଶ ଗୁଡିକ ଭାରତ ପାଇଁ କେତେ ମହତ୍ବପୂର୍ଣ୍ଣ | 2014ରେ “ସବ କା ସାଥ ସବକା ବିକାଶ” ଉପରେ ଅଧିକ ଜୋର ଦିଆଯାଇଥିବା ବେଳେ ଏନଡ଼ିଏ ସରକାରଙ୍କ ଦ୍ଵିତୀୟ କାର୍ଯ୍ୟକାଳ ସମୟରେ “ସବ କା ସାଥ ସବ କା ବିକାଶ ଓ ସବ କା ବିଶ୍ଵାସ” ଉପରେ ଅଧିକ ଗୁରୁତ୍ଵ ଦିଆଯାଇଥିଲା |

ଭାରତର ଦ୍ଵିପକ୍ଷୀୟ ସମ୍ପର୍କ ପାରସ୍ପରିକ ଦିଆନିଆ ଉପରେ ଆଧାରିତ ନୁହେଁ ବରଂ ସମୃଦ୍ଧି ଆଦାନ ପ୍ରଦାନ ତଥା ପରସ୍ପର ମଧ୍ୟରେ ବିଶ୍ଵାସ ପ୍ରତିଷ୍ଠା ଉପରେ ପର୍ଜ୍ୟବେଶିତ | ଭାରତ ଓ ଏହାର ପଡୋଶୀ ରାଷ୍ଟ୍ର ଗୁଡିକ ମଧ୍ୟରେ କ୍ଷମତା ଅସମାନତା ଯୋଗୁଁ କେବେ କେବେ ଭାରତର ପଡୋଶୀ ରାଷ୍ଟ୍ର ଗୁଡିକ ବାହ୍ୟ ଶକ୍ତି ଉପରେ ନିର୍ଭର କରିଥାନ୍ତି | ତେଣୁ ଆପୋଷ ଆଲୋଚନା ସହ ଉତ୍ତମ ପଡୋଶୀ ସମ୍ପର୍କ ପ୍ରତିଷ୍ଠା କରିବା ଉଚିତ | ଗ୍ରୀଡ ସଂଯୋଗୀକରଣ ଜରିଆରେ ଶକ୍ତି ଯୋଗାଯୋଗ, ଜଳ ସମ୍ବଳ ନିୟନ୍ତ୍ରଣ ତଥା ଯୋଗାଯୋଗ କ୍ଷେତ୍ରରେ ସହଯୋଗ ଉପରେ ପ୍ରାଧାନ୍ୟ ଦିଆଯାଇଛି ଯାହାକି ଅଞ୍ଚଳରେ ଅର୍ଥନୈତିକ ଏକୀକରଣ ଲାଗି ସୁବିଧା ପ୍ରଦାନ କରିବ | ଆନ୍ତଃ- ଆଞ୍ଚଳିକ ବାଣିଜ୍ୟ କାରବାର ବୃଦ୍ଧି ଲାଗି କ୍ଷମତା ଥିବା ସତ୍ତ୍ୱେ ବିଭିନ୍ନ ବାଣିଜ୍ୟ ସଙ୍କ୍ରାନ୍ତୀୟ ପ୍ରତିବନ୍ଧକ, ଅତ୍ୟଧିକ ନିୟମ କାନୁନ ଓ ଯୋଗାଯୋଗର ଅଭାବ ଯୋଗୁଁ ଆନ୍ତଃ- ଆଞ୍ଚଳିକ ବାଣିଜ୍ୟ କାରବାର ସର୍ବନିମ୍ନ 6 ପ୍ରତିଶତରେ ବଜାୟ ରହିଛି | ତେବେ ଅନେକ ଯୋଗାଯୋଗ ପ୍ରକଳ୍ପ ସହ ଏଥିରେ ସୁଧାର ହେଉଛି ଯାହାକି ଭାରତର ଆର୍ଥିକ ଋଣ ସହାୟତାରେ କାର୍ଯ୍ୟକାରୀ କରାଯାଉଛି | ନିକଟ କିଛି ବର୍ଷରେ ବିଦ୍ୟୁତ ବ୍ୟାପାର ଏକ ବାସ୍ତବିକତାରେ ପରିଣତ ହୋଇଛି |

ଭାରତ ବାଙ୍ଗଲାଦେଶକୁ 1200 ମେଗାୱାଟ ବିଦ୍ୟୁତ ରପ୍ତାନି କରୁଛି ଏବଂ ଗ୍ରୀଡ ସଂଯୋଗୀକରଣ ସହ ଏହି କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି |ସେହିପରି ବାଙ୍ଗଲାଦେଶ, ଭୁଟାନର ଜଳ ପ୍ରକଳ୍ପରେ 1 ବିଲିଅନ ଆମେରିକୀୟ ଡଲାର ନିବେଶ କରିବ ବୋଲି ପ୍ରସ୍ତାବ ଦେଇଛି | ଭାରତ ମଧ୍ୟ ନେପାଳରେ ପୁଞ୍ଜି ନିବେଶ ଲାଗି ଇଚ୍ଛା ବ୍ୟକ୍ତ କରିଛି | 2019 ମାର୍ଚ୍ଚ ର ଭାରତର ସୀମାପାର ବିଦ୍ୟୁତ ବାଣିଜ୍ୟ ନିୟାମକ ଯୋଗୁଁ ଭବିଷ୍ୟତରେ ଏହି ବାଣିଜ୍ୟକୁ ସୁଗମ କରିବାର ସମ୍ଭାବନା ରହିଛି କାରଣ ଗ୍ରୀଡ ସଂଯୋଗୀକରଣ ଏକ ବାସ୍ତବିକତାରେ ପରିଣତ ହୋଇଛି | ମୌଳିକ ଢାଞ୍ଚା କ୍ଷେତ୍ରରେ ପୁଞ୍ଜି ନିବେଶ ବ୍ୟତୀତ ଯୁଦ୍ଧ ଓ ଦୁର୍ବିପାକ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ପୁନର୍ନିର୍ମାଣ କାର୍ଯ୍ୟରେ ସହାୟତାର ହାତ ବଢାଇବା ସହ ଭାରତ ଏହାର ପଡୋଶୀ ରାଷ୍ଟ୍ରର ଅମଲାତାନ୍ତ୍ରିକ ଓ ସଶସ୍ତ୍ରବାହିନୀର ଦକ୍ଷତା ବିକାଶରେ ମଧ୍ୟ ସହାୟତା କରୁଛି | ଭାରତ ଏହି ଅଞ୍ଚଳର ସଶସ୍ତ୍ର ବାହିନୀ ସହ ବହୁପକ୍ଷୀୟ ତଥା ଦ୍ଵିପକ୍ଷୀୟ ମିଳିତ ସମରାଭ୍ୟାସ ମଧ୍ୟ କରୁଛି |

ଭାରତର ପଡୋଶୀ ରାଷ୍ଟ୍ର ମାନେ ମଧ୍ୟ ଭାରତରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ଆଗ୍ରହ ପ୍ରକାଶ କରୁଛନ୍ତି | ନେପାଳ ଓ ଭୁଟାନ ସେମାନଙ୍କ ବାଣିଜ୍ୟ କାରବାର ସମ୍ପ୍ରସାରିତ କରିବା ଲାଗି ବାଙ୍ଗଲାଦେଶରେ ସମୁଦ୍ର ପଥରେ ଯାତାୟାତ ସୁଗମ ଲାଗି ପ୍ରବଳ ଆଗ୍ରହୀ ଅଛନ୍ତି | ସେମାନେ ଶକ୍ତି ବଜାରରେ ବିବିଧତା ଆଣିବା ଲାଗି ମଧ୍ୟ ଇଚ୍ଛା ଜାହିର କରିଛନ୍ତି | ଭାରତ ସହ ଭାଗୀଦାରୀତାରେ ସେମାନେ ଉପକୃତ ହେବେ ବୋଲି କାଠମାଣ୍ଡୁ ଓ ଥିମ୍ପୁ ବେଶ ଅବଗତ ଅଛନ୍ତି | ମାଳଦ୍ଵିପ ଓ ଭୁଟାନ ମଧ୍ୟ ସେମାନଙ୍କ ‘ଭାରତ ପ୍ରଥମ’ ନୀତି ଉପରେ ପ୍ରାଥମିକତା ଦେଊଛନ୍ତି | ଦ୍ଵିପକ୍ଷୀୟ ସମ୍ପର୍କରେ ଆନ୍ତଃନିର୍ଭରତାକୁ ପ୍ରମୁଖ ବୋଲି ଦର୍ଶାଇ ଏହି କ୍ଷେତ୍ରରେ ବିଶ୍ଵାସ ଓ ସମାବେଶ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ବୋଲି ବାଙ୍ଗଲାଦେଶ ଜୋର ଦେଇ କହିଛି |

ଭାରତ ଏହି ଅଞ୍ଚଳରେ ଏକ ବୁଝାମଣାକାରୀ ଭାବେ ଭୂମିକା ନିଭାଇ ପାରିବ | ଏହି ଅଞ୍ଚଳର ଦେଶ ଗୁଡିକ ଲାଗି ସନ୍ତ୍ରାସବାଦ ଏକ ବଡ ଚାଲେଞ୍ଜ ରୂପେ ଉଭା ହୋଇଛି | ଏହି ଦେଶ ଗୁଡିକ ପାଇଁ ଦ୍ଵିପକ୍ଷୀୟ ସମ୍ପର୍କ ସ୍ଥାପନ ସହ ବିଭିନ୍ନ ଆଞ୍ଚଳିକ ଗୋଷ୍ଠୀ ମଧ୍ୟରେ ଦୃଢ ସମ୍ପର୍କ ମଧ୍ୟ ଅତ୍ୟନ୍ତ ମହତ୍ବପୂର୍ଣ୍ଣ | ଆଞ୍ଚଳିକ ଅର୍ଥନୈତିକ ଏକୀକରଣ ପରିପ୍ରେକ୍ଷୀରେ ଦକ୍ଷିଣ ଏସିଆ ଅଞ୍ଚଳକୁ ରୂପାନ୍ତରିତ କରିବା ଦିଗରେ ସାର୍କ, ବିମଷ୍ଟେକ , ବାଙ୍ଗଲାଦେଶ-ଭୁଟାନ-ଭାରତ-ନେପାଳ (ବିବିଆଇଏନ) ଓ ବାଙ୍ଗଲାଦେଶ-ଚୀନ-ଭାରତ-ମିଆଁମାର (ବିସିଆଇଏମ) ଅର୍ଥନୈତିକ କୋରିଡର ଆଦିର ଯଥେଷ୍ଟ କ୍ଷମତା ରହିଛି | ତେବେ ଏହି ଦେଶ ଗୁଡିକ ଆପୋଷ ମତଭେଦ ଗୁଡିକୁ ଦୂର କରି ଶାନ୍ତି ସମୃଦ୍ଧି ସ୍ଥାପନ ଲାଗି ମିଳିମିଶି କାମ କରିବା ଲାଗି ଆଗେଇ ଆସିବା ଉଚିତ |

ମୂଳ ଲେଖା : ଡଃ ସ୍ମୃତି ଏସ ପଟ୍ଟନାୟକ, ଦକ୍ଷିଣ ଏସିଆ ଉପରେ ରଣନୀତିକି ବିଶ୍ଳେଷକ

ଅନୁବାଦ : ରୀତା ଯୋଶୀ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...