ଇରାନ ସମର୍ଥନକାରୀ ମାନେ ବାଗଦାଦର ‘ଗ୍ରୀନ ଜୋନ’ରେ ଆମେରିକା ଦୂତାବାସ ଆଖ ପାଖରେ ବିକ୍ଷୋଭ ପ୍ରଦର୍ଶନ ପରେ ଅଚଳାବସ୍ଥା ଜାରି ରହିଛି । ଆମେରିକାର ଜଣେ ଠିକାଦାରକୁ ହତ୍ୟା କରାଯିବା ଓ ଇରାନ ସମର୍ଥନକାରୀ ମାନଙ୍କ ଆକ୍ରମଣରେ ଆମେରିକାର କେତେ ଜଣ ଯବାନ ଆହତ ହେବା ପରେ ଟ୍ରମ୍ଫ ପ୍ରଶାସନ ଓ ଇରାନର ଇସଲାମିକ ରିପବ୍ଲିକ ମଧ୍ୟରେ ଦୀର୍ଘଦିନରୁ ଜାରି ରହିଥିବା ବାକ ଯୁଦ୍ଧ ଏକ ନୂଆଁ ମୋଡ ନେଇଛି |
ଏହି ଘଟଣା ପରେ ରାଷ୍ଟ୍ରପତି ଟ୍ରମ୍ଫ ଅର୍ଦ୍ଧସାମରିକ ବାହିନୀର ପାଞ୍ଚୋଟି ସ୍ଥାନ ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ଯେଉଁଥିରେ ଅତିକମରେ 25 ଜଣ ମୃତ୍ୟୁ ବରଣ କରିଥିଲେ ଓ ବହୁ ଜଣ ଆହତ ହୋଇଥିଲେ | ଏହି ଆକ୍ରମଣ ଘଟଣା ଇରାନ ସମର୍ଥନକାରୀ ମାନଙ୍କୁ କ୍ରୋଧାନ୍ଵିତ କରିଥିଲା ତେଣୁ ସେମାନେ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ଆକ୍ରମଣ କରିଥିଲେ ଓ ପାଚେରି ଡେଇଁ ଭିତରକୁ ପ୍ରବେଶ କରିବା ଲାଗି ଚେଷ୍ଟା କରିଥିଲେ | ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ଏହାର ପାଲଟା ଆକ୍ରମଣରେ ଆମେରିକୀୟ ମରିନ୍ସ ପକ୍ଷରୁ ଗୁଳିଚାଳନା କରାଯାଇଥିଲା |
ଇରାକ-ସିରିଆ ସୀମା ସଂଲଗ୍ନ ଇଲାକାରେ ଆମେରିକା ଉପରେ କାଟାଏବ ହିଜବୁଲ୍ଲା ପ୍ରଥମେ ଆକ୍ରମଣ କରିଥିଲା | କାଟାଏବ ହିଜବୁଲ୍ଲା ହେଉଛି ସିଆ ସମ୍ପ୍ରଦାୟର ଏକ ଅର୍ଦ୍ଧସାମରିକ ବାହିନୀ ଓ ଇରାନ ଦ୍ଵାରା ସମର୍ଥିତ ପପୁଲାର ମୋବିଲାଇଜେସନ ଫୋର୍ସ (ପିଏମଏଫ)ର ଏକ ଅଂଶ ବିଶେଷ | କାଟାଏବ ହିଜବୁଲ୍ଲା, 2003 ମସିହା ମାର୍ଚ୍ଚ ମାସରେ ଇରାକ ଉପରେ ଆମେରିକା ନେତୃତ୍ଵାଧୀନ ଆକ୍ରମଣ ପରେ ଗୃହଯୁଦ୍ଧରେ ସକ୍ରିୟ ହୋଇଥିଲା ଓ ଏହା ସଙ୍କଟଗ୍ରସ୍ତ ରାଷ୍ଟ୍ରପତି ବଶର ଅଲ ଅସଦଙ୍କ ସମର୍ଥନରେ ସିରିଆ ଗୃହ ଯୁଦ୍ଧରେ ସାମିଲ ହୋଇଥିଲା |
ଅର୍ଦ୍ଧସାମରିକ ବାହିନୀର ପାଞ୍ଚୋଟି ସ୍ଥାନ ଉପରେ ଡିସେମ୍ବର 29 ତାରିଖ ଦିନ କରିଥିବା ଆକ୍ରମଣ ଘଟଣା ବିଷୟରେ ବ୍ୟାଖ୍ୟା କରିବାକୁ ଯାଇ ରାଷ୍ଟ୍ରପତି ଟ୍ରମ୍ଫ ଟୁଇଟ କରିଥିଲେ “..... ଆମେ କଡା ଜବାବ ଦେଇଛୁ ଓ ସବୁବେଳେ ଏହିପରି ହିଁ ଜବାବ ଦେବୁ । ଏବେ ଇରାନ, ଇରାକରେ ଅବସ୍ଥାପିତ ଆମେରିକା ଦୂତାବାସ ଉପରେ ଆକ୍ରମଣ ଲାଗି ଚେଷ୍ଟା କରୁଛି “ | ଆମେରିକା କର୍ମଚାରୀ ମାନଙ୍କ ସୁରକ୍ଷା ନିଶ୍ଚିତ କରିବାରେ ଇରାକ ସରକାରଙ୍କ ତ୍ଵରିତ କାର୍ଯ୍ୟାନୁଷ୍ଠାନ ପ୍ରତି ସେ ଧନ୍ୟବାଦ ଜଣାଇଥିଲେ; କିନ୍ତୁ ଏହାପରେ ତାଙ୍କ ନବବର୍ଷର ଚେତାବନୀ ଜାରିକରାଯାଇଥିଲା: “ଜୀବନହାନୀ ସାଙ୍ଗକୁ ଯେତେ କ୍ଷୟକ୍ଷତି ଘଟିଛି ସେସବୁ ପାଇଁ ଇରାନ ସଂପୂର୍ଣ୍ଣ ରୂପେ ଦାୟୀ ଏବଂ ଏଥିପାଇଁ ସେମାନଙ୍କୁ ଭୋଗିବାକୁ ପଡିବ ! ଏହା ଏକ ଚେତାବନୀ ନୁହେଁ ବରଂ ଏକ ଧମକ | ନବ ବର୍ଷର ଶୁଭକାମନା ( ହେପି ନ୍ୟୂ ୟିୟର)!”
ଇତିମଧ୍ୟରେ ବାଗଦାଦରେ ଆମେରିକା ପକ୍ଷରୁ ଆକାଶ ମାର୍ଗ ଆକ୍ରମଣରେ ଇରାନର କୁଦସ ଫୋର୍ସ କମାଣ୍ଡର, ମେଜର ଜେନେରାଲ କାସିମ ସୋଲେମନୀ ଓ ଇରାକ ର ଜଣେ ବିଦ୍ରୋହୀ ନେତା ଆବୁ ମହଦି ଅଲ-ମୁହାଣ୍ଡିସ ପ୍ରାଣ ହରେଇଛନ୍ତି | ତେଣେ ଆମେରିକା ପକ୍ଷରୁ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଇଶପର ଜଣାଇଛନ୍ତି |
ଗତ ବର୍ଷ ମେ ମାସରେ ପରମାଣୁ ଚୁକ୍ତିରୁ ଟ୍ରମ୍ଫ ପ୍ରଶାସନ ଓହରିଯିବା ଓ ଇରାନ ର ଶକ୍ତି ଉଦ୍ୟୋଗ କ୍ଷେତ୍ର ଉପରେ ଏହା ଦ୍ଵାରା ପୁନଃକଟକଣା ଲାଗୁ କରାଯିବା ପରେ ଆମେରିକା-ଇରାନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା | ସମ୍ପ୍ରତ୍ତି କିଛି ସପ୍ତାହରେ ଇରାନ ଉପରେ କଟକଣା ଲାଗୁ କରାଯିବା ଓ ଦେଶୀୟ ଆର୍ଥିକ କୁପରିଚାଳନା ଯୋଗୁଁ ଆର୍ଥିକ ଦୂରାବସ୍ଥା ପାଇଁ ଇରାନ, ସାଧାରଣ ଲୋକମାନ ଦ୍ଵାରା ବ୍ୟାପକ ବିକ୍ଷୋଭ ପ୍ରଦର୍ଶନର ସମ୍ମୁଖୀନ ହେଉଛି |
ଏବେ ପର୍ଯ୍ୟନ୍ତ ଉଭୟ ପକ୍ଷ ପ୍ରତ୍ୟକ୍ଷ ଭାବେ କୌଣସି ଗଣ୍ଡଗୋଳ ସୃଷ୍ଟି କରିନାହାନ୍ତି କିନ୍ତୁ ଖବର ମିଳିଛି ଯେ ଇରାନ ତଥା ଏହାର ଘନିଷ୍ଠ ସହଯୋଗୀ ମାନେ ଆମେରିକାର ଆଦେଶକୁ ଖୋଲାଖୋଲି ଭାବେ ଲଙ୍ଘନ କରି , ଆମେରିକାର ସହଯୋଗୀ ମାନଙ୍କ ସମ୍ବେଦନ ସ୍ଥଳୀ ଗୁଡିକ ଉପରେ ମଧ୍ୟ ଆକ୍ରମଣ କରିପାରନ୍ତି |
ବିକ୍ଷୋଭ ପ୍ରଦର୍ଶନ ପ୍ରତ୍ୟାହାର ପରେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ଫ ଚେତାବନୀ ଦେଇଥିଲେ ଯେ ଇରାନକୁ “ଏହାର ପରିଣାମ ଭୋଗିବାକୁ ପଡିବ” | ତେଣୁ ବର୍ତ୍ତମାନ ବୃଦ୍ଧି ପାଇଥିବା ବିବାଦ ଟ୍ରମ୍ଫଙ୍କ ଦେଶୀୟ ସଙ୍କଟ ସହ ଜଡିତ ହୋଇପାରେ | ଗତ ମାସ ଆମେରିକା କଂଗ୍ରେସ ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଅନୁମୋଦନ କରିଥିଲା | ବଡଦିନ ଅବକାଶ ସମାପ୍ତ ହେବା ପରେ ଆମେରିକା ପ୍ରତିନିଧି ସଭା ସ୍ପିକର ନେନ୍ସି ପେଲୋସି ଏହି ପ୍ରସଙ୍ଗକୁ ସିନେଟକୁ ହସ୍ତଗତ କରିବା ପୂର୍ବରୁ ଏନେଇ ରଣକୌଶଳ ପ୍ରସ୍ତୁତ କରୁଛନ୍ତି | ଏହି ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟେଇବା ଲାଗି ଇରାନ ଉପରେ ଆକ୍ରମଣ କରିବା ରାଷ୍ଟ୍ରପତି ଟ୍ରମ୍ଫଙ୍କ ପାଇଁ ଏକ ସୁଯୋଗ ମିଳିଥିଲା | ରାଷ୍ଟ୍ରପତି ବିଲ କ୍ଲୀଣ୍ଟନ ମୋନିକା ଲେୱିନସ୍କି ମାମଲା ଉପରେ ମହାଭିଯୋଗ ପ୍ରସ୍ତାବ ଆଗତ ସମୟରେ ତାଙ୍କ ବିରୋଧୀ ମାନଙ୍କ ଧ୍ୟାନ ହଟାଇବା ଲାଗି ଆଫଗାନିସ୍ତାନରେ ଆଲକାଏଦାର ସ୍ଥଳୀମାନଙ୍କ ଉପରେ ଆକ୍ରମଣ କରେଇଥିଲେ |
କିନ୍ତୁ ଏପରି ଲକ୍ଷ୍ମଣ ରେଖା ରହିଛି ଯାହାକୁ ଉଭୟ ପକ୍ଷ ଅତିକ୍ରମ କରିବାକୁ ଚାହିଁବେ ନାହିଁ | ନିର୍ବାଚନ ବର୍ଷରେ ଆମେରିକା ରାଷ୍ଟ୍ରପତି ଆଉ ଏକ ପଣବନ୍ଦୀ ସଙ୍କଟ ଚାହିଁବେ ନାହିଁ ଯାହାଯୋଗୁଁ 1980 ମସିହାରେ ଜିମ୍ମୀ କାର୍ଟରଙ୍କୁ ତାଙ୍କ ରାଷ୍ଟ୍ରପତି ପଦ ହରେଇବାକୁ ପଡିଥିଲା | ସେହି 444 ଦିନିଆ ଗାଥା ୱାଶିଙ୍ଗଟନ ଓ ତେହେରାନ ମଧ୍ୟରେ ଚାରି ଦଶନ୍ଧି ଧରି ଶତୃତାର ବୀଜ ବପନ କରିଥିଲା | ତେବେ ରାଷ୍ଟ୍ରପତି ଟ୍ରମ୍ଫ ବା ଇରାନର ସୁପ୍ରିମ ନେତା ଅଲି ଖାମେନେଇ କେହି ହେଲେ ଏହି ଗାଥାର ପୁନରାବୃତ୍ତି କରିବାକୁ ଚାହିଁବେ ନାହିଁ |
ଶକ୍ତି ସୁରକ୍ଷା, ଅଧିକ ସଂଖ୍ୟାରେ ପ୍ରବାସୀ ଭାରତୀୟ ଓ ସେମାନଙ୍କ ଅର୍ଥ ପ୍ରେରଣ ଯୋଗୁଁ ଏହି କ୍ଷେତ୍ରରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି | 2017-18 ମସିହା ପରଠୁ ଇରାକ ସାଉଦୀଆରବର ସ୍ଥାନ ନେଇଥିଲା ଓ ଭାରତକୁ ଅଶୌଧୀତ ତୈଳ ଯୋଗାଣରେ ସବୁଠୁ ବଡ ଯୋଗାଣକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି | ଆମେରିକା ପକ୍ଷରୁ ଲାଗୁ କଟକଣା ଯୋଗୁଁ ଭାରତ-ଇରାନ ଶକ୍ତି ବାଣିଜ୍ୟ ଉପରେ ପ୍ରଭାବ ପଡିଛି | ପାରସ୍ୟ ଉପସାଗର ଅଞ୍ଚଳରେ ଭାରତର ସ୍ଵାର୍ଥ ପାଇଁ, ବାଗଦାଦରେ ଆମେରିକା-ଇରାନ ମଧ୍ୟରେ ଜାରିଥିବା ଅଚଳାବସ୍ଥାକୁ ତୁରନ୍ତ ଦୂର କରିବା ଅତ୍ୟନ୍ତ ଜରୁରୀ |
ମୂଳ ଲେଖା : ପ୍ରଫେସର ପି ଆର କୁମାରସ୍ଵାମୀ, JNU
ଅନୁବାଦ : ରୀତା ଯୋଶୀ
Comments
Post a Comment