Skip to main content

ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେଲା ଭାରତ

ଭାରତ ଜାତିସଂଘର ଏକ ପ୍ରତିଷ୍ଠାତା ସଦସ୍ୟ | ଏହା 26 ଜୁନ 1945ରେ ସାନ ଫ୍ରାନ୍ସସିସ୍କୋ ସମ୍ମିଳନୀରେ ଜାତିସଂଘ ସନନ୍ଦରେ ସ୍ଵାକ୍ଷର କରିଥିଲା | ଜାତିସଂଘ ସନନ୍ଦ ପାଞ୍ଚୋଟି ଅଣ-ନିର୍ବାଚିତ ସ୍ଥାୟୀ ସଦସ୍ୟ (ଚୀନ, ଫ୍ରାନ୍ସ, ବ୍ରିଟେନ, ଆମେରିକା ଓ ସୋଭିଏତ ସଂଘ) ଓ 10 ଟି ନିର୍ବାଚିତ ସଦସ୍ୟ ଙ୍କୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଗଠନ କରିଥିଲା | ଏହି ନିର୍ବାଚିତ ସଦସ୍ୟ ମାନଙ୍କ ଦୁଇ ବର୍ଷର କାର୍ଯ୍ୟକାଳ ହୋଇଥାଏ | ଜାତିସଂଘ ସନନ୍ଦରେ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଲାଗି ୟୁଏନଏସସିକୁ ଦାୟିତ୍ଵ ଦିଆଯାଇଛି |
1947 ଅଗଷ୍ଟ ମାସରେ ଭାରତ ସ୍ଵାଧୀନତା ହାସଲ କରିବା ପରେ ଜାତିସଂଘ ସୁରକ୍ଷା ପରିଷଦର 1950-51 କାର୍ଯ୍ୟକାଳ ପାଇଁ ଭାରତ ପ୍ରଥମ ଥର ଲାଗି ନିର୍ବାଚିତ ହୋଇଥିଲା | ସେବେଠାରୁ ଭାରତ ସାତଥର ନିର୍ବାଚିତ ହୋଇଛି ଓ ପ୍ରତି ଦଶନ୍ଧିରେ ଗୋଟିଏ ଥର କାର୍ଯ୍ୟ କରିଆସିଛି | ସୁରକ୍ଷା ପରିଷଦରେ ଭାରତର ଶେଷ କାର୍ଯ୍ୟକାଳ ଡିସେମ୍ବର 2012ରେ ଶେଷ ହୋଇଥିଲା |
2013 ନଭେମ୍ବର ମାସରେ, ଅଷ୍ଟମ କାର୍ଯ୍ୟକାଳ ପାଇଁ ଭାରତର ପ୍ରାର୍ଥିତ୍ଵ ନେଇ ଆଫଗାନିସ୍ତାନ ଓ ଭାରତ ପକ୍ଷରୁ ମିଳିତ ଭାବେ ୟୁଏନଜିଏକୁ ଆନୁଷ୍ଠାନିକ ଭାବେ ଜଣାଇଦିଆଯାଇଥିଲା | ଏହାପରେ ଭାରତ ପ୍ରତି ସମର୍ଥନ ଜଣାଇ 2021-22 ପାଇଁ ଆଫଗାନିସ୍ତାନ ଏହାର ପ୍ରାର୍ଥିତ୍ଵରୁ ଓହରି ଯାଇଥିଲା |
2021-22 ଲାଗି ଖାଲିହେଉଥିବା ପାଞ୍ଚୋଟି ଆସନ ପାଇଁ ୟୁଏନଜିଏରେ 17 ଜୁନ 2020ରେ ହୋଇଥିବା ନିର୍ବାଚନରେ ଭାରତ ଏସିଆ-ପ୍ରଶାନ୍ତ ମହାସାଗରୀୟ ସମୂହର 54 ସଦସ୍ୟ ବିଶିଷ୍ଟ ରାଷ୍ଟ୍ରର ଏକମାତ୍ର ଅନୁମୋଦିତ ପ୍ରାର୍ଥୀ ଥିଲା | ଭାରତ ଇଣ୍ଡୋନେସିଆର ସ୍ଥାନ ନେବ | ଏହି ନିର୍ବାଚନରେ 193ଟି ମଧ୍ୟରୁ ଭାରତକୁ 184ଟି ଭୋଟ ମିଳିଛି |
କୋଭିଡ-19 ମହାମାରୀ ଯୋଗୁଁ ଗୁପ୍ତ ବାଲଟ ସମୟରେ ସାମାଜିକ ଦୂରତା ପାଳନ କରାଯାଇଥିଲା | ୟୁଏନଜିଏ ପ୍ରଥମଥର ଲାଗି ଏହାର ସମସ୍ତ 193 ସଦସ୍ୟ ରାଷ୍ଟ୍ରକୁ ଏକ ଅଧିବେଶନରେ ଡାକିନଥିଲା ଓ ମନୋନୀତ ପ୍ରାର୍ଥୀ ମାନେ ଏକ ନିର୍ଦ୍ଧାରିତ ସମୟରେ ୟୁଏନଜିଏ ହଲରେ ଭୋଟ ଦେଇଥିଲେ |
ଜାତିସଂଘ ସୁରକ୍ଷା ପରିଷଦର ଏକ ନିର୍ବାଚିତ ସଦସ୍ୟ ଭାବେ 1 ଜାନୁଆରୀ 2021ରୁ ଆରମ୍ଭ ହେଉଥିବା କାର୍ଯ୍ୟକାଳ ପାଇଁ ଭାରତର ପ୍ରାଥମିକତା ବିଷୟରେ 5 ଜୁନ 2020ରେ ବୈଦେଶିକ ମନ୍ତ୍ରୀ ଡଃ ଏସ ଜୟଶଙ୍କର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅବଗତ କରିଥିଲେ | ଭାରତ ଏହାର କାର୍ଯ୍ୟକାଳ ସମୟରେ ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଲାଗି ଜଟିଳ ଚାଲେଞ୍ଜ ଗୁଡିକର ମୁକାବିଲା କରିବା ପାଇଁ ଏକ ସଂସ୍କାରମୂଳକ ସୁରକ୍ଷା ପରିଷଦ ସମେତ ଏକ ସଂସ୍କାରୀତ ବହୁପକ୍ଷୀୟ ବ୍ୟବସ୍ଥା ସ୍ଥାପନ ଲାଗି ଏକ ନୂତନ ଦିଗ ଗଠନ କରିବା ଉପରେ ପ୍ରାଧାନ୍ୟ ଦେବ |
ସନ୍ତ୍ରାସବାଦର ଦମନ ଲାଗି ସୁରକ୍ଷା ପରିଷଦ ଦ୍ଵାରା ଫଳପ୍ରଦ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ପ୍ରାଧାନ୍ୟ ଦେବା ସହ ସନ୍ତ୍ରାସବାଦୀ ଦ୍ଵାରା ସାଇବର ସ୍ପେସର ଅପବ୍ଯବହାର, ବର୍ତ୍ତମାନର ସୁରକ୍ଷା ପରିଷଦ କଟକଣା ନିୟମକୁ ଲାଗୁ କରିବା ଓ ଆତଙ୍କବାଦ ଅର୍ଥ ଯୋଗାଣକୁ ବନ୍ଦ କରିବା ପାଇଁ ପରିଷଦର ଧ୍ୟାନ ଆକର୍ଷଣ କରିବା ହେଉଛି ଭାରତର ମୂଳ ଲକ୍ଷ୍ୟ | ଆର୍ଥିକ କ୍ରିୟାନ୍ବୟନ ଟାସ୍କ ଫୋର୍ସ (ଏଫଏଟିଏଫ) ଭଳି ସଂସ୍ଥା ସହ ପରିଷଦର ସମନ୍ଵୟ ରଖିବା ଉପରେ ମଧ୍ୟ ଭାରତ ନିଘା ରଖିବ |
ସୁରକ୍ଷା ପରିଷଦର ଏକ ସଦସ୍ୟ ଭାବେ ଭାରତ 13ଟି ଜାତିସଂଘ ଶାନ୍ତିରକ୍ଷାକାରୀ ମିଶନ ପାଇଁ ଅଧିକ ସ୍ବଚ୍ଛତା ଓ ପାରଦର୍ଶିତା ଅବଲମ୍ବନ କରିବାକୁ ଲକ୍ଷ ରଖିଛି | ଏହି ମିଶନ ଲାଗି ସମ୍ପ୍ରତ୍ତି ଭାରତର ମହିଳା ଶାନ୍ତିରକ୍ଷାକାରୀଙ୍କ ସମେତ 6000 ବାହିନୀ ବିଶେଷକରି ଦକ୍ଷିଣ ସୁଦାନ, କଙ୍ଗୋ ଗଣରାଜ୍ଯ ଓ ଲେବାନନରେ ମୁତୟନ ଅଛନ୍ତି |
ସୁରକ୍ଷା ପରିଷଦରେ ଭାରତ ଏପରି ସମୟରେ ନିର୍ବାଚିତ ହୋଇଛି ଯେତେବେଳେ ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ଏବଂ ଏହା କୋଭିଡ-19କୁ ପ୍ରତିହତ କରିବା ଲାଗି ବୈଶ୍ଵିକ ପ୍ରୟାସ ପାଇଁ ଏକ ସ୍ପଷ୍ଟ ରାଜନୈତିକ ସମର୍ଥନ ଲୋଡି ଏକ ପ୍ରସ୍ତାବ ଆଗତ କରିବାରେ ପରିଷଦକୁ ରୋକିଛି | ଏସିଆରେ ଚୀନ ନିଜର ସ୍ଥିତି ଜାହିର କରୁଥିବା ବେଳେ ଏହା ପରିଷଦ ପାଇଁ ଆଉ ଏକ ଚାଲେଞ୍ଜ ସଦୃଶ ହେବ |
ଭାରତ 2022ରେ ହେବାକୁ ଥିବା ଜି20 ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା କରିବ, ସେତେବେଳେ ଏହା ସୁରକ୍ଷା ପରିଷଦର ଏକ ସଦସ୍ୟ ମଧ୍ୟ ଥିବ | ଆନ୍ତର୍ଜାତୀୟ ଶାନ୍ତି, ସୁରକ୍ଷା ଓ ବିକାଶ ମଧ୍ୟରେ ଯୋଗାଯୋଗ ବଜାୟ ରଖିବା ଲାଗି ପରିଷଦକୁ ସକ୍ରିୟ କରିବା ପାଇଁ ଭାରତକୁ ଏହା ଏକ ଅଦ୍ଵିତୀୟ ନେତୃତ୍ଵର ସୁଯୋଗ ପ୍ରଦାନ କରିବ କହିଲେ ଅତ୍ୟୁକ୍ତି ହେବ ନାହିଁ |
ମୂଳଲେଖା : ଅଶୋକ ମୁଖାର୍ଜୀ, ଜାତିସଂଘରେ ଭାରତର ପୂର୍ବତନ ସ୍ଥାୟୀ ପ୍ରତିନିଧି

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...