15 ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଅନୁଷ୍ଠିତ ହୋଇଛି | ଭାରତ ଓ ୟୁରୋପୀୟ ସଂଘ ଗଣତନ୍ତ୍ର, ସ୍ଵାଧୀନତା, ଆଇନର ଶାସନ ଓ ମାନବାଧିକାର ପାଇଁ ସମ୍ମାନ ସହ ଅଗ୍ରସର ହେବା ଭଳି ମୂଲ୍ଯବୋଧରେ ବିଶ୍ଵାସ କରିଆସୁଛନ୍ତି | ୟୁଏନ ଓ ଡବ୍ଲ୍ୟୁଟିଓ ପରିପ୍ରେକ୍ଷୀରେ ଫଳପ୍ରଦ ବହୁପକ୍ଷବାଦ ଓ ଏକ ନିୟମ ଆଧାରିତ ବହୁପକ୍ଷୀୟ ନିର୍ଦ୍ଦେଶନାମା ନେଇ ଉଭୟ ପକ୍ଷ ସେମାନଙ୍କ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ଏହି ସମ୍ମିଳନୀରେ ଊଭୟ ପକ୍ଷ ମଧ୍ୟରେ ସମ୍ପର୍କର ସ୍ଥିତି ନେଇ କେବଳ ସମୀକ୍ଷା କରାଯାଇନାହିଁ ବରଂ ଦୁଇ ପକ୍ଷ କରୋନା ମହାମାରୀ ଯୋଗୁଁ ଉପୁଜିଥିବା ସାମାଜିକ-ଆର୍ଥିକ ପ୍ରଭାବ ସନ୍ଦର୍ଭରେ “ ଇୟୁ-ଭାରତ ରଣନୀତିକ ଭାଗୀଦାରୀତା : ଏକ ରୂପରେଖ 2025 “ ପ୍ରସ୍ତୁତ କରିଛନ୍ତି ଯାହାକି ସମ୍ପର୍କକୁ ଆହୁରି ନିବିଡ କରିବାରେ ସହାୟକ ହେବ | ସମ୍ପ୍ରତ୍ତି ଉଭା ହୋଇଥିବା ଚାଲେଞ୍ଜର ମୁକାବିଲା ଲାଗି ଏହି ନୂତନ ରଣନୀତିକ ଭାଗୀଦାରୀତା ରୂପରେଖକୁ କାର୍ଯ୍ୟକାରୀ କରିବା ଲାଗି ମିଳିତ କ୍ରିୟାନ୍ବୟନକୁ ଆହୁରି ସମ୍ପ୍ରସାରିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓ ଇୟୁ ପରିଷଦ ସଭାପତି ଶ୍ରୀ ଚାର୍ଲ୍ସ ମାଇକେଲ ଓ କମିଶନ ସଭାପତି ସୁଶ୍ରୀ ଉରସୁଲା ଭୋନ ଡେର ଲିୟେନ ସହମତ ହୋଇଛନ୍ତି |
ଉଭୟ ପକ୍ଷ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ଯାର ମୁକାବିଲା ଲାଗି ବୈଶ୍ଵିକ ସହଯୋଗ ଓ ଏକତା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା ସହ କୋଭିଡ-19 ଟୀକାକୁ ସମଗ୍ର ବିଶ୍ଵର ଏକ ଆବଶ୍ୟକୀୟ ସାମଗ୍ରୀ ଭାବେ ବିବେଚନା କରିବା ଲାଗି ଜୋର ଦେଇଛନ୍ତି | ଇୟୁ ହେଉଛି ଭାରତର ସବୁଠୁ ବଡ ବାଣିଜ୍ୟ ଭାଗୀଦାର ଓ ବର୍ତ୍ତମାନର ଭୌଗୋଳିକ ରାଜନୈତିକ ପରିବେଶରେ ଚୀନର ପ୍ରାଦୁର୍ଭାବ ବିରୁଦ୍ଧରେ ସହଯୋଗ ବୃଦ୍ଧି କରିବାର ଆବଶ୍ୟକତା ରହିଛି |ଉଭୟ ପକ୍ଷ ବାଣିଜ୍ୟ ପ୍ରତିବନ୍ଧକ ଗୁଡିକୁ ଦୂର କରିବା ଓ ଏକ ନୂତନ ଉଚ୍ଚ ସ୍ତରୀୟ ବାଣିଜ୍ୟ ଡାଏଲଗ ପାଇଁ ଆଲୋଚନା ଲାଗି ରାଜି ହୋଇଛନ୍ତି | ବୈଶ୍ଵିକ ବାଣିଜ୍ୟ ବ୍ୟବସ୍ଥାକୁ ଖୋଲା ରଖିବା ପାଇଁ ସେମାନେ ପ୍ରତିବଦ୍ଧତା ଦୋହୋରାଇଛନ୍ତି | ତେବେ ଏହି ଶିଖର ବୈଠକରେ ନୂଆଦିଲ୍ଲୀ ଓ ବ୍ରସେଲ୍ସ ମଧ୍ୟରେ ବାଣିଜ୍ୟ ବ୍ୟତିତ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା | ଏହି ବୈଠକରେ ପରିବେଶ ଓ ଜଳବାଯୁ ପରିବର୍ତ୍ତନ , ଖୋଲା ଓ ନିରପେକ୍ଷ ବାଣିଜ୍ୟ, ବୈଦେଶିକ ଓ ସୁରକ୍ଷା ନୀତି, ଡିଜିଟାଲିକରଣ, ମାନବାଧିକାର, ସ୍ଥାୟୀ ଆଧୂନିକୀକରଣ ଓ ଗବେଷଣା ଏବଂ ଅଭିନବତା ଆଦି ପ୍ରସଙ୍ଗ ଉପରେ ମୁଖ୍ଯତଃ ଆଲୋଚନା ହୋଇଥିଲା |
ଭାରତ ଓ ଇୟୁ ମଧ୍ୟରେ ରାଜନୈତିକ କଥାବାର୍ତ୍ତା ବ୍ୟାପକ ହୋଇଛି | 2022ରେ ଜି20 ଶିଖର ବୈଠକରେ ଭାରତର ଅଧ୍ୟକ୍ଷତା ଓ 2021-22 ରେ ଜାତିସଂଘ ସୁରକ୍ଷା ପରିଷଦରେ ଏହାର ସଦସ୍ୟତା ପ୍ରତି ବ୍ରସେଲ୍ସ, ସ୍ଵାଗତ ଜଣାଇଛି | ଏହା ରାଜନୈତିକ ନେତୃତ୍ଵ ସ୍ତରରେ ନୂଆଦିଲ୍ଲୀର ବୃଦ୍ଧି ପାଉଥିବା କ୍ଷମତାର ଏକ ଦୃଢ ସଂକେତ ଦେଉଛି | ଅଣୁ ଅସ୍ତ୍ରନିରୋଧ, ନିରସ୍ତ୍ରିକରଣ, ସାମୁଦ୍ରିକ ନିରାପତ୍ତା, ଆତଙ୍କବାଦ ବିରୋଧୀ (ମୌଳବାଦ ବିରୋଧୀ ସମେତ), ଅର୍ଥ ହେରଫେର ବିରୋଧୀ ସନ୍ତ୍ରାସବାଦ ପାଣ୍ଠି ଯୋଗାଣ ଦମନ ଓ ସାଇବର ସୁରକ୍ଷା ଦିଗରେ ମିଳିମିଶି କାର୍ଯ୍ୟ କରି ସହଯୋଗକୁ ଆହୁରି ମଜବୁତ କରିବା ଲାଗି ସହମତ ପ୍ରକାଶ କରିବା ସହ ବୈଦେଶିକ ଓ ସୁରକ୍ଷା ନୀତି ଉପରେ ରାଜନୈତିକ ସହଯୋଗକୁ ଆହୁରି ନିବିଡ କରିବା ପାଇଁ ଉଭୟେ ଏକମତ ହୋଇଛନ୍ତି|
ଭାରତ ଓ ଇୟୁ, ଇରାନ ଓ ଆଫଗାନିସ୍ତାନ ଭଳି ଆନ୍ତର୍ଜାତୀୟ ଓ ଆଞ୍ଚଳିକ ପ୍ରସଙ୍ଗ ନେଇ ସହଯୋଗ କରିବାକୁ ରାଜି ହୋଇଛନ୍ତି | ବୈଦେଶିକ ଓ ସୁରକ୍ଷା ନୀତିର ବିଭିନ୍ନ ଦିଗ ଉପରେ ବ୍ୟାପକ ବିଚାର ବିମର୍ଶ କରିବା, ସେନା ବାହିନୀ ମଧ୍ୟରେ ଯୋଗାଯୋଗ ଓ ଆଦାନ ପ୍ରଦାନକୁ ଆହୁରି ମଜବୂତ କରିବା ଓ ନିରାପତ୍ତା ସଙ୍କ୍ରାନ୍ତରେ ରୀତିମତ ଯୋଗାଯୋଗ ସ୍ଥାପନ କରିବା ଆଦି ପ୍ରସଙ୍ଗ ରୂପରେଖ 2025ରେ ସ୍ଥାନିତ ଅଛି | ସାମୁଦ୍ରିକ ଦସ୍ୟୁ ସମସ୍ଯା ପ୍ରସଙ୍ଗ ସମେତ ଅନ୍ୟାନ୍ୟ ନିରାପତ୍ତା ସଙ୍କ୍ରାନ୍ତୀୟ ସମସ୍ୟାର ମୁକାବିଲା ଲାଗି ଏକ ସାମୁଦ୍ରିକ ସୁରକ୍ଷା ଡାଏଲଗ ଆରମ୍ଭ କରିବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି |ଆନ୍ତର୍ଜାତୀୟ ସ୍ତରରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ରଣନୀତିକ ମହତ୍ଵ ବୃଦ୍ଧି ପାଉଥିବାରୁ ଏହା ନୂଆଦିଲ୍ଲୀ ଓ ବ୍ରସେଲ୍ସ ପାଇଁ ଏକ ସକାରାତ୍ମକ ବିଷୟ ହୋଇଛି ଓ ଉଭୟ ଭାରତୀୟ ମହାସାଗରରେ ସୁରକ୍ଷା ଓ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଉପରେ ଅଧିକ ଜୋର ଦିଆଯାଇଛି |
ଏଥିସହିତ ଦୁଇ ପକ୍ଷ, ପ୍ରକଳ୍ପ ଗୁଡିକୁ ପରିବେଶ, ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ସ୍ଥାୟୀ ଏବଂ ବ୍ୟବସାୟ କାରବାରକୁ ସୁଗମ କରିବା ଲାଗି ଏକ ନିୟମ ଆଧାରିତ ଆଭିମୁଖ୍ଯ ଉପରେ ଗୁରୁତ୍ଵାରୋପ କରିଛନ୍ତି | ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ସମ୍ଭାଷଣରେ କହିଛନ୍ତି ଯେ ଭାରତ-ଇୟୁ ଭାଗୀଦାରୀତା କୋଭିଡ-19 ପରବର୍ତ୍ତୀ କାଳରେ ଅର୍ଥନୈତିକ ପୁନର୍ଗଠନ ଓ ଏକ ମାନବ କେନ୍ଦ୍ରିକ ବୈଶ୍ବିକରଣ ପ୍ରତିଷ୍ଠା ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ | ଉଭୟ ପକ୍ଷ ମଧ୍ୟରେ ସ୍ଥାନାନ୍ତରଣ ଓ ଗତିଶୀଳତା (ସିଏଏମଏମ)ଉପରେ ସାଧାରଣ କାର୍ଯ୍ୟସୂଚୀ ଉପରେ ମିଳିତ ଘୋଷଣାନାମାର କାର୍ଯ୍ୟକାରିତା ଦୃଷ୍ଟିରୁ ଏହା ଯଥେଷ୍ଟ ଗୁରୁତ୍ଵ ବହନ କରୁଛି | ଏହି ଅବସରରେ ମାନବାଧିକାର ଡାଏଲଗ ଓ ନାଗରିକ ସମାଜ କଥାବାର୍ତ୍ତା ଓ ଆଦାନ ପ୍ରଦାନର ପୁଣିଥରେ ଆରମ୍ଭ କରିବା ଲାଗି ମଧ୍ୟ ସହମତି ପ୍ରକାଶ ପାଇଛି |
ଏଥିସହିତ ଉଭୟ ପକ୍ଷ ମଧ୍ୟ ଏକ ବେସାମରିକ ଆଣବିକ ସହଯୋଗକୁ ତ୍ୱରାନ୍ୱିତ କରିବା ଲାଗି ସହମତ ହେବା ସହ ରିସୋର୍ସ ଏଫିସିଏନ୍ସି ଓ ସର୍କୁଲାର ଇକୋନୋମି ଉପରେ ଏକ ମିଳିତ ଘୋଷଣାନାମା ଜାରି କରିଛନ୍ତି | କୋଭିଡ-19 ମହାମାରୀ ଯୋଗୁଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ହେବାକୁ ଥିବା ଏହି ଶିଖର ବୈଠକକୁ ବାତିଲ କରିବାକୁ ପଡିଥିଲା | ହେଲେ ଅନ୍ୟ ଦୃଷ୍ଟିରୁ କହିବାକୁ ଗଲେ ଏହି ମହାମାରୀର ପ୍ରଭାବ ଯୋଗୁଁ ଦ୍ଵିପକ୍ଷୀୟ ସହଯୋଗର ଅନେକ କ୍ଷେତ୍ର ଚିହ୍ନଟ କରାଯାଇଛି | ଭାରତ ଓ ଇୟୁ ମଧ୍ୟରେ ରଣନୀତିକ ଭାଗୀଦାରୀତାକୁ ଆହୁରି ସୁଦୃଢ କରିବା ଲାଗି ନୂତନ ରୂପରେଖ 2025 ହେଉଛି ଉଭୟ ପକ୍ଷର ରାଜନୈତିକ ପ୍ରତିବଦ୍ଧତାର ଏକ ବଳିଷ୍ଠ ସୂଚକ |
ମୂଳ ଲେଖା : ପ୍ରଫେସର ଉମୁ ସଲମା ବାଭା, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ
Comments
Post a Comment