Skip to main content

ଆଫ୍ରିକାରେ ବୃଦ୍ଧି ପାଉଥିବା ଚୀନର ପୁଞ୍ଜି ନିବେଶ : ଚିନ୍ତାର କାରଣ ପାଲଟିଛି


ଏସିଆରେ ଉଭା ହୋଇଥିବା ଦୁଇଟି କ୍ଷମତାପର୍ଣ୍ଣ ରାଷ୍ଟ୍ର ଚୀନ ଓ ଭାରତ ଆଫ୍ରିକା ମହାଦେଶରେ ନବାଗତ ନୁହଁନ୍ତି | ଆଫ୍ରିକୀୟ ଦେଶ ଗୁଡିକ ସହ ଉଭୟଙ୍କ ଦୀର୍ଘଦିନ ଧରି ଐତିହାସିକ, ରାଜନୈତିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଛି ଏବଂ ନିକଟ ଅତୀତରେ ସେମାନଙ୍କ ଉପସ୍ଥିତି ଅଧିକ ବୃଦ୍ଧି ପାଇଛି | ଚୀନ ଓ ଭାରତ ଆଫ୍ରିକା ସହ ଏପରି ସମୟରେ କଥାବାର୍ତ୍ତା ପୁନଃଆରମ୍ଭ କରିଛନ୍ତି ଯେତେବେଳେ ସମଗ୍ର ଆଫ୍ରିକା ମହାଦେଶରେ ବ୍ୟବସାୟିକ ବାତାବରଣରେ ସୁଧାର ଆସିଛି ଓ ନିବେଶ ଲାଗି ଏକ ଅନୁକୂଳ ସ୍ଥିତି ଉପୁଜିଛି |

ତେବେ, ନିକଟ ଅତୀତରେ ଚୀନ-ଆଫ୍ରିକୀୟ ସମ୍ପର୍କ ଚୀନର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ ) ଅଧୀନରେ ଆଫ୍ରିକାର ମୌଳିକଢାଞ୍ଚା ପ୍ରକଳ୍ପରେ ଚୀନର ବିପୁଳ ପୁଞ୍ଜି ନିବେଶ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ ଅଛି | ହେଲେ ଆଫ୍ରିକୀୟ ଦେଶ ଗୁଡିକ ଉପରେ ଏହି ନିବେଶର ଗମ୍ଭୀର ପ୍ରଭାବ ପଡିପାରେ | ବିଆରଆଇ ଅଧୀନରେ ଚୀନ, ସ୍ଥଳ ଓ ସାମୁଦ୍ରିକ ମାର୍ଗ ଜରିଆରେ ଚୀନକୁ ଆଫ୍ରିକା ଓ ୟୁରୋପ ସହିତ ଯୋଡିବା ସହ ପ୍ରାଚୀନ ସିଳ୍କ ରୁଟକୁ ପୁନରୁଜ୍ଜୀବିତ କରିବାକୁ ଚାହୁଁଛି | 2000ରୁ 2017 ମଧ୍ୟରେ ଚୀନର ସରକାର, ଏହାର ଏକ୍ଜିମ ବ୍ୟାଙ୍କ ଓ କମ୍ପାନୀ ଗୁଡିକ ମିଳିତ ଭାବେ ଆଫ୍ରିକାକୁ ପାଖାପାଖି 143 ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ କରିଥିଲା | ଏହାର ଅଧିକାଂଶ ଭାଗ ମୌଳିକଢାଞ୍ଚା ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଆମେରିକାର ଜନ ହପକିନ୍ସ ବିଶ୍ୱବିଦ୍ୟାଳୟ ର ଚୀନ ଆଫ୍ରିକା ଗବେଷଣା ପ୍ରତିଷ୍ଠାନ (ସିଏଆରଆଇ)ର ରିପୋର୍ଟ ରୁ ଜଣାପଡିଛି | ଚୀନର ବିଆରଆଇ ସହ ଜଡିତ ଅଧିକାଂଶ କାର୍ଯ୍ୟକଳାପ ଚୀନର ବାଣିଜ୍ୟ କାରବାର ଓ ଶକ୍ତି କ୍ଷେତ୍ରକୁ ବିବିଧ କରି ଏହାର ରଣନୈତିକ ଦୁର୍ବଳତାକୁ ହ୍ରାସ କରିବାକୁ ଏକ ପ୍ରୟାସ ମାତ୍ର ବୋଲି ବିବେଚନା କରାଯାଉଥିବା ବେଳେ ଅନ୍ୟ ପକ୍ଷରେ ପୂର୍ବ ଆଫ୍ରିକା ଅଞ୍ଚଳର ଉପକୂଳ ରାଷ୍ଟ୍ର ଗୁଡିକରେ ସମ୍ପ୍ରସାରିତ ବାଣିଜ୍ୟ ଓ ଭିତ୍ତିଭୂମି ପାଇଁ ବିନିଯୋଗ ଜରିଆରେ ଏହାର ରାଜନୈତିକ ପ୍ରଭାବକୁ ବଢାଉଛି | ଚୀନର ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗାଯୋଗ ପାଇଁ ନୂତନ ସାମୁଦ୍ରିକ ପଥ ଖୋଲି ସମଗ୍ର ବିଶ୍ଵର ରଣନୀତିକ ବନ୍ଦରଗୁଡିକର ପ୍ରବେଶକୁ ସୁଗମ କରିବା |

ଏହି ପରିପ୍ରେକ୍ଷୀରେ ପୂର୍ବ ଆଫ୍ରିକୀୟ ଦେଶ ଗୁଡିକ ସାମୁଦ୍ରିକ ସିଳ୍କ ରୋଡରେ ଏକ କେନ୍ଦ୍ରବିନ୍ଦୁ ପାଲଟିଛି ଯାହା ବନ୍ଦର, ପାଇପଲାଇନ, ରେଳବାଇ ଓ ପାୱାର ପ୍ଳାଣ୍ଟ ଦ୍ୱାରା ସଂଯୋଗ ହୋଇଛି | ଏହାକୁ ଚୀନର କମ୍ପାନୀ ଓ ଋଣଦାତା ମାନଙ୍କ ଦ୍ଵାରା ଆର୍ଥିକ ସହଯୋଗରେ ନିର୍ମାଣ କରାଯାଇଛି | ଚୀନ ଏହାର ବେଲ୍ଟ ଏଣ୍ଡ ରୋଡ ଇନିସିଏଟିଭ (ବିଆରଆଇ) ଓ ସାମୁଦ୍ରିକ ସିଳ୍କ ରୁଟ ପ୍ରକଳ୍ପ (ଏମଏସଆର) ଅଧୀନରେ କେନିଆକୁ ଏକ ପ୍ରମୁଖ ସାମୁଦ୍ରିକ ଅକ୍ଷବିନ୍ଦୁ ଭାବେ ଚିହ୍ନଟ କରିଛି ଏବଂ ରେଳ ଆଧୂନିକୀକରଣ, କେନିଆରୁ ଦକ୍ଷିଣ ସୁଦାନ ପର୍ଯ୍ୟନ୍ତ ପାଇପଲାଇନ ନିର୍ମାଣ ଲାଗି କୋଟି କୋଟି ଆମେରିକୀୟ ଡଲାର ନିବେଶ କରିଛି ତଥା ଲାମୁ ବନ୍ଦର ଓ ତତ ସଙ୍କ୍ରାନ୍ତୀୟ ଭିତ୍ତିଭୂମି ନିର୍ମାଣ କରିଛି |

ଏଥିସହିତ ପୂର୍ବ ଆଫ୍ରିକାରେ ଦୂଇଟି ମହାତ୍ୱାକାଙ୍ଖି ବିଆରଆଇ ପ୍ରକଳ୍ପ ପ୍ରତିଷ୍ଠା ଲାଗି ଚୀନ କମ୍ପାନୀ ଗୁଡିକ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି | ମୋମବାସାରୁ ନାଇରୋବିକୁ ସଂଯୋଗ କରୁଥିବା ଏକ ମାନକ ଗଜ ରେଳ ପଥ ପ୍ରତିଷ୍ଠା କାରାଯାଇଥିବା ବେଳେ ଆଡିସ ଆବାବା ଠାରୁ ଜିବୋତି ପର୍ଯ୍ୟନ୍ତ ରେଳପଥର ବିଦ୍ୟୁତିକରଣ କରାଯାଇଛି | ଜିବୋତିଠାରେ ଚୀନ ଏହାର ପ୍ରଥମ ବିଦେଶୀ ନୌବାହିନୀ ଘାଟି ପ୍ରତିଷ୍ଠା କରିଛି |

ବିଆରଆଇ ଅଧୀନରେ ଚୀନ ପ୍ରକଳ୍ପ ଦ୍ୱାରା ଏକ ଦୃଢ ଭିତ୍ତିଭୂମି ନିର୍ମାଣ ଲାଗି ଆଫ୍ରିକୀୟ ଦେଶ ଗୁଡିକୁ ଆଶ୍ଵାସନା ଦିଆଯାଉଥିବା ବେଳେ ଅଧିକାଂଶ ଆଫ୍ରିକୀୟ ଦେଶ ଋଣ ବୋଝରେ ଭାରକ୍ରାନ୍ତ ହୋଇପଡିଥିବା ବିଷୟ ବିଶ୍ଵବ୍ୟାଙ୍କର ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି | କୋଭିଡ-19 ମହାମାରୀ ଯୋଗୁଁ 2020ରେ ଉପ- ସାହାରା ଆଫ୍ରିକା ରାଷ୍ଟ୍ରଗୁଡ଼ିକର ଅଭିବୃଦ୍ଧି ହାର ନେଗେଟିଭ (-5.1 ପ୍ରତିଶତ) କୁ ଖସି ଆସିଛି |

ଚୀନର ଋଣ ବିତରଣ ପ୍ରକ୍ରିୟାରେ ପାରଦର୍ଶିତାର ଅଭାବ ଓ ସର୍ତ୍ତାବଳୀ ଗୁଡିକ ଅନ୍ୟ ଏକ ଉଦବେଗର କାରଣ ପାଲଟିଛି | ତେବେ ଶିକ୍ଷାବିତ ଓ ଆଫ୍ରିକୀୟବିତ ମାନଙ୍କ ମଧ୍ୟରେ ଚୀନ ର ଏକ ‘ଋଣ -ଜନ୍ତା କୂଟନୀତି’ ରଣନୀତିକୁ ନେଇ ତର୍କବିତର୍କ ଚାଲିଛି | ଉଦାହରଣ ସ୍ୱରୂପ ଶ୍ରୀଲଙ୍କା ଓ ପାକିସ୍ତାନ ଚୀନର ଋଣ ଜାଲରେ ଛନ୍ଦି ହୋଇଯାଇଛନ୍ତି ଏବଂ ଉଭୟଙ୍କୁ ହାମାବନ୍ତୋଟା ଏବଂ ଗ୍ଵାଦର ବନ୍ଦର ଭଳି ରଣନୀତିକ ସମ୍ପତିକୁ ଚୀନକୁ ହସ୍ତାନ୍ତର କରିବା ଲାଗି ବାଧ୍ୟ କରାଯାଉଛି | ଏହି ଘଟଣାକ୍ରମ ବାସ୍ତବରେ ଆଫ୍ରିକୀୟ ଦେଶମାନଙ୍କ ଲାଗି ସତର୍କତାର ଘଣ୍ଟି ସ୍ୱରୂପ ହୋଇଛି | ଆଫ୍ରିକୀୟ ବିଶ୍ଳେଷକ ମାନଙ୍କ କହିବାନୁଯାୟୀ ଚୀନ ଋଣ ପରିଶୋଧକୁ ନେଇ ବ୍ୟସ୍ତ ବିବ୍ରତ ହେଉନାହିଁ ବରଂ ଏହା କେବଳ ଦୁର୍ବଳ ଆଫ୍ରିକୀୟ ଦେଶ ମାନଙ୍କ ରଣନୀତିକ ଜାତୀୟ ସମ୍ପତ୍ତିକୁ ବନ୍ଧକ ଭାବେ ରଖି ଏହା ବଦଳରେ ଶସ୍ତା ଓ ସ୍ଥାୟୀ ଋଣ ପ୍ରଦାନ କରିବାକୁ ଅଧିକ ମନବଳାଉଛି | ସମ୍ପ୍ରତ୍ତି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ଯେ ଜାମ୍ବିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ବଦଳରେ ତାର ତମ୍ବା ଖଣିକୁ ବନ୍ଧକ ଭାବେ ରଖିବାକୁ ଚୀନ ପକ୍ଷରୁ କୁହାଯାଇଛି | ଏହା ଚୀନ-ଆଫ୍ରିକା ମଧ୍ୟରେ ପ୍ରକୃତ ସମ୍ପର୍କର ଅସଲି ରୂପର ସ୍ପଷ୍ଟ ପ୍ରତୀୟମାନ ହେଉଛି |

ଅନ୍ୟ ପକ୍ଷରେ ଭାରତ, ଆଫ୍ରିକୀୟ ଅଞ୍ଚଳକୁ ଏହାର ବିଦେଶୀ ନୀତି କାର୍ଯ୍ୟସୂଚୀରେ ଏକ ‘ସର୍ବୋଚ୍ଚ ପ୍ରାଥମିକତା’ ଭାବେ ଘୋଷଣା କରିଛି | ଏହା ପୂର୍ବ ଆଫ୍ରିକାର ଭାରତ ମହାସାଗର ଉପକୂଳବର୍ତ୍ତୀ ରାଜ୍ୟ ଗୁଡିକୁ ସାମରିକ ସହାୟତା , ଦକ୍ଷତା ବିକାଶ ଏବଂ ପ୍ରଶିକ୍ଷଣ ସହାୟତା ଯୋଗାଇଛି | 2014 ମସିହାରୁ ଭାରତ, ଆଫ୍ରିକୀୟ ଦେଶ ଗୁଡିକ ସହ ଦ୍ଵିପକ୍ଷୀୟ ଓ ବହୁପକ୍ଷୀୟ ସହଯୋଗ ସ୍ଥାପନ କରିଆସୁଛି | ଏହା ସିସେଲ୍ସ ଓ ମରିସସ ଭଳି ଛୋଟ ଛୋଟ ଦ୍ଵିପ ରାଷ୍ଟ୍ର ଗୁଡିକୁ ମଧ୍ୟ ସହାୟତାର ହାତ ବଢାଇଛି | ଭାରତ ‘ମୌଷମ’ ଏବଂ ‘ଏସିଆ ଆଫ୍ରିକା ଗ୍ରୋଥ କରିଡର’ ଆଦି ଦୁଇଟି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିବା ଲାଗି ଯୋଜନା କରୁଛି | ଆଫ୍ରିକୀୟ ଦେଶ ଗୁଡିକ ସହ ଭାରତର ସମ୍ପର୍କ ଓ ବାଣିଜ୍ୟିକ ସମ୍ପର୍କକୁ ଆହୁରି ମଜବୁତ କରିବା ହେଉଛି ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ |

ଆଫ୍ରିକାରେ ଭାରତ ପ୍ରତି ଯଥେଷ୍ଟ ସଦ୍ଭାବ ରହିଆସିଛି | ଆଫ୍ରିକା ପାଇଁ ଭାରତର ଏକ ମଜବୁତ ବୈଦେଶିକ ନୀତି ପ୍ରଣାଳୀ ଆରମ୍ଭ କରିବା ଓ ଏହି ଅଞ୍ଚଳରେ କୂଟନୈତିକ ସ୍ତରରେ ସକ୍ରିୟ ହେବାର ସମୟ ଉପନୀତ ହୋଇଯାଇଛି | ଆନ୍ତର୍ଜାତୀୟ ସ୍ତରରେ ଭାରତ ଏକ ପ୍ରମୁଖ ବୈଶ୍ଵିକ ରାଷ୍ଟ୍ର ଭାବେ ଉଭା ହେବା ପାଇଁ ଆଫ୍ରିକାର ଭୂମିକା ଅପରିହାର୍ଜ୍ୟ ଅଟେ |

ମୂଳ ଲେଖା : ପ୍ରଫେସର ଅପରାଜିତା ବିଶ୍ଵାସ, ଆଫ୍ରିକୀୟ ଅଧ୍ୟୟନ କେନ୍ଦ୍ର, ମୁମ୍ବାଇ ବିଶ୍ୱବିଦ୍ୟାଳୟ



Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...