Skip to main content

ବୌଦ୍ଧ ସର୍କିଟ ବିକାଶକୁ ତ୍ୱରାନ୍ୱିତ କରୁଛି ଭାରତ

ଚଳିତ ବର୍ଷ ଜୁନ୍ 24 ରେ ଭାରତର କ୍ୟାବିନେଟ୍ ଉତ୍ତରପ୍ରଦେଶର କୁଶିନଗରରେ ବିମାନବନ୍ଦର ପ୍ରତିଷ୍ଠା ଲାଗି ଘୋଷଣା କରିଛି ଯାହାକି ଭଗବାନ ବୁଦ୍ଧଙ୍କ ଦର୍ଶନ ସକାଶେ ଭାରତ ତଥା ପଡୋଶୀ ନେପାଳର ବୌଦ୍ଧସ୍ଥଳୀ ଗୁଡିକୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟରାଷ୍ଟ୍ରର ବୌଦ୍ଧ ଧର୍ମାବଲମ୍ବୀ ପର୍ଯ୍ୟଟକଙ୍କ ସିଧାସଳଖ ପ୍ରବେଶ କରିବା ପାଇଁ ସୁବିଧା ଯୋଗାଇବ | କୁଶୀନଗର ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧସ୍ଥଳୀ ମଧ୍ୟରୁ ଅନ୍ୟତମ ଯେଉଁଠାରେ ବୁଦ୍ଧ ଖ୍ରୀଷ୍ଟପୂର୍ବ 483 ମସିହାରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ। 3,200 ମିଟର ଲମ୍ୱ ବିଶିଷ୍ଟ ରନୱେ ଛୋଟ ଏବଂ ପ୍ରଶସ୍ତ ବିମାନର ଉଡାଣ ଏବଂ ଅବତରଣ ପାଇଁ ପ୍ରସ୍ତୁତ ଅଛି | ଅନ୍ୟାନ୍ୟ ନବୀକରଣ ଏବଂ ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି | ଭାରତ ତଥା ଅନ୍ୟାନ୍ୟ ଦେଶରେ କୋଭିଡ 19 ମହାମାରୀ ସଂକ୍ରମଣ ଯୋଗୁଁ ଲାଗୁ କଟକଣାକୁ ହଟାଇବା ମାତ୍ରେ ଏହି ବିମାନ ବନ୍ଦର ଆନ୍ତର୍ଜାତୀୟ ବ୍ୟବସାୟିକ କାର୍ଯ୍ୟ ପାଇଁ ଖୋଲାଯିବ ବୋଲି ଆଶା କରାଯାଉଛି। କୁଶୀନଗର, ଏହି ଅଞ୍ଚଳର ସମଷ୍ଟିଗତ ବିକାଶସମେତ ବୌଦ୍ଧଧର୍ମାବଲମ୍ବୀ ବହୁଳ ଥିବାଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ପାଲଟିବ ବୋଲି ଆଶା କରାଯାଉଛି |

କୁଶୀନଗର ବିମାନବନ୍ଦରର ଉନ୍ନତିକରଣ ସହ ତୀର୍ଥଯାତ୍ରୀଙ୍କ ସୁବିଧାରେ ଯାତ୍ରା ଲାଗି ବିହାର ଏବଂ ଉତ୍ତରପ୍ରଦେଶରେ ବୌଦ୍ଧ ତୀର୍ଥସ୍ଥଳୀକୁ ସଂଯୋଗ କରୁଥିବା ସଡ଼କ ନେଟୱାର୍କ ନିର୍ମାଣ ଏବଂ ନବୀକରଣ ପାଇଁ ଏକ ଦଶ ହଜାର କୋଟିଟଙ୍କା ସମ୍ବଳିତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ, ଆଇଆରସିଟିସି ଗତ ବର୍ଷ ଅକ୍ଟୋବରରେ ବୌଦ୍ଧସ୍ଥଳୀ ଗୁଡିକୁ ସର୍କିଟ ଟ୍ରେନସେବା ଆରମ୍ଭ କରିଥିଲା | ଏହି ଟ୍ରେନ ପର୍ଯ୍ୟଟକ ମାନଙ୍କୁ ଭଗବାନ ଗୌତମ ବୁଦ୍ଧଙ୍କ ସହିତ ସଂଶ୍ଳିଷ୍ଟ ପର୍ଯ୍ୟଟନସ୍ଥଳୀ ଗୁଡିକୁ ପରିବହନ କରିଥାଏ | ଏଥିରେ ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥାନ ନେପାଳର ଲୁମ୍ବିନି, ବିହାରର ବୋଧଗୟା, ଯେଉଁଠାରେ ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ, ସାରନାଥରେ ଦର୍ଶନ ପାଇଁ ବାରାଣାସୀ, ଯେଉଁଠାରେ ବୁଦ୍ଧ ତାଙ୍କର ପ୍ରଥମ ନୀତିବାଣୀ ପ୍ରଚାର କରିଥିଲେ, ନାଳନ୍ଦା ଏବଂ ରାଜଗିର ଯେଉଁଠାରେ ସେ ରହୁଥିଲେ ଏବଂ ବୌଦ୍ଧଧର୍ମ ପ୍ରଚାର କରିଥିଲେ ଏବଂ କୁଶୀନଗରକୁ, ଯେଉଁଠାରେ ଗୌତମ ବୁଦ୍ଧ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ, ଇତ୍ୟାଦି ଅନ୍ତର୍ଭୁକ୍ତ | ଏହି ପ୍ୟାକେଜ ରେ ଆଇଆରସିଟିସି ପ୍ରଥମେ ପର୍ଯ୍ୟଟକମାନଙ୍କୁ ଗୋରଖପୁରରୁ ଡିଲକ୍ସ ଏସି ବସ୍‌ରେ ସଡ଼କ ପଥ ଦ୍ୱାରା ଲୁମ୍ବିନୀ ନେଇ ଥାଏ ଓ ଏହାପରେ ଅବଶିଷ୍ଟ ଯାତ୍ରା ଏହି ପର୍ଯ୍ୟଟନ ସ୍ଥାନମାନଙ୍କୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ ଯୋଗେ ଯାତାୟାତ କରିଥାନ୍ତି |

ଏହି ସମସ୍ତ ସ୍ଥାନ ତଥା ଅନ୍ୟାନ୍ୟ ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଯେପରିକି ମଧ୍ୟପ୍ରଦେଶର ଐତିହାସିକ ସାଞ୍ଚି ସ୍ତୁପ, ଯେଉଁଠାରେ ବୁଦ୍ଧଙ୍କ ପାଉଁଶକୁ ସଂରକ୍ଷିତ କରାଯାଇଥିବାର ବିଶ୍ଵାସ କରାଯାଏ | ଏହା ପୁରାତନ ବୌଦ୍ଧ ସ୍ମାରକୀ ମଧ୍ୟରୁ ଅନ୍ୟତମ | ଏହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା । ଜାପାନ, ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଶ୍ରୀଲଙ୍କା ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ନେପାଳର ଲୁମ୍ବିନି ପରିଦର୍ଶନ କରନ୍ତି ଓ ବୌଦ୍ଧ ତୀର୍ଥଯାତ୍ରୀମାନେ ଏହି ସ୍ଥଳୀ ଗସ୍ତ କରିଥାନ୍ତି | ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରମୁଖ ବୌଦ୍ଧ ସ୍ଥଳୀ ଗୁଡିକରେ ବିଶ୍ୱର ବିଭିନ୍ନ ଭାଷାରେ ସଙ୍କେତ ଲଗାଯାଇଛି |

ଭାରତକୁ ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରୁ ବହୁ ସଂଖ୍ୟାରେ ଚାଇନିଜ୍ ବୌଦ୍ଧ ତୀର୍ଥଯାତ୍ରୀ ଆସିଥିବାରୁ ସାରନାଥ, କୁଶିନଗର ଏବଂ ଶ୍ରୀବାସ୍ତି ସମେତ ପାଞ୍ଚଟି ବୌଦ୍ଧ ସ୍ଥାନରେ ମାଣ୍ଡାରିନ୍, ଥାଇ ଏବଂ ଜାପାନିଜ୍ ଭାଷାରେ ସଙ୍କେତ ଲଗାଯାଇଛି। ସେହିଭଳି ଶ୍ରୀଲଙ୍କାର ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ସାଞ୍ଚି ଠାରେ ଥିବା ତୀର୍ଥସ୍ଥଳୀରେ ସିଙ୍ଘଳା ଭାଷାରେ ମଧ୍ୟ ସଙ୍କେତ ଲଗାଯାଇଛି।

ବୌଦ୍ଧ ଧର୍ମ ଭାରତରୁ ଶ୍ରୀଲଙ୍କା ଏବଂ ପରେ ଅନ୍ୟାନ୍ୟ ଏସୀୟ ଦେଶକୁ ପ୍ରଚାରିତ ହୋଇ ସେହି ଦେଶ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ, ଧାର୍ମିକ, ସାମାଜିକ ତଥା ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସମ୍ପ୍ରତ୍ତି ଆନ୍ତର୍ଜାତୀୟ ବୌଦ୍ଧ କନକ୍ଲେଭରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତରୁ ବିଶ୍ୱବ୍ୟାପି ବୌଦ୍ଧ ଧର୍ମର ପ୍ରଚାର ବୈଶ୍ୱିକରଣର ମୂଳ ରୂପ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ 15 ଅଗଷ୍ଟ 2020 ରେ ତାଙ୍କ ସ୍ଵାଧୀନତା ଦିବସ ଅଭିଭାଷଣରେ ବୌଦ୍ଧ ଧର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଓ ଆମର ସାମୁଦ୍ରିକ ପଡ଼ୋଶୀ ଆସିଆନ ଦେଶଗୁଡିକ ବିଶେଷ ଗୁରୁତ୍ୱ ବହନ କରୁଛନ୍ତି ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଭାରତର ଏହି ଦେଶମାନଙ୍କ ସହ ହଜାର ହଜାର ବର୍ଷର ପୁରାତନ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ବୌଦ୍ଧ ଧର୍ମର ପରମ୍ପରା ଆମକୁ ସେମାନଙ୍କ ସହ ଅଙ୍ଗାଙ୍ଗି ଭାବେ ଯୋଡିଥାଏ।

ଭାରତ, ବୌଦ୍ଧ ଧର୍ମ ପ୍ରଚାରର ପ୍ରମୁଖ ସ୍ଥଳୀ ହୋଇଥିଲେ ସୁଦ୍ଧା ଏହା ଏକ ବିଡମ୍ବନାର ବିଷୟ ଯେ ସମଗ୍ର ବିଶ୍ଵର ମାତ୍ର କିଛି ବୌଦ୍ଧ ପର୍ଯ୍ୟଟକ ଭାରତ ଗସ୍ତରେ ଆସିଥାନ୍ତି । ବିଶ୍ଵସ୍ତରୀୟ ବୌଦ୍ଧ ସର୍କିଟ ସହିତ, ଭାରତ ବିଦେଶରୁ ଅଧିକ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରମୁଖ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛି। 

ଆଲେଖ୍ୟ : ରତନ ସାଲଦି, ବରିଷ୍ଠ ସାମ୍ବାଦିକ 

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...