ଚଳିତ ବର୍ଷ ଜୁନ୍ 24 ରେ ଭାରତର କ୍ୟାବିନେଟ୍ ଉତ୍ତରପ୍ରଦେଶର କୁଶିନଗରରେ ବିମାନବନ୍ଦର ପ୍ରତିଷ୍ଠା ଲାଗି ଘୋଷଣା କରିଛି ଯାହାକି ଭଗବାନ ବୁଦ୍ଧଙ୍କ ଦର୍ଶନ ସକାଶେ ଭାରତ ତଥା ପଡୋଶୀ ନେପାଳର ବୌଦ୍ଧସ୍ଥଳୀ ଗୁଡିକୁ ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସୀୟରାଷ୍ଟ୍ରର ବୌଦ୍ଧ ଧର୍ମାବଲମ୍ବୀ ପର୍ଯ୍ୟଟକଙ୍କ ସିଧାସଳଖ ପ୍ରବେଶ କରିବା ପାଇଁ ସୁବିଧା ଯୋଗାଇବ | କୁଶୀନଗର ଏକ ଗୁରୁତ୍ୱପୂର୍ଣ୍ଣ ବୌଦ୍ଧସ୍ଥଳୀ ମଧ୍ୟରୁ ଅନ୍ୟତମ ଯେଉଁଠାରେ ବୁଦ୍ଧ ଖ୍ରୀଷ୍ଟପୂର୍ବ 483 ମସିହାରେ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ। 3,200 ମିଟର ଲମ୍ୱ ବିଶିଷ୍ଟ ରନୱେ ଛୋଟ ଏବଂ ପ୍ରଶସ୍ତ ବିମାନର ଉଡାଣ ଏବଂ ଅବତରଣ ପାଇଁ ପ୍ରସ୍ତୁତ ଅଛି | ଅନ୍ୟାନ୍ୟ ନବୀକରଣ ଏବଂ ଉନ୍ନତିକରଣ କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି | ଭାରତ ତଥା ଅନ୍ୟାନ୍ୟ ଦେଶରେ କୋଭିଡ 19 ମହାମାରୀ ସଂକ୍ରମଣ ଯୋଗୁଁ ଲାଗୁ କଟକଣାକୁ ହଟାଇବା ମାତ୍ରେ ଏହି ବିମାନ ବନ୍ଦର ଆନ୍ତର୍ଜାତୀୟ ବ୍ୟବସାୟିକ କାର୍ଯ୍ୟ ପାଇଁ ଖୋଲାଯିବ ବୋଲି ଆଶା କରାଯାଉଛି। କୁଶୀନଗର, ଏହି ଅଞ୍ଚଳର ସମଷ୍ଟିଗତ ବିକାଶସମେତ ବୌଦ୍ଧଧର୍ମାବଲମ୍ବୀ ବହୁଳ ଥିବାଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରସ୍ଥଳୀ ପାଲଟିବ ବୋଲି ଆଶା କରାଯାଉଛି |
କୁଶୀନଗର ବିମାନବନ୍ଦରର ଉନ୍ନତିକରଣ ସହ ତୀର୍ଥଯାତ୍ରୀଙ୍କ ସୁବିଧାରେ ଯାତ୍ରା ଲାଗି ବିହାର ଏବଂ ଉତ୍ତରପ୍ରଦେଶରେ ବୌଦ୍ଧ ତୀର୍ଥସ୍ଥଳୀକୁ ସଂଯୋଗ କରୁଥିବା ସଡ଼କ ନେଟୱାର୍କ ନିର୍ମାଣ ଏବଂ ନବୀକରଣ ପାଇଁ ଏକ ଦଶ ହଜାର କୋଟିଟଙ୍କା ସମ୍ବଳିତ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଚଳିତ ବର୍ଷ ଶେଷ ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।
ଭାରତୀୟ ରେଳବାଇ କ୍ୟାଟରିଂ ଓ ପର୍ଯ୍ୟଟନ ନିଗମ, ଆଇଆରସିଟିସି ଗତ ବର୍ଷ ଅକ୍ଟୋବରରେ ବୌଦ୍ଧସ୍ଥଳୀ ଗୁଡିକୁ ସର୍କିଟ ଟ୍ରେନସେବା ଆରମ୍ଭ କରିଥିଲା | ଏହି ଟ୍ରେନ ପର୍ଯ୍ୟଟକ ମାନଙ୍କୁ ଭଗବାନ ଗୌତମ ବୁଦ୍ଧଙ୍କ ସହିତ ସଂଶ୍ଳିଷ୍ଟ ପର୍ଯ୍ୟଟନସ୍ଥଳୀ ଗୁଡିକୁ ପରିବହନ କରିଥାଏ | ଏଥିରେ ଗୌତମ ବୁଦ୍ଧଙ୍କ ଜନ୍ମ ସ୍ଥାନ ନେପାଳର ଲୁମ୍ବିନି, ବିହାରର ବୋଧଗୟା, ଯେଉଁଠାରେ ବୁଦ୍ଧ ଜ୍ଞାନ ପ୍ରାପ୍ତ କରିଥିଲେ, ସାରନାଥରେ ଦର୍ଶନ ପାଇଁ ବାରାଣାସୀ, ଯେଉଁଠାରେ ବୁଦ୍ଧ ତାଙ୍କର ପ୍ରଥମ ନୀତିବାଣୀ ପ୍ରଚାର କରିଥିଲେ, ନାଳନ୍ଦା ଏବଂ ରାଜଗିର ଯେଉଁଠାରେ ସେ ରହୁଥିଲେ ଏବଂ ବୌଦ୍ଧଧର୍ମ ପ୍ରଚାର କରିଥିଲେ ଏବଂ କୁଶୀନଗରକୁ, ଯେଉଁଠାରେ ଗୌତମ ବୁଦ୍ଧ ମହାପରିନିର୍ବାଣ ପ୍ରାପ୍ତ କରିଥିଲେ, ଇତ୍ୟାଦି ଅନ୍ତର୍ଭୁକ୍ତ | ଏହି ପ୍ୟାକେଜ ରେ ଆଇଆରସିଟିସି ପ୍ରଥମେ ପର୍ଯ୍ୟଟକମାନଙ୍କୁ ଗୋରଖପୁରରୁ ଡିଲକ୍ସ ଏସି ବସ୍ରେ ସଡ଼କ ପଥ ଦ୍ୱାରା ଲୁମ୍ବିନୀ ନେଇ ଥାଏ ଓ ଏହାପରେ ଅବଶିଷ୍ଟ ଯାତ୍ରା ଏହି ପର୍ଯ୍ୟଟନ ସ୍ଥାନମାନଙ୍କୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଟ୍ରେନ ଯୋଗେ ଯାତାୟାତ କରିଥାନ୍ତି |
ଏହି ସମସ୍ତ ସ୍ଥାନ ତଥା ଅନ୍ୟାନ୍ୟ ରାଜ୍ୟରେ ବୌଦ୍ଧ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି ଯେପରିକି ମଧ୍ୟପ୍ରଦେଶର ଐତିହାସିକ ସାଞ୍ଚି ସ୍ତୁପ, ଯେଉଁଠାରେ ବୁଦ୍ଧଙ୍କ ପାଉଁଶକୁ ସଂରକ୍ଷିତ କରାଯାଇଥିବାର ବିଶ୍ଵାସ କରାଯାଏ | ଏହା ପୁରାତନ ବୌଦ୍ଧ ସ୍ମାରକୀ ମଧ୍ୟରୁ ଅନ୍ୟତମ | ଏହା ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ସମ୍ରାଟ ଅଶୋକଙ୍କ ଦ୍ୱାରା ନିର୍ମିତ କରାଯାଇଥିଲା । ଜାପାନ, ଥାଇଲ୍ୟାଣ୍ଡ, କାମ୍ବୋଡିଆ, ଶ୍ରୀଲଙ୍କା ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ନେପାଳର ଲୁମ୍ବିନି ପରିଦର୍ଶନ କରନ୍ତି ଓ ବୌଦ୍ଧ ତୀର୍ଥଯାତ୍ରୀମାନେ ଏହି ସ୍ଥଳୀ ଗସ୍ତ କରିଥାନ୍ତି | ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରମୁଖ ବୌଦ୍ଧ ସ୍ଥଳୀ ଗୁଡିକରେ ବିଶ୍ୱର ବିଭିନ୍ନ ଭାଷାରେ ସଙ୍କେତ ଲଗାଯାଇଛି |
ଭାରତକୁ ଚୀନ୍ ଏବଂ ଦକ୍ଷିଣ ପୂର୍ବ ଏସିଆରୁ ବହୁ ସଂଖ୍ୟାରେ ଚାଇନିଜ୍ ବୌଦ୍ଧ ତୀର୍ଥଯାତ୍ରୀ ଆସିଥିବାରୁ ସାରନାଥ, କୁଶିନଗର ଏବଂ ଶ୍ରୀବାସ୍ତି ସମେତ ପାଞ୍ଚଟି ବୌଦ୍ଧ ସ୍ଥାନରେ ମାଣ୍ଡାରିନ୍, ଥାଇ ଏବଂ ଜାପାନିଜ୍ ଭାଷାରେ ସଙ୍କେତ ଲଗାଯାଇଛି। ସେହିଭଳି ଶ୍ରୀଲଙ୍କାର ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ସାଞ୍ଚି ଠାରେ ଥିବା ତୀର୍ଥସ୍ଥଳୀରେ ସିଙ୍ଘଳା ଭାଷାରେ ମଧ୍ୟ ସଙ୍କେତ ଲଗାଯାଇଛି।
ବୌଦ୍ଧ ଧର୍ମ ଭାରତରୁ ଶ୍ରୀଲଙ୍କା ଏବଂ ପରେ ଅନ୍ୟାନ୍ୟ ଏସୀୟ ଦେଶକୁ ପ୍ରଚାରିତ ହୋଇ ସେହି ଦେଶ ଏବଂ ଭାରତ ମଧ୍ୟରେ ସାଂସ୍କୃତିକ, ଧାର୍ମିକ, ସାମାଜିକ ତଥା ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥିଲା। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ସମ୍ପ୍ରତ୍ତି ଆନ୍ତର୍ଜାତୀୟ ବୌଦ୍ଧ କନକ୍ଲେଭରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତରୁ ବିଶ୍ୱବ୍ୟାପି ବୌଦ୍ଧ ଧର୍ମର ପ୍ରଚାର ବୈଶ୍ୱିକରଣର ମୂଳ ରୂପ ଅଟେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ 15 ଅଗଷ୍ଟ 2020 ରେ ତାଙ୍କ ସ୍ଵାଧୀନତା ଦିବସ ଅଭିଭାଷଣରେ ବୌଦ୍ଧ ଧର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଉଲ୍ଲେଖ କରିଥିଲେ ଓ ଆମର ସାମୁଦ୍ରିକ ପଡ଼ୋଶୀ ଆସିଆନ ଦେଶଗୁଡିକ ବିଶେଷ ଗୁରୁତ୍ୱ ବହନ କରୁଛନ୍ତି ବୋଲି ବର୍ଣ୍ଣନା କରିଥିଲେ । ସେ କହିଥିଲେ ଯେ ଭାରତର ଏହି ଦେଶମାନଙ୍କ ସହ ହଜାର ହଜାର ବର୍ଷର ପୁରାତନ ଧାର୍ମିକ ଏବଂ ସାଂସ୍କୃତିକ ସମ୍ପର୍କ ରହିଛି ଏବଂ ବୌଦ୍ଧ ଧର୍ମର ପରମ୍ପରା ଆମକୁ ସେମାନଙ୍କ ସହ ଅଙ୍ଗାଙ୍ଗି ଭାବେ ଯୋଡିଥାଏ।
ଭାରତ, ବୌଦ୍ଧ ଧର୍ମ ପ୍ରଚାରର ପ୍ରମୁଖ ସ୍ଥଳୀ ହୋଇଥିଲେ ସୁଦ୍ଧା ଏହା ଏକ ବିଡମ୍ବନାର ବିଷୟ ଯେ ସମଗ୍ର ବିଶ୍ଵର ମାତ୍ର କିଛି ବୌଦ୍ଧ ପର୍ଯ୍ୟଟକ ଭାରତ ଗସ୍ତରେ ଆସିଥାନ୍ତି । ବିଶ୍ଵସ୍ତରୀୟ ବୌଦ୍ଧ ସର୍କିଟ ସହିତ, ଭାରତ ବିଦେଶରୁ ଅଧିକ ତୀର୍ଥଯାତ୍ରୀ ତଥା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରମୁଖ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତୁତ ଅଛି।
ଆଲେଖ୍ୟ : ରତନ ସାଲଦି, ବରିଷ୍ଠ ସାମ୍ବାଦିକ
Comments
Post a Comment