ଏକମହତ୍ଵପୂର୍ଣ୍ଣ ମାନବୀୟ ଶୁଭେଚ୍ଛାମୂଳକ ପଦକ୍ଷେପ ସ୍ୱରୂପ ତଥା ସଙ୍କଟ ସମୟରେ ଆଫ୍ରିକାବାସୀଙ୍କ ନିକଟରେ ପହଞ୍ଚିବା ପାଇଁ ଭାରତର ପରମ୍ପରାକୁ ଅନୁପାଳନ କରି, ପ୍ରାକୃତିକ ବିପର୍ଯ୍ୟୟ ଏବଂ କୋଭିଡ -19 ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବା ଲାଗି ଭାରତ ସୁଦାନ, ଦକ୍ଷିଣ ସୁଦାନ, ଜିବୁତି ଏବଂ ଇରିଟ୍ରିଆକୁ 270 ଟନ୍ ର ଖାଦ୍ୟ ସହାୟତା ପ୍ରଦାନ କରିବ ।
ଆଫ୍ରିକାର ହର୍ନ ଭାବରେ ପରିଚିତ ଆଫ୍ରିକାର ଏହି ଅଞ୍ଚଳ ବହୁ ଦଶନ୍ଧି ଧରି ବିଭିନ୍ନ ଆଦିବାସୀ ଉଗ୍ରବାଦୀ ମଧ୍ୟରେ ଆପୋଷ ସଂଘର୍ଷ ଯୋଗୁଁ ଅସ୍ଥିରତାର ସମ୍ମୁଖୀନ ହୋଇଆସୁଥିଲା। ତେବେ ଆନ୍ତର୍ଜାତୀୟ ମଧ୍ୟସ୍ଥତା ହେତୁ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ହୋଇପାରିଛି, କିନ୍ତୁ ସେମାନଙ୍କୁ ସଶକ୍ତ କରିବା ପାଇଁ ଏହି ଅଞ୍ଚଳର ସ୍ଥାନୀୟ ଲୋକ, ସରକାର ଏବଂ ଅନୁଷ୍ଠାନଗୁଡିକର ମିଳିତ ପ୍ରୟାସ ନିହାତି ଜରୁରୀ । ଏହି ଅଞ୍ଚଳକୁ ହଜାର ହଜାର ଶାନ୍ତି ରକ୍ଷାକାରୀ ଯବାନ ଯୋଗାଉଥିବା ଭାରତ, ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ନିଷ୍ପେସିତ ଲୋକଙ୍କ ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗତ ସପ୍ତାହରେ ମୁମ୍ବାଇରୁ ଭାରତୀୟ ନୌଜାହାଜ ‘ଐରାବତ’ ରେ 155 ଟନ୍ ର ଅଟା , 65 ଟନ୍ ଚାଉଳ ଏବଂ 50 ଟନ୍ ଚିନି ବିଶିଷ୍ଟ ଖାଦ୍ୟ ସାମଗ୍ରୀ ସହାୟତା ପଠାଯାଇଛି | ଏହା ଜିବୁତି, ମାସାୱା, ସୁଦାନ ଏବଂ ମୋମ୍ବାସା ବନ୍ଦରକୁ ଯାତ୍ରା କରିବ |
ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିବାନୁଯାୟୀ, ଭାରତ ଏବଂ ଆଫ୍ରିକିୟ ରାଷ୍ଟ୍ରଗୁଡିକ ମଧ୍ୟରେ ବନ୍ଧୁତା ଏବଂ ଭାତୃତ୍ୱଭାବ ସମ୍ପର୍କର ଦୃଢ ବନ୍ଧନ ବହୁ ଶତାବ୍ଦୀ ଧରି ଆହୁରି ନିବିଡ ହୋଇଚାଲିଛି । ଆଫ୍ରିକୀୟ ଦେଶ ତଥା ଲୋକଙ୍କ ସହ ଭାରତ ସର୍ବଦା ଭାଇଚାରା ସମ୍ପର୍କ ସ୍ଥାପନ କରି ଆସିଛି ଏବଂ ବିକାଶ, ଦକ୍ଷତା ବୃଦ୍ଧି ଏବଂ ମାନବିକ ସହାୟତା କାର୍ଯ୍ୟକ୍ରମରେ ସହଯୋଗ କରିଛି । କରୋନା ମହାମାରୀ ସଂକ୍ରମଣ ପରେ ଭାରତ ଆଫ୍ରିକୀୟ ଦେଶମାନଙ୍କୁ କରୋନା ବିରୁଦ୍ଧରେ ସଂଗ୍ରାମରେ ତାଲିମ ଦେବା ପାଇଁ ବିଭିନ୍ନ ଚିକିତ୍ସା ସହାୟତା ଯୋଗାଇବା ସହ ବିଶେଷଜ୍ଞ ମାନଙ୍କୁ ମଧ୍ୟ ପଠାଇଥିଲା। ଭାରତ ଏହାର ନୌବାହିନୀ ଯୁଦ୍ଧ ଜାହାଜ ମାଧ୍ୟମରେ କୋମୋରୋସ୍, ମରିସସ୍ ଏବଂ ମାଡାଗାସ୍କର ପରି ବିଭିନ୍ନ ଆଫ୍ରିକୀୟ ଦେଶକୁ ଡାକ୍ତରୀ ଦଳ ପଠାଇଥିଲା। ଭାରତ ମଧ୍ୟ କୋଭିଡ-19 ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ପରିଚାଳନା ଲାଗି ଏହି ଦେଶର ଡାକ୍ତରୀ କର୍ମଚାରୀଙ୍କୁ ତାଲିମ ଦେଇଛି |
କୋଭିଡ -19 ମହାମାରୀ କାୟା ବିସ୍ତାର କରିବା ପରଠୁ, ଭାରତ ଆଫ୍ରିକୀୟ ଦେଶଗୁଡିକର ସରକାରଙ୍କ ସହ ରୀତିମତ ଯୋଗାଯୋଗ ସ୍ଥାପନା କରି ପରସ୍ପରର ନାଗରିକଙ୍କୁ ସ୍ଵତନ୍ତ୍ର ବିମାନ ମାଧ୍ୟମରେ ସ୍ଵଦେଶ ପ୍ରତ୍ୟାବର୍ତ୍ତନ କରିବା ତଥା ଚିକିତ୍ସା ସହାୟତା ଯୋଗାଇବା ପାଇଁ କାର୍ଯ୍ୟ କରିଆସୁଛି । ଭାରତ ପୂର୍ବରୁ କୋଭିଡର ମୁକାବିଲା ଲାଗି ଏହି ଅଞ୍ଚଳକୁ ତୁରନ୍ତ ସହାୟତା ପଠାଇ ଦେଇଥିଲା। ଦୀର୍ଘ ଦଶନ୍ଧି ଧରି ରହି ଆସିଥିବା ବିକାଶ ସହାୟତା ସମ୍ପର୍କକୁ ଆଧାର କରି ଭାରତ ବର୍ତ୍ତମାନ ଆଫ୍ରିକୀୟ ସଂଘର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ନୂତନ ସହଭାଗିତା ସୃଷ୍ଟି କରୁଛି । ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏହା ପୂର୍ବରୁ ଜୋର ଦେଇ କହିଥିଲେ ଯେ ଆଫ୍ରିକା ହେଉଛି ଭାରତର ପ୍ରାଥମିକତା ଏବଂ ବିଶ୍ଵ ବ୍ୟବସ୍ଥାରେ ଆଫ୍ରିକାର ଉନ୍ନତି ତଥା ପ୍ରଗତି ଭାରତ ପାଇଁ ଏକାନ୍ତ କାମ୍ୟ।
ଏହି ପରିପ୍ରେକ୍ଷୀରେ, ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଭାରତ ଏହି ସମ୍ବଳ ସମୃଦ୍ଧ ଅଞ୍ଚଳକୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରୁଛି । ଏହି ଲକ୍ଷ୍ୟ ସହିତ ଭାରତ ଏହି ଅଞ୍ଚଳର କ୍ଷୁଦ୍ର ଅର୍ଥନୀତି ସହିତ ସମ୍ପର୍କକୁ ଆହୁରି ମଜବୁତ କରିଛି | ଦୁଇ ଦଶନ୍ଧି ପୂର୍ବରୁ ଭାରତ ଏହାର “ଫୋକସ୍ ଆଫ୍ରିକା” କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ଭାରତ-ଆଫ୍ରିକା ସମ୍ପର୍କରେ ଲଗାତାର ବିକାଶ ଘଟିଛି । ଅନ୍ୟାନ୍ୟ ରାଷ୍ଟ୍ର ଗୁଡିକ ନିଜର ଲକ୍ଷସାଧନ ପାଇଁ ଏହି ଅଞ୍ଚଳର ସ୍ଥାନୀୟ ସମ୍ବଳ ଏବଂ ବଜାର ଉପରେ ବିଶେଷ ନଜର ଦେଉଥିବା ବେଳେ ଭାରତ ଏହାର ଭାରତୀୟ ବୈଷୟିକ ଏବଂ ଅର୍ଥନୈତିକ ସହଯୋଗ (ITEC) କାର୍ଯ୍ୟକ୍ରମ ନାମକ ବୈଷୟିକ ଅର୍ଥନୈତିକ ସହାୟତା ମାଧ୍ୟମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଆସୁଛି |
ଆଫ୍ରିକୀୟ ଅର୍ଥନୀତିକୁ ସଶକ୍ତିକରଣ କରିବା ଲାଗି, ଭାରତ ଏହାର ବଜାରରେ ପ୍ରବେଶ ବିସ୍ତାର କରିଛି, ଯାହାଫଳରେ ଭାରତ ଆଫ୍ରିକାର ତୃତୀୟ ବୃହତ୍ତମ ରପ୍ତାନି ସ୍ଥଳୀ ଭାବେ ଉଭା ହୋଇଛି । ଭାରତ ମଧ୍ୟ ଏହାର ବ୍ୟବସାୟୀ କମ୍ପାନୀ ଗୁଡ଼ିକୁ ଏହି ଅଞ୍ଚଳରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରୋତ୍ସାହିତ କରିଛି, ଯାହା 54 ବିଲିୟନ ଆମେରିକୀୟ ଡଲାରରୁ ଅଧିକ ହୋଇଛି । ଏହା ଭାରତକୁ ଆଫ୍ରିକୀୟ ମହାଦେଶର ସବୁଠାରୁ ବଡ ନିବେଶକ ଭାବେ ପରିଗଣିତ କରିପାରିଛି | ଏକ ସରକାରୀ ଆକଳନ ଅନୁଯାୟୀ, ଭାରତ, 11.6 ବିଲିୟନ ଆମେରିକୀୟ ଡଲାର ବ୍ୟୟରେ 37 ଟି ଦେଶରେ 197 ଟି ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିଛି ଓ ଏଥିସହିତ ଭାରତ ବର୍ତ୍ତମାନ 29 ଟି ଦେଶରେ 77 ଟି ଅତିରିକ୍ତ ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି । ଏହି ପ୍ରକଳ୍ପଗୁଡିକ ଭିତ୍ତିଭୂମି, ଆଇସିଟି, ବିଦ୍ୟୁତ୍ ଉତ୍ପାଦନ, କୃଷି, ତୈଳ ଏବଂ ଗ୍ୟାସ୍ କ୍ଷେତ୍ର ସହିତ ଜଡିତ | ମୋଜାମ୍ବିକ, ଦକ୍ଷିଣ ସୁଦାନ ଏବଂ ଉତ୍ତର ପଶ୍ଚିମ ଆଫ୍ରିକାର ଅନ୍ୟାନ୍ୟ ପଛୁଆ ଅଞ୍ଚଳରେ ମଧ୍ୟ ଭାରତ 7 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ନିବେଶ କରିଛି । ଚଳିତ ବର୍ଷ ଫେବୃଆରୀରେ ଆଫ୍ରିକୀୟ ଦେଶମାନଙ୍କୁ ସୁରକ୍ଷା ପରିଚାଳନାରେ ସହାୟତା କରିବା ପାଇଁ ଏକ ଭାରତ ଆଫ୍ରିକା ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା। ମୋଟାମୋଟି ଭାବେ କହିବାକୁ ଗଲେ ଭାରତ ଏହିପରି ଭାବେ ଏହାର ବିଭିନ୍ନ ବିକାଶମୂଳକ ସହାୟତା ଏବଂ ସହଯୋଗ କାର୍ଯ୍ୟକ୍ରମ ଜରିଆରେ ମହାଦେଶରେ ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରୁଛି।
ଆଲେଖ୍ୟ : ରଞ୍ଜିତ କୁମାର, ବରିଷ୍ଠ ସାମ୍ବାଦିକ
Comments
Post a Comment