Skip to main content

ଭାରତ ମିଆଁମାର ସମ୍ପର୍କ ପ୍ରଗତି ପଥରେ



ଭାରତ ଏହାର “ ପଡୋଶୀ ପ୍ରଥମ” ଓ ‘ଆକ୍ଟ ଇଷ୍ଟ’ ନୀତିରେ ମିଆଁମାର ସହ ଏହାର ସମ୍ପର୍କକୁ ଉଚ୍ଚ ପ୍ରାଥମିକତା ଦେଇ ଅର୍ଥନୈତିକ ଓ ସୁରକ୍ଷା କ୍ଷେତ୍ରରେ ସହଯୋଗ ଓ ବିଶ୍ଵାସର ସମ୍ପର୍କକୁ ଆହୁରି ନିବିଡ କରିବା ପାଇଁ ଭାରତର ବରିଷ୍ଠ କର୍ତ୍ତୃପକ୍ଷ ମାନେ ମିଆଁମାର ସରକାର ଓ ସେନା ବାହିନୀ ସହ ରୀତିମତ ଯୋଗାଯୋଗ ରଖିଛନ୍ତି| କୋଭିଡ-19 ମହାମାରୀ ଯୋଗୁଁ ଉଭା ହୋଇଥିବା ସଙ୍କଟଜନକ ପରିସ୍ଥିତି ସତ୍ତ୍ୱେ ସେନାଧ୍ୟକ୍ଷ ଜେନେରାଲ ଏମଏମ ନାରାବଣେ ଓ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ମିଆଁମାର ଗସ୍ତ କରିଥିଲେ |

ଦ୍ଵିପକ୍ଷୀୟ ସମ୍ପର୍କରେ ନିକଟ ଅତୀତରେ କେତେ କଣ ପ୍ରଗତି ଘଟିଛି ସେ ନେଇ ସମୀକ୍ଷା କରିବା ଲାଗି ଏହି ଗସ୍ତ ଅବସର ପ୍ରଦାନ କରିଛି | ଉଭୟ ଦେଶ ମଧ୍ୟରେ ବହୁ ବର୍ଷ ବର୍ଷ ଧରି ଆସିଆନ ଓ ବିମଷ୍ଟେକ ଭଳି ଆଞ୍ଚଳିକ ବହୁ ପକ୍ଷୀୟ ସଙ୍ଗଠନରେ ସହଯୋଗ ଥିବା ସହିତ ଶକ୍ତି ଓ ସୁରକ୍ଷା କ୍ଷେତ୍ର ତଥା ଅର୍ଥନୈତିକ ସହଯୋଗ ଓ ବିକାଶ କ୍ଷେତ୍ରରେ ଦୃଢ ସମ୍ପର୍କ ରହିଛି | ଭାରତୀୟ ସେନାଧ୍ୟକ୍ଷ ଓ ବୈଦେଶିକ ସଚିବଙ୍କ ମିଳିତ ଗସ୍ତ ରଣନୀତିକ ଦୃଷ୍ଟିରୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଉଭୟ ଭାରତ ଓ ମିଆଁମାର ଆତଙ୍କବାଦର ଶିକାର ହୋଇ ଆସୁଛନ୍ତି |

ମିଆଁମାର ନେତୃତ୍ଵ ମଧ୍ୟ ଭାରତୀୟ ଉଚ୍ଚ ପଦାଧିକାରୀଙ୍କ ଗସ୍ତକୁ ଅଧିକ ଗୁରୁତ୍ଵ ଦେଇଛନ୍ତି | ମିଆଁମାରର ଜାତୀୟ ଉପଦେଷ୍ଟା ଡ ଅଙ୍ଗ ସାନ ସୁ କୀ ଓ ପ୍ରତିରକ୍ଷା ସେବାର କମାଣ୍ଡର ଇନ ଚିଫ ସିନିୟର ଜେନେରାଲ ମୀନ ଅଙ୍ଗ ହାଇଙ୍ଗ ଭାରତୀୟ ଅଧିକାରୀ ମାନଙ୍କ ସହ ସାକ୍ଷାତ କରି ଦ୍ଵିପାକ୍ଷିକ ସମ୍ପର୍କର ଭବିଷ୍ୟତ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ମିଆଁମାର ପକ୍ଷରୁ ମିଆଁମାର ସେନା ବାହିନୀର ଡେପୁଟି କମାଣ୍ଡର ଇନ ଚିଫ ସିନିୟର ଜେନେରାଲ ସୋ ୱିନ ଦୁଇ ଦେଶର ପ୍ରତିରକ୍ଷା ବାହିନୀ ମଧ୍ୟରେ ସହଯୋଗକୁ ଆହୁରି ମଜବୁତ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଭାରତୀୟ ସେନାଧ୍ୟକ୍ଷଙ୍କ ସହ ବ୍ୟାପକ ଆଲୋଚନା କରିଥିବା ବେଳେ ମିଆଁମାର ର ବୈଦେଶିକ ମନ୍ତ୍ରଣାଳୟର ସ୍ଥାୟୀ ସଚିବ ୟୁ ସୋ ହାନ ଅନ୍ୟ ଏକ ବୈଠକରେ ଭାରତୀୟ ବୈଦେଶିକ ସଚିବଙ୍କ ସହ ବହୁ ଦ୍ଵିପକ୍ଷୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ |

ମିଆଁମାରରେ ଭାରତ ଦ୍ଵାରା ପ୍ରୋତ୍ସାହିତ 1.4 ବିଲିୟନରୁ ଅଧିକ ଆମେରିକୀୟ ଡଲାର ସମ୍ବଳିତ ବିଭିନ୍ନ ଭିତ୍ତିଭୂମି ବିକାଶ ପ୍ରକଳ୍ପରେ ଅଗ୍ରଗତି ବିଷୟରେ ଅଧିକାରୀ ମାନେ ଆଳାପ ଆଲୋଚନା କରିଥିଲେ | ମିଆଁମାର ଦେଇ କୋଲକାତା ସହ ବ୍ୟାଙ୍କକକୁ ସଂଯୋଗ କରୁଥିବା ତ୍ରିପକ୍ଷୀୟ ରାଜପଥ ଏବଂ କାଲାଦାନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ ପରିବହନ ହେଉଛି ଦୁଇଟି କଲ୍ୟାଣକାରୀ ସଂଯୋଗୀକରଣ ପ୍ରକଳ୍ପ | ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଶେଷ ହେଲେ ଉଭୟ ଦେଶର ଆର୍ଥିକ ବିକାଶରେ ଏହା ବହୁତ ସହାୟକ ହେବ | ରଖିନେ ରାଜ୍ୟ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଯଥେଷ୍ଟ ପ୍ରଗତି ପରିଲକ୍ଷିତ ହୋଇଥିବାରୁ ଉଭୟ ପକ୍ଷ ସନ୍ତୋଷ ପ୍ରକଟ କରିଛନ୍ତି | ଭାରତର ଦକ୍ଷତା ବିକାଶ ପ୍ରୟାସର ଏକ ଅଂଶବିଶେଷ ଭାବେ ଏହି ଗସ୍ତ ସମୟରେ ବୈଦେଶିକ ସଚିବ, ସଫ୍ଟୱେର ଡେଭେଲପମେଣ୍ଟ ଏଣ୍ଡ ଟ୍ରେନିଂ ର ଏକ କେନ୍ଦ୍ର ଉଦଘାଟନ କରିଥିଲେ |

ବିକାଶ ପ୍ରକଳ୍ପର ପ୍ରଗତି ନେଇ ଆଲୋଚନା ବ୍ୟତୀତ ଉଭୟ ପକ୍ଷ ସେମାନଙ୍କ ସୀମା ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଉପରେ ଅଧିକ ପ୍ରାଧାନ୍ୟ ଦେଇ ଜାରି ରହିଥିବା ସୁରକ୍ଷା ସହଯୋଗର ସମୀକ୍ଷା କରିଥିଲେ | ନିଜ ନିଜ ଅଞ୍ଚଳକୁ ପରସ୍ପର ବିରୋଧୀ କାର୍ଯ୍ୟକଳାପ ଲାଗି ବ୍ୟବହାର ନକରିବାକୁ ଦୁଇ ଦେଶ ସେମାନଙ୍କ ପାରସ୍ପରିକ ପ୍ରତିବଦ୍ଧତାକୁ ଦୋହୋରାଇଛନ୍ତି | ଭାରତକୁ ବିଭିନ୍ନ ବିଦ୍ରୋହୀ ଗୋଷ୍ଠୀର 22 ରୁ ଅଧିକ କ୍ୟାଡରଙ୍କୁ ହସ୍ତାନ୍ତର କରିଥିବାରୁ ମିଆଁମାରକୁ ଭାରତ କୃତଜ୍ଞତା ଜ୍ଞାପନ କରିଥିଲା |

କୋଭିଡ-19 ସଙ୍କଟ କାଳରେ ଏକ ପଡୋଶୀ ବନ୍ଧୁ ରାଷ୍ଟ୍ରକୁ ସାହାଯ୍ୟ କରିବା ଲାଗି ଭାରତର ନୈତିକ ଦାୟିତ୍ଵର ଅଂଶବିଶେଷ ଭାବେ ବୈଦେଶିକ ସଚିବ ଓ ସେନାଧ୍ୟକ୍ଷ, କରୋନା ଭାଇରସର ଚିକିତ୍ସା ପାଇଁ ରେମ୍ଡ଼େସିଭରର 3000 ଭିୟାଲ ଜାତୀୟ ଉପଦେଷ୍ଟା ଆଙ୍ଗ ସାନ ସୁ କୀଙ୍କୁ ପ୍ରଦାନ କରିଥିଲେ | କୋଭିଡ-19 ଟୀକା ଉପଲବ୍ଧ ହେବା ପରେ ମିଆଁମାରକୁ ପ୍ରାଥମିକତା ଭିତ୍ତିରେ ଏହି ଟୀକା ପ୍ରଦାନ ଲାଗି ମଧ୍ୟ ବୈଦେଶିକ ସଚିବ ସୂଚିତ କରିଥିଲେ | ମିଆଁମାର ଓ ବାଙ୍ଗଲାଦେଶର ବାସହରା ଲୋକ ମାନଙ୍କୁ ଶୀଘ୍ର ପ୍ରତ୍ୟାବର୍ତ୍ତନ ଲାଗି ଭାରତ ଉଭୟ ଦେଶକୁ ଆର୍ଥିକ ତଥା ସାମଗ୍ରିକ ସହାୟତା ସହ ମାନବିକ ସହାୟତା ପ୍ରଦାନ କରିଛି |

ନିକଟ କିଛି ବର୍ଷରେ ଭାରତ ଓ ମିଆଁମାର ମଧ୍ୟରେ ଶକ୍ତି କ୍ଷେତ୍ରରେ ମଧ୍ୟ ସମ୍ପର୍କ ଆହୁରି ମଜବୁତ ହୋଇଛି |ଫେବୃୟାରି 2020ରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମିଆଁମାର ଗସ୍ତ ସମୟରେ ଉଭୟ ପକ୍ଷ ପେଟ୍ରୋଲିୟ ଉତ୍ପାଦରେ ସହଯୋଗ ପାଇଁ ଏକ ଏମଓୟୁରେ ସ୍ଵାକ୍ଷର କରିଥିଲେ | ତୈଳ ଓ ଗ୍ଯାସ କ୍ଷେତ୍ରରେ ମିଳିତ କ୍ରିୟାନ୍ବୟନ ଗୋଷ୍ଠୀ ଜରିଆରେ ଶକ୍ତି କ୍ଷେତ୍ରରେ ଦ୍ଵିପାକ୍ଷିକ ସହଯୋଗ ସ୍ଥାପନା ଲାଗି ଉଭୟ ଦେଶର ଆନୁଷ୍ଠାନିକ ବ୍ୟବସ୍ଥା ରହିଛି | ଚଳିତ ବର୍ଷ ଜୁନ ମାସରେ ଏହାର ଶେଷ ବୈଠକ ବସିଥିଲା | ଭାରତର ମିଜୋରାମ ଓ ମିଆଁମାର ମଧ୍ୟରେ ସୀମା ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ମିଆଁମାରର ଚୀନ ରାଜ୍ୟର ସାରସିଚାଊକ ଠାରେ ସୀମା “ହାଟ” ବ୍ରିଜ ନିର୍ମାଣ ପାଇଁ ଭାରତ 2 ନିୟୁତ ଆମେରିକୀୟ ଡଲାର ସମ୍ବଳିତ ଅନୁଦାନ ଦେବା ଲାଗି ଘୋଷଣା କରିଛି, ଯାହା ଅର୍ଥନୈତିକ ଯୋଗାଯୋଗକୁ ଆହୁରି ସୁଦୃଢ କରିବ | ଭାରତ ମଧ୍ୟ ବିଶ୍ଵ ପ୍ରସିଦ୍ଧ ବାଗାନ ପାଗୋଡା ଭଳି ମିଆଁମାରର ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସହାୟତା ଦେବା ଲାଗି ଘୋଷଣା କରିଛି | 2016ରେ ଅନୁଭୂତ ପ୍ରଳୟଙ୍କାରୀ ଭୂମିକମ୍ପ ଯୋଗୁଁ ଏହି ବିଶ୍ଵ ପ୍ରସିଦ୍ଧ ଐତିହ୍ୟ କ୍ଷତିଗ୍ରସ୍ତ ହୋଇଥିଲା |

ଆଲେଖ୍ୟ- ରଞ୍ଜିତ କୁମାର, ବରିଷ୍ଠ ସାମ୍ବାଦିକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...