Skip to main content

ମହାକାଶ କ୍ଷେତ୍ର  ଖୋଲିବା  ଦ୍ଵାରା  ଅଧିକ  ସୁଯୋଗ ମିଳିବ  କହିଲେ ପ୍ରଧାନମନ୍ତ୍ରୀ      

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ କାର୍ଯ୍ୟକଳାପରେ ଭାଗିଦାରୀ ଲାଗି ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମହାକାଶ କ୍ଷେତ୍ରରୁ ପ୍ରମୁଖ ଉଦ୍ୟୋଗପତି, ଷ୍ଟାର୍ଟ ଅପ୍ ଏବଂ ଶିକ୍ଷାବିତ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚଳିତ ବର୍ଷ ଜୁନରେ ମହାକାଶ କ୍ଷେତ୍ର ଖୋଲିବା ଏବଂ ସବୁ ପ୍ରକାରର ମହାକାଶ କାର୍ଯ୍ୟକଳାପରେ ଭାରତୀୟ ବେସରକାରୀ କ୍ଷେତ୍ରକୁ ଭାଗିଦାରୀରେ ସମର୍ଥ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା | ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଇନ ସ୍ପେସ)ର ସ୍ଥାପନା ଦ୍ଵାରା ଘରୋଇ କମ୍ପାନୀ ଏବଂ ଷ୍ଟାର୍ଟ ଅପ୍ ଗୁଡିକୁ ମଧ୍ୟ ସମାନ ଅବସର ମିଳିବ | ପରବର୍ତ୍ତୀ ସମୟରେ, ଅନେକ ଉଦ୍ୟୋଗ ମହାକାଶ ବିଭାଗ ଅଧୀନରେ ଇନ ସ୍ପେସ ରେ ପ୍ରସ୍ତାବ ଦାଖଲ କରିଥିଲେ | ଏହି ପ୍ରସ୍ତାବଗୁଡ଼ିକ ଉପଗ୍ରହ ନକ୍ଷତ୍ର, କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ୍, ଜିଓସ୍ପାଟିଆଲ ସେବା, ପ୍ରବୃତ୍ତି ପ୍ରଣାଳୀ ଏବଂ ପ୍ରୟୋଗ ଉତ୍ପାଦ ସମେତ ବ୍ୟାପକ କାର୍ଯ୍ୟକଳାପ ସହିତ ଜଡିତ |

ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ପରାମର୍ଶ ଓ ଏ ଦିଗରେ ତାଙ୍କ ଅନୁଭୂତି ଆଦାନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ମହାକାଶ କ୍ଷେତ୍ରକୁ ଖୋଲିବାର ନିଷ୍ପତ୍ତି ଯୋଗୁଁ ଏହି କ୍ଷେତ୍ରରେ ସରକାରୀ-ବେସରକାରୀ ଭାଗିଦାରୀର ଏକ ନୂଆଁ ଯୁଗର ଅୟମାରମ୍ଭ ହେବ । ଏହି ପ୍ରୟାସରେ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ଏବଂ ଖୋଲା ମନରେ ସମର୍ଥନ ମିଳିବ ବୋଲି ସେ ଅଂଶଗ୍ରହଣକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ପେଷାଦାର ତଥା ପାରଦର୍ଶୀ ଢଙ୍ଗରେ କାମ କଲେ ମହାକାଶ କ୍ଷେତ୍ରରେ ସାମିଲ ହେବାକୁ ଥିବା କମ୍ପାନୀଗୁଡିକ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ରକେଟ୍ ଏବଂ ଉପଗ୍ରହ ତିଆରି ପାଇଁ କମ୍ପାନୀଗୁଡିକର ଯୋଜନାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଏକ ବଡ ପରିବର୍ତ୍ତନ ହେବ ଯଦ୍ୱାରା ଦେଶର ମହାକାଶ କ୍ଷେତ୍ର ଆହୁରି ମଜବୁତ ହେବ । ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ହାଇ-ଟେକ୍ ଚାକିରି ସୃଷ୍ଟି କରିବ, ଯାହା ଆଇଆଇଟି/ ଏନ୍ଆଇଟି ଏବଂ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନର ପ୍ରତିଭାବାନ ମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ। ଶ୍ରୀ ମୋଦୀ କହିଛନ୍ତି ଯେ ଏହା ତାଙ୍କର ଦୃଢ ବିଶ୍ୱାସ ଯେ ଯେପରି ଭାରତୀୟ ଟ୍ୟାଲେନ୍ଟ ମାନେ ଆଇଟି କ୍ଷେତ୍ରରେ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିପାରିଛନ୍ତି, ସେହିପରି ମହାକାଶ କ୍ଷେତ୍ରରେ ମଧ୍ୟ ଗୌରବ ଅର୍ଜନ କରିପାରିବେ |

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ସଂସ୍କାର କେବଳ ବ୍ୟବସାୟ ସୁଗମତା ମଧ୍ୟରେ ସୀମିତ ନୁହେଁ, ବରଂ ଉପଲବ୍ଧ ପରୀକ୍ଷଣ ସୁବିଧା ଏବଂ ଲଞ୍ଚ-ପ୍ୟାଡ୍ ସମେତ ପ୍ରତ୍ୟେକ ପର୍ଯ୍ୟାୟରେ ଅଂଶଗ୍ରହଣକାରୀଙ୍କ ସହାୟତା ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେ କହିଛନ୍ତି ଯେ ଏହି ସଂସ୍କାର ମାଧ୍ୟମରେ ଭାରତକୁ କେବଳ ଏକ ପ୍ରତିଯୋଗିତାମୂଳକ ମହାକାଶ ବଜାରରେ ପରିଣତ କରିବ ତା ନୁହେଁ, ବରଂ ଦେଶର ମହାକାଶ କାର୍ଯ୍ୟକ୍ରମର ଲାଭ ସବୁଠୁ ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିତ କରିବା । ସମାଜ ତଥା ଦେଶର ହିତ ପାଇଁ ଗଠନମୂଳକ ଚିନ୍ତନ ତଥା ବଳିଷ୍ଠ କାର୍ଯ୍ୟ କରିବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସଞ୍ଚାର ଓ ନେଭିଗେସନରେ ମହାକାଶ କ୍ଷେତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ | ସେ ଅଂଶଗ୍ରହଣକାରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି ମହାକାଶ ଗବେଷଣା ଯୁଗରେ ସେମାନେ ଇସ୍ରୋ ସହିତ ସହ-ଯାତ୍ରୀ ହେବେ ଏବଂ ଦେଶ ଖୁବ୍ ଶୀଘ୍ର ମହାକାଶ ସମ୍ପତ୍ତିର ଉତ୍ପାଦନ କେନ୍ଦ୍ରସ୍ଥଳୀରେ ପରିଣତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

ମହାକାଶ ବିଭାଗର ସଚିବ ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ ) ର ଅଧ୍ୟକ୍ଷ ଡଃ କେ ସିଭାନ୍, ଇନ ସ୍ପେସ ରୁ ଅନୁମତି ନେବା ଲାଗି ତଥା ମହାକାଶ ବିଭାଗର ସମର୍ଥନ ପାଇଁ ଉଦ୍ୟୋଗଗୁଡିକ ମାନଙ୍କଠୁ ମିଳିଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେ ସୂଚନା ଦେଇଛନ୍ତି ଯେ 25 ରୁ ଅଧିକ ଉଦ୍ୟୋଗ ମହାକାଶ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ମହାକାଶ ବିଭାଗ ସହ ଯୋଗାଯୋଗ କରିସାରିଛନ୍ତି |

ଏହି ବୈଠକ ସମୟରେ ଅଂଶଗ୍ରହଣକାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ସଂସ୍କାର ଉପରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଭାରତୀ ଏଣ୍ଟରପ୍ରାଇଜେସ୍ ର ସୁନୀଲ ଭାରତୀ ମିତ୍ତଲ, ଲାରସେନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ର ଜୟନ୍ତ ପାଟିଲ୍, ଅଗ୍ନିକୁଲ୍ କସ୍ମୋସ୍ ପ୍ରାଇଭେଟ ଲିମିଟେଡ ର ଶ୍ରୀନାଥ ରବିଚନ୍ଦ୍ରନ୍, ସ୍କାଏରୁଟ୍ ଏରୋସ୍ପେସ୍ ଲିମିଟେଡ୍ ର ପୱନ କୁମାର ଚାନ୍ଦାନା, ଆଲଫା ଡିଜାଇନ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ର କର୍ଣ୍ଣେଲ ଏଚ୍ ଏସ୍ ଶଙ୍କର, ମାପମି ଇଣ୍ଡିଆ ଲିମିଟେଡର ରାକେଶ ବର୍ମା , ପିକ୍ସେଲ ଇଣ୍ଡିଆର ଆୱାଇସ ଅହମଦ ଓ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ ଶ୍ରୀମଥି କେସାନ ଆଦି ପ୍ରମୁଖ ବ୍ୟକ୍ତି ମାନେ ଏହି ଅବସରରେ ସେମାନଙ୍କ ବକ୍ତବ୍ୟ ଦେଇଥିଲେ । ବେସରକାରୀ ଅଂଶଗ୍ରହଣ ପାଇଁ ଏହି କ୍ଷେତ୍ର ଖୋଲିଥିବାରୁ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ଏକ ମହାଶକ୍ତି ଭାବେ ପରିଗଣିତ କରିବାରେ ଆଗେଇ ନେବ ବୋଲି କହିଥିଲେ । ସେମାନେ ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଅଂଶଗ୍ରହଣକାରୀ ଭାବରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଥିଲେ। ସେମାନଙ୍କ ପ୍ରକଳ୍ପ ପାଇଁ ଇସ୍ରୋ ଦ୍ଵାରା ପ୍ରଦାନ କରାଯାଇଥିବା ସହାୟତା ଏବଂ ମାର୍ଗଦର୍ଶନ ପ୍ରତି ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇସ୍ରୋ ସହିତ ବେସରକାରୀ ସଂସ୍ଥାର ସହଯୋଗ କେବଳ ବର୍ଷକୁ ଅଧିକ ରକେଟ୍ ଉତକ୍ଷେପଣ କରିବ ନାହିଁ ବରଂ ରକେଟ୍ ଇଞ୍ଜିନର ବିକାଶରେ ନୂତନ ଅତ୍ୟାଧୁନିକ ବୈଷୟିକ ପ୍ରଗତିରେ ମଧ୍ୟ ସହାୟକ ହେବ । ପିଲାମାନଙ୍କୁ ଏହି କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ସେମାନେ ଇସ୍ରୋର କେନ୍ଦ୍ର ଗୁଡିକ ଖୋଲିବାକୁ ମଧ୍ୟ ପରାମର୍ଶ ଦେଇଥିଲେ |

ଆଲେଖ୍ୟ : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...