Skip to main content

ମହାକାଶ କ୍ଷେତ୍ର  ଖୋଲିବା  ଦ୍ଵାରା  ଅଧିକ  ସୁଯୋଗ ମିଳିବ  କହିଲେ ପ୍ରଧାନମନ୍ତ୍ରୀ      

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକାଶ କାର୍ଯ୍ୟକଳାପରେ ଭାଗିଦାରୀ ଲାଗି ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମହାକାଶ କ୍ଷେତ୍ରରୁ ପ୍ରମୁଖ ଉଦ୍ୟୋଗପତି, ଷ୍ଟାର୍ଟ ଅପ୍ ଏବଂ ଶିକ୍ଷାବିତ ମାନଙ୍କ ସହିତ ଭର୍ଚୁଆଲ ମାଧ୍ୟମରେ ବୈଠକ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚଳିତ ବର୍ଷ ଜୁନରେ ମହାକାଶ କ୍ଷେତ୍ର ଖୋଲିବା ଏବଂ ସବୁ ପ୍ରକାରର ମହାକାଶ କାର୍ଯ୍ୟକଳାପରେ ଭାରତୀୟ ବେସରକାରୀ କ୍ଷେତ୍ରକୁ ଭାଗିଦାରୀରେ ସମର୍ଥ କରିବା ପାଇଁ ଐତିହାସିକ ନିଷ୍ପତ୍ତି ନିଆଯାଇଥିଲା | ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର (ଇନ ସ୍ପେସ)ର ସ୍ଥାପନା ଦ୍ଵାରା ଘରୋଇ କମ୍ପାନୀ ଏବଂ ଷ୍ଟାର୍ଟ ଅପ୍ ଗୁଡିକୁ ମଧ୍ୟ ସମାନ ଅବସର ମିଳିବ | ପରବର୍ତ୍ତୀ ସମୟରେ, ଅନେକ ଉଦ୍ୟୋଗ ମହାକାଶ ବିଭାଗ ଅଧୀନରେ ଇନ ସ୍ପେସ ରେ ପ୍ରସ୍ତାବ ଦାଖଲ କରିଥିଲେ | ଏହି ପ୍ରସ୍ତାବଗୁଡ଼ିକ ଉପଗ୍ରହ ନକ୍ଷତ୍ର, କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ୍, ଜିଓସ୍ପାଟିଆଲ ସେବା, ପ୍ରବୃତ୍ତି ପ୍ରଣାଳୀ ଏବଂ ପ୍ରୟୋଗ ଉତ୍ପାଦ ସମେତ ବ୍ୟାପକ କାର୍ଯ୍ୟକଳାପ ସହିତ ଜଡିତ |

ଏହି ସମ୍ମିଳନୀରେ ଅଂଶଗ୍ରହଣକାରୀଙ୍କୁ ସେମାନଙ୍କ ପରାମର୍ଶ ଓ ଏ ଦିଗରେ ତାଙ୍କ ଅନୁଭୂତି ଆଦାନ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ ମହାକାଶ କ୍ଷେତ୍ରକୁ ଖୋଲିବାର ନିଷ୍ପତ୍ତି ଯୋଗୁଁ ଏହି କ୍ଷେତ୍ରରେ ସରକାରୀ-ବେସରକାରୀ ଭାଗିଦାରୀର ଏକ ନୂଆଁ ଯୁଗର ଅୟମାରମ୍ଭ ହେବ । ଏହି ପ୍ରୟାସରେ ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ଏବଂ ଖୋଲା ମନରେ ସମର୍ଥନ ମିଳିବ ବୋଲି ସେ ଅଂଶଗ୍ରହଣକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ନେବାର ପ୍ରକ୍ରିୟାରେ ପେଷାଦାର ତଥା ପାରଦର୍ଶୀ ଢଙ୍ଗରେ କାମ କଲେ ମହାକାଶ କ୍ଷେତ୍ରରେ ସାମିଲ ହେବାକୁ ଥିବା କମ୍ପାନୀଗୁଡିକ ପାଇଁ ଲାଭଦାୟକ ପ୍ରମାଣିତ ହେବ।

ରକେଟ୍ ଏବଂ ଉପଗ୍ରହ ତିଆରି ପାଇଁ କମ୍ପାନୀଗୁଡିକର ଯୋଜନାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହା ଏକ ବଡ ପରିବର୍ତ୍ତନ ହେବ ଯଦ୍ୱାରା ଦେଶର ମହାକାଶ କ୍ଷେତ୍ର ଆହୁରି ମଜବୁତ ହେବ । ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ବେସରକାରୀ ପୁଞ୍ଜି ନିବେଶ ହାଇ-ଟେକ୍ ଚାକିରି ସୃଷ୍ଟି କରିବ, ଯାହା ଆଇଆଇଟି/ ଏନ୍ଆଇଟି ଏବଂ ଅନ୍ୟାନ୍ୟ ବୈଷୟିକ ଅନୁଷ୍ଠାନର ପ୍ରତିଭାବାନ ମାନଙ୍କୁ ଅନେକ ସୁଯୋଗ ପ୍ରଦାନ କରିବ। ଶ୍ରୀ ମୋଦୀ କହିଛନ୍ତି ଯେ ଏହା ତାଙ୍କର ଦୃଢ ବିଶ୍ୱାସ ଯେ ଯେପରି ଭାରତୀୟ ଟ୍ୟାଲେନ୍ଟ ମାନେ ଆଇଟି କ୍ଷେତ୍ରରେ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିପାରିଛନ୍ତି, ସେହିପରି ମହାକାଶ କ୍ଷେତ୍ରରେ ମଧ୍ୟ ଗୌରବ ଅର୍ଜନ କରିପାରିବେ |

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ସଂସ୍କାର କେବଳ ବ୍ୟବସାୟ ସୁଗମତା ମଧ୍ୟରେ ସୀମିତ ନୁହେଁ, ବରଂ ଉପଲବ୍ଧ ପରୀକ୍ଷଣ ସୁବିଧା ଏବଂ ଲଞ୍ଚ-ପ୍ୟାଡ୍ ସମେତ ପ୍ରତ୍ୟେକ ପର୍ଯ୍ୟାୟରେ ଅଂଶଗ୍ରହଣକାରୀଙ୍କ ସହାୟତା ନିଶ୍ଚିତ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେ କହିଛନ୍ତି ଯେ ଏହି ସଂସ୍କାର ମାଧ୍ୟମରେ ଭାରତକୁ କେବଳ ଏକ ପ୍ରତିଯୋଗିତାମୂଳକ ମହାକାଶ ବଜାରରେ ପରିଣତ କରିବ ତା ନୁହେଁ, ବରଂ ଦେଶର ମହାକାଶ କାର୍ଯ୍ୟକ୍ରମର ଲାଭ ସବୁଠୁ ଗରିବ ଲୋକଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିତ କରିବା । ସମାଜ ତଥା ଦେଶର ହିତ ପାଇଁ ଗଠନମୂଳକ ଚିନ୍ତନ ତଥା ବଳିଷ୍ଠ କାର୍ଯ୍ୟ କରିବାକୁ ସେ ଅଂଶଗ୍ରହଣକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ସଞ୍ଚାର ଓ ନେଭିଗେସନରେ ମହାକାଶ କ୍ଷେତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ | ସେ ଅଂଶଗ୍ରହଣକାରୀମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ଏହି ମହାକାଶ ଗବେଷଣା ଯୁଗରେ ସେମାନେ ଇସ୍ରୋ ସହିତ ସହ-ଯାତ୍ରୀ ହେବେ ଏବଂ ଦେଶ ଖୁବ୍ ଶୀଘ୍ର ମହାକାଶ ସମ୍ପତ୍ତିର ଉତ୍ପାଦନ କେନ୍ଦ୍ରସ୍ଥଳୀରେ ପରିଣତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

ମହାକାଶ ବିଭାଗର ସଚିବ ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ ) ର ଅଧ୍ୟକ୍ଷ ଡଃ କେ ସିଭାନ୍, ଇନ ସ୍ପେସ ରୁ ଅନୁମତି ନେବା ଲାଗି ତଥା ମହାକାଶ ବିଭାଗର ସମର୍ଥନ ପାଇଁ ଉଦ୍ୟୋଗଗୁଡିକ ମାନଙ୍କଠୁ ମିଳିଥିବା ବିଭିନ୍ନ ପ୍ରସ୍ତାବ ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ସେ ସୂଚନା ଦେଇଛନ୍ତି ଯେ 25 ରୁ ଅଧିକ ଉଦ୍ୟୋଗ ମହାକାଶ କାର୍ଯ୍ୟକଳାପ ଆରମ୍ଭ କରିବା ପାଇଁ ମହାକାଶ ବିଭାଗ ସହ ଯୋଗାଯୋଗ କରିସାରିଛନ୍ତି |

ଏହି ବୈଠକ ସମୟରେ ଅଂଶଗ୍ରହଣକାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ସଂସ୍କାର ଉପରେ ନିଜ ନିଜର ମତାମତ ପ୍ରଦାନ କରିଥିଲେ। ଭାରତୀ ଏଣ୍ଟରପ୍ରାଇଜେସ୍ ର ସୁନୀଲ ଭାରତୀ ମିତ୍ତଲ, ଲାରସେନ୍ ଆଣ୍ଡ ଟୁବ୍ରୋ ଲିମିଟେଡ୍ ର ଜୟନ୍ତ ପାଟିଲ୍, ଅଗ୍ନିକୁଲ୍ କସ୍ମୋସ୍ ପ୍ରାଇଭେଟ ଲିମିଟେଡ ର ଶ୍ରୀନାଥ ରବିଚନ୍ଦ୍ରନ୍, ସ୍କାଏରୁଟ୍ ଏରୋସ୍ପେସ୍ ଲିମିଟେଡ୍ ର ପୱନ କୁମାର ଚାନ୍ଦାନା, ଆଲଫା ଡିଜାଇନ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ ର କର୍ଣ୍ଣେଲ ଏଚ୍ ଏସ୍ ଶଙ୍କର, ମାପମି ଇଣ୍ଡିଆ ଲିମିଟେଡର ରାକେଶ ବର୍ମା , ପିକ୍ସେଲ ଇଣ୍ଡିଆର ଆୱାଇସ ଅହମଦ ଓ ସ୍ପେସ କିଡ୍ଜ ଇଣ୍ଡିଆର ଶ୍ରୀମତୀ ଶ୍ରୀମଥି କେସାନ ଆଦି ପ୍ରମୁଖ ବ୍ୟକ୍ତି ମାନେ ଏହି ଅବସରରେ ସେମାନଙ୍କ ବକ୍ତବ୍ୟ ଦେଇଥିଲେ । ବେସରକାରୀ ଅଂଶଗ୍ରହଣ ପାଇଁ ଏହି କ୍ଷେତ୍ର ଖୋଲିଥିବାରୁ ଅଂଶଗ୍ରହଣକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ଏକ ମହାଶକ୍ତି ଭାବେ ପରିଗଣିତ କରିବାରେ ଆଗେଇ ନେବ ବୋଲି କହିଥିଲେ । ସେମାନେ ଆତ୍ମନିର୍ଭର ଭାରତ ଅଭିଯାନରେ ସକ୍ରିୟ ଅଂଶଗ୍ରହଣକାରୀ ଭାବରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧତା ପ୍ରକଟ କରିଥିଲେ। ସେମାନଙ୍କ ପ୍ରକଳ୍ପ ପାଇଁ ଇସ୍ରୋ ଦ୍ଵାରା ପ୍ରଦାନ କରାଯାଇଥିବା ସହାୟତା ଏବଂ ମାର୍ଗଦର୍ଶନ ପ୍ରତି ଭୂୟସୀ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଇସ୍ରୋ ସହିତ ବେସରକାରୀ ସଂସ୍ଥାର ସହଯୋଗ କେବଳ ବର୍ଷକୁ ଅଧିକ ରକେଟ୍ ଉତକ୍ଷେପଣ କରିବ ନାହିଁ ବରଂ ରକେଟ୍ ଇଞ୍ଜିନର ବିକାଶରେ ନୂତନ ଅତ୍ୟାଧୁନିକ ବୈଷୟିକ ପ୍ରଗତିରେ ମଧ୍ୟ ସହାୟକ ହେବ । ପିଲାମାନଙ୍କୁ ଏହି କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ କରିବା ପାଇଁ ସେମାନେ ଇସ୍ରୋର କେନ୍ଦ୍ର ଗୁଡିକ ଖୋଲିବାକୁ ମଧ୍ୟ ପରାମର୍ଶ ଦେଇଥିଲେ |

ଆଲେଖ୍ୟ : କୌଶିକ ରାୟ, ଆକାଶବାଣୀ ସମ୍ବାଦ ବିଶ୍ଳେଷକ

Comments

Popular posts from this blog

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ : ବ୍ରେକ୍ସିଟ ଏବଂ ଭବିଷ୍ୟତ

  2016 ମସିହାରେ ଯେତେବେଳେ ବ୍ରେକ୍ସିଟ ପାଇଁ ଜନମତ ସଂଗ୍ରହ ହୋଇଥିଲା ସେତେବେଳେ ବ୍ରିଟେନର ରାଜନୈତିକ ପରିଦୃଶ୍ୟରେ ଅସ୍ଥିରତା ସୃଷ୍ଟି ହୋଇଥିଲା | ଥେରେସା ମେ ବ୍ରେକ୍ସିଟ ବୁଝାମଣା ନେଇ ବିଫଳ ହେବାପରେ  ନିଜ ସାଂସଦ ମାନଙ୍କ ସମର୍ଥନ ହରାଇଥିଲେ | ଏହା ପରେ ସେ ଚଳିତ ବର୍ଷ ଜୁଲାଇ 4 ତାରିଖରେ ଇସ୍ତଫା ଦେବା ବିଷୟ ଘୋଷଣା କରିଥିଲେ |ଏଥିଯୋଗୁଁ କଞ୍ଜରଭେଟିଭ ପାର୍ଟି ର ଟୋରି ନେତୃତ୍ବ ଲାଗି ନିର୍ବାଚନ ହୋଇଥିଲା |ଏହି ନିର୍ବାଚନରେ ବୋରିଶ ଜନସନ ପୂର୍ବତନ ବୈଦେଶିକ ମନ୍ତ୍ରୀ  ଜେରେମୀ ହଣ୍ଟଙ୍କୁ 40,000 ରୁ ଅଧିକ ଭୋଟରେ ପରାସ୍ତ କରିଥିଲେ | ନିର୍ବାଚନରେ ବିଜୟଲାଭ କରିବା ପରେ ପରେ ଶ୍ରୀ ଜନସନ କହିଥିଲେ ଯେ ତାଙ୍କ ପ୍ରାଥମିକତା ଗୁଡିକ ମଧ୍ୟରେ 31 ଅକ୍ଟୋବର ସୁଦ୍ଧା ବ୍ରେକ୍ସିଟ ବୁଝାମଣା କରିବା, ଦେଶକୁ ଐକ୍ୟସୂତ୍ରରେ ବାନ୍ଧିବା ଓ ଲେବର ନେତା ଜେରେମୀ କୋରବୀନଙ୍କୁ ପରାଜିତ କରିବା ସାମିଲ ଅଛି | ସେ ଅଧିକରୁ ଅଧିକ ମହିଳା ଓ ଜାତିଗତ-ସଂଖ୍ୟାଲଘୁ ସାଂସଦ ମାନଙ୍କୁ ସାମିଲ କରି  ଏକ ଆଧୁନିକ ବ୍ରିଟେନର ପ୍ରତିଷ୍ଠା ପାଇଁ ଏକ କ୍ୟାବିନେଟ ଗଠନ କରିବେ ବୋଲି ସେ କହିଥିଲେ | ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ତାଙ୍କ ସମ୍ମୁଖରେ 27 ୟୁରୋପୀୟ ସଂଘର   ନେତାଙ୍କ ସହ ଅଚଳାବସ୍ଥା ରହିଥିବା ବ୍ରେକ୍ସିଟ ବୁଝାମଣାକୁ ଚୁଡାନ୍ତ କରିବା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ୟୁରୋପୀୟ ସଂଘରୁ ...

ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିନ୍ୟାସ ପଥରେ ଭାରତ ଏବଂ କାତାର

ଉପସାଗରୀୟ ଅଞ୍ଚଳରେ ଭାରତ ସହ ପାରମ୍ପାରିକ ଭାବରେ ଦ୍ୱିପାକ୍ଷିକ ସମ୍ପର୍କ ଥିବା ଦେଶସମୁହ ମଧ୍ୟରେ କାତାର ଏକ ଗୁରୁତ୍ୱପୂର୍ଣ୍ଣ ଦେଶ । ଏଠାରେ ଶକ୍ତି ସୁରକ୍ଷା, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ଭାରତୀୟ ପ୍ରବାସୀ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କର ମୂଳଭିତ୍ତି ହୋଇ ରହିଛନ୍ତି । ଭାରତର ଶକ୍ତି ନିରାପତ୍ତାରେ କାତାର ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତକୁ ସର୍ବାଧିକ ଏଲ୍‌ଏନ୍‌ଜି ଯୋଗାଇଥାଏ । 2004 ରେ କାତାରରୁ ବାର୍ଷିକ 7.5 ନିୟୁତ ଟନ୍ ଏଲ୍‌ଏନ୍‌ଜି ଆମଦାନୀ ପାଇଁ ଭାରତ 25 ବର୍ଷିଆ ଚୁକ୍ତି ସ୍ୱାକ୍ଷର କରିଥିଲା ​​। 2015 ରେ, ଯେତେବେଳେ ଆନ୍ତର୍ଜାତୀୟ ପେଟ୍ରୋଲିୟମ ମୂଲ୍ୟ ହ୍ରାସ ପାଇଲା, ବଜାର ସ୍ଥିତି ଆଧାରରେ ଏଲ୍‌ଏନ୍‌ଜି ମୂଲ୍ୟ ହ୍ରାସ ପାଇଁ ଦୋହା ଭାରତର ଅନୁରୋଧରେ ରାଜି ହୋଇଥିଲା । ଏହା ଭାରତର ଶକ୍ତି ନିରାପତ୍ତାର ସ୍ତମ୍ଭ ଭାବରେ କାତାର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ଭାରତ ଏଥିସହିତ କାତାର ଏଲ୍‌ଏନ୍‌ଜି ର ଦ୍ୱିତୀୟ ବୃହତ୍ତମ ଆମଦାନୀକାରୀ ଭାବରେ କ୍ଷୁଦ୍ର ଉପଦ୍ୱୀପ ଦେଶର ଅର୍ଥନୀତିରେ ବିଶେଷ ଅବଦାନ ଦେଇଥାଏ । 2019-20ରେ 10.95 ବିଲିୟନ ଡଲାର ଦ୍ୱିପାକ୍ଷିକ ବାଣିଜ୍ୟ ସହିତ କତାର ବିଶ୍ୱର 25 ଟି ବାଣିଜ୍ୟିକ ଅଂଶୀଦାରଙ୍କ ମଧ୍ୟରେ ରହିଛି ଏବଂ ୟୁଏଇ ଏବଂ ସାଉଦି ଆରବ ପରେ ଗଲ୍ଫ ସହଯୋଗ ପରିଷଦ (ଜିସିସି) ଦେଶ ମଧ୍ୟରେ ଏହା ତୃତୀୟ ବୃହତ୍ତମ ବାଣିଜ୍ୟ ଭାଗିଦାରୀ । ଅନ୍ୟପକ୍ଷରେ, ଦ୍ୱି...

ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ଅଷ୍ଟମ ଅବଧିର ଅୟମାରମ୍ଭ

1 ଜାନୁୟାରୀ 2021 ରେ, ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଅଷ୍ଟମଥର ପାଇଁ ଦୁଇବର୍ଷିଆ ନିର୍ବାଚିତ କାର୍ଯ୍ୟକାଳ ଆରମ୍ଭ କରିଛି । 1950 ମସିହାରେ ଏହାର ପ୍ରଥମ କାର୍ଯ୍ୟକାଳ ପରଠାରୁ ପ୍ରତ୍ୟେକ ନିର୍ବାଚନ ଜାତିସଂଘ ସାଧାରଣ ସଭାର ଦୁଇ ତୃତୀୟାଂଶରୁ ଅଧିକ ଭୋଟ୍ ଦ୍ବାରା ହୋଇଛି । ଅପରପକ୍ଷେ, ଏଭଳି ଅତ୍ୟଧିକ ଗଣତାନ୍ତ୍ରିକ ନିର୍ବାଚନୀ ଅନୁମୋଦନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସଦସ୍ୟ କିମ୍ବା ସୁରକ୍ଷା ପରିଷଦରେ ସେମାନଙ୍କ ଆସନ ପାଇଁ P5 ଦ୍ୱାରା ମିଳିନାହିଁ । ସୁରକ୍ଷା ପରିଷଦରେ ଭାରତର ପ୍ରଭାବ ଦୁଇଟି ପ୍ରସଙ୍ଗ ଉପରେ ନିର୍ଭର କରିବ । ଗୋଟିଏ ହେଉଛି ସୁରକ୍ଷା ପରିଷଦ ନିଷ୍ପତ୍ତି ପ୍ରକ୍ରିୟା । ଏହି ପ୍ରକ୍ରିୟା P5ର ଭିଟୋ ସୁବିଧା ଦ୍ୱାରା ପ୍ରାଧାନ୍ୟ ପ୍ରାପ୍ତ ହୋଇଛି । 1946 ପରଠାରୁ 293 ଥର ବ୍ୟବହୃତ ହୋଇଛି । ଭିଟୋ ବ୍ୟବହାର ହେତୁ ନିଷ୍ପତ୍ତି ନେବାରେ ଅବରୋଧ ଅନେକ ସମୟରେ ଦୁଃଖଦ ଜୀବନହାନିର କାରଣ ହୋଇଛି । ଏହାର ସଦ୍ୟତମ ଉଦାହରଣ ହେଉଛି 2020 ଆରମ୍ଭରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଛକାପଞ୍ଝା । ଯାହା କୋଭିଡ-19 ମହାମାରୀ ସମ୍ବନ୍ଧୀୟ ଜାତିସଂଘର ଏକ ପ୍ରତିକ୍ରିୟାକୁ ରାଜନୈତିକ ସ୍ତରରେ ସମର୍ଥନ ହାସଲ ପାଇଁ ପରିଷଦର ସଂକଳ୍ପକୁ ଠିକ୍ ସମୟରେ ଗ୍ରହଣ ହେବାକୁ ରୋକିଥିଲା । P5 ସଦସ୍ୟ ଭିଟୋ ବ୍ୟବହାର କରି ବିରୋଧ କରୁଥିବା ଭାରତର ସ୍ବାର୍ଥ ନିହିତ ବ୍ୟାପାରକୁ ଏକ ଉଦୀୟମାନ ବିଶ୍ୱ ଶକ୍ତି ଭାବରେ ଭାରତର ମୁକାବିଲା ...