Skip to main content

ଭାରତ-ବାଙ୍ଗଲାଦେଶ ଭର୍ଚୁଆଲ ସମ୍ମିଳନୀ



ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଭର୍ଚୁଆଲ୍ ଶିଖର ସମ୍ମିଳନୀ ଆଉ ଏକ ସଫଳ ପ୍ରୟାସ ଥିଲା ଯାହା ଦୁଇ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଗଭୀର ତଥା ଅତୁଟ ବନ୍ଧନକୁ ପ୍ରତିଫଳିତ କରିଛି | 16 ଡିସେମ୍ବରରେ ବିଜୟ ଦିବସ ପାଳନ ହେବାର ଗୋଟିଏ ଦିନ ପରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ବାଙ୍ଗଲାଦେଶ ଏହି ଦିନ 1971 ମସିହାରେ ପାକିସ୍ତାନ ବିରୁଦ୍ଧରେ ମୁକ୍ତି ସଂଗ୍ରାମରେ ବିଜୟ ଲାଭ କରିଥିଲା। ମୁକ୍ତି ସଂଗ୍ରାମର ସ୍ମୃତିଚାରଣ, ଦୀର୍ଘ 50 ବର୍ଷ ପୁରୁଣା ଭାରତ-ବାଙ୍ଗଲାଦେଶ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା | କୋଭିଡ -19 ମହାମାରୀକୁ ଦୃଷ୍ଟିରେ ରଖି ମାର୍ଚ୍ଚ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଢାକା ଗସ୍ତକୁ ବାତିଲ କରିବା ପରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏହା ପ୍ରଥମ ଦ୍ୱିପାକ୍ଷିକ ବୈଠକ ଥିଲା।

ଏହି ବୈଠକ ବସିବା ପୂର୍ବରୁ ବାଙ୍ଗଲାଦେଶ ଏବଂ ଭାରତ, ହାଇଡ୍ରୋକାର୍ବନ୍, କୃଷି, ନୂଆଦିଲ୍ଲୀ ସଂଗ୍ରହାଳୟ ଏବଂ 'ବଙ୍ଗବନ୍ଧୁ' ସଂଗ୍ରହାଳୟ ମଧ୍ୟରେ ସମନ୍ଵୟ , ଦୁଇ ଦେଶ ସୀମାନ୍ତରେ ଆତଯାତ କରୁଥିବା ହାତୀଙ୍କ ସଂରକ୍ଷଣ, ଏକ ଉଚ୍ଚପ୍ରଭାବଶାଳୀ ଗୋଷ୍ଠୀଗତ ବିକାଶ ପ୍ରକଳ୍ପ, ଭାରତ-ବାଙ୍ଗଲାଦେଶ ସିଇଓ ଫୋରମର ବିଷୟକ ସର୍ତ୍ତାବଳୀ ଏବଂ ବରିଶାଲ ନଗର ନିଗମର କଠିନ ବର୍ଜ୍ୟ ଓ ଆବର୍ଜନା ପରିଚାଳନା ପାଇଁ ଯନ୍ତ୍ରପାତି ଯୋଗାଣ ପାଇଁ ଏକ ତ୍ରିପାକ୍ଷିକ ଚୁକ୍ତି ଆଦି କ୍ଷେତ୍ରରେ ସାତୋଟି ବୁଝାମଣା ପତ୍ର (ଏମଓୟୁ ) ସ୍ୱାକ୍ଷର କରିଛନ୍ତି।

ଭର୍ଚୁଆଲ୍ ବୈଠକ ସମୟରେ ଦୁଇ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଶେଖ୍ ମୁଜିବୁର ରହମାନ ଏବଂ ମହାତ୍ମା ଗାନ୍ଧୀଙ୍କ ସ୍ମରଣ ରେ ଆୟୋଜିତ ଏକ ଡିଜିଟାଲ ପ୍ରଦର୍ଶନୀ ଉଦ୍ଘାଟନ କରି ଏହି ଦୁଇ ମହାନ ନେତାଙ୍କ ଜୀବନୀ ଏବଂ ଅହିଂସା ମୂଲ୍ଯବୋଧର ପ୍ରେରଣା ଜାଗ୍ରତ କରାଇଥିଲେ । ବଙ୍ଗବନ୍ଧୁ ଶେଖ ମୁଜିବଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶିତ ସ୍ମାରକ ଡାକ ଟିକଟ ମଧ୍ୟ ଉନ୍ମୋଚିତ ହୋଇଥିଲା। ପ୍ରାୟ 55 ବର୍ଷ ଧରି କାର୍ଯ୍ୟକ୍ଷମ ହୋଇନଥିବା ଚିଲାହାଟି ଏବଂ ପଶ୍ଚିମବଙ୍ଗର ହଲଦିବାଡି ମଧ୍ୟରେ ଥିବା ରେଳ ସଂଯୋଗ ବ୍ୟବସ୍ଥାକୁ ମଧ୍ୟ ଭର୍ଚୁଆଲ ଭାବେ ଉଦଘାଟନ କରାଯାଇଥିଲା । କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ଏହି ମାର୍ଗକୁ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି |

ବର୍ତ୍ତମାନର ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଭାରତର ‘ପଡ଼ୋଶୀ ପ୍ରଥମ ନୀତି ’ ରେ ବାଙ୍ଗଲାଦେଶ ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ସଦୃଶ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ବାଙ୍ଗଲାଦେଶ ସହ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କ ବଜାୟ ରଖିବା ଉପରେ ଧ୍ୟାନ ଦେଇ ଆସିଛି। 2019 ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ ଶେଖ ହସିନା ସରକାରୀ ଗସ୍ତରେ ନୂଆଦିଲ୍ଲୀ ଆସିବା ଅବସରରେ ଯେଉଁ ସବୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ତାହାର କାର୍ଯ୍ୟକାରିତା ଏବଂ ପ୍ରଗତି ନେଇ ଉଭୟ ନେତା ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଜାରିରହିଥିବା କୋଭିଡ-19 ମହାମାରୀକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇ କହିଛନ୍ତି ଯେ ଭାରତରେ ଏହି ଟୀକା ଉତ୍ପାଦିତ ହେବା ପରେ ବାଙ୍ଗଲାଦେଶକୁ ଏହା ନିଶ୍ଚିତ ରୂପରେ ଉପଲବ୍ଧ କରାଯିବ । ଏହି ବୈଠକ ଅବସରରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ତିସ୍ତା ନଦୀର ଜଳ ବଣ୍ଟନ ପାଇଁ ତୁରନ୍ତ ଏକ ଅନ୍ତରୀଣ ରାଜିନାମା ସ୍ଵାକ୍ଷର କରିବାକୁ ଅନୁରୋଧ କରିଛନ୍ତି | ଏହି ଜଳ ବଣ୍ଟନ ପାଇଁ ଏକ ଚୁକ୍ତି ସ୍ଵାକ୍ଷର କରିବାକୁ ଦୁଇ ଦେଶର ସରକାର 2011 ମସିହାରେ ରାଜି ହୋଇଥିଲେ । ଦୁଇ ଦେଶରେ ପ୍ରବାହିତ ମନୁ, ମୁହୁରୀ, ଖୋୱାଇ, ଗୁମତି, ଧର୍ଲା ଏବଂ ଦୁଧକୁମାର ଆଦି ଛ ଟି ନଦୀର ଜଳ ବଣ୍ଟନ ପାଇଁ ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମା ସ୍ଵାକ୍ଷର କରିବାର ଆବଶ୍ୟକତା ଉପରେ ଉଭୟ ନେତା ଗୁରୁତ୍ଵ ଦେଇଥିଲେ।

ଦକ୍ଷିଣ ଏସିଆ ମୁକ୍ତ ବାଣିଜ୍ୟ କ୍ଷେତ୍ର (ସାଫଟା ) ର ସମ୍ପୂର୍ଣ୍ଣ ଫାଇଦା ଉଠାଇବା ପାଇଁ ବନ୍ଦର ପ୍ରତିବନ୍ଧକ ଏବଂ କ୍ଵାରାଣ୍ଟାଇନ ପ୍ରତିବନ୍ଧକ ଭଳି ବାଣିଜ୍ୟ ସୁଗମ ଓ ଅଣ ଶୁଳ୍କ କଟକଣାର ମୁକାବିଲା କରିବାର ଆବଶ୍ୟକତା ଉପରେ ଉଭୟ ନେତା ଆଲୋଚନା କରିଥିଲେ। ଭାରତର ଅତ୍ୟାବଶ୍ୟକୀୟ ସାମଗ୍ରୀ ବାଙ୍ଗଲାଦେଶ ବଜାରରେ ପହଞ୍ଚିବା ପରେ ଘରୋଇ ବଜାର ପ୍ରଭାବିତ ହେଉଛି ତେଣୁ ଭାରତର ରପ୍ତାନି-ଆମଦାନୀ ନୀତିରେ କୌଣସି ପ୍ରକାରର ସଂଶୋଧନ ପୂର୍ବରୁ ଭାରତ ସରକାର ଏବିଷୟରେ ବାଙ୍ଗଲାଦେଶ କୁ ଆଗୁଆ ଜଣାଇଲେ ଭଲ ହେବ ବୋଲି ପ୍ରଧାନମନ୍ତ୍ରୀ ହସିନା ଅନୁରୋଧ କରି କହିଛନ୍ତି।

ମିଳିତ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତକୁ ଅଭିନନ୍ଦନ ଜଣାଇବା ସହ ରୋହିଙ୍ଗ୍ୟାଙ୍କ ମିଆଁମାରକୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାରେ ଭାରତ ସହାୟତା କରିବ ବୋଲି ବାଙ୍ଗଲାଦେଶ ଆଶା ପ୍ରକାଶ କରିଛି। ଜାତିସଂଘ ନିରାପତ୍ତା ପରିଷଦର ସଭ୍ୟ ଭାବେ ଭାରତକୁ ନିର୍ବାଚିତ କରାଇବାରେ ସମର୍ଥନ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର, ଜଳବାୟୁ ପରିବର୍ତ୍ତନର ମୁକାବିଲା , ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡ଼ିଜିଏସ ) ହାସଲ ତଥା ଦେଶାନ୍ତରୀ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଥିଲେ।

ବାଙ୍ଗଲାଦେଶ , ଭାରତ ଏବଂ ନେପାଳ, ଭୁଟାନ ମଧ୍ୟରେ ଭୁଟାନ-ବାଂଲାଦେଶ-ଭାରତ-ନେପାଳ (ବିବିଏନ୍) ମୋଟର ଯାନ ଚୁକ୍ତିନାମାକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପରେ ଉଭୟ ନେତା ବିଚାର ବିମର୍ଶ କରିଥିଲେ। ଢାକା ମଧ୍ୟ ଭାରତ-ମିଆଁମାର-ଥାଇଲ୍ୟାଣ୍ଡ ତ୍ରିପାକ୍ଷିକ ରାଜପଥ ପ୍ରକଳ୍ପରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛି। ପ୍ରଧାନମନ୍ତ୍ରୀ ମୋଦୀ ବାଙ୍ଗଲାଦେଶକୁ ନିଉ ଡେଭଲପମେଣ୍ଟ ବ୍ୟାଙ୍କ କିମ୍ବା ବ୍ରିକ୍ସ ବ୍ୟାଙ୍କରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି | ଏହା ଏକ ବହୁପକ୍ଷୀୟ ଅନୁଷ୍ଠାନ ଯାହା ବର୍ତ୍ତମାନ ଉଭା ହୋଇଥିବା ଅର୍ଥନୀତିରେ ଭିତ୍ତିଭୂମି ତଥା ନିରନ୍ତର ବିକାଶ ପ୍ରକଳ୍ପ ସମେତ ବିଭିନ୍ନ କ୍ଷେତ୍ରରେ ବହୁତ ଭଲ କାମ କରୁଛି । ଜାରି ରହିଥିବା ମହାମାରୀ ଉଭୟ ଦେଶ ପାଇଁ ଜିଓ-ରଣନୀତି ଏବଂ ଜିଓ-ଅର୍ଥନୀତିରେ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଏହାକୁ ଧ୍ୟାନରେ ରଖି ଦ୍ୱିପାକ୍ଷିକ ସମ୍ପର୍କ ପ୍ରତିଷ୍ଠା ଦିଗରେ ଏହି ଭର୍ଚୁଆଲ୍ ବୈଠକକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି | ଅଗ୍ରଗତି ପାଇଁ ଛୋଟ ମୋଟ ପାର୍ଥକ୍ୟକୁ ଏଡେଇ ଉଭୟ ଦେଶ ଶାନ୍ତି ଏବଂ ସମୃଦ୍ଧତା ପାଇଁ ଐକ୍ୟବଦ୍ଧତା ସହ କାର୍ଯ୍ୟ କରିବା ଉଚିତ୍ |

ଆଲେଖ୍ୟ : ଡଃ ପାଉଲାମି ସାନ୍ୟାଲ , ଗବେଷଣା ବିଶ୍ଳେଷକ

Comments

Popular posts from this blog

କୋଭିଡ-19 ସଂଗ୍ରାମ ଲାଗି ଅଧିକ ସତର୍କତା ଅବଲମ୍ବନ କରିବା ପାଇଁ ଆହ୍ଵାନ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ” ର 65 ତମ ସଂସ୍କରଣରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଐକ୍ୟବଦ୍ଧ ହୋଇ କରୋନା ସଙ୍କଟର ମୁକାବିଲା କରୁଛି ଓ ଲକଡାଉନ କଟକଣା କୋହଳ କରାଯାଇ ଭାରତୀୟ ଅର୍ଥନୀତିର ଏକ ପ୍ରମୁଖ ଭାଗ ଖୋଲିଦିଆଯାଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରି ଆଗକୁ ଅଗ୍ରସର ହେବାକୁ ପଡିବ | ପ୍ରଧାନମନ୍ତ୍ରୀ କହିଛନ୍ତି ଯଥେଷ୍ଟ ପ୍ରତିଷେଧମୂଳକ ପଦକ୍ଷେପ ସହ 200 ଟି ଟ୍ରେନ ଚଳାଚଳ କରିଛି | ବିମାନ ସେବା ମଧ୍ୟ ଆରମ୍ଭ ହୋଇଛି ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟ ସ୍ଵାଭାବିକ ଅବସ୍ଥାକୁ ଫେରୁଛି | କରୋନା ମୁକାବିଲା ବିରୁଦ୍ଧରେ କୌଣସି ପ୍ରକାରର ଅବହେଳା ପ୍ରଦର୍ଶନ ନକରି ଦୁଇ ଗଜ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧି ଯଥା ସମ୍ଭବ ଘରେ ରହିବାକୁ ସେ ସତର୍କ କରାଇଛନ୍ତି | ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇ କରୋନା ସଙ୍କଟର ମୁକାବିଲା କରିବା ପାଇଁ ଜାରି ରହିଥିବା ଅହରହ ପରିଶ୍ରମ ଯେପରି ବୃଥାରେ ନଯାଉ ବୋଲି ଶ୍ରୀ ମୋଦୀ ଜୋର ଦେଇକହିଛନ୍ତି | ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀଙ୍କ ସଂକଲ୍ପ ଶକ୍ତି ସହିତ ଏବେ ସେବା ଶକ୍ତି ଯୋଡି ହୋଇଯାଇଛି ଏବଂ ଏହା ସହ ଭାରତ ଦୃଢତାର ସହ କରୋନା ବିରୁଦ୍ଧରେ ଲଢୁଛି | ‘ସେବା ପରମ ଧର୍ମ’ ଉକ୍ତି ସହ ଆମେ ବେଶ ପରିଚିତ ଓ ଏହି ମନୋଭାବ ନେଇ ଆମେ ଆଗେଇ ଚାଲିଛୁ ବୋଲି ସେ କହିଛନ୍ତି | ଡାକ୍ତର, ...

ଆତ୍ମନିର୍ଭର ଭାରତରେ ପ୍ରବାସୀଙ୍କ ଭୂମିକା

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଷୋଡ଼ଶ ତମ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ‘ଆତ୍ମନିର୍ଭର ଭାରତ ଭାରତରେ ପ୍ରବାସୀଙ୍କ ଭୂମିକା’ ଶୀର୍ଷକ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଡ ଜୟଶଙ୍କର କହିଛନ୍ତି, ଆତ୍ମନିର୍ଭର ପ୍ରସଙ୍ଗର ଆଭିମୁଖ୍ୟ ବିଶ୍ୱସ୍ତରୀୟ ପ୍ରଭାବକୁ ଆଲୋକିତ କରିଥାଏ । ଏହା ମଧ୍ୟ ପ୍ରବାସୀଙ୍କ ସହିତ ଅଧିକ ଶକ୍ତିଶାଳୀ ସଂଯୋଗ ପାଇଁ ନୂତନ ଉପାୟ ସୃଷ୍ଟି କରିବାରେ ସାହାଯ୍ୟ କରେ । ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆତ୍ମନିର୍ଭର ଭାରତର ଉଦ୍ଦେଶ୍ୟ ହେଉଛି ଅଧିକ ଜାତୀୟ ଦକ୍ଷତା ଗଠନ କରିବା ଯାହା ଦ୍ବାରା ଆମେ ବିଶ୍ୱ ସହିତ ଏକ ମଜଭୁତ ଯୋଗଦାନ କରିପାରିବା । ସର୍ବୋପରି, ଏହା ଏକ ପ୍ରଶଂସନୀୟ ଲକ୍ଷ୍ୟ । କିନ୍ତୁ କୋଭିଡ-19 ମହାମାରୀର ଅଭିଜ୍ଞତା ଅଧିକ ବିଶ୍ୱସ୍ତ, ସ୍ଥିର, ନିର୍ଭରଯୋଗ୍ୟ ଏବଂ ଉପେକ୍ଷିତ ଯୋଗାଣ ଶୃଙ୍ଖଳାର ଆବଶ୍ୟକତାକୁ ବୁଝାଇ ଦେଇଛି । ସେହି ପ୍ରୟାସରେ ଉଭୟ ପକ୍ଷଙ୍କୁ ଜଡିତ କରିବା ସ୍ୱାଭାବିକ । ରାଷ୍ଟ୍ର ନିର୍ମାଣରେ ଭାରତୀୟ ଉତ୍ସାହ ସର୍ବଦା ଉତ୍ତୀର୍ଣ୍ଣ ଯୋଗଦାନ ଦେଇଆସୁଛି । ଦ୍ୱିତୀୟତଃ ନିଜ ନିଜ ସମାଜରେ ସମସ୍ତେ ଉଚ୍ଚକୋଟୀର ଉତ୍ସ, ପ୍ରଯୁକ୍ତିବିଦ୍ୟା, କୁଶଳ କାର୍ଯ୍ୟଶୈଳୀ ଏବଂ ଅଭିନବତା ଆଣିପାରିବେ । ତୃତୀୟତଃ ସେମାନେ ଏହି ଉଚ୍ଚାଭିଳାଷୀ ଅଭ୍ୟାସକୁ ବାସ୍ତବରେ ବିଶ୍ୱସ୍ତରୀୟ ଛାପ ଛାଡ଼ିବାରେ ରେ ସାହାଯ୍ୟ କରିପାରିବେ । ମନ୍ତ୍ରୀ ଆଶା କରିଛନ୍ତି ଯେ...

ନେପାଳ ସମ୍ପ୍ରତ୍ତି ନେଇଥିବା ଏହାର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି

ଭାରତ ସହ ନେପାଳର ବହୁମୂଖୀ ସମ୍ପର୍କ ରହିଛି ଯାହାକୁ ଦୈନନ୍ଦିନ ଜୀବନର ଏପରି କୌଣସି କ୍ଷେତ୍ର ନାହିଁ ଯାହା ସହ ଯୋଡା ଯାଇପାରିବ ନାହିଁ | ଏହିପରି ନିବିଡ ସମ୍ପର୍କ ବିଶ୍ଵର କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ | କିନ୍ତୁ ସମ୍ପ୍ରତ୍ତି ନେପାଳ ରାଜନୀତିରେ ଭାରତ ବିରୋଧୀ ଜାତୀୟତାବାଦର ଉଦ୍ରେକ ହୋଇଛି | ନିକଟ କିଛି ସପ୍ତାହ ମଧ୍ୟରେ ଏହିଭଳି ରାଜନୀତି ପାଇଁ ଭୌଗୋଳିକ ଓ ଐତିହାସିକ ଦୃଷ୍ଟିରୁ ନିବିଡ ଥିବା ଭାରତ-ନେପାଳ ସମ୍ପର୍କ ଏକ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି ଏବଂ ମାତ୍ର ଏକ ସାମାନ୍ୟ କାରଣରୁ ଏହା ଏକ ବଡ ଚାଲେଞ୍ଜ ଭାବେ ଉଭା ହୋଇଛି | ଗତ ସପ୍ତାହରେ ନେପାଳ ଏହାର ସମ୍ବିଧାନରେ ସଂଶୋଧନ କରିବା ସହ ଭାରତର ସାର୍ବଭୌମ୍ୟ ଭୂଖଣ୍ଡକୁ ଅନ୍ତର୍ଭୁକ୍ତ କରି ଏହାର ନୂତନ ମାନଚିତ୍ର ଜାରି କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାର ସୂତ୍ରପାତ ହୋଇଥିଲା | ଏହି ଅଞ୍ଚଳ ଗୁଡିକ ହେଲା ଚୀନ ସୀମା ନିକଟସ୍ଥ ଉତ୍ତରାଖଣ୍ଡର କଳାପାଣି, ଲିପୁଲେଖ ଓ ଲିମ୍ପ୍ୟାଧୁରା ଯେଉଁ ମାର୍ଗ ଦେଇ ପାରମ୍ପରିକ ଭାବେ କୈଳାଶ ମାନସରୋବର ଯାତ୍ରା କରାଯାଇଆସୁଛି | ଏହି ମାନଚିତ୍ରର ଏକ ବାହ୍ୟରେଖା ନେପାଳର ଜାତୀୟ ପ୍ରତୀକରେ ରହିଛି | ଭାରତୀୟ ଭୂଖଣ୍ଡକୁ ସାମିଲ କରି ଏକତରଫା ଭାବେ ନୂଆଁ ମାନଚିତ୍ର ଜାରିକରାଯାଇଛି ଯାହାକି ଆଦୌ ଗ୍ରହଣୀୟ ନୁହେଁ ଏବଂ ଏହାକୁ କୌଣସି ପରିସ୍ଥିତିରେ ଏଡାଇ ଦିଆଯାଇପାରିଥାନ୍ତା | ନେପାଳ ଏହାର ନାଗରିକତା ଆଇନର...